News

ଦେବଗଡ଼ରେ କମଳାର ଅଭାବୀ ବିକ୍ରି: ମାଲାମାଲ ଦଲାଲ, ଚାଷୀ ହତାଶ

ଦେବଗଡ଼ : କମଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଓ ଜଳସେଚନର ସୁବିଧା ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା, ବୁଢାପାଳ ଓ ଚଢେଇମରା ଆଦି ତିନୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉନ୍ନତ ମାନର କମଳା ଚାଷ ହେବା ସହ ପର୍ଯ୍ୟାପ୍ତ ପରିମାଣର କମଳା ଉତ୍ପାଦିତ ହୋଇଥାଏ। ଏହି ଅଂଚଳରୁ ଉତ୍ପାଦିତ ଆକର୍ଷଣୀୟ ରଙ୍ଗ ଓ ସ୍ୱାଦଯୁକ୍ତ କମଳାର ବେଶ୍‌ ଚାହିଦା ଥିବାରୁ ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ଜିଲାରୁ ବେପାରୀମାନେ ଆସି ଏଠାରୁ କମଳା ସଂଗ୍ରହ କରିଥାନ୍ତି। ମାତ୍ର ଚଳିତ ବର୍ଷ ଲକଡାଉନ ଯୋଗୁଁ ବେପାରୀମାନେ ଏଠାକୁ ଆସୁନଥିବାରୁ କମଳା ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି। ଅନ୍ୟପକ୍ଷରେ ଏହାର ସୁଯୋଗ ନେଇ କିଛି ଦଲାଲ ଏଠାରୁ କମଳା ସଂଗ୍ରହ କରି ଉପକୂଳ ଅଞ୍ଚଳର ବେପାରୀମାନଙ୍କୁ ଚଢ଼ା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି।

25 December, 2020 12:04 PM IST By: KJ Staff

ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଉପରୋକ୍ତ ତିନିଟି ପଞ୍ଚାୟତର ପ୍ରାୟ ୧୫ଟି ଗ୍ରାମରେ କମଳା ଚାଷ ହୋଇଥାଏ। ଏଠାରୁ ଉତ୍ପାଦିତ କମଳାର ମାନ ନାଗପୁର କମଳାରୁ କୌଣସି ଗୁଣରେ କମ୍‌ ନୁହେଁ। ୨୦୧୬ରେ ଏଠାକାର କମଳାକୁ ‘ଦେବଗଡ ମାଣ୍ଡାରିନ’ ନାମରେ ପେଟେଣ୍ଟ କରିବାକୁ ତତ୍କାଳୀନ ଜିଲାପାଳ ପୁନମ ଗୁହା ତାପସ କୁମାର ଉଦ୍ୟମ କରିବା ସହ ରାଜ୍ୟ ସରକାରଙ୍କ ନିକଟକୁ ଏ ନେଇ ପତ୍ର ଲେଖିଥିଲେ। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ପଡୋଶୀ ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଓ ଝାରସୁଗୁଡା ଆଦି ଜିଲାରେ ଏଠାକାର କମଳାର ବେଶ୍‌ ଚାହିଦା ରହିଛି। ତେଣୁ ପ୍ରତିବର୍ଷ ସେଇ ସବୁ ଅଞ୍ଚଳରୁ ଶହଶହ ବେପାରୀ ଏଠାରୁ କମଳା ସଂଗ୍ରହକରି ଟ୍ରକ, ମିନିଟ୍ରକ ଓ ପିକଅପ୍‌ ଭ୍ୟାନରେ ବୋହି ନିଅନ୍ତି। ଗତବର୍ଷ ବାହାର ଜିଲାର ବେପାରୀମାନେ କମଳା ବଗିଚାରୁ ହିଁ କିଲୋ ପିଛା ୩୦ରୁ ୪୦ ଟଙ୍କା ଦରରେ କମଳା ସଂଗ୍ରହ କରିଥିଲେ। ଫଳରେ ସ୍ଥାନୀୟ କମଳା ଚାଷୀ ଲାଭବାନ ହେବାସହ ଚଳିତ ବର୍ଷ ଅଧିକ ଲାଭ ଆଶାରେ ଅଧିକ ଖର୍ଚ୍ଚକରି ଗଛ ଗୁଡିକରେ ଖତ ସାର ପ୍ରୟୋଗ କରିଥିଲେ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ, ପୋକ ଲାଗି ଫଳ ଗୁଡିକ ଝଡି ପଡିବାରୁ କୀଟନାଶକ ପ୍ରୟୋଗ କରି ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଇଥିଲେ। ଯାହା ହେଉ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ କମଳା ଉତ୍ପାଦନ ହୋଇଥିଲା। ମାତ୍ର ଲକଡାଉନ ଯୋଗୁଁ ବେପାରୀ ନଆସିବାରୁ ଚାଷୀମାନେ କମଳା ବିକ୍ରି କରିପାରି ନାହାନ୍ତି। ଏହାର ସୁଯୋଗ ନେଇ ବାହାରୁ ଆସୁଥିବା କିଛି ଦଲାଲ ୧୫ରୁ ୨୦ଟଙ୍କାରେ କମଳା କିଣି ନେଉଛନ୍ତି।

ବର୍ତ୍ତମାନ କଟକ, ଭୁବନେଶ୍ଵରରେ କମଳା ଦର ପ୍ରାୟ ୬୦ରୁ ୭୦ ଟଙ୍କା ଦରରେ ବିକ୍ରି ହେଉଛି ।  ଜିଲାରେ ଶୀତଳ ଭଣ୍ଡାର ନାହିଁ, ବିକ୍ରି ନହେଲେ କମଳା ପଚିସଢ଼ି ନଷ୍ଟ ହୋଇଯିବ। ଫଳରେ ଦର କମ୍‌ ହେଲେ ମଧ୍ୟ ସ୍ଥାନୀୟ ଚାଷୀ ଦଲାଲଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଗତବର୍ଷ ସେମାନଙ୍କୁ ଗ୍ରାହକ ଖୋଜିବାକୁ ପଡ଼ୁ ନଥିଲା। ବେପାରୀମାନେ ସେମାନଙ୍କ ବଗିଚାରୁ ହିଁ ମାଲ୍‌ ଉଠାଉଥିଲେ। ଏ ବର୍ଷ ସେ ପରିସ୍ଥିତି ନାହିଁ, ତେଣୁ ଛୋଟ ବଜାର, ଛକ ଓ ରାସ୍ତାକଡ଼ରେ ପସରା ପକାଇ କମଳା ବିକୁଥିବା ଦେଖିବାକୁ ମିଳୁଛି।
ସ୍ଥାନୀୟ ଚାଷୀଙ୍କ ଉତ୍ପାଦିତ କମଳାର ବିକ୍ରି ପାଇଁ ଜିଲା ପ୍ରଶାସନ ଏବଂ ଉଦ୍ୟାନ ବିଭାଗ ଉପଯୁକ୍ତ ବଜାର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଉଦ୍ୟାନ ବିଭାଗର ସହକାରୀ ନିର୍ଦେଶକ କିଶୋର କୁମାର ମହାଲିଙ୍ଗଙ୍କ ମତାମତ ଲୋଡିବାରୁ ସେ କମଳାର ଅଭାବୀ ବିକ୍ରି ସମସ୍ୟାକୁ ସ୍ୱୀକାର କରିବା ସହ କମଳା ବିକ୍ରି ନିମନ୍ତେ ମାର୍କେଟ ଲିଙ୍କ୍‌ କରିବା ପାଇଁ ଓରମାସ୍‌ର ଏ.ଡି.ଏଚ୍‌.ଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ସେହିପରି ସମ୍ପୃକ୍ତ ଅଞ୍ଚଳର ଯୁବକମାନଙ୍କୁ ନେଇ ଏକ ମାର୍କେଟିଂ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଥିବା ଏବଂ ଅଭାବୀ ବିକ୍ରି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଚାଷ ସମ୍ପର୍କିତ ତଥ୍ୟ ଅପଲୋଡ କରିବା ଦିଗରେ ସରକାରଙ୍କ ପକ୍ଷରୁ ଏକ ଏଗ୍ରିମାର୍କେଟିଂ ୱେବସାଇଟ ମଧ୍ୟ ଖୋଲାଯାଇଥିବା ସେ ପ୍ରକାଶ କହିଛନ୍ତି।