News

ଭାରତର ଡିଜିଟାଲ୍ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଡିବିଆଇଏମ ପ୍ରଧାନମନ୍ତ୍ରୀଙ୍କ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ ଲକ୍ଷ୍ୟ ଅନୁରୂପ, ଯାହା ଭାରତର ଡିଜିଟାଲ କାର୍ଯ୍ୟକଳାପକୁ ଅଧିକ ସୁଲଭ, ସମାବେଶୀ ଏବଂ ନାଗରିକ କୈନ୍ଦ୍ରିକ କରିଥାଏ।

20 February, 2025 10:44 AM IST By: Tanushree Mahapatra

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଡିଜିଟାଲ୍ ବ୍ରାଣ୍ଡ ପରିଚୟ ମାନୁଆଲ୍ (ଡିବିଆଇଏମ) ଉନ୍ମୋଚନ ଏବଂ ମୁଖ୍ୟ ସୂଚନା ଅଧିକାରୀ (ସିଆଇଓ) ସମ୍ମିଳନୀ 2025ର ଶୁଭାରମ୍ଭ ସହିତ ଭାରତର ଡିଜିଟାଲ୍ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ତଥା ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ୍ ପ୍ରସାଦ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କ୍ରିଷ୍ଣନ ଅଧ୍ୟକ୍ଷତା କରିଥିଲେ। ‘ଗଭ୍‌ ଡଟ୍‌ ଇନ୍‌: ଭାରତ ସରକାରଙ୍କ ଡିଜିଟାଲ ଫୁଟପ୍ରିଣ୍ଟ ଅଭିଯାନ’ ଅଧୀନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଶ୍ରୀ ଜିତିନ୍ ପ୍ରସାଦ ଶୁଭାରମ୍ଭ ଅବସରରେ ଗୁରୁତ୍ୱାରୋପ କରିଥିଲେ ଯେ ଡିଜିଟାଲ୍ ବ୍ରାଣ୍ଡ ପରିଚୟ ମାନୁଆଲ୍ (ଡିବିଆଇଏମ) ‘ୟୁନିଫର୍ମ ଗଭର୍ଣ୍ଣାନ୍ସ’ ପ୍ରବର୍ତ୍ତନ କରି ସରକାରଙ୍କ ‘ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ’ ଆଭିମୁଖ୍ୟକୁ ବୃଦ୍ଧି କରିବ, ଯାହାଦ୍ୱାରା ସମସ୍ତ ମନ୍ତ୍ରଣାଳୟ ଏବଂ ପ୍ଲାଟଫର୍ମରେ ଏକ ମାନକ ଓ ସୁସଂଗତ ଡିଜିଟାଲ୍ ଉପସ୍ଥିତି ସୁନିଶ୍ଚିତ ହେବ।

ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଡିବିଆଇଏମ ପ୍ରଧାନମନ୍ତ୍ରୀଙ୍କ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ ଲକ୍ଷ୍ୟ ଅନୁରୂପ, ଯାହା ଭାରତର ଡିଜିଟାଲ କାର୍ଯ୍ୟକଳାପକୁ ଅଧିକ ସୁଲଭ, ସମାବେଶୀ ଏବଂ ନାଗରିକ କୈନ୍ଦ୍ରିକ କରିଥାଏ। ଏହାଦ୍ୱାରା ବିଶ୍ୱ ସ୍ତରରେ ଦେଶର ଇ-ଗଭର୍ଣ୍ଣାନ୍ସ ଇକୋସିଷ୍ଟମକୁ ସୁଦୃଢ଼ କରିଥାଏ। ବିଭିନ୍ନ ପୃଷ୍ଠଭୂମିର ନାଗରିକମାନେ ସହଜରେ ଅତ୍ୟାବଶ୍ୟକ ସରକାରୀ ସେବା ପାଇପାରିବେ ବୋଲି ସୁନିଶ୍ଚିତ କରିବା ପାଇଁ ସରକାରୀ ୱେବସାଇଟ୍ ଗୁଡ଼ିକର ସରଳୀକରଣ ଏବଂ ମାନକୀକରଣ ଉପରେ ଏହି ପଦକ୍ଷେପ ଧ୍ୟାନ ଦେଇଥାଏ।

ଡିବିଆଇଏମ ସମାନ ପରିଚୟ ପାଇଁ ଟୁଲକିଟ୍, ସୁବ୍ୟବସ୍ଥିତ ପରିଚାଳନା ପାଇଁ ସିଏମଏସରେ ଗଭଡଟ୍, କେନ୍ଦ୍ରୀକୃତ ବିଷୟବସ୍ତୁ ପାଇଁ ସିସିପିଏସ୍ ଏବଂ ମାନକୀକୃତ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ମାର୍ଗଦର୍ଶିକା ପ୍ରଦାନ କରିଥାଏ।

ଅନ୍ୟପକ୍ଷରେ ପ୍ରଥମ ମୁଖ୍ୟ ସୂଚନା ଅଧିକାରୀ (ସିଆଇଓ) ସମ୍ମିଳନୀ ୨୦୨୫ରେ ଡିବିଆଇଏମକୁ ଆପଣାଇବା ଏବଂ ଲାଗୁ କରିବା ଲାଗି ଆଲୋଚନା କରିବା ଲାଗି ମନ୍ତ୍ରଣାଳୟ, ଏନଆଇସି, ମାଇଁ ଗଭ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏଥିରେ ଏକୀକୃତ ଡିଜିଟାଲ ବ୍ରାଣ୍ଡ ପରିଚୟ ଅଧୀନରେ ସରକାରୀ ୱେବସାଇଟକୁ ସୁସଂଗତ କରିବା, ଉନ୍ନତ ପ୍ରସାର ଏବଂ ପ୍ରଦର୍ଶନ ଲାଗି ଗଭ୍‌ ଡଟ୍ ଇନ୍‌ ପ୍ଲାଟଫର୍ମରେ ୱେବସାଇଟକୁ ପରିଚାଳନା କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେହିପରି ସମାବେଶନ ନିମନ୍ତେ ସାମଗ୍ରୀର ସ୍ଥାନୀୟକରଣ ଏବଂ ଡିଜିଟାଲ ସେବାକୁ ଅନୁକୂଳ କରିବା, ଗୁଣବତ୍ତା ଆଶ୍ୱାସନା ନିମନ୍ତେ ଭାରତୀୟ ସରକାରୀ ୱେବସାଇଟ୍‌ ଓ ଆପ୍ସ ପାଇଁ ମାର୍ଗଦର୍ଶିକା ଏବଂ ଏଟିକ୍ୟୁସି ପ୍ରମାଣନର ଅନୁପାଳନ କରିବା ଆଦି ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।