News

ମଖାନା ଗବେଷଣା କେନ୍ଦ୍ରକୁ ଜାତୀୟ ସଂସ୍ଥାର ମାନ୍ୟତା ମିଳିଛି: ପ୍ରଧାନମନ୍ତ୍ରୀ

କୃଷକ, ମଖାନା ଉତ୍ପାଦନକାରୀ ଏବଂ ମତ୍ସ୍ୟ କ୍ଷେତ୍ରକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସେ ସୂଚନା ଦେଇଥିଲେ, ବିହାରରେ ପିଏମ୍ କିଷାନ ସମ୍ମାନ ନିଧିରେ ମିଥିଳାର ଚାଷୀଙ୍କ ସମେତ ଅନ୍ୟାନ୍ୟ ଚାଷୀମାନେ ମୋଟ ୨୫ ହଜାର କୋଟି ଟଙ୍କାରୁ ଅଧିକ ପାଇପାରିଛନ୍ତି ।

14 November, 2024 4:15 PM IST By: Tanushree Mahapatra

ବିହାରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨,୧୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ରେଳ, ସଡ଼କ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧିତ ।

ପ୍ରଧାନମପନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିହାର ସମେତ ସମଗ୍ର ଭାରତ ବୃହତ ବିକାଶମୂଳକ ଲକ୍ଷ୍ୟ ହାସଲ କରୁଛି । ସେ କହିଥିଲେ, ପୂର୍ବରୁ ଯୋଜନା ଓ ପ୍ରକଳ୍ପ କେବଳ କାଗଜକଲମରେ ହେଉଥିବା ବେଳେ ଏବେ ବାସ୍ତବରେ ସେଗୁଡ଼ିକ ସଫଳତାର ସହ ପ୍ରଣୟନ ହେଉଛି । “ଆମେ ବିକଶିତ ଭାରତ ଦିଗକୁ ଦ୍ରୁତ ଗତିରେ ଯାଉଛୁ”, କହିଥିଲେ ଶ୍ରୀ ମୋଦୀ । ସେ କହିଥିଲେ, ଆମର ବର୍ତ୍ତମାନର ପିଢ଼ି ବିକଶିତ ଭାରତର ସାକ୍ଷୀ ରହିବା ଏବଂ ଏହି ଲକ୍ଷ୍ୟ ହାସଲ କ୍ଷେତ୍ରରେ ଅବଦାନ ଦେଉଥିବାରୁ ଭାଗ୍ୟବାନ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଞ୍ଚଳରେ କୃଷକ, ମଖାନା ଉତ୍ପାଦନକାରୀ ଏବଂ ମତ୍ସ୍ୟ କ୍ଷେତ୍ରକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସେ ସୂଚନା ଦେଇଥିଲେ, ବିହାରରେ ପିଏମ୍ କିଷାନ ସମ୍ମାନ ନିଧିରେ ମିଥିଳାର ଚାଷୀଙ୍କ ସମେତ ଅନ୍ୟାନ୍ୟ ଚାଷୀମାନେ ମୋଟ ୨୫ ହଜାର କୋଟି ଟଙ୍କାରୁ ଅଧିକ ପାଇପାରିଛନ୍ତି । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ଯୋଗୁ ମଖାନା ଉତ୍ପାଦନକାରୀଙ୍କ ବିକାଶ ହୋଇଥିବା ସେ କହିବା ସହ ମଖାନା ଗବେଷଣା କେନ୍ଦ୍ରକୁ ଜାତୀୟ ସଂସ୍ଥାର ମାନ୍ୟତା ଦିଆଯାଇଥିବା କହିଥିଲେ । ସେ କହିଥିଲେ, ‘ମଖାନାକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିପାରିଛି” । ମାଛ ଜାଆଁଳ ଚାଷୀମାନେ ମଧ୍ୟ କିଷାନ କ୍ରେଡିଟ କାର୍ଡ ଏବଂ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନାରୁ ଲାଭ ପାଉଥିବା ସେ କହିଥିଲେ । ବିଶ୍ୱରେ ଭାରତକୁ ଏକ ଶ୍ରେଷ୍ଠ ମାଛ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ଥିବା ସେ କହିଥିଲେ ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ୪୦୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପାଇପ ଯୋଗେ ଘରକୁ ପ୍ରାକୃତିକ ଗ୍ୟାସ (ପିଏନଜି) ଯୋଗାଣ ଏବଂ ବାଣିଜ୍ୟିକ ଓ ଔଦ୍ୟୋଗିକ କ୍ଷେତ୍ରକୁ ସ୍ୱଚ୍ଛ ଶକ୍ତି ଯୋଗାଣ ଦୃଷ୍ଟିକୋଣରେ ସିଟି ଗ୍ୟାସ ନେଟୱର୍କ ଡିଷ୍ଟ୍ରିବ୍ୟୁସନ (ସିଜିଡି)ର ବିକାଶ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିହାରର ପାଞ୍ଚଟି ପ୍ରମୁଖ ଜିଲ୍ଲା ଦରଭଙ୍ଗା, ମଧୁବନି, ସୁପଉଲ, ସୀତାମାଢ଼ି ଏବଂ ସେଓହରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ଏହି ନେଟୱର୍କ ପ୍ରତିଷ୍ଠା କରାଯିବ । ପିଚୁ ଆମଦାନୀକୁ ହ୍ରାସ କରିବାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ବରଉଣି ରିଫାଇନାରୀରେ ପିଚୁ ପ୍ରସ୍ତୁତ ୟୁନିଟ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ।

ଅଧିକ ପଢ଼ନ୍ତୁ

Railway Job: ଆବେଦନ ପାଇଁ ଆଗ୍ରହୀ ତେବେ, ଜାଣନ୍ତୁ ଆବେଦନ ପ୍ରକ୍ରିୟା!

MFOI 2024: ପ୍ରିମିୟର ପାର୍ଟନର ଭାବେ ଯୋଡ଼ି ହେଲା ଏହି କମ୍ପାନୀ !