News

ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ଜାତୀୟ ହସ୍ତତନ୍ତ ଦିବସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି ।

08 August, 2023 10:31 AM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଭାରତ ମଣ୍ଡପମର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଗତି ମଇଦାନରେ ଆୟୋଜିତ ଏକ ପ୍ରଦର୍ଶନୀରେ ପ୍ରଦର୍ଶକମାନେ କିପରି ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିଥିଲେ । ଭାରତ ମଣ୍ଡପମର ମହିମା ମଧ୍ୟରେ ପ୍ରଧାନମନ୍ତ୍ରୀ ଭାରତର ହସ୍ତତନ୍ତ ଶିଳ୍ପର ଅବଦାନ ଉପରେ ଆଲୋକପାତ କରି କହିଛନ୍ତି ଯେ ପୁରାତନ ଏବଂ ନୂତନତ୍ୱର ମିଳନ ଆଜିର ନୂତନ ଭାରତକୁ ପରିଭାଷିତ କରୁଛି । ସେ କହିଛନ୍ତି, ଆଜିର ଭାରତ କେବଳ "ଭୋକାଲ୍ ଫର ଲୋକାଲ୍ “ ନୁହେଁ ବରଂ ଏହାକୁ ବିଶ୍ୱ ସ୍ତରକୁ ନେବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ମଧ୍ୟ ଯୋଗାଉଛି । ଆଜିର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବୁଣାକାରଙ୍କ ସହ ହୋଇଥିବା ବାର୍ତ୍ତାଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ମହାନ ଉତ୍ସବରେ ଦେଶର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟରର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନଅ ବର୍ଷ ପୂର୍ବେ ଖଦି ଏବଂ ଗ୍ରାମ ଶିଳ୍ପଗୁଡିକର କାରବାର ମାତ୍ର ୨୫-୩୦ ହଜାର କୋଟି ଟଙ୍କା ଥିଲା । କିନ୍ତୁ ଆଜି ଏହା ଏକ ଲକ୍ଷ ତିରିଶ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି ଯେ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଗ୍ରାମ ତଥା ଆଦିବାସୀମାନଙ୍କ ହସ୍ତତନ୍ତ କ୍ଷେତ୍ର ସହ ଜଡିତ ଲୋକଙ୍କ ନିକଟରେ ପହଞ୍ଚଛି । ପ୍ରଧାନମନ୍ତ୍ରୀ ନୀତି ଆୟୋଗ ରିପୋର୍ଟକୁ ଦର୍ଶାଇଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୫ ବର୍ଷ ମଧ୍ୟରେ ୧୩.୫ କୋଟି ଲୋକ ଦାରିଦ୍ର‌ରୁ ବାହାରିଛନ୍ତି ଏବଂ ଏଥିପାଇଁ ବୃଦ୍ଧି ପାଉଥିବା କାରବାରର ଅବଦାନକୁ ସ୍ୱୀକାର କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି, ସ୍ଥାନୀୟ ପାଇଁ ଭୋକାଲ ଫର ଲୋକାଲର ଉତ୍ସାହ ସହିତ ନାଗରିକମାନେ ସ୍ୱଦେଶୀ ଉତ୍ପାଦ କିଣୁଛନ୍ତି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ରକ୍ଷା ବନ୍ଧନ, ଗଣେଶ ଉତ୍ସବ, ଦଶହରା ଏବଂ ଦୀପାବଳୀର ଆଗାମୀ ଉତ୍ସବରେ ବୁଣାକାର ଏବଂ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବା ପାଇଁ ସେ ସ୍ୱଦେଶୀ ସଂକଳ୍ପକୁ ପୁନରାବୃତ୍ତି କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି ।

ବୟନ କ୍ଷେତ୍ର ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡିକ ସାମାଜିକ ନ୍ୟାୟର ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଦେଶର ଗ୍ରାମ ଏବଂ ସହରାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ହସ୍ତତନ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ, ପଛୁଆ ଏବଂ ଆଦିବାସୀ ସମାଜରୁ ଆସିଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ଦ୍ୱାରା ଆୟ ବୃଦ୍ଧି ସହ ବହୁ ସଂଖ୍ୟାରେ ନିଯୁକ୍ତି ବୃଦ୍ଧି ପାଇଛି । ବିଦ୍ୟୁତ, ଜଳ, ଗ୍ୟାସ୍ ସଂଯୋଗ, ସ୍ୱଚ୍ଛ ଭାରତ ଭଳି ଯୋଜନାଗୁଡିକର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ଅଭିଯାନରୁ ସେମାନେ ସର୍ବାଧିକ ଲାଭ ପାଇଛନ୍ତି । ମାଗଣା ରାସନ, ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୌଳିକ ସୁବିଧା ପାଇଁ ବୁଣାକାର ସମ୍ପ୍ରଦାୟ ଦଶନ୍ଧି ଧରି ଅପେକ୍ଷା କରିବାକୁ ବର୍ତ୍ତମାନର ସରକାର ଶେଷ କରିଛନ୍ତି ।

ଏହି ଉତ୍ସବରେ କେନ୍ଦ୍ର ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, କେନ୍ଦ୍ର ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାରଡୋଶ ଏବଂ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ଟାଟୁ ରାଣେ ଉପସ୍ଥିତ ଥିଲେ । ଦେଶର ସମୃଦ୍ଧ କଳା ଏବଂ କାରିଗରୀ ପରମ୍ପରାକୁ ଜୀବନ୍ତ ରଖୁଥିବା କାରିଗର ଏବଂ ଶିଳ୍ପୀମାନଙ୍କୁ ପ୍ରଧାନମନ୍ତ୍ରୀ ସର୍ବଦା ଉତ୍ସାହ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବାରେ ଏକ ଦୃଢ ପ୍ରୋତ୍ସାହକ ଅଟନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ ସରକାର ୭ ଅଗଷ୍ଟ ୨୦୧୫ ରେ ପ୍ରଥମ ପାଇଁ ଏଭଳି ଉତ୍ସବ ସହିତ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହି ତାରିଖକୁ ସ୍ୱଦେଶୀ ଆନ୍ଦୋଳନର ଏକ ବିଶେଷ ରୂପେ ମନୋନୀତ ହୋଇଥିଲା ଯାହା ୭ ଅଗଷ୍ଟ ୧୯୦୫ ରେ ଆରମ୍ଭ ହୋଇଥିଲା ଏବଂ ସ୍ୱଦେଶୀ ଶିଳ୍ପ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା ।

ଚଳିତ ବର୍ଷ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନ୍‍ଆଇଏଫ୍‍ଟି) ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ୩୦୦୦ ରୁ ଅଧିକ ହସ୍ତତନ୍ତ ଏବଂ ଖଦି ବୁଣାକାର, ଶିଳ୍ପୀ ଏବଂ ବୟନ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ହିତାଧିକାରୀମାନେ ଯୋଗଦେଇଛନ୍ତି । ଏହା ସମଗ୍ର ଭାରତରେ ହସ୍ତତନ୍ତ କ୍ଲଷ୍ଟର, ଏନ୍‍ଆଇଏଫ୍‍ଟି କ୍ୟାମ୍ପସ୍‌, ବୁଣାକାର ସେବା କେନ୍ଦ୍ର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି କ୍ୟାମ୍ପସ୍‌, ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେସନ୍‌, ହସ୍ତତନ୍ତ ରପ୍ତାନି ପ୍ରୋତ୍ସାହନ ପରିଷଦ, କେଭିଆଇସି ଅନୁଷ୍ଠାନ ଏବଂ ବିଭିନ୍ନ ରାଜ୍ୟ ହସ୍ତତନ୍ତ ବିଭାଗକୁ ଏକତ୍ର କରିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)