News

ରାଜ୍ୟ ର କୃଷି ଏବେ ଦେଶର ଆଦର୍ଶ

କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶା । ଏଠି ସବୁଜ ଶ୍ୟାମଳରେ ପରିପୂର୍ଣ୍ଣ ଥାଏ ପ୍ରତ୍ୟେକ ଚାଷୀର କ୍ଷେତ । ଅନ୍ୟର ପେଟକୁ ଖାଦ୍ୟ ଯୋଗାଇଦେବା ପାଇଁ ଚାଷୀ ଟିଏ ଦିନ ରାତିକୁ ଏକ କରି କରିଥାଏ ଚାଷ କାର୍ଯ୍ୟ । ସେଇଥିପାଇଁ ତ ତାକୁ କୁହାଯାଏ ଅନ୍ନଦାତା । ସେହି ଅନ୍ନଦାତାର କୃଷିକୁ ସୁଦୃଢ଼ ଏବଂ ଉନ୍ନତ ମାନର କରିବା ପାଇଁ ନିରନ୍ତର ଭାବେ ଚେଷ୍ଟା ଜାରି ରଖିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

23 December, 2022 4:41 PM IST By: Tanushree Mahapatra

କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶା । ଏଠି ସବୁଜ ଶ୍ୟାମଳରେ ପରିପୂର୍ଣ୍ଣ ଥାଏ ପ୍ରତ୍ୟେକ ଚାଷୀର କ୍ଷେତ । ଅନ୍ୟର ପେଟକୁ ଖାଦ୍ୟ ଯୋଗାଇଦେବା ପାଇଁ ଚାଷୀ ଟିଏ ଦିନ ରାତିକୁ ଏକ କରି କରିଥାଏ ଚାଷ କାର୍ଯ୍ୟ । ସେଇଥିପାଇଁ ତ ତାକୁ କୁହାଯାଏ ଅନ୍ନଦାତା । ସେହି ଅନ୍ନଦାତାର କୃଷିକୁ ସୁଦୃଢ଼ ଏବଂ ଉନ୍ନତ ମାନର କରିବା ପାଇଁ ନିରନ୍ତର ଭାବେ ଚେଷ୍ଟା ଜାରି ରଖିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଚାଷ ଜମିକୁ ବ୍ୟାପକ ଜଳସେଚନ ବ୍ୟବସ୍ଥା ହେଉ କି ଚାଷ କାର୍ଯ୍ୟ ପାଇଁ ସହାୟତା ଯୋଗାଇଦେବା ସବୁଥିରେ ପ୍ରାଥମିକତା ଦେଇ ଆସିଛନ୍ତି ।

ରାଜ୍ୟରେ କୃଷକ ସମାଜକୁ ମଜବୁତ କରିବା ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଆଣିବା ପାଇଁ ଅନେକ ଯୋଜନାମାନ କାର୍ଯ୍ୟକାରୀ ହେଉଛି ଯାହାକି ବର୍ତ୍ତମାନ ସମୟରେ ଡିଜିଟାଲ ମୋଡରେ ପରିଣତ ହୋଇଛି । ଫୋନ ମାଧ୍ୟମରେ କୃଷି ଭିତ୍ତିକ ପରାମର୍ଶ, ଆବଶ୍ୟକ ସେବା ଓ ସାହାଯ୍ୟ ଏବଂ ବ୍ୟାଙ୍କ ମାଧ୍ୟମରେ ସୁବିଧା ଋଣ ସହାୟତା ପାଇଁ କାର୍ଯ୍ୟକାରୀ ହେଉଛି ‘କୃଷକ ଓଡ଼ିଶା ପୋର୍ଟାଲ୍’ । ଏହା ସହିତ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକର ଯୋଜନା ସମ୍ବନ୍ଧରେ ତଥ୍ୟ ହାସଲ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲ କାର୍ଯ୍ୟ କରୁଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ( odisha cm naveen patnaik ) ଦକ୍ଷ ନେତୃତ୍ୱ ଏବଂ ଶାସନର ସୁପରିଚାଳନା ଦ୍ଵାରା ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନାମାନ ସାରା ଦେଶ ପାଇଁ ଅନୁକରଣୀୟ ହୋଇଛି । ପୂର୍ବରୁ ମିଶନ ଶକ୍ତି, ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଅଭିଯାନ ସବୁ , ଦେଶର ଅନେକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହୋଇଥିବା ବେଳେ ଏବେ ଓଡ଼ିଶାର ‘କୃଷକ ଓଡ଼ିଶା’ ଏବଂ ‘ଜାଗା ମିଶନ’ କାର୍ଯ୍ୟକ୍ରମ ଆଦର୍ଶ ପାଲଟିଛି । ଏହି ଯୋଜନାମାନକୁ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଉଚ୍ଚ ଅଧିକାରୀ ମାନେ ଆଗ୍ରହ ପ୍ରକାଶ କରିଛନ୍ତି । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ‘କୃଷକ ଓଡ଼ିଶା’ , ଗୋ-ସୁଗମ ୱେବ ପୋର୍ଟାଲ ଏବଂ ଆମ କୃଷି କାର୍ଯ୍ୟକ୍ରମ ଯୋଜନା ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ଜାଗା ମିଶନ ପରିକଳ୍ପନା, କାର୍ଯ୍ୟକାରିତା ନେଇ ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରଭାବଶାଳୀ ଉପସ୍ଥାପନା ଦେଶର ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ ପ୍ରଭାବିତ କରିଛି ।

କୃଷି ବିଭାଗ ପକ୍ଷରୁ କାର୍ଯ୍ୟରତ କୃଷକ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟ କୃଷି କ୍ଷେତ୍ରରେ ଉନ୍ନତି ଆସିବା ସହିତ ଚାଷୀଭାଇ ମାନଙ୍କ ଆର୍ଥିକସ୍ତର ସୁଦୃଢ଼ ହେଉଛି । ଚାଷ କାର୍ଯ୍ୟରେ ନୂତନ ପଦ୍ଧତି ଅବଲମ୍ବନ କରାଯାଉଛି । ଚାଷ କାର୍ଯ୍ୟ ସମ୍ବନ୍ଧୀୟ ଅନେକ ତଥ୍ୟ, କାର୍ଯ୍ୟକାରୀ ହେଉଥିବା ୱେବ ପୋର୍ଟାଲ ମାଧ୍ୟମରେ ମିଳିପାରୁଛି । ଜଳସେଚନ, ମୃତ୍ତିକା ସ୍ଵାସ୍ଥ୍ୟ, ଜମିଜମା ରେକର୍ଡ, ଚାରା ରିଆତି, ଫାର୍ମ ମେକାନିଜିମ ସବ୍ସିଡି ଏବଂ ଅମଳ ସମ୍ପର୍କରେ ସବୁ ତଥ୍ୟକୁ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଇଛି । ସମସ୍ତ କୃଷକ ଏବଂ କୃଷକ ସମ୍ପର୍କିତ କାର୍ଯ୍ୟକୁ ଗୋଟିଏ ଛତା ତଳେ କୃଷକ ଓଡ଼ିଶା ଦ୍ବାରା ଏକାଠି ରଖାଯାଇ ପାରିଛି । ଚାଷୀମାନଙ୍କୁ ଡିଜିଟାଲ ମାଧ୍ୟମରେ ସୂଚନା ଦେବା, ଅଭିଯୋଗ ଗ୍ରହଣ କରିବା ସହ MMS ଦ୍ବାରା ବାର୍ତ୍ତା ପ୍ରଦାନ କରାଯାଉଛି । ବିଭାଗ ପକ୍ଷରୁ ଆଇଭିଆର କଲ୍ ମଧ୍ୟ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଏବଂ ନିୟମିତ ପାଣିପାଗ ସମ୍ପର୍କରେ ଚାଷୀଙ୍କୁ ସୂଚନା ପ୍ରଦାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ କୃଷି ବିଭାଗ । ଯାହା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇପାରିଛି ।

ଏହା ସହିତ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ ମଧ୍ୟ ଜାତୀୟ ସ୍ତରରେ ଏକ ଅନନ୍ୟ ଯୋଜନା ଭାବରେ ପରିଗଣିତ ହେଉଛି । ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥାରେ ରହୁଥିବା ବେଳେ ‘ଜାଗା ମିଶନ’ରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି । ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରିବା ସହିତ ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା, ୧୦୭୫ଟି ବସ୍ତିକୁ ବିଜୁଳି ଏବଂ ୫୮୯ଟି ବସ୍ତିରେ ଶତ ପ୍ରତିଶତ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଓଡ଼ିଶାର ଏହି ଯୋଜନାକୁ ପଞ୍ଜାବ ସରକାର ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି । ଜାଗା ମିଶନର ସଫଳ ପରିକଳ୍ପନା ଏବେ ସାରା ଦେଶରେ ଉଚ୍ଚ ପ୍ରଶଂସିତ ହେଉଛି ।

ସେ ଜାତୀୟ ହେଉ କି ଆନ୍ତର୍ଜାତୀୟ ପ୍ରତ୍ୟେକ ସ୍ତରରେ ଓଡ଼ିଶା ଅଗ୍ରଗତିର ଉଲ୍ଲେଖନୀୟ ସଫଳତାକୁ ଏକ ମାର୍ଗଦର୍ଶିକା ରୂପେ ପ୍ରମାଣ କରି ଦେଖାଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ବିକାଶ ଧାରାକୁ ସଠିକ୍ ମାର୍ଗକୁ ଆଣିବା ନିମନ୍ତେ ପୂର୍ବରୁ ହୋଇଥିବା ରଣ ହୁଙ୍କାରକୁ ଆଜି ପବିତ୍ର ଶଙ୍ଖ ଧ୍ଵନୀ ସାହାଯ୍ୟରେ ଏକ ଶାନ୍ତିପୂର୍ଣ୍ଣ ମାର୍ଗରେ ଆଗେଇ ନେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ସୁବର୍ଣ୍ଣ କୃଷି ମେଳା ୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)