ନୂଆ ତିନି କୃଷି ଆଇନ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ୍ ରଦ୍ଦ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ଆଇନ ପ୍ରଣୟନ କରିବା ସମେତ ୨୧ ଦଫା ଦାବିରେ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରିବା ନେଇ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଲୋହିଆ ଏକାଡ଼େମୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର ଆବାହାକ ସୁରେଶ ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ, ଭାତତ ବନ୍ଦ ୨୭ ତାରିଖ ସକାଳ ୬ଘଣ୍ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ।
ବନ୍ଦ ସଂପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଏବଂ ସାଧାରଣ ଜନତାଙ୍କ ସମର୍ଥନରେ କରାଯିବ । ସମସ୍ତ ପ୍ରକାରର ଜରୁରୀକାଳୀନ ସେବାଗୁଡିକୁ ବନ୍ଦ କାର୍ଯ୍ୟକ୍ରମରୁ ବାଦ୍ ଦିଆଯିବ। ବନ୍ଦ ଦିନ କେନ୍ଦ୍ର ସରକାରଙ୍କ ସମସ୍ତ ଦପ୍ତର, ବଜାର, ସପିଂ ମଲ୍, କାରଖାନା, ଶିକ୍ଷାନୁଷ୍ଠାନ, ବିଭିନ୍ନ କିସମର ପରିବହନ ବ୍ୟବସ୍ଥା, ଘରୋଇ ପରିବହନ କ୍ଷେତ୍ର, ଜାତୀୟ ରାଜପଥ ଏବଂ ରେଳ ଚଳାଚଳ ଇତ୍ୟାଦି ବନ୍ଦ କରାଯିବା ପାଇଁ ପିକେଟିଂ କରାଯିବ। ଏହି ବନ୍ଦ ମୁଖ୍ୟତଃ ମୋଦି ସରକାରଙ୍କ କୃଷକ ବିରୋଧୀ ନୀତି ବିରୋଧରେ ଆହ୍ବାନ କରାଯାଇଛି । ମୋଦି ସରକାର ସରକାରୀ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରିଛନ୍ତି, ସୁତରାଂ ଭାରତର କୃଷକମାନେ ସରକାରୀ ବ୍ୟବସ୍ଥାକୁ ସେହିଦିନ ବନ୍ଦ କରିବା ପାଇଁ ପ୍ରତିବାଦ ସ୍ଵରୂପ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର କୃଷକ ସଂଗଠନ, ଟ୍ରେତ ୟୁନିୟନ ଏବଂ ବହୁ ଗଣସଂଗଠନ ସାମିଲ ହୋଇ ପ୍ରଚାରପତ୍ର ବଣ୍ଟନ, ପଥପ୍ରାନ୍ତ ସଭା, ଗାଁ ଏବଂ ବସ୍ତିରେ ସାଧାରଣ ବୈଠକ ଅବ୍ୟାହତ ରଖୁଛନ୍ତି।
ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କ୍ଷୀରୋଦ କୁମାର ସିଂହଦେଓ, ବଂଶୀଧର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ନିରଞ୍ଜନ ମହାନ୍ତି, ଭାଲଚନ୍ଦ୍ର ଷଡଙ୍ଗୀ, ନରେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ସାମନ୍ତରାୟ, ଶେଷଦେବ ନନ୍ଦ, ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ ଏବଂ ଦେବପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଘୋଷଣା କରିଛନ୍ତି।