Success Stories

ବୈଷ୍ଣବୀ ସିହ୍ନା: ସମନ୍ବିତ କୃଷିର ଅଗ୍ରଦୂତ

ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି ଏବଂ ପ୍ରଚୁର ପରିମାଣରେ ରାସାୟନିକ ସାମଗ୍ରୀ ପ୍ରୟୋଗ କରାଯାଉଛି l ଏହି ସବୁ ଖାଦ୍ୟ ସାମଗ୍ରୀ ବ୍ୟବହାର କରି ଆମେ ରୋଗର ଶିକାର ହେଉଛେ l ଦିନକୁ ଦିନ ଲୋକମାନଙ୍କ ଭିତରେ ପ୍ରାକୃତିକ ଖାଦ୍ୟ ପ୍ରତି ଚାହିଦା ବଢ଼ିବାରେ ଲାଗିଛି l

22 June, 2021 10:39 AM IST By: Sugyan Kumar Nayak

ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି ଏବଂ ପ୍ରଚୁର ପରିମାଣରେ ରାସାୟନିକ ସାମଗ୍ରୀ ପ୍ରୟୋଗ କରାଯାଉଛି l ଏହି ସବୁ ଖାଦ୍ୟ ସାମଗ୍ରୀ ବ୍ୟବହାର କରି ଆମେ ରୋଗର ଶିକାର ହେଉଛେ l ଦିନକୁ ଦିନ ଲୋକମାନଙ୍କ ଭିତରେ ପ୍ରାକୃତିକ ଖାଦ୍ୟ ପ୍ରତି ଚାହିଦା ବଢ଼ିବାରେ ଲାଗିଛି l  ଏହି ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡ଼ାରେ ପ୍ରତିଷ୍ଠା ହୋଇଛି ଏକ ସମନ୍ବିତ କୃଷି କ୍ଷେତ୍ର 'ଶୂନ୍ୟ ଫାର୍ମସ'; ଆଉ ଏହାର ମାଲିକ ହେଉଛନ୍ତି ବୈଷ୍ଣବୀ ସିହ୍ନା l ଏହାରି ଭିତରେ ରହିଛି ଫଳ ବଗିଚା, ପରିବା ବିଲ, ଗୋପାଳନ କେନ୍ଦ୍ର, ଗୋବର ଗ୍ୟାସ, କୁକୁଡ଼ା ପାଳନ କେନ୍ଦ୍ର, ଖାଦ୍ୟ ସାମଗ୍ରୀ ମାର୍କେଟିଙ୍ଗର ବ୍ୟବସ୍ଥା lଏଠାରେ ଉତ୍ପାଦନ କରାଯାଉଥିବା ଖାଦ୍ୟ ସାମଗ୍ରୀ ରାସାୟନିକ ସାର ମୁକ୍ତ ଏବଂ ସମ୍ପୂର୍ଣ୍ଣ ପ୍ରାକୃତିକ ବୋଲି ସେ ମତ ଦିଅନ୍ତି l

ବୈଷ୍ଣବୀ ସିହ୍ନା ଏକାଧାରରେ ଜଣେ ପେସାଦାର ଗଲ୍ଫ କ୍ରୀଡ଼ାବିତ ଏବଂ ବିଦେଶରେ ଉଚ୍ଚଶିକ୍ଷିତା ମହିଳା l

ଭାରତ ପାଇଁ ସେ ଦଶ ବର୍ଷ ବୟସରୁ ମହିଳା ବର୍ଗରେ ଗଲ୍ଫ ଖେଳିଆସିଛନ୍ତି l ଦେଶ ବିଦେଶରେ ଗଲ୍ଫ ଖେଳି ନାଁ କରିଥିବା ଏହି ମହିଳା କ୍ରୀଡ଼ାବିତଙ୍କ ମନରେ ସବୁବେଳେ କିଛି ଭିନ୍ନ କଥା ଉଙ୍କି ମାରୁଥିଲା l ଜଣେ କ୍ରୀଡ଼ାବିତ ଭାବରେ ସେ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ l ତାଙ୍କରି ମାନସ ସନ୍ତାନ ହେଉଛି ଆଜିର ଏହି 'ଶୂନ୍ୟ ଫାର୍ମସ' l ସେ କୁହନ୍ତି ଯେ, ଆମେ ଯାହା ଭୋଜନରେ ଗ୍ରହଣ କରୁ ତାହାକୁ ନେଇ ଆମର ସ୍ୱାସ୍ଥ୍ୟ, ଚିନ୍ତନ ଏବଂ ଆମର କାର୍ଯ୍ୟ ସମ୍ପାଦନ କ୍ଷମତା l ତେବେ ଆମର ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଆମେ ଭୋଜନରେ ନିଶ୍ଚିତ ଭାବରେ ରାସାୟନିକ ସାମଗ୍ରୀମୁକ୍ତ ଖାଦ୍ୟ ଗ୍ରହଣ କରିବା ଦରକାର l ତେଣୁ ସେ ଆମେରିକାରୁ ଫେରିଆସି ଭାରତରେ ନିଜ ପ୍ରଚେଷ୍ଟାରେ ଏହି ସମନ୍ବିତ କୃଷି ଫାର୍ମକୁ ପ୍ରତିଷ୍ଠା କରିଛନ୍ତି l ବର୍ତ୍ତମାନର ଯୁବବର୍ଗ କୃଷି କାର୍ଯ୍ୟ ଠାରୁ ଦୂରେଇ ଯାଉଥିବା ବେଳେ ବୈଷ୍ଣବୀଙ୍କର ଏହି କାର୍ଯ୍ୟ ସତରେ ଏକ ଭିନ୍ନ ପ୍ରୟାସ ଅଟେ l

ଏହି ଫାର୍ମରେ ରହିଛନ୍ତି ସମସ୍ତ ପ୍ରକାରର ଉନ୍ନତ କିସମର ଦୁଧିଆଳୀ ଗାଈ, ଯେମିତିକି ଗିର, ସହିୱାଲ, ଥରପାରକର ଏବଂ ହରିୟାନୀ ଅନ୍ୟତମ l ଗାଈଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଚାଷ କରାଯାଉଥିବା ଘାସ ଖାଇବାକୁ ଦିଆଯାଏ l ସେମାନଙ୍କ ଠାରୁ ମିଳୁଥିବା କ୍ଷୀର ଏବଂ ଘିଅକୁ ବଜାରକୁ ପଠାଇଦିଆଯାଏ l ଏହି ଫାର୍ମରେ ଏକ ଶହରୁ ଉର୍ଦ୍ଧ୍ୱ ଗାଈଙ୍କ ଗୋବରକୁ ଗୋବର ଗ୍ୟାସ ପ୍ଲାଣ୍ଟରେ ଉପଯୋଗ କରାଯାଇ ଗୋବର ଗ୍ୟାସ ଏବଂ ବିଦ୍ୟୁତ ଉତ୍ପାଦନର ବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଛି l ଏହା ସଙ୍ଗେ ସଙ୍ଗେ ଗାଈଙ୍କ ମୂତ୍ରକୁ ସୁବ୍ୟବସ୍ଥିତ ଭାବରେ ସଂଗ୍ରହ କରାଯାଇ ଜମିରେ ପ୍ରୟୋଗ କରାଯାଉଛି l ଯାହା ଫଳରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକର ଆବଶ୍ୟକତା ରହୁନାହିଁ l ଗୋବର ଗ୍ୟାସ ପ୍ଲାଣ୍ଟରୁ ବାହାରୁ ଥିବା ଗୋବରକୁ ଏଠାରେ ଥିବା ଜମିରେ ପ୍ରୟୋଗ କରାଯାଇ ବିଭିନ୍ନ ପ୍ରକାରର ଫସଲ କରାଯାଉଛି l ଏଠାରେ ଚାଷ କରାଯାଉଥିବା ଫସଲ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ବୋଲି କୁହନ୍ତି ବୈଷ୍ଣବୀ ସିହ୍ନା l ଭବିଷ୍ୟତରେ ଗୋମୂତ୍ରକୁ ବ୍ୟବସାୟିକ ଭିତିରେ ବଜାରରେ ଉପଲବ୍ଧ କରାଇବାର ପ୍ରଚେଷ୍ଟା ରହିଛି ବୋଲି ସେ କୁହନ୍ତି l

ଏହି ଫାର୍ମରେ ଗୋପାଳନ ସହିତ ପ୍ରସିଦ୍ଧ କଡ଼କନାଥ କୁକୁଡ଼ା ମଧ୍ୟ ପାଳନ କରାଯାଉଛି l ଏହି କୁକୁଡ଼ାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ପାଳନ କରାଯାଉଛି l ଗାଈଗୋରୁଙ୍କ ଠାରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଏବଂ ଗୋବରରୁ ଏହି କୁକୁଡ଼ାଗୁଡ଼ିକ ଉପଯୁକ୍ତ ପରିମାଣର ଖାଦ୍ୟ ପାଇପାରୁଛନ୍ତି l ନିଜର ଫାର୍ମର ସମସ୍ତ ଉତ୍ପାଦକୁ ବଜାରରେ ଉପଲବ୍ଧ କରାଇବା ପାଇଁ ଏହାର ନିଜସ୍ୱ ଅନଲାଇନ ବ୍ୟବସ୍ଥା ରହିଛି l ଯାହା ଫଳରେ ଗ୍ରାହକମାନେ ଅନଲାଇନରେ ସାମଗ୍ରୀ କିଣି ପାରିବେ l   ବିଶେଷ କରି ସମନ୍ବିତ କୃଷିରେ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କୁ 'ଶୂନ୍ୟ ଫାର୍ମସ'ରେ ପରିଦର୍ଶନ କରିବାର ସୁବିଧା ରହିଛି, କିନ୍ତୁ ବର୍ତ୍ତମାନର କରୋନା ମହାମାରୀ ସମୟରେ ଏହି ସୁବିଧାକୁ ବନ୍ଦ ରଖାଯାଇଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)