ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗର ଠାରେ ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨(Digital India Week 2022)ର ଉଦ୍ଘାଟନ କରିଛନ୍ତି, ଯାହାର ବିଷୟ ହେଉଛି ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ(Catalyzing New India’s Techade)। ଏହି କାର୍ଯ୍ୟକ୍ରମ ଅବସରରେ, ସେ ପ୍ରଯୁକ୍ତିର ବ୍ୟାପକତାକୁ ବୃଦ୍ଧି କରିବା, ଜୀବନକୁ ସହଜ ଏବଂ ସୁଗମ କରିବା ନିମନ୍ତେ ଡିଜିଟାଲ୍ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ଷ୍ଟାର୍ଟଅପ୍(STARTUP)କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ଡିଜିଟାଲ୍(DIGITAL) ପଦକ୍ଷେପ ଆରମ୍ଭ କରିଥିଲେ ।
ଏହି ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ୨୧ ଶତାବ୍ଦୀରେ ଭାରତର ନିରନ୍ତର ଆଧୁନିକୀକରଣର ଏକ ଝଲକ ପ୍ରଦର୍ଶନ କରୁଛି । ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଭାରତ ଏହି ଉଦାହରଣ ସୃଷ୍ଟି କରିଛି ଯେ, ମାନବତାର ବିକାଶ ନିମନ୍ତେ ପ୍ରଯୁକ୍ତିର ସଠିକ୍ ଉପଯୋଗ କରିବା କେତେ କ୍ରାନ୍ତିକାରୀ ହୋଇଥାଏ । ସେ ଏହା ମଧ୍ୟ କହିଥିଲେ ଯେ, “ଆଠ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନ ବଦଳୁଥିବା ସମୟ ସହିତ ନିଜକୁ ବିସ୍ତାର କରୁଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସମୟ ସହିତ ଯେଉଁ ଦେଶ ଆଧୁନିକ ଜ୍ଞାନ କୌଶଳକୁ ଗ୍ରହଣ କରୁ ନାହିଁ, ସମୟ ସେହି ଦେଶକୁ ପଛରେ ଛାଡି ଆଗକୁ ଚାଲି ଯାଉଛି । ତୃତୀୟ ଉଦ୍ୟୋଗିକ କ୍ରାନ୍ତି ସମୟରେ ଭାରତ ତାହାର ଶିକାର ହୋଇ ଥିଲା । କିନ୍ତୁ ଆଜି ଆମେ ଗର୍ବର ସହିତ କହି ପାରିବା ଯେ, ଭାରତ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି, ଉଦ୍ୟୋଗ ୪.୦ରେ ବିଶ୍ୱର ମାର୍ଗଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ ଏହି ବିଷୟରେ ନେତୃତ୍ୱ କରୁଥିବାରୁ ଗୁଜରାଟର ମଧ୍ୟ ଢେର୍ ପ୍ରଶଂସା କରିଥିଲେ ।
୮ – ୧୦ ବର୍ଷ ପୂର୍ବର ଅବସ୍ଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ୍ମ ପ୍ରମାଣ ପତ୍ର, ବିଲ୍ ଭରିବା, ରାସନ, ପ୍ରବେଶ, ନାମ ଲେଖା, ଫଳାଫଳ ଏବଂ ବ୍ୟାଙ୍କ ସେବା ଗୁଡିକ ନିମନ୍ତେ ଧାଡିରେ ଠିଆ ହେବା ଭଳି ସ୍ଥିତିରୁ ବାହାରି ଆସି ଏବେ ଭାରତ ଏହାକୁ ଅନ୍ଲାଇନ୍ କରି ଦେଇଛି । ଜୀବନ ପ୍ରମାଣ ପତ୍ର, ସଂରକ୍ଷଣ, ବ୍ୟାଙ୍କିଂ ଭଳି ବିଭିନ୍ନ ସେବା ଗୁଡିକ ସୁଲଭ, ଶୀଘ୍ର ଏବଂ ଶସ୍ତା ହୋଇ ଯାଇଛି । ଏହି ଭଳି ଭାବରେ, ପ୍ରଯୁକ୍ତି ମାଧ୍ୟମରେ, ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ କ୍ଷେତ୍ରରେ, ଗତ ୮ ବର୍ଷ ମଧ୍ୟରେ, ୨୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସିଧା ସଳଖ ହିତାଧିକାରୀ ମାନଙ୍କ ଖାତାକୁ ସ୍ଥାନାନ୍ତରିତ କରା ଯାଇଛି ।” ଏହି ଜ୍ଞାନ କୌଶଳ କାରଣରୁ, ଦେଶର ୨ ଲକ୍ଷ ୨୩ ହଜାର କୋଟି ଟଙ୍କା ଖରାପ ଲୋକଙ୍କ ହାତକୁ ଯିବାରୁ ରୋକା ଯାଇ ପାରିଛି ବୋଲି କହି ସେ ସେ ଭ୍ରଷ୍ଟାଚାର ଉପରେ ରୋକ ଲଗାଇବା କ୍ଷେତ୍ରରେ ଡିଜିଟାଲ୍ ଇଣ୍ଡିଆର ଭୂମିକା ଉପରେ ଗୁରୁତ୍ୱାରୋପ କରିଥଲେ । ସେ କହିଥିଲେ ଯେ, ଡିଜିଟାଲ୍ ଇଣ୍ଡିଆ ସରକାରଙ୍କୁ ନାଗରିକ ମାନଙ୍କର ଘର ଏବଂ ସେମାନଙ୍କର ଫୋନ୍ ପର୍ଯ୍ୟନ୍ତ ପହଂଚାଇ ଦେଇଛି । ସେ କହିଥିଲେ ଯେ, ୧.୨୫ ଲକ୍ଷରୁ ଅଧିକ କମନ ସର୍ଭିସ ସେଂଟର/ ସାଧାରଣ ସେବା କେନ୍ଦ୍ର ଏବଂ ଗ୍ରାମୀଣ ଷ୍ଟୋର, ଏବେ ଇ – କମର୍ସକୁ ଗ୍ରାମୀଣ ଭାରତ ଆଡକୁ ନେଇ ଯାଉଛି । ଏହି ଭଳି ଭାବରେ ଗ୍ରାମୀଣ ସମ୍ପତିର ଦଲିଲ୍ ଦସ୍ତାବିଜ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଉପଲବ୍ଧ କରା ଯାଉଛି ।
ମହାମାରୀ ସମୟରେ ପ୍ରଯୁକ୍ତିର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ ଡିଜିଟାଲ୍ ଇଣ୍ଡିଆ ଦେଶରେ ଯେଉଁ ଶକ୍ତି ସୃଷ୍ଟି କରିଛି, ତାହା ଫଳରେ ଭାରତକୁ କରୋନା ଭଳି ବିଶ୍ୱ ସ୍ତରର ମାହାମାରୀକୁ ପ୍ରତିହତ କରିବା ନିମନ୍ତେ ବହୁତ ସହାୟତା ମିଳିଛି । “ଆମେ ଏକ କ୍ଲିକ୍ରେ ଦେଶର କୋଟି କୋଟି ମହିଳା ମାନଙ୍କର, କୃଷକ ମାନଙ୍କର, ଶ୍ରମିକ ମାନଙ୍କର ବ୍ୟାଙ୍କ ଖାତା ଗୁଡିକୁ ହଜାର ହଜାର କୋଟି ଟଙ୍କା ସ୍ଥାନାନ୍ତରଣ କରିଛୁ । ୱାନ୍ ନେସନ, ୱାନ୍ ରାସନ କାର୍ଡ ସହାୟତାରେ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ସୁନିଶ୍ଚିତ କରିଛୁ । ଆମେ ବିଶ୍ୱରେ ସବୁଠାରୁ ବଡ ଏବଂ ସବୁଠାରୁ କୁଶଳ କୋଭିଡ୍ ଟୀକାକରଣ ଏବଂ କୋଭିଡ୍ ଉଦ୍ଧାର କାର୍ଯ୍ୟକ୍ରମ ଚାଲୁ କରିଛୁ । ଆମର କୋଇନ୍ ପ୍ଲାଟଫର୍ମ; ମାଧ୍ୟମରେ ପ୍ରାୟ ୨୦୦ ଟୀକାର ଡୋଜ୍କୁ ପରିଚାଳନା କରା ଯାଇଛି ଏବଂ ପ୍ରମାଣ ପତ୍ର ପ୍ରଦାନ କରା ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଭାରତର ଫିନ୍ ଟେକ୍ ପ୍ରୟାସ ବାସ୍ତବରେ ଲୋକ ମାନଙ୍କ ଦ୍ୱାରା, ଲୋକ ମାନଙ୍କର , ଲୋକ ମାନଙ୍କ ନିମନ୍ତେ ଏକ ସମାଧାନ ଅଟେ । ଏଥିରେ ଯେଉଁ ଜ୍ଞାନ କୌଶଳ ରହିଛି, ତାହା ଭାରତର ନିଜସ୍ୱ ଅର୍ଥାତ୍ ଦେଶବାସୀଙ୍କର ଅଟେ । ଦେଶବାସୀ ଏହାକୁ ନିଜ ଜୀବନର ଅର୍ଥାତ୍ ଲୋକ ମାନେ ଏହାକୁ ନିଜର ଏକ ଅଂଶ ବିଶେଷ କରି ଦେଇଛନ୍ତି । ଏହା ଦେଶବାସୀଙ୍କର ଦେଣ – ନେଣକୁ ସହଜ କରି ଦେଇଛି ଅର୍ଥାତ୍ ଲୋକ ମାନଙ୍କ ପାଇଁ ସୁବିଧା କରି ଦେଇଛି ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ସ୍ତରରେ ହେଉଥିବା ସମୁଦାୟ ଡିଜିଟାଲ୍ ଟ୍ରାନ୍ଜାକ୍ସନର ୪୦ ପ୍ରତିଶତ ଭାରତରେ ହୋଇଥାଏ । “ଆମର ଡିଜିଟାଲ୍ ସମାଧାନ ଗୁଡିକର ସ୍ତର, ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି ।”
ପ୍ରଧାନମନ୍ତ୍ରୀ ଆଗାମୀ ୪ – ୫ ବର୍ଷ ମଧ୍ୟରେ ୪.୦ ନିମନ୍ତେ ୧୪ -୧୫ ଲକ୍ଷ ଯୁବକଙ୍କର ସ୍କିଲିଂ, ଅପ୍ସ୍କିଲିଂ ଏବଂ ରିସ୍କିଲିଂ ଉପରେ ଧ୍ୟାନ ଦିଆ ଯିବା ଉପରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସ୍ପେସ୍ ହେଉ, ମ୍ୟାପିଂ ହେଉ, ଡ୍ରୋନ୍ ହେଉ, ଗେମିଂ ହେଉ ଏବଂ ଆନିମେସନ୍ ହେଉ, ଏମିତି ଅନେକ କ୍ଷେତ୍ର ରହିଛି, ଯାହା ଡିଜିଟାଲ୍ ଟେକ୍ନୋଲୋଜିର ଭବିଷ୍ୟତକୁ ବିସ୍ତାର କରିବାକୁ ଯାଉଛି, ସେସବୁକୁ ନବସୃଜନ ନିମନ୍ତେ ମୁକ୍ତ କରି ଦିଆ ଯାଇଛି । ଇନ୍ – ସ୍ପେସ୍ ଏବଂ ନୂତନ ଡ୍ରୋନ୍ ନୀତି ଭଳି ବ୍ୟବସ୍ଥା ଏହି ଦଶକରେ ଆଗାମୀ ବର୍ଷ ଗୁଡିକରେ ଭାରତର ପ୍ରଯୁକ୍ତିଭିତିକ କ୍ଷମତାକୁ ନୂତନ ଶକ୍ତି ପ୍ରଦାନ କରିବ ।