1. କୃଷି ବିଶ୍ବକୋଷ

ଛୁଇଁଜାତୀୟପନିପରିବାକରନ୍ତୁ, ରୋଜଗାରବଢ଼ାନ୍ତୁ !!

ଆମେପ୍ରତିଦିନରରୋଷେଇପ୍ରସ୍ତୁତିରେବିଭିନ୍ନପ୍ରକାରରପରିବାବ୍ୟବହାରକରୁଛେ l ଏଗୁଡ଼ିକମଧ୍ୟରୁଗୁଆଁର, ଶିମ୍ବ, ଝୁଡ଼ଙ୍ଗଇତ୍ୟାଦିପରିବାଗୁଡ଼ିକୁଆମକୁବଜାରରୁକିଣିବାକୁପଡ଼ୁଛି l ଛୁଇଁଜାତୀୟପରିବାଗୁଡ଼ିକରବଜାରଚାହିଦାମଧ୍ୟବର୍ଷସାରାଭଲରହୁଛି l

Sugyan Kumar Nayak
Sugyan Kumar Nayak
Pea

Pea

ଆମେ ପ୍ରତିଦିନର ରୋଷେଇ ପ୍ରସ୍ତୁତିରେ ବିଭିନ୍ନ ପ୍ରକାରର ପରିବା ବ୍ୟବହାର କରୁଛେ l ଏଗୁଡ଼ିକ ମଧ୍ୟରୁ ଗୁଆଁର, ଶିମ୍ବ, ଝୁଡ଼ଙ୍ଗ ଇତ୍ୟାଦି ପରିବାଗୁଡ଼ିକୁ ଆମକୁ ବଜାରରୁ କିଣିବାକୁ ପଡ଼ୁଛି l ଛୁଇଁଜାତୀୟ ପରିବାଗୁଡ଼ିକର ବଜାର ଚାହିଦା ମଧ୍ୟ ବର୍ଷ ସାରା ଭଲ ରହୁଛି l ଏହି ସମସ୍ତ ଛୁଇଁଜାତୀୟ ପରିବାଗୁଡ଼ିକୁ ସଠିକ ଉପାୟରେ ଚାଷ କରି ଚାଷୀଭାଇମାନେ ମଧ୍ୟ ଭଲ ଦୁଇପଇସା ରୋଜଗାର କରିପାରିବେ l ଛୁଇଁଜାତୀୟ ପରିବାଗୁଡ଼ିକୁ ବ୍ୟବସାୟିକ ଭିତିରେ ଚାଷ କରାଯାଇ ପାରିବ ସେ ସମ୍ପର୍କରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା l ଛୁଇଁ ଜାତୀୟ ପନିପରିବା କହିଲେ ଆମେ ସାଧାରଣତଃ ମଟର, ଶିମ୍ବ, ଝୁଡଙ୍ଗ, ଗୁଆଁର ଓ ବରଗୁଡ଼ି ଇତ୍ୟାଦିକୁ ବୁଝିଥାଉ l ଏହି ସବୁ ଫସଲରେ ଅଧିକ ପରିମାଣରେ ପ୍ରୋଟିନ୍ ବା ପୁଷ୍ଟିସାର ଥିବାରୁ ସ୍ଵାସ୍ଥ୍ୟ ପକ୍ଷେ ଏହା ଖୁବ୍ ଉପଯୋଗୀ । ବିଶେଷ କରି ଯେଉଁମାନେ ମାଛ, ମାଂସ ଖାଆନ୍ତି ନାହିଁ ସେମାନଙ୍କ ପାଇଁ ଏହି ପ୍ରକାର ପନିପରିବାର ଆବଶ୍ୟକତା ଖୁବ୍ ବେଶି । ଏହା ଛଡ଼ା ଏହି ଜାତୀୟ ଗଛ ମୂଳରେ ଏକ ପ୍ରକାରର ଜୀବାଣୁ ରହି ବାୟୁ ମଣ୍ଡଳରୁ ଯବକ୍ଷାର ସଂଗ୍ରହ କରି ମାଟିରେ ମିଶାଉ ଥିବାରୁ ମାଟିର ଉର୍ବରତା ବୃଦ୍ଧି କରିବା ଦିଗରେ ସାହାଯ୍ୟ କରିଥାନ୍ତି । ବରଗୁଡ଼ି ଓ ଗୁଆଁର ଗୋ-ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ବର୍ଷାଦିନେ ଓ ଖରାଦିନେ ବରଗୁଡ଼ି, ଝୁଡଙ୍ଗ ଓ ଗୁଆଁର ଚାଷ କରାଯାଏ । କିନ୍ତୁ ମଟର ଓ ଫ୍ରେଞ୍ଚବିନ୍ ଇତ୍ୟାଦି କେବଳ ଶୀତଦିନେ ହୋଇଥାଏ।

ପରିବା ହିସାବରେ ମଟରର ଚାହିଦା ଖୁବ୍ ବେଶି, ଏଥିରେ ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର, ଭିଟାମିନ୍ ଏ, ସି ଓ କାଲସିୟମ, ଫସ୍‌ଫରସ୍, ଲୌହ ପ୍ରଭୃତି ଧାତବ ଲବଣ ଥାଏ । ଶୀତ ଋତୁରେ ମଟର ଚାଷ କରାଯାଏ । ଅକ୍ଟୋବର ମାସଠାରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ମଟର ଲଗାଯାଇ ପାରିବ । ଲଗାଇବା ପୂର୍ବରୁ ମଞ୍ଜି ସହିତ ରାଇଜୋବିୟମ୍ କଲଚର ଗୋଳାଇ ବୁଣିଲେ ଭଲ ଅମଳ ମିଳିଥାଏ । ଦୋରସା ମାଟିରେ ଭଲ ହୁଏ । ଏକର ପିଛା ୩୨ କିଲୋ ମଞ୍ଜି ଦରକାର ହୋଇଥାଏ । ଉନ୍ନତ କିସମ-ସାଧାରଣତଃ ସଅଳ, ମଧ୍ୟମ ଓ ବିଳମ୍ବ କିସମର ମଟର ମଞ୍ଜି ମିଳିଥାଏ । ମଟର ଆସାଇଜି, ଆରକେଲ୍, ଜବାହାର ମଟର ୩ ଏବଂ ୪, ମେଟିଓର୍ ପ୍ରଭୃତି ସଅଳ କିସମର । ଏଗୁଡ଼ିକ ୬୫ ରୁ ୮୦ ଦିନରେ ଅମଳ ହୋଇଥାନ୍ତି । ବୋନେଭିଲେ, ଅର୍କ ଅଜିତ, ଜବାହାର ମଟର-୧ ଏବଂ ୨, ପନ୍ଥ ଉପହାର, ଆଜାଦ ପି.ଇ.-୧ ଏବଂ ୪, ୟୁ.ଏନ୍. ୫୩(୬), ଭଟି-୧ ମମ ଏବଂ ବିଳମ୍ବ କିସମର । ଏଗୁଡ଼ିକ ୯୦ ରୁ ୧୦୦ ଦିନରେ ଅମଳ ହୋଇଥାନ୍ତି । ଲଗାଇବା ପ୍ରଣାଳୀ-ବିଲକୁ ଭଲ ଭାବରେ ଚାଷ କରି ଧାଡ଼ିରେ ମଟର ଲଗାଯାଏ । ଦୁଇଧାଡ଼ି ଭିତରେ ବ୍ୟବଧାନ ପ୍ରାୟ ୨ ଫୁଟ ଓ ଧାଡ଼ି ଭିତରେ ଗଛକୁ ଗଛ ବ୍ୟବଧାନ ୪ ଇଞ୍ଚ ରଖାଯାଏ ।ଖତ ଓ ସାର- ଏକ ଏକର ବିଲପାଇଁ ୨୦ ଗାଡ଼ି ଭଲ ଖତ ଦେଇ ହଳ କରି ମାଟିରେ ମିଶାଇ ଦିଅନ୍ତୁ । ଏହା ବ୍ୟତୀତ ୧୦୦ କେ.ଜି. କାଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍, ୧୫୦ କିଲୋ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୩୬ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଦିଅନ୍ତୁ । ଏହି ସାର ଗୁଡ଼ିକୁ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ମାଟି ଘୋଡ଼ାଇ ମଞ୍ଜି ଲଗାନ୍ତୁ । ଗଛ ଉଠିଲା ପରେ ବିଲର ପାଗ ଦେଖି ୮/୧୦ ଦିନ ବ୍ୟବଧାନରେ ହାଲକା ପାଣି ମଡ଼ାଇବା ଉଚିତ୍ । ବିଲରୁ ଘାସ ଇତ୍ୟାଦି ମଧ୍ୟ ବଛାବଛି କରିଦେବା ଆବଶ୍ୟକ । ଅନେକ ସ୍ଥାନରେ ଚାଷୀମାନେ ରଞ୍ଜା ଦେଇଥାନ୍ତି । ରଞ୍ଜା ଦେଲେ ଅମଳ ଭଲ ମିଳିଥାଏ । ସଅଳ କିସମ ମଟର ଚାଷ କଲେ ଏକର ପିଛା ୧୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ଆଜିକାଲି ଫ୍ରେଞ୍ଚବିନର  ଚାହିଦା ଦିନକୁ ଦିନ ବଢୁଅଛି । ଏହା ଏକ ପୁଷ୍ଟିକର ଓ ରୁଚିକର ପରିବା ରୂପେ ବ୍ୟବହାର କରାଯାଇଥାଏ । ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଫ୍ରେଞ୍ଚବିନର  ଚାଷ କରାଯାଇପାରେ । କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଶୀତଦିନେ ଏହା ଲଗାଯାଏ । ଚାଷ ପ୍ରଣାଳୀ-ଯେ କୌଣସି ନିଗିଡ଼ା ଜମିରେ ଫ୍ରେଞ୍ଚବିନ୍ ଚାଷ କରାଯାଇପାରିବ । ଅମ୍ଳ ମାଟିରେ ଏହା ଭଲ ହୋଇଥାଏ । ଜମିକୁ ଭଲ ଭାବେ ଚାଷ କରି ମାଟି ଗୁଣ୍ଠ କରନ୍ତୁ । ଚାଷବେଳେ ଏକର ପିଛା ପ୍ରାୟ ୧୦-୧୨ ଗାଡ଼ି ଖତ ଦିଅନ୍ତୁ । ଏହା ବ୍ୟତୀତ ସିଆରରେ ୧୦୦ କିଲୋ କାଲସିଅମ ଆମୋନିଅମ ନାଇଟ୍ରେଟ୍, ୧୫୦ କିଲେ। ସିଙ୍ଗିଲ ସୁପର ଫସ୍‌ଫେଟ୍ ଓ ୩୬ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ଦିଅନ୍ତୁ । ଧାଡିକୁ ଧାଡ଼ି ବ୍ୟବଧାନ ଦେଢ଼ଫୁଟ ଓ ଧାଡ଼ି ଭିତରେ ପ୍ରାୟ ୮ ଇଞ୍ଚ ବ୍ୟବଧାନ ରଖି ପୋତନ୍ତୁ । ଏକ ଏକରରୁ ପ୍ରାୟ ୨୫–୩୦ କିଲୋ ପର୍ଯ୍ୟନ୍ତ ମଞ୍ଜି ଦରକାର ହୋଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments