News

ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ମିଳିବନି କୀଟନାଶକ, ରାଜ୍ୟ ସରକାରଙ୍କ ନୂଆ ନୀତି

ଓଡ଼ିଶା ହେଉଛି ଏକ ଚାଷୀ ବହୁଳ ରାଜ୍ୟ l ଯେଉଁଠି ଅନେକ ପ୍ରକାର ଶସ୍ୟ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଚାଷ କରାଯାଉଛି l ପ୍ରାକୃତିକ , ଜୈବିକ ଏବଂ ହାଇଡ୍ରୋପନିକ ଚାଷ ଭଳି ଅନେକ ନୂଆ ନୂଆ ପ୍ରଣାଳୀରେ ଚାଷୀ ଚାଷ କରୁଛନ୍ତି l

04 December, 2023 10:35 AM IST By: Tanushree Mahapatra

ଓଡ଼ିଶା ହେଉଛି ଏକ ଚାଷୀ ବହୁଳ ରାଜ୍ୟ l ଯେଉଁଠି ଅନେକ ପ୍ରକାର ଶସ୍ୟ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଚାଷ କରାଯାଉଛି l ପ୍ରାକୃତିକ , ଜୈବିକ ଏବଂ ହାଇଡ୍ରୋପନିକ ଚାଷ ଭଳି ଅନେକ ନୂଆ ନୂଆ ପ୍ରଣାଳୀରେ ଚାଷୀ ଚାଷ କରୁଛନ୍ତି l କିନ୍ତୁ ଏବେ ସୁଦ୍ଧା ଅନେକ ଚାଷ ବିଭିନ୍ନ ପ୍ରକାର କୀଟନାଶକ ବ୍ୟବହାର କରି ଚାଷ କାମ କରୁଛି ଯାହାକି ଜଳବାୟୁ ଠାରୁ ଆରମ୍ଭ କରି ମୃତ୍ତିକା ପର୍ଯ୍ୟନ୍ତ ସବୁଠି ଏକ ପ୍ରକାର ଖରାପ ପ୍ରଭାବ ପକାଉଛି l ଯାହା ଆଗାମୀ ଭବିଷ୍ୟତକୁ ଏକ ପ୍ରକାର ଖରାପ ଦିଗରେ ଗତି କରିବାରେ ସହାୟକ ହେଉଛି l

ଆଉ ଏବେ ଏହି କୀଟନାଶକ ଅଧିକ ବ୍ୟବହାର ଉପରେ କଟକଣା ଲଗାଇବେ ରାଜ୍ୟ ସରକାର l  ଚାଷରେ ମନଇଚ୍ଛା କୀଟନାଶକ ଉପରେ ଲାଗିବ କଟକଣା। କାରଣ କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୂନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ବିନା କୀଟନାଶକ କିଣି ପାରିବେ ନାହିଁ ଚାଷୀ l ସବୁଠାରୁ ବଡ଼ ନିଷ୍ପତ୍ତି ହେଲା ଯେଉଁ କୀଟନାଶକ ଦୋକାନି ଓ ଡିଲରମାନେ ଏହାର ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିବ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାର କୃଷି ଉପନିର୍ଦେଶକ ଏବଂ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରସ୍ତୁତ କରିଛି ଏହି ସ୍ବତନ୍ତ୍ର କୀଟନାଶକ ନୀତି। ରାଜ୍ୟ କୃଷି ଯୁଗ୍ମନିର୍ଦେଶକ ପ୍ରଫୁଲ୍ଲ ସେଠୀ ଓଡ଼ିଶା ରାଜ୍ୟ ସରକାରଙ୍କ ଏହି ନୂଆ ନୀତି ସଂପର୍କରେ ସୂଚନା ଦେଇଛନ୍ତି।

ତେବେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନା ଜାରି କରାଯାଇଥିଲା  l ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା କେଉଁ ରାଜ୍ୟରେ କେତେ ପରିମାଣରେ କୀଟନାଶକ ବ୍ୟବହାର କରାଯାଉଛି l ତେବେ ରିପୋର୍ଟ ଅନୁଯାୟୀ,  ଓଡ଼ିଶାରେ ହେକ୍ଟର ପିଛା ୦.୧୫ କେଜି କୀଟନାଶକର ବ୍ୟବହାର କରାଯାଉଛି । କୀଟନାଶକ ବ୍ୟବହାରରେ ଦେଶରେ ଓଡ଼ିଶାର ସ୍ଥାନ ଦଶମ ରହିଛି। ସେହିପରି ରାଜ୍ୟ କୃଷି ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାରେ ବାର୍ଷିକ ହାରାହାରି ୧୧୫୮ ମେଟ୍ରିକ ଟନ୍‌ରୁ ଅଧିକ କୀଟନାଶକର ବ୍ୟବହାର ହୁଏ।

ତେବେ ସର୍ବାଧିକ ବ୍ୟବହାରକାରୀ ଜିଲ୍ଲା ମଧ୍ୟରେ ରହିଛି ବରଗଡ଼, ଗଞ୍ଜାମ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ବର ଏବଂ କଟକ। ଆଉ ଏବେ କୃଷିରେ ରସାୟନିକ କୀଟନାଶକ ଏବଂ ସାରର ମାତ୍ରାଧିକ ବ୍ୟବହାର ଦେଶ ବ୍ୟାପୀ ଚିନ୍ତାର କାରଣ ପାଲଟିଛି । ଏହି ସବୁ ପଦାର୍ଥର ବହୁଳ ବ୍ୟବହାର ଉତ୍ପାଦନର ଗୁଣାତ୍ମକମାନ ପ୍ରଭାବିତ କରିବା ସହିତ ଉପଭୋକ୍ତାଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ପ୍ରଭାବ ପକାଉଛି । ଆଉ ଏଥିପାଇଁ ଚାଷୀମାନେହିଁ ମଧ୍ୟ ସର୍ବାଧିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଆଶା କରାଯାଉଛି ସରକାରଙ୍କ ଏହି ନିଷ୍ପତ୍ତି ପରେ ଏହି ବହୁଳ କୀଟନାଶକ ବ୍ୟବହାର ଉପରେ ରୋକ ଲଗାଯାଇପାରିବ l