ଭାରତର ଉତ୍ପାଦନ କ୍ଷେତ୍ର ଏହାର ବିଶ୍ୱସ୍ତରୀୟ ଉପସ୍ଥିତିକୁ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପ୍ରଗତିଶୀଳ ଚିନ୍ତାଧାରା ଦ୍ୱାରା ପରିଚାଳିତ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି । ଏହି ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା, ଯାହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ସହିତ ଦେଶକୁ ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ସାହସିକ ଦୃଷ୍ଟିକୋଣର ଏକ ଆଧାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଅଗଷ୍ଟ ୨୦୨୪ ସୁଦ୍ଧା ୧୪ଟି କ୍ଷେତ୍ରରେ ୧.୪୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି, ଫଳରେ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଉତ୍ପାଦନ/ବିକ୍ରୟ ହୋଇଛି, ୯.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ରପ୍ତାନି ପରିମାଣ ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୨-୨୩ ଆର୍ଥିକ ବର୍ଷ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୮ଟି କ୍ଷେତ୍ରରେ ଯଥାକ୍ରମେ ୨,୯୬୮ କୋଟି ଟଙ୍କା ଏବଂ ୯ଟି କ୍ଷେତ୍ରରେ ୬,୭୫୩ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
୨୦୨୦ରେ ଆରମ୍ଭ ହୋଇଥିବା ପିଏଲଆଇ ଯୋଜନା କେବଳ ଏକ ନୀତି ନୁହେଁ; ଏହା ଆତ୍ମନିର୍ଭରଶୀଳତା ଦିଗରେ ଏକ ରଣନୀତିକ ପଦକ୍ଷେପ । ଆତ୍ମନିର୍ଭର ଭାରତ ଏବଂ ବୃହତ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ପରିକଳ୍ପନା ସହିତ ଯୋଡ଼ି ହୋଇଥିବା ପିଏଲ୍ଆଇ ଯୋଜନାରେ ଉତ୍ପାଦନ ଆଧାରକୁ ସୁଦୃଢ଼ କରିବା, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟିତ୍ୱ ସହ ଅଭିବୃଦ୍ଧିକୁ ସନ୍ତୁଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଭାରତର ଉତ୍ପାଦନ କ୍ଷମତା ଏବଂ ରପ୍ତାନି ବୃଦ୍ଧି ପାଇଁ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟରେ ୧୪ଟି ପ୍ରମୁଖ କ୍ଷେତ୍ର ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଛି। ଏହି ୧୪ଟି କ୍ଷେତ୍ର ହେଲା: ମୋବାଇଲ୍ ଉତ୍ପାଦନ ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ଉପାଦାନ, ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ଷ୍ଟାର୍ଟିଂ ସାମଗ୍ରୀ / ଡ୍ରଗ ଇଣ୍ଟରମିଡିଆରୀ ଓ ସକ୍ରିୟ ଔଷଧୀୟ ଉପାଦାନ, ଡାକ୍ତରୀ ଉପକରଣ, ଯାନବାହନ ଓ ଏହାର ସରଞ୍ଜାମ, ଔଷଧୀୟ ସାମଗ୍ରୀ, ସ୍ୱତନ୍ତ୍ର ଇସ୍ପାତ, ଟେଲିକମ୍ ଏବଂ ନେଟୱାର୍କିଂ ଉତ୍ପାଦ, ଇଲେକ୍ଟ୍ରୋନିକ୍ / ଟେକ୍ନୋଲୋଜି ଉତ୍ପାଦ, ହ୍ୱାଇଟ୍ ଗୁଡ୍ସ (ଏସି ଓ ଏଲଇଡି), ଖାଦ୍ୟ ଉତ୍ପାଦ, ବୟନ ଉତ୍ପାଦ : ଏମଏମଏଫ ବିଭାଗ ଏବଂ ବୈଷୟିକ ବୟନଶିଳ୍ପ, ଉଚ୍ଚ ଦକ୍ଷତା ସୌର ପିଭି ମଡ୍ୟୁଲ୍, ଉନ୍ନତ ରସାୟନ ବିଜ୍ଞାନ ସେଲ୍ ବ୍ୟାଟେରୀ, ଡ୍ରୋନ୍ ଏବଂ ଡ୍ରୋନ୍ ଉପାଦାନ।
ଆତ୍ମନିର୍ଭର ଭାରତର ପରିକଳ୍ପନା ସହ ଯୋଡ଼ି ପିଏଲ୍ଆଇ ଯୋଜନା କେବଳ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁନାହିଁ ବରଂ ଉତ୍ପାଦନ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଓ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ମାର୍ଗ ପ୍ରଶସ୍ତ କରୁଛି। ଏହା ଉତ୍ପାଦନ ଉତ୍କର୍ଷରେ ନେତୃତ୍ୱ ନେବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଏକ ସମୃଦ୍ଧ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁ ରାଷ୍ଟ୍ରର ସଂକଳ୍ପକୁ ଦର୍ଶାଇଥାଏ ଯାହା ଉଭୟ ସ୍ଥାନୀୟ ପ୍ରଗତି ଏବଂ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାକୁ ସଦୃଢ଼ କରିଥାଏ ।
Read more: