News

ସପୁରୀ ପଣସର ବିକ୍ରି ବଢ଼ିଛି, ଚାଷୀଙ୍କ ମୁହଁରେ ହସ ଆସିଛି

ଦୁଇ ତିନି ମାସ ପୂର୍ବରୁ ସପୁରୀ ପଣସର ଅଭାବୀ ବିକ୍ରି ଏବଂ ରାୟଗଡ଼ା ଜିଲ୍ଲାରେ ସପୁରୀ ପଣସ ଚାଷ କରୁଥିବା ଚାଷୀମାନଙ୍କର ସମସ୍ୟା ବିଷୟରେ ବିଭିନ୍ନ ଡିଜିଟାଲ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଥିଲା

24 August, 2021 2:39 PM IST By: Sugyan Kumar Nayak

ଦୁଇ ତିନି ମାସ ପୂର୍ବରୁ ସପୁରୀ ପଣସର ଅଭାବୀ ବିକ୍ରି ଏବଂ ରାୟଗଡ଼ା ଜିଲ୍ଲାରେ ସପୁରୀ ପଣସ ଚାଷ କରୁଥିବା ଚାଷୀମାନଙ୍କର ସମସ୍ୟା ବିଷୟରେ ବିଭିନ୍ନ ଡିଜିଟାଲ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଥିଲା l ଏହାର ପ୍ରଭାବ ସ୍ୱରୂପ ବର୍ତ୍ତମାନ ସପୁରୀ ପଣସ ଚାଷୀମାନେ ଉଚିତ ମୂଲ୍ୟରେ ତାଙ୍କର ସପୁରୀ ପଣସକୁ ବିକ୍ରି କରି ପାରୁଛନ୍ତି ଏବଂ ଭଲ ଦୁଇ ପଇସା ପାଇ ପାରୁଛନ୍ତି l

ଏପରିକି, ରାଇପୁର, ରାଞ୍ଚି, ଦିଲ୍ଲୀ ଅଞ୍ଚଳରୁ ବ୍ୟବସାୟୀମାନେ ସେମାନଙ୍କ ଘର ନିକଟରେ ଗାଡି ନେଇ ପହଞ୍ଚି ସପୁରୀ ପଣସ କିଣୁଛନ୍ତି l ନିୟମଗିରି ଅଞ୍ଚଳର ଡଙ୍ଗରିଆ କନ୍ଧମାନେ ସପୁରୀ ପଣସ ଗୋଟା ପିଛା ୨୦ ଟଙ୍କାରୁ ୨୫ ଟଙ୍କା କରି ବିକ୍ରି କରୁଛନ୍ତି l ଯାହାକି ଗତ ବର୍ଷ ଠାରୁ ୧୦ ଟଙ୍କା ଅଧିକ ରହିଛି l ଚଳିତ ବର୍ଷର କୋଭିଡ କଟକଣା ଯୋଗୁଁ ରେଳ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା l ସପୁରୀ ପଣସ ଚାଷୀମାନେ ସେମାନଙ୍କର ଉତ୍ପାଦନ ସାମଗ୍ରୀକୁ ହାଟ ବଜାରକୁ ପରିବହନ କରି ନେବାରେ ସମସ୍ୟା ସାମ୍ନା କରିଥିଲେ l ବ୍ୟବସାୟୀମାନେ ସେମାନଙ୍କ ନିକଟରେ ପହଞ୍ଚି ସପୁରୀ ପଣସ କିଣିବା ଦ୍ୱାରା ସେମାନଙ୍କର ପରିବହନ ଖର୍ଚ୍ଚ, ପରିଶ୍ରମ ଏବଂ ସମୟ ମଧ୍ୟ ବଞ୍ଚିଗଲା l ଏହି ସମସ୍ତ ସୁବିଧା ପାଇଁ ରାୟଗଡ଼ା ଜିଲ୍ଲାର କୃଷି ଅଧିକାରୀମାନଙ୍କର ପ୍ରଚେଷ୍ଟା ବେଶ ପ୍ରଶଂସନୀୟ ଅଟେ l ନିୟମଗିରି ଅଞ୍ଚଳର ଜଳବାୟୁ ସପୁରୀ ପଣସ ଚାଷ ପାଇଁ ଅନୁକୂଳ ରହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ପ୍ରାୟ ୭୦୦ ଏକର ଜମିରେ ସପୁରୀ ପଣସ ଚାଷ କରୁଛନ୍ତି l ବିଶେଷକରି ଏମାନେ ଜୈବିକ ଉପାୟରେ ହିଁ ଏହି ସପୁରୀ ପଣସ ଚାଷ କରୁଛନ୍ତି l ନିୟମଗିରି ଅଞ୍ଚଳର ସପୁରୀ ପଣସର ଚାହିଦା ବହୁତ ଭଲ ରହୁଛି l

ସପୁରୀ ପଣସ ଅମଳ ଋତୁରେ ଏକ ଏକର ଜମିରୁ ୮,୦୦୦ ରୁ ୧୦,୦୦୦ ସପୁରୀ ପଣସ ଉତ୍ପାଦନ ହେଉଥିବାର ଜଣେ କୃଷି ଅଧିକାରୀ କହିଛନ୍ତି l କୃଷି ଅଧିକାରୀମାନେ ଜଣାଇଛନ୍ତି ଯେ, ସପୁରୀ ପଣସର ଯେପରି ବିକ୍ରିରେ ଯେପରି କୌଣସି ସମସ୍ୟା ହେବ ନାହିଁ ସେଥି ପ୍ରତି ପ୍ରଶାସନ ସମସ୍ତ ବ୍ୟବସ୍ଥା କରୁଛି l ସପୁରୀ ପଣସରୁ ରସ ବାହାର କରିବା ପାଇଁ ପ୍ରସ୍ତାବିତ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି ଏବଂ ସମସ୍ତ ମେସିନେରୀ ସଂଯୁକ୍ତ କରିବା ପାଇଁ ପ୍ରକ୍ରିୟା ଜାରୀ ରହିଛି l ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରିଲେ କୃଷକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ଏବଂ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସ୍ଥାନୀୟ ଅଧିବାସୀ ମତ ପ୍ରକାଶ କରିଛନ୍ତି l