7 ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା (cyclone) ସମ୍ଭାବନା । ଗୁଜବ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଲେ ଆଇଏମଡ଼ି ଡ଼ିଜି (IMD DG)।
ସୂଚନା ଅନୁଯାୟୀ, ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ଟ୍ୱିଟ କରି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସୃଷ୍ଟ ଘୂର୍ଣ୍ଣିବଳୟଟି କ୍ରମଶଃ ଦୁର୍ବଳ ହେଉଛି । 17 କିମ୍ବା 18 ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିର ସ୍ଥିତି ଅନୁସାରେ ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇପାରେ । 18 ତାରିଖ ପରେ ରୂପରେଖ କଣ ରହିବ ତାହା ଏବେ କହିବା ଠିକ୍ ହେବନି । ତେଣୁ ଆଗାମୀ 7 ଦିନ ମଧ୍ୟରେ ବାତ୍ୟା (cyclone) ସୃଷ୍ଟି ହେବାର ସମ୍ଭାବନା ନାହିଁ ।
ବାତ୍ୟା (cyclone) ନେଇ ଏଯାବତ୍ IMD କିଛି ପୂର୍ବାନୁମାନ କରିନାହିଁ । ତେଣୁ ଲୋକଙ୍କୁ ଭୟଭୀତ କଲାଭଳି ଖବର ପ୍ରସାରଣ ନକରାଯାଉ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ହିଁ କୁହାଯାଇଛି ।
ପ୍ରକାଶ ଥାଉ ଯେ, ଅନ୍ୟପଟେ ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି । ବୁଧବାର (Wednesday)ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।