News

ଜାତୀୟ ଦୁଗ୍ଧ ଦିବସ, ଜାଣନ୍ତୁ କେଉଁ ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ପାଳନ କରାଯାଏ

ସାରା ଦେଶରେ ନଭେମ୍ଵର ୨୬ ତାରିଖକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଏହି ଦିବସର ମହତ୍ଵ ହୁଏତ ଅନେକଙ୍କୁ ଜଣା ନ ଥାଇପା‌ରେ । ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ. ଭର୍ଗିଜ କ୍ୟୁରିୟନଙ୍କ ଜନ୍ମ ଦିବସକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ ।

24 November, 2021 10:09 AM IST By: Sudesna Nayak

ସାରା ଦେଶରେ ନଭେମ୍ଵର ୨୬ ତାରିଖକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଏହି ଦିବସର ମହତ୍ଵ ହୁଏତ ଅନେକଙ୍କୁ ଜଣା ନ ଥାଇପା‌ରେ । ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ. ଭର୍ଗିଜ କ୍ୟୁରିୟନଙ୍କ ଜନ୍ମ ଦିବସକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ । ଦୁଗ୍ଧର ମହତ୍ତ୍ବ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା ଏବଂ ଦୁଗ୍ଧ କ୍ଷେତ୍ର ସହିତ ସଂଯୁକ୍ତ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଏହି ଦିନର ଲକ୍ଷ୍ୟ । ଜାତୀୟ ଦୁଗ୍ଧ ଦିବସ ଦୁଗ୍ଧର ମହତ୍ତ୍ବ ଉପରେ ଧ୍ୟାନ ଦେବା ଏବଂ ସୁସ୍ଥ ଜୀବନ, ​​ଆହାର ଏବଂ ଖାଦ୍ୟ ଉତ୍ପାଦନରେ ଦୁଗ୍ଧର ଅଂଶ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଥାଏ ।

ଶରୀରକୁ ସୁସ୍ଥ ରଖେ ଦୁଗ୍ଧ

1-ଦୁଗ୍ଧରେ କ୍ୟାଲସିୟମ, ଭିଟାମିନ-ଡି, ଫସଫରସ ଏବଂ ମ୍ୟାଗ୍ନେସିୟମ ଥାଏ । ଏହା ଶରୀରର ହାଡକୁ ମଜଭୁତ କରିଥାଏ । ଏହା ଦାନ୍ତ, ନଖକୁ ମଧ୍ୟ ଶକ୍ତିଶାଳୀ କରିଥାଏ ।

2-ଦୁଗ୍ଧ ରକ୍ତଚାପକୁ ସନ୍ତୁଳିତ ରଖିବା ସହ ରକ୍ତଭଣ୍ଡାରର ଯତ୍ନ ମଧ୍ୟ ନେଇଥାଏ । ଏହା ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ହ୍ରାସ କରିଥାଏ ।

3-ଖାଦ୍ୟରେ ଦୁଗ୍ଧ ମିଶାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ଏହା ମଧ୍ୟ ମୋଟାପଣ ହେବାର ସମ୍ଭାବନା କମ୍ କରିଥାଏ ।

4- ଦୁଗ୍ଧ ପିଇବା ଦ୍ବାରା ତ୍ବଚାରେ ଚମକ ଆସିବା ସହ କେଶ ମଧ୍ୟ ମଜବୁତ ହୋଇଥାଏ ।

ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ଭର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ତାଙ୍କୁ ଡେରି ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା । ୧୯୪୮ ମସିହାରେ ଆମେରିକାର ମିସିଗାନ ବିଶ୍ବବିଦ୍ୟାଳୟରେ ସେ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତନ୍ମଧ୍ୟରେ ଡେରି ଇଞ୍ଜିନିୟରିଂ ମଧ୍ୟ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ରହିଥିଲା ।

 

ଦେଶକୁ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ତଥା କୃଷକଙ୍କ ଅବସ୍ଥାରେ ସୁଧାର ପାଇଁ ସେ ତ୍ରିଭୁବନ ବାଇ ପଟେଲଙ୍କ ସହ ମିଶି ଗୁଜୁରାଟର ଖେଡା ଜିଲ୍ଲାରେ ସରକାରୀ ସମବାୟ ସମିତିର ଶୁଭାରମ୍ଭ କରିଥିଲେ ଭର୍ଗିଜ୍ । ୧୯୪୯ ମସିହାରେ ଭର୍ଗିଜ ଗୁଜୁରାଟର ଦୁଇଟି ଗ୍ରାମର ସହଯୋଗିତାରେ ଏକ ଦୁଗ୍ଧ ସହକାରିତା ସଂଘ ଗଠନ କରିଥିଲେ । ମଇଁଷି ଦୁଗ୍ଧରେ ମିଲ୍କ ପାଉଡର୍ ତିଆରି କରିବାରେ ବିଶ୍ବରେ ଭର୍ଗିଜ ଥିଲେ ପ୍ରଥମ । କାରଣ ପୂର୍ବରୁ କେବଳ ଗାଈ ଦୁଗ୍ଧରେ ହିଁ ପାଉଡର ତିଆରି କରାଯାଉଥିଲା । ଏହାପରେ ଗୁଜୁରାଟର ଆନନ୍ଦରେ ଅମୁଲର ମୂଳଦୁଆ ପଡ଼ିଥିଲା ।

୧୯୯୮ ରେ ଭାରତ, ଆମେରିକାକୁ ପଛରେ ପକାଇ, ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ପାଲଟିଥିଲା । ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ୱରେ ଅଗ୍ରଣୀ । ଦୁଗ୍ଧ ଚାଷ ଆମ ଦେଶର ସବୁଠାରୁ ବଡ଼ ଆତ୍ମନିର୍ଭର ଉଦ୍ୟୋଗ । ଡ.ଭର୍ଗିଜ କ୍ୟୁରିୟନ ଏହା ସମ୍ଭବ କରାଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ, ତାଙ୍କ ଜନ୍ମ ଦିନକୁ ‘ଜାତୀୟ ଦୁଗ୍ଧ ଦିବସ’ ଭାବେ ପାଳନ କରାଯାଉଛି ।

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)