Success Stories

ରମ୍ଭା କିସାନ: ଓଡ଼ିଶାର ସଫଳ ମହିଳା ଚାଷୀ

ନିଜର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମରେ ସଫଳତା ପାଇବା ସମ୍ଭବ ବୋଲି ପ୍ରମାଣିତ କରିଦେଇଛନ୍ତି ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଳକ ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମର ମହିଳା ଚାଷୀ ଶ୍ରୀମତୀ ରମ୍ଭା କିସାନ l ୨୦୦୬ ମସିହା ପୂର୍ବରୁ ନିଜର ପେଟ ପୋଷିବା

23 June, 2021 5:02 PM IST By: Sugyan Kumar Nayak

ନିଜର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମରେ ସଫଳତା ପାଇବା ସମ୍ଭବ ବୋଲି ପ୍ରମାଣିତ କରିଦେଇଛନ୍ତି ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଳକ ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମର ମହିଳା ଚାଷୀ ଶ୍ରୀମତୀ ରମ୍ଭା କିସାନ l ୨୦୦୬ ମସିହା ପୂର୍ବରୁ ନିଜର ପେଟ ପୋଷିବା ପାଇଁ ସେ ବାହାରେ କୁଲି ମଜୁରୀ ଖଟୁଥିଲେ, କିନ୍ତୁ ଏହା ତାଙ୍କର ମନକୁ ଆସିଲା ନାହିଁ l ସେ ନିଜେ କିଛି କରିବାକୁ ପଣ କରିଲେ l ନିଜେ ନିଜର ଚାଷ ଜମିରେ ଚାଷବାସ କରିବାକୁ ସେ ଆଗ୍ରହୀ ହେଲେ ଏବଂ ସେଥିପାଇଁ ନିଜେ କଠିନ ପରିଶ୍ରମ କରିଲେ l ଖରା, ବର୍ଷା, ଶୀତକୁ ଖାତିର ନ କରି ସେ ଚାଷ କାମରେ ଲାଗିଗଲେ l ଏପରି କରିବା ଦ୍ୱାରା ସେ ଆଜି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି l ମାଟିର ଛାତି ଚିରି ଭଳିକି ଭଳି ଫସଲ ଉପୁଜାଉଛନ୍ତି ରମ୍ଭା l

ଆଉ ଟିକେ ଆଗକୁ ଯାଇ ରମ୍ଭା କିସାନ ପନ୍ଦର ଏକର ଜମି ଭାଗଚାଷ କରି  ସେଥିରେ ବିଭିନ୍ନ ପ୍ରକାରର ଫସଲ ଲଗାଇ ବେଶ ଲାଭବାନ ହୋଇପାରିଛନ୍ତି l ସେହି ଜମିରେ ସେ ସୋରିଷ, ମୁଗ, ବିରି, ତରଭୁଜ, କୋଳି, ମିଠା ମକା, ଆମ୍ବ, ସଜନା, ଅମୃତଭଣ୍ଡା, ଧାନ ଇତ୍ୟାଦି ଫସଲ ଚାଷ କରୁଛନ୍ତି l ଟାଙ୍ଗରା ଭୂଇଁକୁ ସବୁଜିମାରେ ଭାରି ଦେଇଛନ୍ତି ରମ୍ଭା l ରମ୍ଭା କିସାନ ଆଜି ସେ ଅଞ୍ଚଳରେ ଆତ୍ମ ନିର୍ଭରଶୀଳତାର ନୂତନ ବାର୍ତ୍ତା ଦେଉଛନ୍ତି l  ସ୍ୱାବଲମ୍ବନର ନୂଆ ନାଁ ହୋଇଛି ରମ୍ଭା କିସାନ l ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ଉଦାହରଣ ଭାବରେ ଦେଖୁଛନ୍ତି l ନିଜର କଷ୍ଟ ଅର୍ଜିତ ପଇସାରେ ସେ ନିଜ ପାଇଁ ଘରଟିଏ କରିଛନ୍ତି l ରମ୍ଭାଙ୍କ ବିଷୟରେ ଆଉ ଗୋଟିଏ ବହୁତ ଭଲ କଥା ହେଉଛି ସେ ନିଜ ହାତରୁ ପଇସା ଖର୍ଚ୍ଚ କରି ଅପାଠୁଆ ଆଦିବାସୀ ବାଳିକାମାନଙ୍କର ପାଠପଢା ଦେଖାଶୁଣା କରୁଛନ୍ତି l ବାଳିକାମାନେ କିପରି ପଛରେ ରହିନଯାନ୍ତୁ ସେଥିପାଇଁ ସେ ସର୍ବଦା ପ୍ରଚେଷ୍ଟା କରିଆସୁଛନ୍ତି l ତାଙ୍କୁ ଏହା ବହୁତ ଖୁସି ଲାଗେ ବୋଲି ସେ କୁହନ୍ତି l 'ଝିଅ ହେଲେ ପାଠୋଈ, ଦେଶ ଯିବ ଆଗେଇ, ଏହି ମନ୍ତ୍ରରେ ରମ୍ଭା ବିଶ୍ୱାସ କରନ୍ତି l ରମ୍ଭାଙ୍କ ଆଖିରେ ଆଖିଏ ସ୍ବପ୍ନ l ନିଜର କୃଷି କାମକୁ ଆହୁରି ବଢ଼ାଇ ସେ ଗରିବ ଆଦିବାସୀ ଝିଅମାନଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ଆଶା ପୋଷଣ କରନ୍ତି ରମ୍ଭା l

ହୁଏ ତ ରମ୍ଭା କିସାନ ଅପାଠୁଆ ଆଦିବାସୀ ହୋଇପାରନ୍ତି, କିନ୍ତୁ ତାଙ୍କର ଏହି ମହାନତା ପାଇଁ ତାଙ୍କୁ ସମସ୍ତେ ଅନେକ ଧନ୍ୟବାଦ ଅର୍ପଣ କରୁଛନ୍ତି l ସେ ନିଜ ପଇସାରେ ଗୋଟିଏ ଟ୍ରାକ୍ଟର ଏବଂ ଦୁଇଟି ପାୱାର ଟିଲର କିଣିପାରିଛନ୍ତି l ଏ ସବୁ ସମ୍ଭବ ହୋଇପାରିଛି ନିଜର ଦୃଢ଼ ଆତ୍ମବଳ ଯୋଗୁଁ l ସମସ୍ତ ଅସୁବିଧା ସତ୍ତ୍ୱେ ସେ ବିଭିନ୍ନ ପ୍ରକାରର ଚାଷ କରି ନିଜକୁ ଜଣେ ପୋଖତ ଚାଷୀ ଭାବରେ ପ୍ରମାଣିତ କରିପାରିଛନ୍ତି l ଜଣେ ମହିଳା ହେଲେ ମଧ୍ୟ ନିଜର କଠିନ ପରିଶ୍ରମ ବଳରେ ସେ ଆର୍ଥିକ ସ୍ୱଚ୍ଛଳ ହେବା ସଙ୍ଗେ ସଙ୍ଗେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଲେ l ସେ କୃଷିକାର୍ଯ୍ୟ କରି ବାର୍ଷିକ ଆୟ କରୁଛନ୍ତି ହାରାହାରି ୫ ଲକ୍ଷ ଟଙ୍କା l ଦିନକୁ ଦିନ ତାଙ୍କର ଉତ୍ପାଦିତ ସାମଗ୍ରୀଗୁଡିକର ବଜାର ଚାହିଦା ବଢୁଛି l ତାଙ୍କୁ ଦେଖି ସେହି ଅଞ୍ଚଳର ଅନ୍ୟମାନେ ଚାଷ କାମ କରିବାକୁ ଅନୁପ୍ରାଣିତ ହୋଇଛନ୍ତି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)