ବଜାରରେ କୁକୁଡ଼ା ଚାଷୀମାନେ ସୁସ୍ଥ ଏବଂ ନିରୋଗ କୁକୁଡ଼ା ବିକ୍ରି କରିପାରିଲେ ତାଙ୍କୁ ଉପଯୁକ୍ତ ଲାଭ ମିଳିପାରେ l ବର୍ଷର ବିଭିନ୍ନ ସମୟରେ କୁକୁଡ଼ା ଚିଆଁଗୁଡ଼ିକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିବାର ଆଶଙ୍କା ରହିଥାଏ l ଏହି ରୋଗଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇପାରିଲେ କୁକୁଡ଼ା ଚାଷୀମାନେ ନିଶ୍ଚିତ ଦୁଇପଇସା ରୋଜଗାର କରିପାରିବେ l ସମୟ ସମୟରେ ଛୋଟ ଅସାବଧାନତା ଏବଂ ଅଜ୍ଞତା ହିଁ କୁକୁଡ଼ା ଚାଷୀମାନଙ୍କ ପାଇଁ ପ୍ରଚୁର କ୍ଷତି ଆଣିଦେଇ ଥାଏ l ଏହି ସବୁ ଉପାଦେୟ କଥାଗୁଡ଼ିକୁ ଜାଣି ରଖିବା ପାଇଁ ଆଜି ଆମେ କୁକୁଡ଼ା ଚିଆଁମାନଙ୍କର ବିଶେଷ ଯତ୍ନ ବିଷୟରେ ଏଠାରେ ଉପସ୍ଥାପନ କରୁଛୁ l ଆଶା କରୁଛୁ ଏହା ଦ୍ୱାରା ଚାଷୀଭାଇମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ l
ପ୍ରଥମ ସପ୍ତାହରେ ଯତ୍ନ
-
ଚିଆଁ ଆଣିବା ମାତ୍ରେ ଚିଆଁ ଆସ୍ତେ ଆସ୍ତେ ଗୋଟି ଗୋଟି କରି ପାଣି ପିଆଇ ବୃଡର ତଳେ ଛାଡ଼ି ଦିଆଯାଏ ।
-
ଆବଶ୍ୟକ ସଂଖ୍ୟକ ଜଳପାତ୍ର ଓ ଦାନାପାତ୍ର ବୃଡରକୁ କେନ୍ଦ୍ର କରି ଚକର ଅକ୍ଷପରି ସଜାଇ ରଖାଯାଏ । ଯେପରି ଚିଆଁମାନେ ଦାନାପାତ୍ର ଓ ଜଳପାତ୍ରକୁ ଭଲଭାବେର ଚିହ୍ନିପାରିବେ ଓ ସହଜରେ ପାଣି ପାଇପାରିବେ ଓ ଦାନା ଖାଇପାରିବେ ।
-
ପ୍ରଥମ ଦିନ ଦାନା ନ ଦେଇ ଖାଲିପାଣି ଦେଲେ ଚଳିବ ଓ କିଛି ସୁଜି ଦାନା ବା ମକାଗୁଣ୍ଡ କାଗଜ ଉପରେ ପକାଇଲେ ଭଲ ।
-
ପ୍ରଥମ ୫ ଦିନ ଦାନା ପାତ୍ରରେ ପୁରା ଦାନା ଭରି କରି ଢାଙ୍କୁଣୀ ଦିଆଯାଏ ନାହିଁ ।
-
ପଞ୍ଚମ ଦିନ ବୟସରେ ଚିଆଁମାନଙ୍କୁ ରାଣୀଖେତ ଏଫ୍ ଅନୁଜାତି ଟାକା ଚିଆଁଙ୍କର ନାକପୁଡ଼ା କିମ୍ବା ଆଖିରେ ଗୋଟିଏ ଠୋପା ପକାଯାଏ ।
-
ବୃଡର ତଳର ଉତ୍ତାପ ୯୫° ଫାରେନହାଇଟ୍ ରଖାଯାଏ ।
-
ପ୍ରଥମ ୭ ଦିନ ମଧ୍ୟରେ ଚିଆଁଙ୍କର ମୃତ୍ୟୁହାର ଅଧିକ ଥିବାରୁ ଚିଆଁଙ୍କ ପିଇବା ପାଣିରେ କିଛି ଭିଟାମିନ୍ ଔଷଧ ମିଶାଯାଏ । ଦରକାର ପଡ଼ିଲେ, ଆଣ୍ଟିବାୟୋଟିକ୍ ମଧ ପିଇବା ପାଣିରେ ମିଶାଇ ଦିଆଯାଏ ।
-
ଶୀତଦିନେ ଚିଆଁଘରର ଝରକାକୁ ପରିଷ୍କାର କନାରେ ବନ୍ଦ କରାଯାଏ, ଯେପରି ବାୟୁ ଚଳାଚଳ ବାଧାପ୍ରାପ୍ତ ନ ହୁଏ ।
-
ଷଷ୍ଠ ଦିନରେ ବିଛାଯାଇଥିବା ଖବର କାଗଜକୁ କାଢ଼ି ବାହାରେ ପୋଡ଼ିଦିଆଯାଏ ।
-
ପ୍ରତ୍ୟେକ ୨-୩ ଦିନ ବ୍ୟବଧାନରେ ଚିଆଁ ଘୋରକୁ ବୃଡର ଠାରୁ ଅଧିକ ଦୂରକୁ ଘୁଞ୍ଚାଯାଏ (ଦୈନିକ ୨ ଇଞ୍ଚ ହିସାବରେ)।
-
ଚିଆଁମାନେ ବୃଡର ତଳେ କିପରି ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି ଅନୁଧାନ କରି ବୃଡର ଉତ୍ତାପ ଠିକ୍ ଅଛି କି ନା ସ୍ଥିର କରାଯାଏ ।
ଦ୍ଵିତୀୟ ସପ୍ତାହରେ ଯତ୍ନ
-
ବୃଡର ତଳର ଉତ୍ତାପ ପାଇଁ ୫° ଫାରେନହାଇଟ୍ କମ୍ ରହିବା ପାଇଁ ବ୍ୟବସ୍ଥା କରାଯାଏ । ଦ୍ଵିତୀୟ ସପ୍ତାହରେ ବୃଡର ତଳ ଉତ୍ତାପ ୯୦° ଫାରେନହାଇଟ୍ ରହିବା ଦରକାର ।
-
ଚିଆଁଙ୍କର ୧୦ ଦିନ ବୟସ ପର୍ଯ୍ୟନ୍ତ ଦାନାପାତ୍ରରେ ପୁରା ଭାବରେ ଦାନା ଦେଇ ଢାଙ୍କୁଣୀ ଘୋଡ଼ାଯାଏ । ଏହା ପରେ ଦାନା ପାତ୍ରରେ ଦୁଇ ତୃତୀୟା°ଶ ଦାନା ଭରି କରାଯାଏ ।
-
ଦଶମ ଦିନ ଚିଆଁ ଘୋର କାଢ଼ି ଦିଆଯାଏ ।
-
ଦାନାପାତ୍ର ଓ ଜଳପାତ୍ରର ଉଚ୍ଚତା ବଢ଼ାଯାଏ, ଯେପରି ଉଭୟ ପାତ୍ରର ଧାର ଚିଆଁଙ୍କର ପିଠି ଉଚ୍ଚରେ ରହିବ ।
-
ଲିଟରକୁ ଦୁଇ ଦିନ ବ୍ୟବଧାନରେ କଣ୍ଟା ଫାଉଡ଼ାରେ ତଳ ଉପର କରି ଓଲଟପାଲଟ କରାଯାଏ ଯେପରି ଲିଟର ମୁଣ୍ଡା ଧରିବ ନାହିଁ ।
-
ଦଶମ ଦିନରୁ ପଞ୍ଚଦଶ ଦିନ ମଧ୍ୟରେ ଚିଆଁଙ୍କର ଥଣ୍ଟ କାଟିଦେଲେ ପରଷ୍ପର ମଧ୍ୟରେ ଖୁମ୍ପା ଖୁମ୍ପି ହେବା ଏବଂ ଦାନା ଖେଳାଇ ନଷ୍ଟ ହୋଇଯିବା କେତେକାଂଶରେ ବନ୍ଦ ହୋଇଯାଏ ।
-
୨-୩ ଦିନ ବ୍ୟବଧାନରେ ଦାନାପାତ୍ର ଓ ଜଳପାତ୍ରର ସ୍ଥାନ ପରିବର୍ତ୍ତନ କରିବା ଉଚିତ୍ ।
-
ଜଳପାତ୍ର ରହୁଥିବା ସ୍ଥାନରେ ଓଦା ଲିଟରକୁ କାଢ଼ି, ଖୋଲି ଶୁଖିଲା ଲିଟର ଦେବା ଉଚିତ୍ ।
ତୃତୀୟ ସପ୍ତାହରେ ଯତ୍ନ
-
ବୃଡର ତଳ ଉତ୍ତାପ ୮୫° ଫାରେନହାଇଟକୁ ଅଣାଯାଏ ।
-
ଆଉ ଅଧିକ ଲିଟର ପକାଇ ଲିଟର ଉଚ୍ଚ (୨ ଇଞ୍ଚ) ପର୍ଯ୍ୟନ୍ତ କରାଯାଏ ।
-
ଛୋଟ ଦାନା ପାତ୍ର ଓ ଜଳପାତ୍ର ବଦଳାଇ ମଧ୍ୟମ ଧରଣର ଦାନାପାତ୍ର ଓ ଜଳପାତ୍ର ବ୍ୟବହାର କରାଯାଏ ।
-
ପୂର୍ବପରି ୨-୩ ଦିନ ବ୍ୟବଧାନରେ ଲିଟର ଓଲଟପାଲଟ କରାଯାଏ ।
-
୧୫-୧୬ ଦିନ ମଧ୍ୟରେ ଗୁମ୍ବୋ ଟୀକା ଆଖି ବା ନାକ ପୁଡ଼ାରେ ଦେବା ଉଚିତ୍ ।
ଚତୁର୍ଥ ସପ୍ତାହରେ ଯତ୍ନ
-
ବୃଡର ତଳ ଉତ୍ତାପ ୮୦° ଫାରେନହାଇଟକୁ ଅଣାଯାଏ ।
-
ଜଳପାତ୍ର ଓ ଦାନାପାତ୍ରର ସଂଖ୍ୟା ବୃଦ୍ଧି କରିବାକୁ ପଡ଼େ ।
-
ଚିଆଁଙ୍କର ୨୫ ରୁ ୨୭ ଦିନ ବୟସ ମଧ୍ୟରେ ଦୈନିକ କକ୍ସିଡ଼ିଆ ବିରୋଧ ଔଷଧ ପାଣିରେ ୫ ଦିନ ପକାଇବାକୁ ଦିଆଯାଏ ।
-
୩୦ ଦିନ ବୟସରେ ଆଉଥରେ ରାଣୀକ୍ଷେତ ଏବଂ ଅନୁଜାତି ଟୀକା ପୂର୍ବପରି ନାକପୁଡ଼ା କିମ୍ବା ଆଖିରେ ପକାଯାଏ ।
ପଞ୍ଚମ ସପ୍ତାହରେ ଯତ୍ନ
-
ଗ୍ରୀଷ୍ମଦିନେ ବୃଡରକୁ ସମ୍ପୂର୍ଣ୍ଣ କାଢ଼ି ଦିଆଯାଏ ଓ ଶୀତଦିନେ ବୃଡର ତଳ ଉତ୍ତାପ ୭୫° ଫାରେନହାଇଟକୁ ଅଣାଯାଏ ।
-
ଅଧିକ ଲିଟର ପକାଯାଏ ଯେପରି ଲିଟରର ଉଚ୍ଚ ଅଢ଼େଇରୁ ତିନି ଇଞ୍ଚ ପର୍ଯ୍ୟନ୍ତ ହେବ ।
-
ଲିଟରରେ ପାଣି ପଡ଼ି କିମ୍ବା ବହୁତ କୁକୁଡ଼ା ମଳ ପଡ଼ି ମୁଣ୍ଡା ହେବାର ସମ୍ଭାବନା ଥାଏ । ତେଣୁ ଲିଟରରେ ଚୂନ ଗୁଣ୍ଡ ପ୍ରତି ୧୦୦ ବର୍ଗ ଫୁଟ ମେଜିଆ ଜାଗାରେ ୧ କିଲୋଗ୍ରାମ୍ ହିସାବରେ ମିଶାଯାଏ ।
-
ଯଦି ଚିଆଁମାନଙ୍କ ମଧ୍ୟରେ ଶରୀର ବୁଦ୍ଧିର ବହୁତ ତାରତମ୍ୟ ଥାଏ, ତେବେ ଛୋଟ ଚିଆଁ ଓ ବଡ଼ ଚିଆଁକୁ ଅଲଗା ଅଲଗା କରି ଦିଆଯିବା ଉଚିତ୍ ।
ଷଷ୍ଠ ଓ ସପ୍ତମ ସପ୍ତାହରେ ଯତ୍ନ
-
ଏହି ସପ୍ତାହ ମଝିରେ ଚିଆଁମାନଙ୍କୁ କୁକୁଡ଼ା ବସନ୍ତ ଟୀକା ଦିଆଯାଏ ।
-
ପୂର୍ବପରି ଆବଶ୍ୟକ ପରିମାଣ ଦାନାପାତ୍ର ଓ ଜଳପାତ୍ରର ସଂଖ୍ୟା ଦରକାର ପଡ଼ିଲେ ବଢ଼ାଯାଏ ।
-
ଲିଟରର ଅତ୍ୟଧିକ ଯତ୍ନ ଦରକାର, ଯେପରି ଲିଟର ଶୁଖିଲା ଦେଖାଯାଉଥିବ ।
-
କୁକୁଡ଼ାମାନଙ୍କ ବଡ଼ ଦାନାପାତ୍ର ଓ ଜଳପାତ୍ର ବ୍ୟବହାର କରିବାକୁ ଦିଆଯାଏ ।
-
ଏହି ବୟସରେ ବ୍ରଏଲର କୁକୁଡ଼ାକୁ ବିକ୍ରୟ କରିବାର ବ୍ୟବସ୍ଥା କରାଯାଏ ।
ଅଷ୍ଟମ ସପ୍ତାହରେ ଯତ୍ନ
-
ଅଣ୍ଡା ଦିଆ କୁକୁଡ଼ାମାନଙ୍କୁ ଅଷ୍ଟମ ସପ୍ତାହରେ ରାଣୀକ୍ଷେତ ଆର୍.ଟୁ ବି. ଟୀକା ଇଞ୍ଜେକ୍ସନ୍ ଡେଣା ତଳ ଚର୍ମରେ ଦିଆଯାଏ ।
-
ଯଥେଷ୍ଟ ସଫା ପାଣି ପିଇବାକୁ ଦିଅନ୍ତୁ ।