Others

ଆଜି ପଢୁଆଁ ହେବେ ବଡଠାକୁର

ଆଜି ଓଡ଼ିଶାର ଅନ୍ୟତମ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ପଡୁଥିବାବେଳେ ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହିଦିନ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ତଥା ନିରାମୟ ଜୀବନ କାମନା କରି ସ୍ବତନ୍ତ୍ର ପୂଜାପାଠ କରାଯାଏ ।

27 November, 2021 12:21 PM IST By: Sudesna Nayak

ଆଜି ଓଡ଼ିଶାର ଅନ୍ୟତମ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ପଡୁଥିବାବେଳେ ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହିଦିନ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ତଥା ନିରାମୟ ଜୀବନ କାମନା କରି ସ୍ବତନ୍ତ୍ର ପୂଜାପାଠ କରାଯାଏ ।

ଆଜି(ଶନିବାର) ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ(Lord Jagannath)। ଏଥି ପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢ଼ୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି ।

ଏଥିପାଇଁ ଶୁକ୍ରବାର ଦିନ ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଛି ପଢୁଆଁ ଭାର । ଆଜି ବଡଠାକୁର ଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ମା' ସୁଭଦ୍ରା ପଢୁଆଁ ହେବେ । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ ସବୁକିଛି କାନ୍ଧେଇ ନେଉଛନ୍ତି ସେବାୟତ । ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉ ପକ୍ଷରୁ ପଢୁଆଁ କରାଯାଇଥାଏ । 

ପ୍ରଥମାଷ୍ଟମୀ ପିଠାର ମଧ୍ୟ ସେମିତି କିଛି ସ୍ୱତନ୍ତ୍ରତା ରହିଛି । ପ୍ରଥମାଷ୍ଟମୀରେ ହଳଦୀ ପତ୍ରରେ ପିଠା ପ୍ରସ୍ତୁତ ହୋଇଥାଏ । ପିଠା ପାଇଁ ଏକ ଉଷୁଆଁ ଚାଉଳ ସ୍ୱତନ୍ତ୍ର ଭାବେ ତିଆରି କରାଯାଏ । ଏହାକୁ ଚୂନା କରି ନୂଆ ବିରିରେ ପ୍ରସ୍ତୁତ ପିଠଉରେ ଗୋଳାଇ ଆଣ ତିଆରି କରାଯାଏ । ତା'ପରେ ପତ୍ରକୁ ପରିଷ୍କାର କରି ଥୋଇ ଛୋଟ ଆକାରରେ କଟାଯାଏ । ପିଠଉକୁ ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦିଆଯାଏ ଫୁଲିବା ପାଇଁ। ନଡ଼ିଆ କୋରାରେ ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ ପକାଇ ଭଲ ଭାବେ କରେଇରେ ବସାଯାଏ । ତା'ପରେ ଅଥାର ଗଢ଼ାଯାଏ ।

ପିଠା ସହିତ ଘାଣ୍ଟର ସ୍ୱାଦ ଅତି ନିଆରା । ବିଭିନ୍ନ ପରିବା ସହିତ ମୂଳା ଓ ନୂଆ ବିରିରେ ପ୍ରସ୍ତୁତ ବଡ଼ି ମୁଖ୍ୟ ହୋଇଥାଏ । ଏହି ଦିନ ପ୍ରଥମ ଛୁଆମାନେ ନୂଆ କରି ମୂଳାର ସ୍ୱାଦ ଚାଖନ୍ତି । ଘାଣ୍ଟ ଓ ପିଠା ହୋଇଗଲା ପରେ ପିଲାମାନେ ମାମୁ ଘରୁ ଆସିଥିବା ନୂଆ ଲୁଗାପଟା, ଡ୍ରେସ୍‌ ଆଦି ପିନ୍ଧିଥାନ୍ତି । ବଡ଼ ବଡ଼ୁଆଙ୍କ ପାଖରେ କଳସ ବସିଥାଏ । ବଡ଼ ପିଲାମାନେ ସେଠି ଆସନରେ ବସନ୍ତି । ଘରର ବୟସ୍କ ସ୍ତ୍ରୀଲୋକ ତାଙ୍କୁ ବନ୍ଦାପନା କରନ୍ତି ଓ ଲମ୍ବା ଆୟୁଷ ଆଶୀର୍ବାଦ ଦିଅନ୍ତି । ପିଲାମାନେ ପୂଜା ହୋଇସାରିବା ପରେ ଗୁରୁଜନଙ୍କ ଆଶୀର୍ବାଦ ନେଇଥା'ନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)