News

ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ ‘ଗଙ୍ଗା-ବିଳାସ” ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ କରିବ

ଚଳିତ ମାସ ୧୩ତାରିଖ ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ । ଏମ୍‌ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ ।

10 January, 2023 7:00 PM IST By: Tanushree Mahapatra

ଚଳିତ ମାସ ୧୩ତାରିଖ ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ ( longest river cruise ‘Ganga Vilas’ ) । ଏମ୍‌ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ । ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।

ଏହି ବିଳାସପୂର୍ଣ୍ଣ କ୍ରୁଜ ଭାରତର ପାଞ୍ଚଟି ରାଜ୍ୟ ଓ ବାଂଲାଦେଶର ବିଭିନ୍ନ ୨୭ଟି ନଦୀ ବ୍ୟବସ୍ଥାରେ ୩୨୦୦ କି.ମି.ରୁ ଅଧିକ ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ôଚବ । ଭାରତର ନଦୀ କ୍ରୁଜ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାକୁ ରୂପାୟିତ କରିବା ପାଇଁ ଏହି କ୍ରୁଜ ଅଭିଯାନ ବାଟ ଦେଖାଇବ । ଏହି କ୍ରୁଜ ସେବା ବାସ୍ତବରେ ଭାରତର ରିଭର କ୍ରୁଜ ସମ୍ଭାବନାର ଚାବି ଖୋଲିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଆମେ ଆମ ନଦୀ ବ୍ୟବସ୍ଥା ଦେଇଥିବା ପ୍ରଚୁର ସମ୍ପଦର ଉପଯୋଗର ବାଟ ଖୋଲୁଛୁ । ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଆମେ ନିରନ୍ତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମରତ । ନଦୀପଥର ଉପଯୋଗ କରି ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ ବଢାଇବାକୁ ଆମେ ଯେଉଁ ଉଦ୍ୟମ କରୁଛୁ ତାହା ଖୁବ୍ ସଫଳତା ପାଇଛି । ଏଥିରେ ଆମେ ନଦୀ ପର୍ଯ୍ୟଟନକୁ  ଯୋଡି ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଚେଷ୍ଟା କରୁଛୁ । ଗଙ୍ଗା ବିଳାସ କ୍ରୁଜ ଅଭିଯାନ ତାହାର ଏକ ଅଂଶବିଶେଷ । ଏହା ଦ୍ୱାରା ପର୍ଯ୍ୟଟକମାନେ ନୂଆ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶୈକ୍ଷିକ ଅଭିଜ୍ଞତା ଅର୍ଜନ କରିବା ସହିତ ଭାରତର ଜୈବ ବିବିଧତା ସମ୍ପର୍କରେ ଅନେକ କଥ।। ଜାଣିବେ । ଏହା ମଧ୍ୟ ଆମ ନଦୀ ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଞ୍ଚାଇବ ବୋଲି ସେ କହିଛନ୍ତି ।”

ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଗଙ୍ଗା ବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି । ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟକ୍ରମ ୫୧ଦିନ ପାଇଁ ଚାଲିବ । ଏଥିରେ ପର୍ଯ୍ୟଟକମାନଙ୍କୁ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସମେତ ୫୦ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବ । ଏହି ପର୍ଯ୍ୟଟକ ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କଲିକତା, ଆସାମର ଗୁଆହାଟି ଓ ବାଂଲାଦେଶର ଢାକା ଆଦି ବୁଲି ଦେଖିପାରିବେ । ବାଂଲାଦେଶ ସହିତ ଥିବା ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲାଦେଶ ଯାଇ ସେଠାରେ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବେ ।

ଏମ୍‌.ଭି. ଗଙ୍ଗା ବିଳାସ ଜାହାଜର ଲମ୍ବ ୬୨ମିଟର ଓ ପ୍ରସ୍ଥ ୧୨ ମିଟର । ଏହା ୧.୪ ମିଟର ଗଭୀର ଜଳରେ ମଧ୍ୟ ସହଜରେ ଯାତ୍ରା କରିବାକୁ ସମର୍ଥ । ଏହାର ତିନିଟି ଡେକ୍ ଏବଂ  ୧୮ଟି ସୁଟ୍ ରହିଛି ।  ଏହି ସୁଟ୍‌ରେ ୩୬ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାର ସୁବିଧା ରହିଛି । ଯାତ୍ରୀମାନଙ୍କୁ ସ୍ମରଣୀୟ ଓ ବିଳାସପୂର୍ଣ୍ଣ ଅନୁଭବ ଦେବାକୁ ଜାହାଜରେ ସବୁପ୍ରକାର ବ୍ୟବସ୍ଥା ଉପଲବ୍ଧ । ଜାହାଜଟି ପ୍ରଦୂଷଣମୁକ୍ତ ଏବଂ ଏଥିରେ ଶବ୍ଦ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି । ସବୁ ପ୍ରକାର ନିରାପଦ ଓ ସୁରକ୍ଷା ନୀତି ଏହି କ୍ରୁଜ ଅନୁସରଣ କରୁଛି ।

ଏହି କ୍ରୁଜ ମଧ୍ୟ ପ୍ରଖ୍ୟାତ ଜୈବ ବିବିଧତାରେ ସମୃଦ୍ଧ ବିଶ୍ୱ ଐତିହ୍ୟସ୍ଥଳୀ ସୁନ୍ଦରବନ ପରିକ୍ରମା କରିବ । ବଙ୍ଗୋପସାଗରର ଏହି ତ୍ରିକୋଣ ଭୂମି ଅଞ୍ଚଳ ସୁନ୍ଦରବନ ମହାବଳ ବାଘଙ୍କ ପାଇଁ ପ୍ରସିଦ୍ଧ । ଏହାଛଡା କ୍ରୁଜରେ ଯାତ୍ରୀମାନେ ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନର ସୁଯୋଗ ପାଇବେ । ଏହି ଜାତୀୟ ଉଦ୍ୟାନଟି ଏକ ଶିଙ୍ଗା ଗଣ୍ଡାଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି ।

ବିଶ୍ୱର କ୍ରୁଜ ମାର୍କେଟ ବିଗତ କେତେ ବର୍ଷ ଧରି ୫% ହାରରେ ବଢୁଛି । ୨୦୨୭ ସୁଦ୍ଧା ଏହା ୩୭%ରେ ପହଚିଂବ ବୋଲି ଆଶା କରାଯାଉଛି । ତେବେ ୬୦% ବଜାର ସହ ୟୁରୋପ ଏ କ୍ଷେତ୍ରରେ ଆଗରେ ରହିଛି । ଭାରତର ଆଠଟି କ୍ରୁଜ ଜାହାଜ କଲିକତା ଓ ବାରାଣସୀ ମଧ୍ୟରେ ଚଳାଚଳ କରୁଛି । ସେହିଭଳି ବ୍ରହ୍ମପୁତ୍ର ରେ କ୍ରୁଜ ସିପ୍ ଚାଲୁଛି । ଅବଶ୍ୟ ନଦୀରେ କ୍ରୀଡା ଓ ପର୍ଯ୍ୟଟନରେ ଅଂଶ ସ୍ୱରୂପ ଭାରତର ଗଙ୍ଗା, ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀର ରାପ୍ଟିଂ,କ୍ୟାମ୍ପିଂ, ସାଇଟି ସିଂ ଓ କାୟାକିଙ୍ଗ ଆଦି ଅନୁଷ୍ଠିତ ହେଉଛି । ଜାତୀୟ ଜଳପଥ-୨ରେ ଏବେ ଯେଉଁ ୧୦ଟି ପାସେଞ୍ଜର ଟର୍ମିନାଲ ନିର୍ମାଣ ଚାଲିଛି ତାହା କ୍ରୁଜ ସେବାକୁ ପ୍ରୋତ୍ସାହିତ କରିବ ।

ଏଣିକି ବିନା ସୁଧ ହାରରେ ମହିଳା ପାଇବେ ଲୋନ

କଳିଙ୍ଗ ଷ୍ଟାଡିୟମ୍‌‌ରେ ‘ମିଲେଟ୍‌‌ ଶକ୍ତି’ ଆଉଟ୍‌‌ଲେଟ୍‌‌

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)