ଜୈବିକ ଚାଷରେ ଖର୍ଚ୍ଚ ଖୁବ ଅଳ୍ପ l ସରକାର ମଧ୍ୟ ଚାଷୀଙ୍କୁ ଜୈବିକ ଚାଷ କରିବାକୁ ଉତ୍ସାହିତ କରୁଛନ୍ତି l ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଜୈବିକ ଚାଷ କରିବାକୁ ଚାଷୀ ଇଛା କରୁଛନ୍ତି l ଅଳ୍ପ ଖର୍ଚ୍ଚ ହେଉଥିବାରୁ ଭଲ ଲାଭ ଅଧିକ ହୋଇପାରୁଛି ଏବଂ ଅମଳ ମଧ୍ୟ ବଢିଛି l କେବଳ ଏତିକି ନୁହେଁ ଉତ୍ପାଦିତ ଫସଲ ଉନ୍ନତ ମଧ୍ୟ ହୋଇପାରିଛି l
କିଛି ଦିନ ତଳେ ଜୈବିକ ଚାଉଳରୁ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ଯୋଜନା ହୋଇଥିଲା l ଯାହା ସଫଳ ମଧ୍ୟ ହୋଇଛି l ଏହା ସମ୍ପୂର୍ଣ୍ଣ ଓଡିଶା ଚାଷୀଙ୍କ ପାଇଁ ଏକ ନୂଆ ଦିଗ ଆଣିବା ଆଶା କୁ ଦ୍ଵିଗୁଣ କରିଛି l
ଗତକଲି ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଥିବା ଅମୃତ ଅନ୍ନ। ମଧ୍ୟାହ୍ନ ଧୂପରେ ଭୋଗ ଲାଗିଥିଲା ଅମୃତ ଅନ୍ନ । ସୁଆର ମହାସୁଆର ନିଯୋଗ ପାଞ୍ଚ ପ୍ରକାର ଜୈବିକ ଚାଉଳ ରୁ ପ୍ରସ୍ତୁତ କରିଥିଲେ ଅମୃତ ଅନ୍ନ।
ଆଗାମୀ ଦିନରେ ଏହି ଜୈବିକ ଚାଉଳକୁ ଅଧିକ ମହଜୁଦ ରଖିବା ପାଇଁ ବିଭିନ୍ନ ସଂଗଠନଙ୍କୁ ଶ୍ରୀମନ୍ଦିର ପ୍ରଶାସନ, କୃଷି ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଗକୁ ଡାଲି ଏବଂ ପନିପରିବା ପ୍ରଭୃତି ଜୈବିକ ପଦ୍ଧତିରେ ଉତ୍ପାଦନ କରାଯିବ l ଯାହାକି ମହାପ୍ରସାଦରେ ବ୍ୟବହାର ହେବ । ଆଗକୁ ଖୁବ ଶୀଘ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।
ତେବେ କଳାଜିରା, ପଦ୍ମକେଶରୀ, ଝିଲି, ଗୋବିନ୍ଦ ଭୋଗ, ୧୦୧୪ ପ୍ରକାର ଚାଉଳ ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଏବଂ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ଲାଗି ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ। ବଳକା ଅନ୍ୟ କିସମ ଜୈବିକ ଚାଉଳ ସାଧାରଣ ଶ୍ରଦ୍ଧାଳୁଙ୍କ ଆଇଁ ମହାପ୍ରସାଦ ପ୍ରସ୍ତୁତ ହୋଇ ଆନନ୍ଦ ବଜାରରେ ବିକ୍ରି କରାଯିବ । ଗତକଲି ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ସୁଆର ମହାସୁଆର ନିଯୋଗ ଏବଂ ଶ୍ରୀମନ୍ଦିର ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସେବନ କରିଥିଲେ ।