Success Stories

କାଦମ୍ବିନୀ ତ୍ରିପାଠୀ : ନିଷ୍ପେସିତ ଦଳିତ ଲୋକଙ୍କ ପାଇଁ ଦେବଦୂତ

୨୦୦୨ ମସିହାରେ ସେ ସେହି ପଦବୀ କୁ ତ୍ୟାଗ କରି ସମାଜ ସେବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସମାଜ ରେ ଘଟୁଥିବା ଅନ୍ଧ ବିଶ୍ୱାସ , କୁସଂସାର, ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ , ସାମାଜିକ ଓ ରାଜନୈତିକ ପୋଷଣ, ଦୁର୍ନୀତି ବିରୋଧ ରେ ଲୋକମାନଙ୍କୁ ସଚେତନ କରାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ଶ୍ରୀମତୀ ତ୍ରିପାଠୀ ।

01 March, 2025 11:26 AM IST By: Tanushree Mahapatra

ଓଡ଼ିଶା ର ଜଙ୍ଗଲ, ପାହାଡ, ଜନଜାତି ଅଧ୍ୟୁଷିତ  ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ସହର ର ଶଙ୍ଖାରୀ ସାହି ରେ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ଙ୍କର ଜନ୍ମ । ଶିକ୍ଷାଗତ ଯୋଗ୍ୟତା +୨ । ସ୍ଵାମୀ ଙ୍କ ନାମ ମନୋରଞ୍ଜନ ତ୍ରିପାଠୀ ଯିଏକି ଏକା ଧାରା ରେ ଜଣେ କୃଷକ, ଲେଖକ, ରାଜନେତା। କାଦମ୍ବିନୀ ସମାଜର ନିଷ୍ପେସିତ ଦଳିତ ଲୋକମାନଙ୍କ ପାଇଁ ଦେବଦୂତ ପରି କାର୍ଯ୍ୟ କରୁଛନ୍ତି l

ବିବାହ ର ୩ ବର୍ଷ ପରେ ୨୦୦୦ ମସିହାରେ କାଦମ୍ବିନୀ ମ୍ୟୁନିସପାଲିଟି ନିର୍ବାଚନ ରେ ୱାର୍ଡ ସଭ୍ୟା ପାଇଁ ସ୍ଵାଧୀନ ଭାବରେ ପ୍ରତିଦ୍ବନ୍ଦିତା କରି ବହୁତ୍ ଭୋଟ୍ ବ୍ୟବଧାନ ରେ ବିଜୟ ହାସଲ କରିଥିଲେ । ତାଙ୍କ ଉପରେ ସମସ୍ତ ରାଜନୈତିକ ଦଳ ଗୁଡିକ ତରଫ ରୁ ସମର୍ଥନ ମିଳିବା ପରେ ମୁନିସପାଲଟି ର ଉପ ସଭାନେତ୍ରୀ ( vice chairman) ଭାବରେ ନିର୍ବାଚିତ ହୋଇ ଥିଲେ । କିଛି ଦିନ ପରେ ସେ ଭାବିଲେ କି କୌଣସି ରାଜନୈତିକ ଦଳ କିମ୍ବା କ୍ଷମତା ରେ ରହି ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରାଇବା ସମ୍ଭବ ନୁହେଁ । ତେଣୁ ୨୦୦୨ ମସିହାରେ ସେ ସେହି ପଦବୀ କୁ ତ୍ୟାଗ କରି ସମାଜ ସେବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସମାଜ ରେ ଘଟୁଥିବା ଅନ୍ଧ ବିଶ୍ୱାସ , କୁସଂସାର, ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ , ସାମାଜିକ ଓ ରାଜନୈତିକ ପୋଷଣ, ଦୁର୍ନୀତି ବିରୋଧ ରେ ଲୋକମାନଙ୍କୁ ସଚେତନ କରାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ଶ୍ରୀମତୀ ତ୍ରିପାଠୀ ।

ଏହି କାର୍ଯ୍ୟ କୁ ଆହୁରି ସୁସଂଗଠିତ କରିବା ଉଦ୍ଦେଶ୍ୟ ରେ ବିଶିଷ୍ଠ ସମାଜ ସେବୀ ଋତୁପର୍ଣ୍ଣା ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱେଚ୍ଛା ସେବୀ ସଂଗଠନ " ମା ଘର " ରେ ୨୦୧୧ ମସିହାରେ ଯୋଗଦାନ କରି କାମ କରନ୍ତି । ଏହି ଅନୁଷ୍ଠାନ ଦ୍ଵାରା ପରିଚାଳିତ ବୃଦ୍ଧାଶ୍ରମ, ବାଳାଶ୍ରମ, ସ୍ୱାଧାର ଗୃହ ପ୍ରକଳ୍ପ ପାଇଁ କାର୍ଯ୍ୟ କରି ଖୁସି ଅନୁଭବ କରୁଥିଲେ କାଦମ୍ବିନୀ । ପାରିବାରିକ ହିଂସା ଦ୍ଵାରା ନିର୍ଯ୍ୟାତିତା ମହିଳାମାନଙ୍କ ନ୍ୟାୟ ପାଇଁ ସଂପୃକ୍ତ ପରିବାର ସହିତ ବିଚାର ବିମର୍ଶ କରି ସମସ୍ୟା ଗୁଡ଼ିକର ସମାଧାନ କରୁଥିଲେ । ଯେଉଁ କ୍ଷେତ୍ର ରେ ଆବଶ୍ୟକ ପଡେ ଆଇନଗତ ସହାୟତା ପାଇଁ ପ୍ରଶାସନ କୁ ମଧ୍ୟ ବ୍ୟବହାର କରୁଥିଲେ । ଏବେ ସୁଦ୍ଧା ସେ ୪୦୦୦ଟି ଘଟଣା କୁ ସମାଧାନ କରିପାରିଛନ୍ତି । ଗଣଦୁଷ୍କର୍ମ ଦ୍ଵାରା ପୀଡ଼ିତା ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ଅନଶନ ଧର୍ମଘଟ ପାଇଁ ଦୋଷୀ କୁ ଦଣ୍ଡ ଦିଆଇ ପାରିଛନ୍ତି ଏବଂ ପୀଡ଼ିତା ଟିର ଥଇଥାନ ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ସରଳ, ନିରୀହ ଓ ବାଳିକା ଝିଅ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସ୍ଥାନୀୟ ଦଲାଲ ମାନେ ବାହାର ରାଜ୍ୟକୁ ଯୌନ ଶୋଷଣ କାରୀ ମାନଙ୍କୁ ବିକ୍ରି କରି ଦେଉଥିବା ଘଟଣା କୁ ବିରୋଧ କରି ପ୍ରଶାସନିକ ସହାୟତା ଦ୍ଵାରା ପୀଡ଼ିତା ମାନଙ୍କୁ ଉଦ୍ଧାର କରିବା କ୍ଷେତ୍ର ରେ କାଦମ୍ବିନୀ ଙ୍କ ଭୂମିକା ଅତୁଳନୀୟ।

ଏହି ସବୁ କାର୍ଯ୍ୟ ଗୁଡିକ ମଧ୍ୟରେ ନିର୍ଦ୍ଧିଷ୍ଟ କେତେକ ଅତ୍ୟନ୍ତ ସମ୍ବେଦନଶିଳ ଘଟଣା ଗୁଡିକରେ ମଧ୍ୟ ସେ ଅତ୍ୟନ୍ତ ନିଷ୍ଠା ଓ ଦୃଢ଼ତା ର ସହିତ ମୁକାବିଲା କରି ଅନ୍ୟ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତନ୍ମଧ୍ୟରୁ ଓଡ଼ିଶା ରେ ଚର୍ଚ୍ଚିତ ଘଟଣା, ସସ୍ମିତା ଖାତି ନାମରେ ଏକ ଯୁବତୀ କୁନ୍ଦୁଲି ଠାରେ ଅବସ୍ଥାପିତ ୪ ଜଣ ସେନା କର୍ମଚାରୀ ଦ୍ଵାରା ଗଣ ଦୁଷ୍କର୍ମ ର ଶିକାର ହୋଇ ଅବା ଗୁମଣ୍ଡଳ ର ଝିଅକୁ ୩ ଜଣ ଯୁବକ ପଡିଆ ଜମିରେ ଘୋଷାଡି ଘୋଷାଡି ନେଇ ଗଣ ଦୁଷ୍କର୍ମ ଘଟଣା ଅବା ଉମରକୋର୍ଟ ରେ ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ଏକ ନାବାଳିକା ଛାତ୍ରୀ ପ୍ରତି ପାଶବିକ ଅତ୍ୟାଚାର ଏ ସମସ୍ତ ଘଟଣା ଗୁଡିକରେ ପୀଡ଼ିତା ଙ୍କୁ ନ୍ୟାୟ ଓ ଦୋଷୀ କୁ ଦଣ୍ଡ ଦିଆଇ ପାରିଛନ୍ତି।  

ଆଦିବାସୀ ଜନ ଜୀବନ ଅନେକ ପ୍ରକାର ଅନ୍ଧ ବିଶ୍ୱାସ ପାଇଁ ବହୁତ୍ ପ୍ରଭାବିତ ହୋଇଥାନ୍ତି । ଛୋଟ ପିଲା ମାନଙ୍କ ଦେହ ଖରାପ ଭଲ ହେବା ପାଇଁ ଲୁହା ଛଡ କୁ ଗରମ କରି ଗୁଣିଆ ମାନେ ପିଲା ଟିକୁ ଦେଉଥିବା ଚେଙ୍କ ବ୍ୟବସ୍ଥା ଵିରୁଦ୍ଧ ରେ ମଧ୍ୟ ସଚେତନ କରାଇ ପାରିଛନ୍ତି। ଯାହା ଦ୍ଵାରା ନବରଙ୍ଗପୁର ଜିଲ୍ଲା ରୁ ଏହି ପ୍ରଥା ଵିରୁଦ୍ଧ ରେ ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଗାଁ ମାନଙ୍କ ରେ "କଙ୍ଗାରୁ କୋର୍ଟ" ବସାଇ ବିଶେଷ କରି ମହିଳା ଓ ଗରିବ ଅସହାୟ ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଵିରୁଦ୍ଧ ରେ ସ୍ୱର ଉତ୍ତୋଳନ କରି ସଫଳତା ପାଇଛନ୍ତି ।

ଶ୍ରୀମତି ତ୍ରିପାଠୀ ଜୀବନ ର ସବୁଠାରୁ ସ୍ମରଣୀୟ ଘଟଣା ଥିଲା ପାପଡ଼ାହାଣ୍ଡି ବ୍ଲକ୍ ସ୍ଥିତ କୁଟୁଗୁଡା ର ଏକ ଛାତ୍ରୀର ମୃତ୍ୟୁ ପରେ ତାର ପରିବାର କୁ ନ୍ୟାୟ ଦେବା ପାଇଁ କୁଟୁଗୁଡା ରୁ କଟକ ପର୍ୟ୍ୟନ୍ତ ପଦ ଯାତ୍ରା । ଦଶମ ଶ୍ରେଣୀ ରେ ପଢୁଥିବା ଏକ ଗରିବ ଝିଅର, ବାପା ମା ପଢ଼ା ଖର୍ଚ୍ଚ ଦେଇ ପାରନ୍ତି ନାହିଁ । ଝିଅ ଟି ମଧ୍ୟ କୁଲି କାମ କରି ଖାତା ବହି କିଣେ । ପରୀକ୍ଷା ଫି ଦେଇ ନ ପାରିବାରୁ ଶିକ୍ଷକ ଅପମାନ ଦେଇ ଟେବୁଲ ଉପରେ ଛିଡା କରାଇ ଦେଇଥିଲେ । ବିଚରା ସ୍ଵାଭିମାନୀ ଆଦିବାସୀ ଝିଅ ଟି ଅପମାନ ସହ୍ୟ କରି ନ ପାରି ନିଜେ ଦେହରେ କିରୋସିନ ଢାଳି ନିଆଁ ଲଗେଇଦେଇଥିଲା ପରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲା । ପ୍ରଶାସନ ଏକ ଡିବିରି ନିଆଁ ରେ ଦୁର୍ଘଟଣା ଜନିତ ମୃତ୍ୟୁ କହି ଘଟଣା କୁ ଛପାଇ ଦେବାକୁ ବସିଥିଲା । ଏହି ଘଟଣାରେ କାଦମ୍ବିନୀ ଏବଂ ତାଙ୍କ ଅନୁଷ୍ଠାନ ର ସହ କର୍ମୀ ମାନଙ୍କ କଠୋର ଉଦ୍ୟମ ଫଳରେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେହି ମୃତ୍ୟୁହୋଇଥିବା ବାଳିକା ର ପରିବାର କୁ ୨ ଏକର ଜମି, ଭାଇ କୁ କାମ ଏବଂ ଓଡ଼ିଶା ର ସବୁ ପିଲା ଙ୍କ ପାଇଁ ପରୀକ୍ଷା ଟିକୁ ଫ୍ରୀ କରିଦେଇଥିଲେ ।

ସବୁଠାରୁ ଉଲ୍ଲେଖନୀୟ ଘଟଣା, ତତ୍ କାଳୀନ ଚିନ୍ତା ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରିଜେଶ ରାୟଙ୍କ ସମୟରେ  ଜନୈକା ମାଓବାଦୀ ଝିଅ କାଦମ୍ବିନୀ ଓ ଅନୁଷ୍ଠାନ ର ସହକର୍ମୀ ମାନଙ୍କ ଉଦ୍ୟମ ରେ ହିଂସା ମାର୍ଗ ପରିତ୍ୟାଗ କରି ସମାଜର ମୂଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିଥିଲେ । ଯେ କି ଏବେ ବହୁତ ସୁନ୍ଦର ଜୀବନଯାପନ କରୁଛନ୍ତି । ମଦ ବିରୋଧି ଆନ୍ଦୋଳନ ଦ୍ଵାରା ଦେଶି ମଦ କାରବାର ବନ୍ଦ କରିବାରେ ମଧ୍ୟ କେତେକାଂଶ ରେ ସଫଳ ହୋଇଛନ୍ତି । ମହିଳା ସଂରକ୍ଷଣ କ୍ଷେତ୍ର ରେ ଶତକଡା ୫୦ ଭାଗ ସଂରକ୍ଷଣ ଦାବି କରନ୍ତି ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ । ବାସ୍ତବିକ ଏ ପରି ଜଣେ ମହିଳା ଙ୍କ ପାଇଁ ଓ ତାଙ୍କ ନିଷ୍ଠା ପର ସମାଜ ସେବା ପାଇଁ ଆମ ରାଜ୍ୟ ଓଡ଼ିଶା ଗର୍ବିତ ଅଟେ ।