
potato peels and their amazing uses
ଆଳୁ ଏକ ଏମିତି ପରିବା ଯାହା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ । ହେଲେ ଆଳୁ ଚୋପାରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ । ଯେକୌଣସି ବ୍ୟଞ୍ଜନରେ ଆଳୁର ବ୍ୟବହାର କରିବା ପୂର୍ବରୁ ଆମେ ସର୍ବପ୍ରଥମେ ଏହାର ଚୋପାକୁ ଛଡାଇ ଥାଉ କିନ୍ତୁ ଜାଣନ୍ତି କି ଆଳୁ ଚୋପାର କେତେ ମହତ୍ୱ । ଏହାର ସବୁ ଉପକାରୀ ଗୁଣ ଅଧିକାଂଶ ଏହାର ଚୋପାରେ ରହିଥାଏ ବୋଲି କହିଲେ ଭୁଲ ହେବ ନାହିଁ । ଆଳୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍ – ବି ମଧ୍ୟ ରହିଛି । ଏହା ଶରୀରକୁ ମଜବୁତ୍ କରିବା ସହ ଶକ୍ତି ଯୋଗାଇଥାଏ । ଏଥିରେ ଥିବା ଫାଇବର୍ ଶରୀରର ହଜମ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।
ଚର୍ମର ଉତ୍ତମ ଉପଚାର ପାଇବା ପାଇଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାରର ସାମଗ୍ରୀ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ବି ସାବ୍ୟସ୍ତ ହେବାର ଆଶଙ୍କା ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖି କିଭଳି ପ୍ରାକୃତିକ ଉପାୟରେ ଘରୋଇ ଉପଚାରରେ ଆଳୁର ଚୋପାକୁ ବ୍ୟବହାର କରି ଚର୍ମର ଉତ୍ତମ ଉପଚାର କରିପାରିବେ ।
ଚର୍ମର ଉତ୍ତମ ଉପଚାର ଲାଗି ଏହାର ବ୍ୟବହାର କରନ୍ତୁ । ବ୍ରଣ ଅଧିକ ହେଉଥିଲେ ବା ଆଖି ତଳ ଅଧିକ କଳା ଦାଗ ଥିଲେ କିମ୍ବା ଅଧିକ ତେଲିଆ ତ୍ୱଚା ହେଲେ ଅଳ୍ପ ଆଳୁ ଚୋପା କୁ ବାଟି ,ତାର ରସ କୁ ସେହି ସ୍ଥାନରେ ଲଗାଇ ୧୫ ରୁ ୨୦ ମୀନ ରଖନ୍ତୁ । ପରେ ଏହାକୁ ଗରମ ପାଣିରେ ଧୋଇ ଦିଅନ୍ତୁ । ଆଳୁ ଚୋପାରେ ଅତ୍ୟଧିକ ମାତ୍ରାରେ ପୋଟାସିଅମ ରହିଥାଏ । ଏଥିରେ ଲୌହର ମାତ୍ରା ମଧ୍ୟ ବେଶ ଅଧିକ ରହିଥାଏ । ଏଥିରେ ଭିଟାମିନ ବି୩ର ମାତ୍ରା ଅଧିକ ଥିବାରୁ ଏହା ଶରୀରରେ ହୋଇଥିବା କ୍ଷତ ପୁରଣରେ ମଧ୍ୟ ବେଶ ଅଧିକ ସାହାଯ୍ୟ କରିଥାଏ ।
ଆଳୁ ଚୋପା ଶରୀରରେ କୋଲେଷ୍ଟ୍ରଲ୍ର ସ୍ତର କମାଇଥାଏ । ଆମେରିକା ହାର୍ଟ ଆସୋସିଏସନ୍ର କହିବା ଅନୁସାରେ, ଅଧିକ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ୍ ହୋଇଥାଏ । ଆଳୁ ଅପେକ୍ଷା ଏହାର ଚୋପାରେ ଅଧିକ ଫାଇବର୍ ରହିଛି । ତେଣୁ ଆଳୁକୁ ସିଝାଇ କିମ୍ୱା ପୋଡ଼ି ଖାଇବା ଉଚିତ । ଏହାଦ୍ବାରା ଚୋପାକୁ ମଧ୍ୟ ଖାଇ ହୁଏ । ଗୋଟିଏ ମଧ୍ୟମ ଧରଣର ଆଳୁରେ ୫ ଗ୍ରାମ୍ ଫାଇବର୍ ରହିଥାଏ, ହେଲେ ଏହାର ଚୋପାରେ ଏହାଠାରୁ ଅଧିକ ଫାଇବର୍ ରହିଥାଏ ।
ଏଥିରେ ବିଶେଷ ଭାବେ ଫାଇବର ଅଧିକ ଥାଏ ଯାହା ଆପଣଙ୍କୁ ହୃଦ ରୋଗ ,ଟାଇପ ୨ ମଧୁମେହ ଏବଂ ବିଶେଷ ଭାବେ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ।
ଆଳୁ ଚୋପାରେ ଶରୀରର ହାଡ ଲାଗି ବେଶ ଆବଶ୍ୟକ ମିନେରାଲ ରହିଥାଏ । ଏହାକୁ ଖାଇବା ଦ୍ୱାରା ବୟସ୍କ ମହିଳା ମାନଙ୍କର ହାଡ ଗଣ୍ଠି ଜନିତ ରୋଗ ଯଥା ଓସ୍ଟିଓପୋରଶିଶର ସମସ୍ୟା କମ ଦେଖାଯାଇଥାଏ ।
ଏହା ବ୍ୟତୀତ ଆଳୁ ଚୋପାରେ ରୂପ ବାସନ ମାଜିଲେ ସେଥିରୁ ସମସ୍ତ ଦାଗ ସଫା ହୋଇଯାଏ ଏବଂ ଏହାର ଚମକ ଦୀର୍ଘ ଦିନ ଯାଏ ରହିଥାଏ ।
Share your comments