1. କୃଷି ବିଶ୍ବକୋଷ

ଚନ୍ଦନର ସୁଗନ୍ଧ: ଚନ୍ଦନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !!

ଆମର ସଂସ୍କୃତି, ପରମ୍ପରା, ଏବଂ ଚଳଣୀ ସହିତ ଚନ୍ଦନ ବହୁତ ନିବିଡ଼ ଭାବରେ ଜଡ଼ିତ ଅଟେ l ଆମର ବ୍ୟକ୍ତି ଗତ ବ୍ୟବହାର ନିମନ୍ତେ ହେଉ ବା ଦେବା ଦେବୀ ପୂଜାରେ ହେଉ ଆମେ ସମସ୍ତେ ଚନ୍ଦନକୁ ବ୍ୟବହାର କରିଆସୁଛେ l ଦିନକୁ ଦିନ ବିଜ୍ଞାନର ବିକାଶ ଘଟି ଚନ୍ଦନରୁ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ, ତୈଳ, ଅତର ଇତ୍ୟାଦି ପ୍ରସ୍ତୁତ କରାଯାଉଛି l

Sugyan Kumar Nayak
Sugyan Kumar Nayak

ଆମର ସଂସ୍କୃତି, ପରମ୍ପରା, ଏବଂ ଚଳଣୀ ସହିତ ଚନ୍ଦନ ବହୁତ ନିବିଡ଼ ଭାବରେ ଜଡ଼ିତ ଅଟେ l ଆମର ବ୍ୟକ୍ତି ଗତ ବ୍ୟବହାର ନିମନ୍ତେ ହେଉ ବା ଦେବା ଦେବୀ ପୂଜାରେ ହେଉ ଆମେ ସମସ୍ତେ ଚନ୍ଦନକୁ ବ୍ୟବହାର କରିଆସୁଛେ l ଦିନକୁ ଦିନ ବିଜ୍ଞାନର ବିକାଶ ଘଟି ଚନ୍ଦନରୁ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ, ତୈଳ, ଅତର ଇତ୍ୟାଦି ପ୍ରସ୍ତୁତ କରାଯାଉଛି l ଯାହା ଫଳରେ ବଜାରରେ ଦିନକୁ ଦିନ ଚନ୍ଦନ କାଠର ଚାହିଦା ବଢୁଛି l ଏହାକୁ ବ୍ୟବସାୟିକ ଭିତିରେ ରୋପଣ କରିଲେ ନିଶ୍ଚିତ ଭଲ ପଇସା ରୋଜଗାର କରିହେବ l ଏହି ପରିପ୍ରେକ୍ଷୀରେ ଚନ୍ଦନର ଉପଯୋଗୀତା ଏବଂ ଏହାର ଚାଷ ସମ୍ପର୍କରେ ଆଜିର ଏହି ଉପସ୍ଥାପନା l

ରୋଗ ନିରାକରଣ ସହିତ ସୁଗନ୍ଧି ପ୍ରସାଧନ ପାଉଡର, ହସ୍ତଶିଳ୍ପ ଓ ଅନ୍ୟ କେତେକ ବ୍ୟବସାୟିକ କ୍ଷେତ୍ରରେ ଚନ୍ଦନ କାଠର ଚାହିଦା ଅନେକ । ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ସହିତ ଏଥିରୁ ସୌଖୀନ ପଦାର୍ଥ ମଧ୍ୟ ନିର୍ମିତ ହୋଇଥାଏ  । ହିନ୍ଦୁ ଧର୍ମରେ ଏହାର ବ୍ୟବହାର ସୁଦୂରପ୍ରସାରୀ । ସମଗ୍ର ମାନବ ଜାତିକୁ ଚନ୍ଦନ ବୃକ୍ଷ ପ୍ରକୃତିର ଅମୂଲ୍ୟତମ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦେବଯୋଗ୍ୟ ବୃକ୍ଷଟି ନିଜର ଅଦ୍ଵିତୀୟ ସୁଗନ୍ଧ ଓ ଆଧ୍ୟାତ୍ମିକ ମହତ୍ତ୍ଵ ଦୃଷ୍ଟିରୁ ଯେପରି ଭାରତୀୟ ଜନଜୀବନରେ ଯଥେଷ୍ଟ ଗୁରୁତ୍ଵ ଲାଭ କରିଛି ସେହି ପରି ଭାବରେ ଔଷଧୀୟ ଉପଯୋଗିତା ଦୃଷ୍ଟିରୁ ଏହା ବେଶ ଗୁରୁତ୍ଵପୂର୍ଣ୍ଣ  ଅଟେ  । ଚନ୍ଦନ ବୃକ୍ଷ ଭାରତର ସର୍ବାଧିକ ୨୦ଟି ଗୁରୁତ୍ଵପୂର୍ଣ୍ଣ ବ୍ୟବସାୟିକ ଔଷଧୀୟ ଗଛ ମଧ୍ୟରେ ସ୍ଥାନ ପାଇଛି  । ମୂଲ୍ୟ ଓ ଉପଯୋଗୀତା ଦୃଷ୍ଟିରୁ ଏହା ଅନ୍ୟାନ୍ୟ ଔଷଧୀୟ ଗଛ ତୁଳନାରେ ଯଥେଷ୍ଟ ଉଚ୍ଚରେ ରହିଆସିଛି । ସୁତରାଂ ବ୍ୟବସାୟିକ ଭିତ୍ତିରେ ଏହାର ଚାଷ କରିବା ଅତ୍ୟନ୍ତ ଲାଭଦାୟକ ଅଟେ  ।

ଚନ୍ଦନ ଗଛର ଶାଖାଗୁଡିକ ନମନୀୟ ଓ ଦୋଳାୟମାନ ଅଟେ  । ଏହାର ବକ୍କଳ ଗାଢ ଧୂସର ରଙ୍ଗ ଓ ସାମାନ୍ୟ ଆବଡା ଖାବଡା । ଏହାର ମଞ୍ଜିଗୁଡିକ କଠିନ ଚିକ୍କଣ ଓ ଧଳା ରଙ୍ଗବିଶିଷ୍ଟ  । ଏହାର ମଞ୍ଜ କାଠ ଈଷତ ହଳଦୀ ରଙ୍ଗ ଓ ସୁଗନ୍ଧମୟ । ସାତ ବର୍ଷ ଆୟୁ ପରେ ଏଥିରେ ମଞ୍ଜି କାଠ (ଚନ୍ଦନର ସର୍ବାଧିକ ଉପଯୋଗୀ ଅଂଶ) ମିଳିଥାଏ ଏବଂ ୧୫ ବର୍ଷର ଗଛର ମଞ୍ଜ କାଠରୁ ତେଲ ନିଷ୍କାସନ କରାଯାଇଥାଏ । ଗଛର ଆୟୁ ବୃଦ୍ଧି ସହିତ ତେଲର ମାତ୍ରା ବଢିଥାଏ । ଚନ୍ଦନ ଗଛର ଚେରରୁ ଅଧିକ ମାତ୍ରାରେ ତେଲ ମିଳିଥାଏ  । ଏହା ଭାରତର ମୁଖ୍ୟତଃ କର୍ଣ୍ଣାଟକ , ତାମିଲନାଡୁ ଓ କେରଳ ରାଜ୍ୟରେ ସମୁଦ୍ରପତ୍ତନଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଦେଖିବାକୁ ମିଳେ  । ଚନ୍ଦନକାଠରୁ ମିଳୁଥିବା ଉଦବାୟୀ ଚନ୍ଦନ ତେଲ ଅତ୍ୟଧିକ ଉପକାରୀ । ଏହି ତେଲ ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣଯୁକ୍ତ ଅଟେ  । ଔଷଧୀୟ ଗୁଣ ଓ ପ୍ରୟୋଗ : ଏହାର କାଠ , ବକ୍କଳ ଓ ତେଲକୁ  ବ୍ୟବହାର କରାଯାଏ । ଏହାର କାଠ ତିକ୍ତ ଓ ସୁଗନ୍ଧଯୁକ୍ତ  ।  ଏହା ମୁତ୍ରବର୍ଦ୍ଧକ , ବିରେଚକ , ହୃଦରୋଗ ପାଇଁ ଲାଭଦାୟକ , ପୋଡାଜଳା ଆଦି ଅନୁଭବ , ମସ୍ତିସ୍କ ପ୍ରଦାହ, ଚର୍ମରୋଗ , କୁଷ୍ଠ  , ମାନସିକ ସମସ୍ୟା , ଜଣ୍ଡିସ , କଫ ଓ ଅନ୍ୟାନ୍ୟ ରୋଗ ପାଇଁ ବ୍ୟବହାର କରାଯାଏ  । ଏହାର ଛେଲି ମ୍ୟାଲେରିଆ ପାଇଁ ଉପଯୋଗୀ  । ଏହାଛଡା ଅମ୍ଳଜନିତ ସମସ୍ୟା , ଚର୍ମରୋଗ,କାଛୁକୁଣ୍ଡିଆ ଇତ୍ୟାଦିରେ ଏହାର ବ୍ୟବହାର ଅତ୍ୟନ୍ତ ଉପଯୋଗୀ  । ଏହାର କାଠ ମଧ୍ୟ ଦେବ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

ଯେଉଁ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ ହାରାହାରି ୫୦୦ ମିଲିମିଟରରୁ ୨୦୦୦ ମିଲିମିଟର ଥାଏ ସେଠାରେ ଏହା ଭଲ ଭାବରେ ବଢିପାରେ । ଏହି ବୃକ୍ଷ ବିଭିନ୍ନ କିସମର ମୃତ୍ତିକାରେ ଏପରିକି ପଥୁରିଆ ନିଗିଡା ଅଞ୍ଚଳରେ ମଧ୍ୟ ବଢିପାରେ । ଏହା ସମୁଦ୍ରପତ୍ତନ ଠାରୁ ୬୦୦ ରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଞ୍ଚିପାରେ  । ଚନ୍ଦନ ମଞ୍ଜିଗୁଡ଼ିକ ମୁଖ୍ୟତଃ ଏପ୍ରିଲ ଓ ମେ ବା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂଗୃହିତ ହୁଏ  । ଦୁଇ ପ୍ରକାର ପଟାଳି ଚନ୍ଦନ ମଞ୍ଜି ପାଇଁ ବ୍ୟବହୃତ ହୁଏ   । ଗୋଟିଏ ଖାଲୁଆ ଓ ଅନ୍ୟଟି ଉଚ୍ଚା  । ବିଭିନ୍ନ ପ୍ରକାର ଜଳବାୟୁରେ ଏହା ଭଲ ବଢିପାରେ । ମଞ୍ଜିରୁ ଚାରା ଉତ୍ପନ୍ନ ହେଲାପରେ ଯେତେବେଳେ ଏହା ୪-୬ ପତ୍ର ଅବସ୍ଥାକୁ ଆସେ ସେତେବେଳେ ଏହାକୁ ପଲିଥିନ ବ୍ୟାଗରେ ରୋପଣ କରାଯାଏ । ଚେରଗୁଡିକ ଅକ୍ଷତ ରଖି ଗଜା ମଞ୍ଜିକୁ ପଟାଳିରୁ ବାହାର କରାଯାଏ। ଚେରଗୁଡିକୁ ଶୁଖିବାକୁ ଦିଆଯାଏ ନାହିଁ। ଅନ୍ତତଃ ଗୋଟିଏ ସପ୍ତାହ ପାଇଁ ଏହାକୁ ଛାଇରେ ରଖାଯାଏ । ୩୦ ସେମି ବିଶିଷ୍ଟ ରୋପଣଯୋଗ୍ୟ ଚାରା ପାଇବା ପାଇଁ ୬ ମାସରୁ ୮ ମାସ ସମୟ ଲାଗେ  । କେତେକ ନୂଆ ମଞ୍ଜି ସକ୍ରିୟ ହେବା ପାଇଁ ପ୍ରାୟ ଦୁଇମାସ ସମୟ ନେଇଥାନ୍ତି  । ମଞ୍ଜିଗୁଡିକର ଦୁଇ ବର୍ଷ ପର୍ଯ୍ୟନ୍ତ ଅଙ୍କୁରୋଦଗମ କ୍ଷମତା ଥାଏ  । ଏହାର ଡାଳଗୁଡ଼ିକୁ ନିୟମିତ ବ୍ୟବଧାନରେ ଛେଦନ କରାଯାଏ । ୫୦ ଘନ ସେମି ଖାତରେ ଓ ୩ରୁ ୫ ମିଟର ବ୍ୟବଧାନରେ ଏହାକୁ ଲଗାଯାଏ  । ୩୯ ପ୍ରତିଶତ ପ୍ରତିରୋପଣ ସଫଳ ହେବାର ଜଣାଯାଇଛି । ପ୍ରତିରୋପିତ ଚାରାଗୁଡିକ ସୂର୍ଯ୍ୟକିରଣ , ନିଆଁ ଓ ଚରୁଥିବା ପଶୁଠାରୁ ଦୂରରେ ରଖିବା ଦରକାର  । ମୁଖ୍ୟ କ୍ଷେତରେ ଗ୍ରୀଷ୍ମ ଋତୁରେ ୪x ୪ ମିଟର ଦୂରତାରେ ୪୫x ୪୫x ୪୫ ସେମି ଆକାରର ଗାତ ଖୋଳି ପ୍ରତି ଗାତରେ ୨୦ କିଗ୍ରା ହିସାବରେ ଗୋବର ବା କମ୍ପୋଷ୍ଟ ଖତ ଦିଆଯାଏ  । ଉଈ ନିରାକରଣ ପାଇଁ ୨୦ ଗ୍ରାମ କରି ଥିମେଟ ପ୍ରୟୋଗ କରିବାକୁ ପଡିଥାଏ । ଚାରା ଏକ ଫୁଟ ଉଚ୍ଚର ହେବାପରେ ବର୍ଷାଋତୁ ବେଳକୁ ଏହାକୁ ଗାତରେ ପୋତି ଦିଆଯାଏ  । ଏକ ଏକରରେ ୩୦୦ ଚାରା ରୋପଣ କରାଯାଇପାରିବ । ପ୍ରତି ୬ ମାସରେ ଥରେ ଗଛର ୧ ମିଟର ଆଖପାଖ ସ୍ଥାନକୁ ସଫା କରିବାକୁ ପଡିଥାଏ । ଗଛର ବୃଦ୍ଧିରେ ବାଧା ନ ଆସିବା ପାଇଁ ସହାୟକ ଗଛସବୁ ମଝିରେ ମଝିରେ କଟାଛଟା କରିବାକୁ ପଡେ । ଉତ୍ତମ ପ୍ରକାର ମଞ୍ଜକାଠ ପାଇବା ପାଇଁ ଏହାର ତଳ ଡାଳସବୁ କଟିକାବୁ ପଡିଥାଏ । ଏହା ସହିତ ପ୍ରତିବର୍ଷ ୧୦ କିଗ୍ରା ହିସାବରେ କମ୍ପୋଷ୍ଟ ଖତ ଦେବାକୁ ପଡିଥାଏ । ସଠିକ ଭାବରେ ଏହି ପ୍ରକ୍ରିୟା ଚାଲୁ ରହିଲେ ଗଛର ବ୍ୟାସ ବୃଦ୍ଧି ବର୍ଷକୁ ୫ ସେମି ହିସାବରେ ହୋଇପାରିବ  । ୪୦ ବର୍ଷ ଆୟୁବିଶିଷ୍ଟ ପ୍ରାୟ ୭୦-୮୦ କିଗ୍ରା ମଞ୍ଜକାଠ ମିଳିଥାଏ  । ଏକ ପୂର୍ଣ୍ଣ ବିକଶିତ ବୃକ୍ଷରୁ ହାରାହାରି ୨୫,୦୦୦/- ଟଙ୍କା ଆମଦାନୀ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments