ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀ ଠାରେ ଏକ ମେଗା ଝୁମୋଇର କାର୍ଯ୍ୟକ୍ରମ, ଝୁମୋଇର ବିନାନ୍ଦିନୀ ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଖୁସି, ଉତ୍ସାହ ଓ ଉଦ୍ଦୀପନାଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇର ପରିବେଷଣ କରୁଥିବା ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ବିଷୟରେ ସେ ଉଲ୍ଲେଖ କରିଥିଲେ, ଯାହା ଚା' ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥିଲା ।
ଝୁମୋଇର ଓ ଚା' ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଏତେ ସଂଖ୍ୟକ କଳାକାର ଝୁମୋଇର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ଏହି ସ୍ୱତନ୍ତ୍ର ଦିନରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସରକାର ଆସାମର ବିକାଶ କରୁଛନ୍ତି ଏବଂ 'ଚା ଜନଜାତି' ସମ୍ପ୍ରଦାୟର ସେବା କରୁଛନ୍ତି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଆସାମ ଚା' ନିଗମ କର୍ମଚାରୀଙ୍କ ଆୟ ବୃଦ୍ଧି ପାଇଁ ବୋନସ ଘୋଷଣା ଉପରେ ଆଲୋକପାତ କରିଥିଲେ । ସେ ଚା' ବଗିଚାର ପ୍ରାୟ ଦେଢ଼ ଲକ୍ଷ ମହିଳାଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଉପରେ ଗୁରୁତ୍ଵାରୋପ କରିଥିଲେ, ଯେଉଁମାନଙ୍କୁ ଆର୍ଥିକ ସମସ୍ୟା କମ୍ କରିବା ପାଇଁ ଗର୍ଭାବସ୍ଥାରେ ୧୫,୦୦୦ ଟଙ୍କା ସହାୟତା ଆକାରରେ ଯୋଗାଇ ଦିଆଯାଇଥାଏ। ଏହାବ୍ୟତୀତ ଆସାମ ସରକାର ଚା' ବଗିଚାରେ ୩୫୦ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଚା' ଜନଜାତିର ପିଲାଙ୍କ ପାଇଁ ୧୦୦ରୁ ଅଧିକ ମଡେଲ ଚା' ବଗିଚା ସ୍କୁଲ ଖୋଲାଯାଇଥିବା ବେଳେ ଆହୁରି ୧୦୦ଟି ସ୍କୁଲର ଯୋଜନା ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ସେ ଚା' ଜନଜାତିର ଯୁବକମାନଙ୍କ ପାଇଁ ଓବିସି କୋଟାରେ ୩% ସଂରକ୍ଷଣ ଏବଂ ଆସାମ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆତ୍ମନିଯୁକ୍ତି ପାଇଁ ୨୫,୦୦୦ ଟଙ୍କା ସହାୟତାର ବ୍ୟବସ୍ଥା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଚା' ଶିଳ୍ପ ଏବଂ ଏହାର ଶ୍ରମିକମାନଙ୍କର ବିକାଶ ଆସାମର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଉତ୍ତରପୂର୍ବକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଆଗାମୀ ପ୍ରଦର୍ଶନ ପାଇଁ ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆଗୁଆ ଧନ୍ୟବାଦ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର, ଶ୍ରୀ ସର୍ବାନନ୍ଦ ସୋନୋୱାଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ଡ. ମାଣିକ ସାହା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା ପ୍ରମୁଖ ଉପସ୍ଥିତ ଥିଲେ।