1. କୃଷି ବିଶ୍ବକୋଷ

ବ୍ୟବସାୟିକ ଭିତିରେ ଘାସ ଚାଷ କରନ୍ତୁ, ଲାଭବାନ ହୁଅନ୍ତୁ !!

ଦୁଗ୍ଧ ଉତ୍ପାଦନ ଉଦ୍ଦେଶ୍ୟରେ ଶଙ୍କର ପ୍ରଜାତିର ଗୋରୁ ରଖିବା ପାଇଁ ଆଗ୍ରହୀ ଥିବା ଗୋପାଳକମାନେ ନିଶ୍ଚିତ ଭାବରେ ସେମାଙ୍କର ଆହାର ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି l କେହି କେହି ଗୋପାଳକ ବଜାରରୁ ଦାନା କିଣି ଆଣି ଦିଅନ୍ତି, କେହି କେହି ଗୋପାଳକ ନିଜେ ଘାସ ଚାଷ କରି ନିଜର ଗାଈମାନଙ୍କୁ ଦେଇଥାନ୍ତି l କିନ୍ତୁ ଦୀର୍ଘକାଳୀନ ଭିତିରେ ନିଜେ ଘାସ ଚାଷ କରିବା ହିଁ ଲାଭଦାୟକ ହୋଇଥାଏ l କାରଣ ନିଜର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଗୋପାଳକମାନଙ୍କୁ ଘାସ ବିକ୍ରି କରି ଦୁଇ ପଇସା ଲାଭ କରି ହୁଏ l ତେବେ ଆସନ୍ତୁ ଏହି ଘାସ ଚାଷ ବିଷୟରେ ସବିଶେଷ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Grass Farming

Grass Farming

ଦୁଗ୍ଧ ଉତ୍ପାଦନ ଉଦ୍ଦେଶ୍ୟରେ ଶଙ୍କର ପ୍ରଜାତିର ଗୋରୁ ରଖିବା ପାଇଁ ଆଗ୍ରହୀ ଥିବା ଗୋପାଳକମାନେ ନିଶ୍ଚିତ ଭାବରେ ସେମାଙ୍କର ଆହାର ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି l କେହି କେହି ଗୋପାଳକ ବଜାରରୁ ଦାନା କିଣି ଆଣି ଦିଅନ୍ତି, କେହି କେହି ଗୋପାଳକ ନିଜେ ଘାସ ଚାଷ କରି ନିଜର ଗାଈମାନଙ୍କୁ ଦେଇଥାନ୍ତି l କିନ୍ତୁ ଦୀର୍ଘକାଳୀନ ଭିତିରେ ନିଜେ ଘାସ ଚାଷ କରିବା ହିଁ ଲାଭଦାୟକ ହୋଇଥାଏ l କାରଣ ନିଜର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଗୋପାଳକମାନଙ୍କୁ ଘାସ ବିକ୍ରି କରି ଦୁଇ ପଇସା ଲାଭ କରି ହୁଏ l ତେବେ ଆସନ୍ତୁ ଏହି ଘାସ ଚାଷ ବିଷୟରେ ସବିଶେଷ ଆଲୋଚନା କରିବା l

ସୁଷମ ଖାଦ୍ୟ ବା ଦାନା ଦେଲେ କ୍ଷୀର ଉତ୍ପାଦନରେ ବୃଦ୍ଧି ହୋଇଥାଏ ଏବଂ ଗୋପାଳକ ଦୁଇ ପଇସା ପାଇଥାଏ l ଚାରଣ ଭୂମିର ଅଭାବ ଓ ଶ୍ରମିକ ସମସ୍ୟା ବର୍ତ୍ତମାନ ଚାଷୀଙ୍କ ପାଇଁ ଏକ ଚିନ୍ତାର ବିଷୟବସ୍ତୁ ହୋଇଉଠିଛି । ପଶୁପାଳନ କ୍ଷେତ୍ରରେ ମନୋନିବେଶ କରିଥିବା ଚାଷୀମାନେ ପାରମ୍ପରିକ ଭାବରେ ଦେଶୀ ଗାଈ ପାଳନ କରିବା ସହ ଅନେକ ଚାଷୀ ଦୁଧିଆଳୀ ଜର୍ସି ଗାଈ ମଧ୍ୟ ପାଳନ କରୁଛନ୍ତି । ଦେଶୀ ଗାଈ ପାଳନ ପାଇଁ ଅଳ୍ପ ଖର୍ଚ୍ଚ ହେଉଥିବା ବେଳେ ବିଧିବଦ୍ଧ ଭାବେ ଦୁଗ୍ଧ ଉତ୍ପାଦନ ପାଇଁ ପାଳନ କରାଯାଉଥିବା ଜର୍ସି ବା ହଲଷ୍ଟିନ ତଥା ଅନ୍ୟ ଦୁଧିଆଳୀ ଗାଈଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ । ଦୁଧିଆଳୀ ଗାଈମାନଙ୍କୁ ଯଥେଷ୍ଟ ପରିମାଣର ସବୁଜ ଚାରା ଖୁଏଇବାକୁ ଦେଲେ ଦୁଗ୍ଧ ଉତ୍ପାଦନର ମାତ୍ରା ଠିକ ରହେ ଏବଂ ଗାଈ ମଧ୍ୟ ଖାଦ୍ୟାଭାବ ଜନିତ ସମସ୍ୟାର ସାମ୍ନା କରେ ନାହିଁ, ଯେମିତିକି; ଠିକ ସମୟରେ ଗାଈ ଗରମକୁ ଆସେ ନାହିଁ, ଛୁଆ ଜନ୍ମ କରିବାର ସମୟ ବ୍ୟବଧାନ ବଢିଯାଏ, ଗର୍ଭସ୍ଥ ଛୁଆ ଦୁର୍ବଳ ହୋଇଯାଏ ଇତ୍ୟାଦି l

ଅନେକଙ୍କ ଧାରଣା ଯେ, ଗାଈଙ୍କୁ କେବଳ ସୁଷମ ଖାଦ୍ୟ ବା ଦାନା ଦେଲେ ହିଁ କ୍ଷୀର ଉତ୍ପାଦାନରେ ବୃଦ୍ଧି ଘଟିଥାଏ । ଏହା କିନ୍ତୁ ସବୁବେଳେ ଠିକ ନୁହେଁ । ବର୍ତ୍ତମାନ ସମୟରେ ସୁଷମ ଖାଦ୍ୟର ଦର ଯାହା ହେଲାଣି, ତାକୁ କିଣି ଦୁଗ୍ଧ ଉତ୍ପାଦାନ କରି ବ୍ୟବସାୟ କରିବାର ମନୋବୃତ୍ତି ରଖିଲେ ଖୁବ ଅଳ୍ପ ଆୟ ହେବାର ସମ୍ଭାବନା ରହିଛି । ଦୁଗ୍ଧ ଉତ୍ପାଦନ ଦ୍ଵାରା ଆୟ ବୃଦ୍ଧିକୁ ସହଜ ଭାବରେ ନିଜ ବାଡିରେ ଘାସ ଚାଷ କରି ହାସଲ କରାଯାଇପାରିବ । ଦୁଧିଆଳୀ ଗାଈକୁ କେବଳ ଦାନା ଦେଇ ପାଳନ କରିବା ଲାଭଦାୟକ ନୁହେଁ । ଦେଖାଯାଏ ଯେ, ଗାଁ ଗହଳିରେ କେବଳ ଦାନା ଓ ଶୁଖିଲା ନଡା ଖୁଆଇ ଆବଶ୍ୟକୀୟ ପରିମାଣର କ୍ଷୀର ଉତ୍ପାଦନ କରିବା ପାଇଁ ଚାଷୀମାନେ ଯୋଜନା ରଖିଥାନ୍ତି ଫଳରେ ଗାଈ ପାଇଁ ଦରକାର ହେଉଥିବା ଦାନାର ପରିମାଣ ବଢିଯିବା ଫଳରେ ଲିଟର ପିଛା କ୍ଷୀର ଉତ୍ପାଦାନର ମୂଲ୍ୟ ବଢିଯାଏ । ଏଥିସହ ସବୁଜ ଘାସରେ ଉପଲବ୍ଧ ଖାଦ୍ୟପ୍ରାଣ ତଥା ଅନ୍ୟାନ୍ୟ ପଦାର୍ଥର ଅଭାବ ଦେଖାଯାଉଥିବାରୁ ଗାଈ ଠିକ ସମୟରେ ଗରମକୁ ଆସେ ନାହିଁ ଏବଂ ନାନା ପ୍ରକାର ରୋଗର ଶିକାର ହୋଇଥାଏ । ମୋଟା ମୋଟି ଭାବରେ ଚାଷୀଟି ଲାଭବାନ ହୋଇପାରେ ନାହିଁ । ଏହି ଭଳି ପରିସ୍ଥିତିରେ ଘାସର ଆବଶ୍ୟକତା ବେଶୀ ରହିଥାଏ । ଏହି ଘାସକୁ ଗାଈର ଖାଦ୍ୟ ଭାବରେ ବ୍ୟବହାର କଲେ ସହଜରେ ଲିଟର ପିଛା କ୍ଷୀର ଉତ୍ପାଦନ ମୂଲ୍ୟକୁ ହ୍ରାସ କରାଯାଇପାରିବ ।

ଦାନାର ସବୁବେଳେ ଗୁଣାତ୍ମକ ମାନ ଓ ମୂଲ୍ୟ ଦୃଷ୍ଟିରୁ ନିର୍ଭରଯୋଗ୍ୟ ନୁହେଁ । ଘାସ ଏକ ନିର୍ଭରଯୋଗ୍ୟ ବ୍ୟବସ୍ଥା କାରଣ ଏହା ଚାଷୀଟି ନିଜେ ଚାଷ କରିପାରିବ କିମ୍ବା ଏହାକୁ ସଂଗ୍ରହ କରିପାରିବ । ପ୍ରତି ୪କିଗ୍ରା ସବୁଜ ଘାସ ଦେଇ ଏକ କିଗ୍ରା ନଡା କମାଇ ଦେଇହେବ । ପ୍ରତି ୧୦-୧୨ କିଗ୍ରା ସବୁଜ ଘାସ ଦେଇ ଏକ କିଗ୍ରା ଦାନା କମାଇ ଦିଆଯାଇପାରିବ । ୫ରୁ ୬ ଲିଟର ଦୁଗ୍ଧ ଦେଉଥିବା ଗାଈକୁ ଦାନା ନଦେଇ କେବଳ ସବୁଜ ଗୋଖାଦ୍ୟ ଦେଇ ପରିପାଳନ କରାଯାଇପାରିବ । ବର୍ତ୍ତମାନର ଅବସ୍ଥାରେ ଚାଷୀଙ୍କ ପାଖରେ ଉପଲବ୍ଧ ଖାଦ୍ୟପଦାର୍ଥକୁ ବିଚାର କଲେ, ଜଣେ ଚାଷୀ ନିଜେ ଘାସ ଚାଷ କରି ଦୁଧିଆଳୀ ଶଙ୍କର ଗାଈ ପାଳନ କରିପାରିବେ ଏବଂ ଲାଭବାନ ହୋଇପାରିବେ l ଦୁଗ୍ଧ ଉତ୍ପାଦନ ମାଧ୍ୟମରେ ଲାଭାନ୍ଵିତ ହେବାକୁ ହେଲେ ସବୁଜ ଘାସ ଚାଷର ଆବଶ୍ୟକତା ରହିଥାଏ । ଦୁଧିଆଳୀ ଗାଈ ରଖି ଆବଶ୍ୟକୀୟ ପରିମାଣର ଲାଭ ଆଶା କରୁଥିଲେ ଚାଷୀମାନେ ଘାସ ଚାଷ ସମ୍ବନ୍ଧୀୟ ନିମ୍ନଲିଖିତ କେତୋଟି ବିଷୟ ବସ୍ତୁ ପ୍ରତି ଧ୍ୟାନ ଦେବାକୁ ପଡିବ ।

ଦୈନିକ ୩୦ କିଗ୍ରା ସନ୍ତୁଳିତ ସବୁଜ ଗୋଖାଦ୍ୟ ଦେଇ ୫-୬ ଲିଟର କ୍ଷୀର ଦେଉଥିବା ଗୋଟିଏ ଶଙ୍କର ଗାଈକୁ ପାଳନ କରାଯାଇପାରିବ । ସନ୍ତୁଳିତ ସବୁଜ ଆହାର ପ୍ରସ୍ତୁତ କରିବା ପାଇଁ ମୋଟ ସବୁଜ ଗୋଖାଦ୍ୟର ତିନି ଭାଗରୁ ଦୁଇ ଭାଗ ଶସ୍ୟ ଜାତୀୟ (ମକା, ଶଙ୍କର ନେପିଅର, ଯବଧାନ) ଓ ଗୋଟିଏ ଭାଗ ଛୁଇଁ ଜାତୀୟ (ବରଗୁଡି, ଡଙ୍ଗରରାଣୀ ବା ବର୍ଷିମ) ଘାସକୁ ମିଶ୍ରଣ କରାଯାଇଥାଏ । କେତୋଟି ଗଛର ପତ୍ରକୁ ମଧ୍ୟ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ ଯଥା ସୁବାବୁଲ, ଗ୍ଲାରିସିଡିଆ, ହେଜ, ଲୁସର୍ଣ୍ଣ ଇତ୍ୟାଦି । ଏହା ଗୋରୁର ଦୈନିକ ଗୋଖାଦ୍ୟର ଆବଶ୍ୟକତାର ଏକତୃତୀୟାଂଶରୁ ଅଧିକ ହେବା ଉଚିତ ନୁହେଁ । ୫-୬ ଲିଟର ଦୁଗ୍ଧ ଉତ୍ପାଦନକ୍ଷମ ଦୁଇଗୋଟି ଗାଈ ପାଇଁ ୧୬ ଡେସିମିଲ ଜଳସେଚିତ ଜମି ଯଥେଷ୍ଟ ଅଟେ । ଅଧିକାଂଶ ଗୋଖାଦ୍ୟ ଉପଯୋଗୀ ଫସଲ ଯଥା ସଙ୍କର ନେପିଅର , ମକା, ବାଜରା, ବରଗୁଡି, ଡଙ୍ଗରରାଣୀ ଇତ୍ୟାଦି ଫସଲ ଉଚ୍ଚା ନିଗିଡା ଜମିରେ ହୋଇଥାଏ । ଖାଲୁଆ ଜମିରେ କେବଳ ପାରା ଘାସ ଚାଷ କରାଯାଇପାରିବ । ଶୀତ ଦିନିଆ ଗୋଖାଦ୍ୟ ଫସଲ ଭାବେ ବର୍ଷିମ ଓ ଯବଧାନ ଚାଷ କରାଯାଇପାରିବ ।

ଜମିରେ ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରକାର ଚାଷର ଫସଲ ଅବଶିଷ୍ଟାଂଶକୁ ଚାଷୀମାନେ ଗୋରୁଗାଈଙ୍କ ଖାଦ୍ୟ ରୂପେ ବ୍ୟବହାର କରି ଆସୁଛନ୍ତି । ଏଇ ଫସଲ ଅବଶିଷ୍ଟାଂଶକୁ ଘାସକଟା ଯନ୍ତ୍ର ଦ୍ଵାରା ଏକ ଇଞ୍ଚରୁ ଦୁଇ ଇଞ୍ଚ ଲେଖାଏଁ ଖଣ୍ଡ ଖଣ୍ଡ କରିବା ସହ ତାକୁ ପାଣିରେ ବତୁରାଇ ଗାଈକୁ ଖୁଆଇଲେ ପାଚନ ପ୍ରକ୍ରିୟାରେ ସହଜ ହୋଇଥାଏ । ଏହାକୁ ବିଭିନ୍ନ ପ୍ରକାର ଉପଚାର କରି ୟୁରିୟା ସହ ରାବଗୁଡ ଓ ପିଡିଆ ମିଶ୍ରଣର ଉପଚାର ଦ୍ଵାରା ଖାଦ୍ୟଗୁଣ ବୃଦ୍ଧି କରାଯାଇଥାଏ । ଖାଦ୍ୟଗୁଣକୁ ବଜାୟ ରଖିବା ପାଇଁ ଗୋଖାଦ୍ୟ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାକୁ ପଡିଥାଏ ।ସାଧାରଣତଃ ଏଇ ଫସଲ ଅମଳର ଉପଯୁକ୍ତ ସମୟ ହେଲା ବୋଲି ସେତେବେଳେ ବିଚାର କରାଯାଏ ଯେତେବେଳେ ଫସଲରେ ତନ୍ତୁର ପରିମାଣ ବୃଦ୍ଧି ଘଟିନଥାଏ, ସୁପଚ୍ୟ ଖାଦ୍ୟସାର ସର୍ବାଧିକ ଥାଏ ଏବଂ ଖାଦ୍ୟର ଅପଗୁଣର ହ୍ରାସ ପାଇଥାଏ । ଏହି ସମୟ ଶସ୍ୟ ଜାତୀୟ ଗୋଖାଦ୍ୟ ଫସଲର ଫୁଲ ଫୁଟିବା ସମୟ ଏବଂ ଛୁଇଁ ଜାତୀୟ ଫସଲରେ କଷି ଧରିବା ସମୟକୁ ବୁଝାଏ । ସାଧାରଣତଃ ବର୍ଷା ଋତୁରେ ଗୋଖାଦ୍ୟ ଫସଲର ଅମଳ ଅଧିକ ହୋଇଥାଏ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ଏହା ସଠିକ ସମୟରେ ସମ୍ପୁର୍ଣ୍ଣ ରୂପେ ବ୍ୟବହାର ନହୋଇ କିଛି ବଳକା ରହିଯାଏ । ଏହି ବଳକା ଖାଦ୍ୟକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରି ତା’ର ଖାଦ୍ୟଗୁଣ ବଜାୟ ରଖି ଗୋଖାଦ୍ୟର ଅଭାବ ସମୟରେ ସହଜରେ ବ୍ୟବହାର କରାଯାଇପାରିବ । ବଳକା ଗୋଖାଦ୍ୟକୁ ସାଇଲେଜ କରି ରଖିହେବ। ସରୁ କେଣ୍ଡା ଯୁକ୍ତ ଶସ୍ୟ ଜାତୀୟ ଫସଲ ଯଥା ଯବଧାନ ଓ ଅନ୍ୟାନ୍ୟ ଘାସକୁ “ଶୁଖା ଘାସ” ଭାବେ ସାଇତା ଯାଇପାରିବ ।

ଅନ୍ୟାନ୍ୟ ଶସ୍ୟ ଭଳି ଘାସ ଚାଷ ମଧ୍ୟ ଏକ ଅର୍ଥ ଉପାର୍ଜନକାରୀ ଫସଲ ଅଟେ । ଆମ ଦେଶର ଅନେକ ସ୍ଥାନରେ ଲୋକେ ଘାସ ଚାଷକୁ ଅର୍ଥ ଉପାର୍ଜନକାରୀ ଚାଷ ଭାବରେ ବିଚାର କରୁଛନ୍ତି । ଦେଖାଯାଏ ଯେ ଭୂମିହୀନ ଚାଷୀମାନେ ଗୋପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏଇ ଭୂମିହୀନ ଚାଷୀମାନେ ଗୋପାଳନକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥାନ୍ତି ତେଣୁ ଏଇ ଚାଷୀମାନଙ୍କୁ ଘାସ ବିକ୍ରି କରି ଅର୍ଥ ଉପାର୍ଜନ କରାଯାଇପାରିବ । ଏଥି ସହ ନିଜ ଗାଈକୁ ମଧ୍ୟ ସବୁଜ ଗୋଖାଦ୍ୟ ଖୁଆଇ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଜର ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଇ ପାରିବ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ