ଆପଣ ସମସ୍ତେ ଜାଣିଛନ୍ତି ଚଳିତ ବର୍ଷ କୁ ମିଲେଟ ବର୍ଷ ଭାବେ ପାଳନ କରଯାଉଛି l ରାଜ୍ୟ ସରକାର ମିଲେଟ ମିଶନ ଉପରେ କାର୍ଯ୍ୟ କରୁଛନ୍ତି l ମିଲେଟ ମିଶନରେ ଓଡିଶାକୁ ବଡ ସଫଳତା ମଧ୍ୟ ମିଳିଛି । ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡିଶା । ଓଡ଼ିଶା ମିଲେଟ ମିଶନ(Odisha Millet Mission) କ୍ଷେତ୍ରରେ ମିଲେଟ(Millet)ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟକୁ ଜାତୀୟ ପୁରସ୍କାର ମିଳିଛି । ଓଡିଶା ମିଲେଟ ମିଶନ ହେଉଛି କୃଷି ବିଭାଗର ଏକ ନିଆରା ପଦକ୍ଷେପ ।
ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କାମ କରୁଛି ଓଡିଶା ମିଲେଟ ମିଶନ । ନିକଟରେ ମିଲେଟ ମିଶନ (Millets Mission)ର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog । କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ମିଲେଟ ମିଶନ ସହାୟକ ହୋଇଛି ।
ଆପଣ ମାନେ ଜାଣିଥିବେ ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ବିଶେଷ ଗୁରୁତ୍ୱ ରହିଛି । ଯେପରିକି ବିଶେଷକରି କୋରାପୁଟ, କନ୍ଧମାଳ, ମାଲକାନଗିରି ଅଂଚଳରେ ଏହି ଚାଷ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଆଦିମ ଜନଜାତି ମାନେ ଅଧିକ ବ୍ୟବହାର କରୁଥିବା ବେଳେ ଏବେ ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ଏସଏଚଜି ମହିଳା । ଦିନକୁ ଦିନ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ୁଛି ରାଜ୍ୟ ଭିତରେ ଏବଂ ଦେଶ ବାହାରେ ମଧ୍ୟ ।
ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ମିଲେଟ୍ ମିସନ୍ର ବଜେଟ୍ ୭ବର୍ଷରେ ୫୦ ଗୁଣା ବୃଦ୍ଧି ପାଇଛି । ମିଲେଟ୍ ମିସନ୍ ଗଠନ ବର୍ଷ, ୨୦୧୭ରେ ଏଥିପାଇଁ ବଜେଟ୍ ୧୧.୪୧ କୋଟି ରହିଥିବା ବେଳେ ୨୦୨୩ରେ ତାହା ୫୭୯.୧୭ କୋଟିକୁ ଛୁଇଁଛି । ୨୦୧୮ ମସିହାରେ ଏହି ବଜେଟ୍ ୬୩.୧୯ କୋଟି ରହିଥିବାବେଳେ ୨୦୧୯ରେ ୯୮.୦୧ କୋଟି, ୨୦୨୦ରେ ୧୨୧.୮୫ କୋଟି, ୨୦୨୧ରେ ୨୧୧.୪୦ କୋଟି ଓ ୨୦୨୨ରେ ୩୬୧.୬୧ କୋଟି ରହିଥିଲା ବୋଲି ଓଡ଼ିଶା ମିଲେଟ୍ ମିସନ୍ ତଥା କୃଷି ବିଭାଗର ଯୁଗ୍ମନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି । ଏହାବାଦ୍ ଅନ୍ତର୍ଜାତୀୟ ମିଲେଟ୍ ଦିବସ ଅବସରରେ ମିଲେଟ୍ର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ଏବଂ ୨୩ ମସିହାରେ ଅତିରିକ୍ତ ୨୩କୋଟି ଟଙ୍କା ଅନୁମୋଦିତ କରାଯାଇଛି ବଜେଟରେ ।
ଆପଣ ମାନେ ଜାଣିଛନ୍ତି ,ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନା, ବାଜରା, କୋଦୋ, ଚିନ୍ନ ଏବଂ ଖିରା ଆଦି ପୁଷ୍ଟି ଶସ୍ୟକୁ ମିଲେଟ୍ କୁହାଯାଏ । ବିଶେଷଜ୍ଞଙ୍କ ସୂଚନାନୁସାରେ, ଭାରତରେ ସୁବଜ ବିପ୍ଳବ ପରେ ପରେ ଦକ୍ଷିଣ ଓଡ଼ିଶା ଏବଂ ପାହାଡ଼ିଆ ଅଞ୍ଚଳ ବ୍ୟତୀତ ଅନ୍ୟ ଜିଲ୍ଲାରେ ମିଲେଟ୍ର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଯେଉଁ କେତେକ ଅଞ୍ଚଳରେ ଜବାର, ବାଜରା ଓ ମାଣ୍ଡିଆ ହେଉଥିଲା, ୨୦୧୦ ମସିହା ବେଳକୁ ମଧ୍ୟ ତାହା ପୂରାପୂରି ହ୍ରାସ ପାଇଗଲା । ତେବେ ୨୦୧୭ରେ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ୍ ମିସନ୍ ଗଠନ ହେବା ପରେ ମିଲେଟ୍ ଉତ୍ପାଦନରେ ଢେର୍ ଉନ୍ନତି ଆସିଥିଲେ ହେଁ ୮୦ ଦଶକର ପରିମାଣର ଉପଲବ୍ଧିକୁ ରାଜ୍ୟ ଏପର୍ଯ୍ୟନ୍ତ ହାସଲ କରିପାରିନାହିଁ । ତେବେ ଖୁବ୍ଶୀଘ୍ର ଓଡ଼ିଶା ଏହି ମାଇଲ୍ ଖୁଣ୍ଟକୁ ଅତିକ୍ରମ କରିବ ବୋଲି କୃଷି ବିଭାଗର ସମସ୍ତ ସଦସ୍ୟ ଆଶାବାଦୀ ରହିଛି ।
ଅପରପକ୍ଷେ, ଚଳିତବର୍ଷ ପ୍ରଥମଥର ପାଇଁ ଦୁବାଇକୁ ମାଣ୍ଡିଆ ରପ୍ତାନି କରିବାରେ ଓଡ଼ିଶା ଏକ ବଡ ସଫଳତା ହାସଲ କରିଛି । ମିଲେଟ୍ ମିସନ୍ ଅନ୍ତର୍ଗତରେ ଚାଷ କାର୍ଯ୍ୟକ୍ରମ କାର୍ଯ୍ୟକାରୀ, ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ ଏବଂ ପିଡିଏସ୍ରେ ବିତରଣରେ ଖର୍ଚ୍ଚ ହୋଇଛି । ଅର୍ଥାତ୍ ରାଜ୍ୟରେ ସମୁଦାୟ ମିଲେଟ୍ ଚାଷର ୮୫ପ୍ରତିଶତ ମାଣ୍ଡିଆ, ୧୦ପ୍ରତିଶତ ସୁଆଁ ଏବଂ ବାକି ଅନ୍ୟପ୍ରକାର କ୍ଷୁଦ୍ରଶସ୍ୟ ଚାଷ କରାଯାଉଛି । ୨୦୨୧ ମସିହାରେ ୧୫ଟି ଜିଲ୍ଲାର ୮୪ ବ୍ଲକ୍ରେ ୧ଲକ୍ଷ ୮୩ ହଜାର ହେକ୍ଟର୍ ମାଣ୍ଡିଆ ବା ମିଲେଟ ଚାଷ ହୋଇଥିଲା । ପ୍ରତିବର୍ଷ ଡିଟିସିସିଓଏଲ୍ ପକ୍ଷରୁ ମଣ୍ଡିରେ ଏମ୍ଏସ୍ପିରେ ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରାଯାଉଛି ଏବଂ ତାଙ୍କୁ ଉଚିତ ମୂଲ୍ୟ ମଧ୍ୟ ପ୍ରଦାନ କରାଯାଉଛି । ସୁଆଁର ଆର୍ଥିକ ମୂଲ୍ୟାୟନ ନେଇ ପ୍ରାଥମିକ ପର୍ଯ୍ୟାୟ ରିପୋର୍ଟ ଓୟୁଏଟି ପକ୍ଷରୁ ଦାଖଲ କରାଯାଇଛି । ଯାହାକି ଏବେ ରାଜ୍ୟ ସରକାରଙ୍କ ଅନୁମୋଦନର ଅପେକ୍ଷାରେ ରହିଛି । ଆସନ୍ତା ବର୍ଷରୁ ୩୫୦୦ ହେକ୍ଟର ଜମିରେ ବାଜରା ଏବଂ ୫ ହଜାର ହେକ୍ଟର ଜମିରେ ସରଗମ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କୃଷି ବିଭାଗର ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟରେ ୧୯ ଜିଲ୍ଲାରେ ମିଲେଟ୍ ମିସନ୍ କାର୍ଯ୍ୟକାରୀ ହେଉଥିଲା । ଚଳିତ ବର୍ଷ ଏହା ୩୦ ଜିଲ୍ଲାକୁ ବୃଦ୍ଧି ପାଇଥିବା ନେଇ ସୂଚନା ରହିଛି । ଏବେ ରାଜ୍ୟରେ ମିଲେଟ୍ ମିସନ୍ର ୫୭୯କୋଟି ଟଙ୍କାର ବଜେଟ୍ ମୁଖ୍ୟତଃ ନୂତନ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀରେ ଖର୍ଚ୍ଚ ହେବ । ଆସନ୍ତା ବର୍ଷରୁ ସରଗମ, ବାଜରା ଚାଷ ଏଥିରେ ଯୋଡ଼ି ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ହେକ୍ଟର୍ ପିଛା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ସ୍ବରୂପ ୨୬ ହଜାର ୫୦୦ ଟଙ୍କା ମଧ୍ୟ ଦିଆଯାଉଛି ମିଲେଟ ଚାଷ କରିବା ପାଇଁ । ତେଣୁ ମିଲେଟ୍ ମିସନ୍ରେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ସଂଖ୍ୟା ବଢ଼ିଲେ ସେହି ଅନୁଯାୟୀ ଖର୍ଚ୍ଚ ବଢ଼ିବ ବୋଲି କୁହାଯାଇଛି କୃଷି ବିଭାଗ ଏବଂ ରାଜ୍ୟ ସରକାରକଙ୍କ ତରଫରୁ ।
ବର୍ତ୍ତମାନ ମିଲେଟ୍ ମିସନ କାର୍ଯ୍ୟକାରୀ ୧୯ଜିଲ୍ଲାରେ ପିଡିଏସ୍ରେ ମାଣ୍ଡିଆ ବିତରଣ ହେଉଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ୍ ଉତ୍ପାଦିତ ହେଲେ ୩୦ଟି ଜିଲ୍ଲାରେ ପିଡିଏସ୍ରେ ସ୍ଥାନୀୟ ଅଧିବାସୀ ମାଣ୍ଡିଆ ପାଇପାରିବେ । ମିଲେଟ୍ ମିସନ୍ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ୱାସନ୍ ଏବଂ ଜିଲ୍ଲା, ବ୍ଲକ୍ସ୍ତରରେ ଅନେକ ସାମାଜିକ ସଙ୍ଗଠନ କୃଷି ବିଭାଗ ସହ ଯୋଡ଼ି ହୋଇଛନ୍ତି ।
ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ମିଲେଟ
ନୂଆଦିଲ୍ଲୀରେ ଗ୍ଲୋବାଲ ମିଲେଟସ୍ ସମ୍ମିଳନୀ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
Share your comments