ସାଧାରଣ ଭାବରେ ଆମେ ପ୍ରତିଦିନ ଭାତ ପ୍ରସ୍ତୁତ କରିବା ନିମନ୍ତେ ଚାଉଳ ବ୍ୟବହାର କରିଆସୁଛୁ l ଓଡ଼ିଶାର ଘରେ ଘରେ ଚାଉଳର ବ୍ୟବହାର ବହୁତ ପୁରୁଣା ଅଟେ l କେଉଁ ଚାଉଳ କେଉଁ ପ୍ରକାର ବ୍ୟବହାର ନିମନ୍ତେ ବିଶେଷ ଭାବରେ ଉପଯୋଗୀ ତାହା ଆମର ପୂର୍ବ ପୁରୁଷମାନଙ୍କୁ ଭଲ ଭାବରେ ଜଣା l ଏବେ ଆମେ ସମସ୍ତେ ଚାଉଳର ଭାତ ଖାଉଛେ କିନ୍ତୁ ଆମେ ଅଜଣା ଚାଉଳର ଭାତ ଖାଉଛେ l ଆମକୁ ଜଣା ନାହିଁ ଚାଉଳର ନାମ କିମ୍ବା କିସମ l
ପ୍ରସିଦ୍ଧ ବାସୁମତୀ ଚାଉଳ ସହିତ ସମକକ୍ଷ ହେବା ପରି ଚାଉଳ ଆମରି ଓଡ଼ିଶାରେ ରହିଛି, କିନ୍ତୁ ତାହା ଆମର ଅଗୋଚରରେ ରହିଯାଇଛି l ପରିତାପର ବିଷୟ ହେଉଛି, ଏ ସବୁ ସମୟକ୍ରମେ ଇତିହାସ ହେବାକୁ ଯାଉଛି l ଆମର ପରବର୍ତ୍ତୀ ପିଢ଼ି ଏହାର ସ୍ୱାଦ ପାଇବେ କି ନାହିଁ ସନ୍ଦେହ l ଓଡ଼ିଶାର ପୁରପଲ୍ଲୀରେ ମିଳୁଥିବା ଏମିତି କିଛି ସୁବାସିତ ଚାଉଳ ରହିଛି ଯାହା କୌଣସି ଗୁଣରେ ପଛରେ ପଡ଼ିନାହିଁ l କିନ୍ତୁ ଏହାକୁ ଜାତୀୟ ସ୍ତରରେ ପରିଚିତ କରାଇବା ନିମନ୍ତେ ରହିଯାଇଛି ପ୍ରଚେଷ୍ଟା ଏବଂ ନିଷ୍ଠାର ଅଭାବ l
ଏହି ଚାଉଳଗୁଡ଼ିକ ମଧ୍ୟରେ ରହିଛି; କଳାଜୀରା, କୃଷ୍ଣଭୋଗ, ନୀଳବତୀ, ଗୋବିନ୍ଦଭୋଗ, ପଦ୍ମକେଶରୀ, ତୁଳସୀଫୁଲ, ପିମ୍ପୁଡିବସା, କର୍ପୁରକ୍ରାନ୍ତି, ଯୁବରାଜ, ବଡ଼ସାଭୋଗ, କଲିକତି, ଲକ୍ଷ୍ମୀବିଳାସ, ଏବଂ ମକରନ୍ଦ ଅନ୍ୟତମ l
ଏମିତି କିଛି ଚାଉଳ ରହିଛି ଯାହାର ସ୍ୱତନ୍ତ୍ର ସୁବାସ ରହିଛି l ଅତୀତରେ ରାଜା ମହାରାଜାମାନେ ମଧ୍ୟ ଏହାର ପ୍ରଶଂସା କରିଛନ୍ତି l କିନ୍ତୁ ବର୍ତ୍ତମାନର ହାଇବ୍ରିଡ଼ ଏବଂ ଆଧୁନିକ ବିହନ ଭିଡ଼ରେ ସେହି ସୁବାସିତ ଧାନଗୁଡ଼ିକ ଯେପରି ସତ୍ତା ହରାଇବାକୁ ବସିଲେଣି l କାଁ ଭାଁ କେତେକ ସ୍ଥାନରେ ଏହାର ଚାଷ ପ୍ରତି ଧ୍ୟାନ ଦିଆଯାଉଛି l ଅନ୍ୟ ଅର୍ଥରେ କହିବାକୁ ଗଲେ ସୁବାସିତ ଚାଉଳର ସ୍ଥିତି ଆଜି କିଛି ମାତ୍ରାରେ ସଙ୍କଟରେ ପହଞ୍ଚି ଯାଇଛି l ଏହି ପରିସ୍ଥିତିରେ ସୁଧାର ଆଣିବା ନିମନ୍ତେ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଧାନ ବିଶେଷଜ୍ଞ, ପ୍ରଫେସର. ଏସ. ଆର ଦାସ ନିଜସ୍ଵ ଉଦ୍ୟମ ଜାରି ରଖିଛନ୍ତି l କିପରି ସୁବାସିତ ଚାଉଳ ବିହନର ସଂଗ୍ରହ ଏବଂ ସଂରକ୍ଷଣ କରାଯାଇପାରିବ ସେଠି ନିମନ୍ତେ ସେ ଉଦ୍ୟମରତ l
ପ୍ରଫେସର. ଏସ. ଆର ଦାସଙ୍କ ମତରେ, ଓଡ଼ିଶାରେ ଏକ ଶହରୁ ଉର୍ଦ୍ଧ୍ୱ କିସମର ସୁବାସିତ ଧାନ ଚାଷ କରାଯାଏ l କିନ୍ତୁ କୃଷକମାନଙ୍କର ଉପଯୁକ୍ତ ସଚେତନତା ଅଭାବରୁ ଏହି କିସମର ଚାଉଳ ଆଜି ବିଲୁପ୍ତ ହେବାକୁ ଲାଗିଛି l ଯାହା ଫଳରେ ଭବିଷ୍ୟତ ନିମନ୍ତେ ଓଡ଼ିଶାର ଦେଶୀ ସୁବାସିତ ଧାନଗୁଡ଼ିକର ସଂରକ୍ଷଣ ହୋଇପାରିବ l ସରକାରୀ ସ୍ତରରେ ଏହି ଚାଉଳର ମାର୍କେଟିଙ୍ଗର ସୁବିଧା କରାଗଲେ କୃଷକମାନେ ବହୁଳ ପରିମାଣରେ ଚାଷ କରିବା ନିମନ୍ତେ ଆଗ୍ରହୀ ହେବେ ବୋଲି ସେ କୁହନ୍ତି l ସରକାର ଗୋଟିଏ ବିହନ ବ୍ୟାଙ୍କ ଗଠନ କରିଲେ କୃଷକମାନେ ଏହି ସୁବାସିତ ଚାଉଳ ଉତ୍ପାଦନରେ ଆଗ୍ରହୀ ହେବେ ବୋଲି ପ୍ରଫେସର. ଏସ. ଆର ଦାସ କହିଛନ୍ତି l
Share your comments