ସିଏ କହୁଥିଲେ, "ଆମେ ଆମେ କେବଳ ନିଜ ପାଇଁ ନୁହେଁ, ବରଂ ସମସ୍ତ ବିଶ୍ବ ପାଇଁ ଶାନ୍ତି ଓ ଶାନ୍ତିପୂର୍ଣ୍ଣ ବିକାଶରେ ବିଶ୍ବାସ ରଖୁ । ଦେଶର ବିକାଶ ପାଇଁ ଯୁଦ୍ଧ ପରିବର୍ତ୍ତେ ଦାରିଦ୍ର୍ୟତା, ରୋଗ ଓ ଅଜ୍ଞାନତା ସହ ଲଢିବାକୁ ସେ ଦେଉଥିଲେ ବାର୍ତ୍ତା । ସୀମାରେ ଛିଡା ହୋଇଥିବା ଯବାନଙ୍କ ମନରେ ଭରୁଥିଲେ ଜୋଶ ଆଉ କ୍ଷେତରେ ଚାଷୀଙ୍କ ହାତ ମୁଠାକୁ କରୁଥିଲେ ଟାଣ । ଆଜି ସେହି ମହାପୁରୁଷ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ।
ଜୁନ 1964, ଗୋଟିଏ ପକ୍ଷେ ଦେଶର ମଙ୍ଗ ଧରନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ । ଆଉ ଅନ୍ୟପକ୍ଷେ ଭାରତ ଗହମ ସଙ୍କଟ ଓ ଅକାଳ ମରୁଡିର ସମସ୍ୟା ଦେଇ ଗତି କରୁଥାଏ । ଏହି ସଙ୍କଟରୁ ବାହାରିବାକୁ ଶାସ୍ତ୍ରୀ ଦିଅନ୍ତି ଜୟ ଯବାନ ଓ ଜୟ କିସାନର ନାରା । ଆଉ କୋଟି କୋଟି ଜନସାଧାରଣଙ୍କ ମନରେ ଭରିଦିଅନ୍ତି ଜୋଶ ।
ସଙ୍କଟର ସମାଧାନ ଖୋଜିବା ପାଇଁ ସବୁଜ କ୍ରାନ୍ତିର ହୁଏ । ଚାଷୀଙ୍କ ମନରେ ଉତ୍ସାହ ଭରିବାକୁ ନିଜେ ହଳ ଚଳାନ୍ତି ଶାସ୍ତ୍ରୀ । ଗୋଟିଏ ଲକ୍ଷ ଥିଲା, ଯେମିତି ସୀମାରେ ଛିଡା ହୋଇ ଯବାନମାନେ ଶତ୍ରୁ ପକ୍ଷ ସହ ଯୁଦ୍ଧ ଲଢୁଛନ୍ତି, ଠିକ ସେମିତି ଦେଶ ଭିତରେ କ୍ଷୁଧା ସହ ଲଢେଇ ଲଢିବା ପାଇଁ ଯଦି କିଏ ସକ୍ଷମ, ତାହେଲେ ସେ ହେଉଛି ଚାଷୀ ।
ଚାଷୀଙ୍କୁ ସର୍ବନିମ୍ନ ସମର୍ଥନ ମୂଲ୍ୟର ସୁବିଧା ଲାଲ ବାହାଦୁର ଶାସ୍ତ୍ରୀଙ୍କ କାରଣରୁ ହିଁ ମିଳିଥିଲା । ବାସ୍ତବରେ ଚାଷୀଙ୍କ କଠିନ ପରିଶ୍ରମ ଅନୁଯାୟୀ ଫସଲ ପାଇଁ ଉଚିତ ମୂଲ୍ୟ ନ ପାଇବା ସମସ୍ୟା ବହୁତ ପୁରୁଣା । ସ୍ୱାଧୀନତା ପରେ ଦେଖାଗଲା ଯେ ଚାଷୀମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଉନାହାଁନ୍ତି। ଯେତେବେଳେ ଶସ୍ୟ କମ୍ ଉତ୍ପାଦନ ହେଲା, ମୂଲ୍ୟ ବଢିଗଲା ଏବଂ ଯେତେବେଳେ ଅଧିକ ଥିଲା, ମୂଲ୍ୟ ହ୍ରାସ ପାଇଲା ।
ପ୍ରଥମ ଥର ପାଇଁ MSP କେବେ ସ୍ଥିର ହେଲା?
ଏହି ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ 1964 ମସିହାରେ ତାଙ୍କ ସଚିବ ଏଲ.କେ ଝାଙ୍କ ନେତୃତ୍ୱରେ ଖାଦ୍ୟ ଓ କୃଷି ମନ୍ତ୍ରଣାଳୟର ଖାଦ୍ୟ-ଶସ୍ୟ ମୂଲ୍ୟ କମିଟି ଗଠନ କରିଥିଲେ। ଶାସ୍ତ୍ରୀ ବିଶ୍ବାସ କରୁଥିଲେ ଯେ ଚାଷୀକମାନେ ସେମାନଙ୍କ ଉତ୍ପାଦ ବଦଳରେ ଯଥେଷ୍ଟ ମୂଲ୍ୟ ପାଇବା ଉଚିତ ଯାହା ଦ୍ବାରା ସେମାନେ କଷ୍ଟ ଦୂର ହୋଇପାରିବ । ଏହି କମିଟି 24 ଡିସେମ୍ବର 1964 ରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା।
ଶାସ୍ତ୍ରୀ ଚାଷୀଙ୍କ ହିତରେ କାର୍ଯ୍ୟ କରୁଥିଲେ । ତେଣୁ ବିଳମ୍ବ ନକରି ସେ ସେହି ଦିନ ହିଁ ଏହା ଉପରେ ମାରିଥିଲେ ମୋହର । ତଥାପି, ଏହାର ପରିପ୍ରେକ୍ଷୀରେ କେତେ ଫସଲକୁ ଏହାର ପରିସରଭୁକ୍ତ କରାଯିବ, ତାହା ସ୍ଥିର ହୋଇପାରିନଥିଲା । 1966-67ରେ ପ୍ରଥମ ଥର ପାଇଁ ଗହମ ଏବଂ ଧାନ ଲାଗି ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ସ୍ଥିର କରାଯାଇଥିଲା । ମୂଲ୍ୟ ସ୍ଥିର କରିବାକୁ କେନ୍ଦ୍ର ସରକାର କୃଷି ମୂଲ୍ୟ ଆୟୋଗ ଗଠନ କରିଥିଲେ। 1985ରେ ସରକାର ଏହାର ନାଁ ପରିବର୍ତ୍ତନ କରି ନାମ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ କରିଦେଇଥିଲେ । ଏଲ.କେ ଝା କମିଟିର ସୁପାରିଶ କ୍ରମେ 1965 ମସିହାରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ମଧ୍ୟ ଗଠନ କରାଯାଇଥିଲା।
ସବୁଜ ବିପ୍ଳବର କାହାଣୀ
ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ 1965 ମସିହାରେ ସବୁଜ ବିପ୍ଳବ ଆରମ୍ଭ ହୋଇଥିଲା। ଶାସ୍ତ୍ରୀଙ୍କ ଉଦ୍ୟମରେ ଭାରତ 18,000 ଟନ୍ ବିଭିନ୍ନ କିସମର ଗହମ ମେକ୍ସିକୋରୁ ଆମଦାନୀ କରିଥିଲେ । ଫଳସ୍ୱରୂପ, 1965ରେ ମାତ୍ର 12 ନିୟୁତ ଟନ୍ ଗହମର ଉତ୍ପାଦନ ହୋଇଥିବାବେଳେ 1968 ମସିହାରେ ଏହା 17 ନିୟୁତ ଟନକୁ ବୃଦ୍ଧି ପାଇଥିଲା । ସେତେବେଳେ ଦେଶର କୃଷି ମନ୍ତ୍ରୀ ଥିଲେ ସି ସୁବ୍ରମଣ୍ୟମ୍ ।
ମରୁଡିକୁ ଦୃଷ୍ଟିରେ ରଖି ଶାସ୍ତ୍ରୀ ଲୋକମାନଙ୍କୁ ନିଜ ନିଜ ଜମିରେ ଗହମ, ଧାନ ଏବଂ ପନିପରିବା ଚାଷ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶକ୍ରମେ ଲୋକେ ଉପବାସ ମଧ୍ୟ ରଖିଥିଲେ । ଶାସ୍ତ୍ରୀ କୃଷି କ୍ଷେତ୍ରରେ ଅନେକ ସଂସ୍କାର କାର୍ଯ୍ୟକାରୀ କରିଥିଲେ । ଜଳସେଚନ ପାଇଁ କେନାଲ ନିର୍ମାଣଠୁ ନେଇ ଚାଷୀମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ କରିଥିଲେ।
ଗୋଟିଏ ଦିନର ଉପବାସ
1965 ମସିହାରେ ଯେତେବେଳେ ଦେଶ ଭୟଙ୍କର ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିଲା, ସେତେବେଳେ ପାକିସ୍ତାନ ସହ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଖାଦ୍ୟ ସଞ୍ଚୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ସପ୍ତାହରେ ଗୋଟିଏ ଦିନ ଉପବାସ କରିବାକୁ ନିବେଦନ କରିଥିଲେ। ଯାହାଦ୍ୱାରା ଆମର ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମିବ ବୋଲି ଲକ୍ଷ ରହିଥିଲା ।
ସେହି ସମୟରେ ଆମେରିକା ଖାଦ୍ୟ ଶସ୍ୟ ଯୋଗାଇବା ବିଷୟରେ କହିଥିଲା। ଏଭଳି ପରିସ୍ଥିତିରେ ଶାସ୍ତ୍ରୀ ବିଶ୍ୱାସ କରିଥିଲେ ଯେ ଯଦି କୃଷି ପ୍ରଧାନ ଦେଶ ଆମେରିକାରୁ ଧାନ ଆମଦାନୀ କରେ, ତେବେ ଦେଶର ସ୍ବାଭିମାନକୁ ଆଞ୍ଚ ଆସିବ । ଶାସ୍ତ୍ରୀ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ ।