News

Heavy Rain: ୨ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା l ହାଲୁକରୁ ପ୍ରବଳ ବର୍ଷା ନେଇ ବିଭାଗର ସୂଚନା l

17 January, 2024 10:34 AM IST By: Tanushree Mahapatra

ରାଜ୍ୟରେ ଶୀତ ଲହରୀ ଜାରି ରହିଛି l ଅନ୍ୟପଟେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇପାରେ l ବର୍ଷା ପାଇଁ ପାଣିପାଗ ବିଭାଗ ସୂଚନା ଦେଇ କହିଛି ଯେ, ଆଜିଠୁ ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ । ସେହିପରି ପଶ୍ଚିମା ଝଡ଼ ପ୍ରଭାବରେ ଅନ୍ୟ କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି  ରାଜ୍ୟର ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ  ଆକଳନ କରାଯାଇଛି । ସେହିପରି ଆସନ୍ତାକାଲି ୧୮ ତାରିଖରେ ଝାରସୁଗୁଡ଼ା, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍ୱଳ୍ପ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଜାନୁଆରୀ ମାସରେ ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି। ରାଜ୍ୟବାସୀଙ୍କୁ ଘନ କୁହୁଡି ସହିତ ଶୀତ କଲବଲ କରୁଛି l ରାତି ସମୟରେ ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତ ବୃଦ୍ଧି ହେଉଛି l ଏହି ସ୍ଥିତି ଆସନ୍ତା ୫ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ତେବେ ସେହିପରି ଗତ ୧୨ ତାରିଖ ରାତିରେ ମୟୁରଭଞ୍ଜ ବାର୍‌ହାକାମୁଡ଼ା ଅଂଚଳରେ ଚଳିତବର୍ଷ ପ୍ରଥମ ଥର ପାଇଁ ଶୂନ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା । ପାରଦ ତଳମୁହାଁ ହେବା କାରଣରୁ ସେଠାରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା l ଶୀତ ଅଧିକ ହେବାରୁ ଶିମିଳିପାଳ ଭିତରେ ଓ ପାଦଦେଶରେ ରହୁଥିବା ଗ୍ରାମର ଲୋକମାନେ ନିଆଁ ଜାଳି ବସୁଛନ୍ତି । ଶୀତ ଅଧିକ ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଲୋକମାନେ କାଠଗଣ୍ଡି ଜାଳି ନିଆଁ ଚାରିପଟେ ବସି ରହୁଛନ୍ତି ଅନେକ ରାତି ପର୍ଯ୍ୟନ୍ତ । ରାଜ୍ୟରେ ହାଡ଼ଭଙ୍ଗା ଶୀତ ସହିତ ସକାଳ ୯ଟା ଯାଏ ଘନ କୁହୁଡ଼ି ଲାଗି ରହିବା ଫଳରେ ରାସ୍ତାରେ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି । ତେବେ ଏହିପରି ପରିସ୍ଥିତି ଆଗକୁ ଆଉ କିଛି ଦିନ  ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବଣପାହାଡ଼ ଘଞ୍ଚ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହେ ହେବାକୁ ବସିଲାଣି ଅସହ୍ୟ ଶୀତ ଲହରି ଲାଗି ରହିଛି । ଦିନସାରା କୋହଲା ପାଗ ସାଙ୍ଗକୁ ରାତିରେ ହାଡ଼ଭଙ୍ଗା ଶୀତ ଜନଜୀବନକୁ ଏକପ୍ରକାର ଯେପରି ଅସ୍ତବ୍ୟସ୍ତ କରି ପକାଇଛି। ମୁଖ୍ୟତଃ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହୁଥିବା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ସେହିପରି ଗତକାଲି ମୟୁରଭଞ୍ଜ ଶିମିଳିପାଳର କିଛି କିଛି ଅଞ୍ଚଳରେ ତାପମାତ୍ରା ୬ରୁ ୧୦ ଡିଗ୍ରି ମଧ୍ୟରେ ରହିଥିବା ସୂଚନା ରହିଛି l ରାତି ତାପମାତ୍ରା ଶୂନ ଡିଗ୍ରିକୁ ଖସି ଆସିଥିବା ନଜିର ରହିଛି । ଆଜି ସକାଳେ ଅର୍ଥାତ ମଙ୍ଗଳବାର ଏହି ଅଞ୍ଚଳରେ ମାଟି ଉପରେ ବରଫର ଏକ ପତଳା ଆସ୍ତରଣ ଜମିଥିବା ଦେଖିବାକୁ ମିଳିଥିଲା ।