ନିମ୍ବଜାତ ଦ୍ରବ୍ୟର ବ୍ୟବହାର ବିଧି :-
ସଫଳ କୀଟ ନିୟନ୍ତ୍ରଣ ନିମନ୍ତେ ନିମ୍ବ ଗଛର ପତ୍ର, ଡାଳ, ବକଳ, ଚେର ଓ ବିଶେଷ କରି ମଞ୍ଜି ଇତ୍ୟାଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଦ୍ରବ୍ୟ ବ୍ୟବହାର କରାଯାଇଥାଏ ।
୧. ନିମ୍ବ ଶସ୍ୟ ଉଦ୍ଧୃତାଂଶ:-
ପୂର୍ବରୁ ବର୍ଣ୍ଣନା କରାଯାଇଅଛି ଯେ, ନିମ୍ବ ମଞ୍ଜିରେ ସବୁଠାରୁ ଅଧିକ ପରିମାଣରେ ଆଜାତିରାକଟିନ୍ ରହୁଥିବା ହେତୁ ଏହା କୀଟନିୟନ୍ତ୍ରଣ ନିମନ୍ତେ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ । ଗୋଟିଏ ପୂର୍ଣ୍ଣାଙ୍ଗ ୧୫-୨୦ବର୍ଷର ନିମ୍ବ ଗଛରୁ ପ୍ରାୟ ୫୦-୬୦ କି.ଗ୍ରା. ଫଳ ବା ୨୫-୩୦ କି.ଗ୍ରା. ମଞ୍ଜି ମିଳିଥାଏ । ୨୦-୩୦ କି.ଗ୍ରା. ମଞ୍ଜି ଏକ ହେକ୍ଟର ଜମିରେ କୀଟ ନିୟନ୍ତ୍ରଣ ପାଇଁ ଯଥେଷ୍ଟ । ଏକ ପାଚିଲା ଆମ୍ବ ସହିତ ତୁଳନା କଲେ, ଆମ୍ବ ଭଳି ନିମ୍ବର ଫଳର ଉପରେ ଚୋପା, ତା ପରେ ଶସା, ତାପରେ ଟାକୁଆ ଓ ତା ଭିତରେ ଚିନାବାଦାମ ମଞ୍ଜି ରଙ୍ଗର ଏକ କୋଇଲି ବା ଶସା ଥାଏ ।
ଗବେଷଣା ଲବ୍ଧ ଜ୍ଞାନରୁ ଜଣାଯାଏ ଯେ, ନିମଶସ୍ୟ ଉଦ୍ଦୃତାଂଶ କୀଟ ନିୟନ୍ତ୍ରଣ ନିମନ୍ତେ ସର୍ବୋତ୍କୃଷ୍ଟ । ଏହା ପ୍ରସ୍ତୁତ କରିବାକୁ ହେଲେ ଏକ ଲିଟର ପାଣିରେ ୫୦ ଗ୍ରାମ୍ ତଟକା ନିମଶସ୍ୟ ଛେଚାକୁ ୧୨-୨୪ ଘଣ୍ଟା ବୁଡ଼ାଇ ରଖି ତା ପରେ ଏକ ମଶାରୀ କନାରେ ଛାଣି ଖଦଡ଼ା ଅଂଶକୁ ଅଲଗା କରିବାକୁ ପଡ଼େ ଯାହାକି ଗଛର ସାର ହିସାବରେ ପ୍ରୟୋଗ କରାଯାଇପାରେ ଓ ପାଣି ଅଂଶକୁ ଆବଶ୍ୟକ ପରିମାଣର ପାଣି ମିଶାଇ ଏକ ଲିଟର କରିବାକୁ ହୁଏ । ଏହା ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶ ହିସାବରେ ପରିଗଣିତ । ଏଥିସହିତ ୧ ମି.ଲି. ଟିପାଲ୍ ବା ୧ ଗ୍ରାମ୍ ସର୍ଫ ଅଥବା ୫ ଲିଟରରେ ୪ ମି.ଲି. ହିସାବରେ ଆପ୍ସା ୮୦ ମିଶାଇ ଫସଲରେ ପ୍ରୟୋଗ କରିବାକୁ ପଡ଼େ । ପୋକମାନଙ୍କ କିସମ ଓ ପ୍ରାଦୁର୍ଭାବରେ ତୀବ୍ରତା ଉପରେ ନିର୍ଭର କରି ୦.୫ ରୁ ୫ ପ୍ରତିଶତ ଦ୍ରବଣରେ ସିଞ୍ଚନ କଲେ ଉପକାର ମିଳେ । ପତ୍ରଖିଆ ପୋକମାନଙ୍କ ପାଇଁ ସାଧାରଣତଃ ୨-୫ ପ୍ରତିଶତ ଦ୍ରବଣ ଆବଶ୍ୟକ ପଡ଼ିଥାଏ ।
୨. ନିମ୍ବ ତେଲ:-
ଏକ କି.ଗ୍ରା. ଶସ୍ୟରୁ ତେଲ ନିଷ୍କାସନ ପ୍ରଣାଳୀ ଉପରେ ନିର୍ଭର କରି ୨୫୦ ମି.ଲି. ରୁ ସର୍ବାଧିକ ୫୦୦ ମି.ଲି. ତେଲ ବାହାରିଥାଏ । ସାଧାରଣତଃ ୩୦ ମି.ଲି. ନିମତେଲ ସହ ୩ ଗ୍ରାମ୍ ସର୍ଫ ବା ୩ ମି.ଲି. ତରଳ ସାବୁନ୍କୁ ମିଶାଇବା ପରେ ସେଥିରେ ୧ଲି. ପାଣି ମିଶାଇ ୫ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଘାଣ୍ଟିବା ପରେ ଉକ୍ତ ୩ ଶତାଂଶ ଦ୍ରବଣକୁ ଫସଲରେ ପ୍ରୟୋଗ କରିବାକୁ ହୋଇଥାଏ ।
୩. ନିମ୍ବ ପିଡ଼ିଆ:-
ନିମ୍ବପିଡ଼ିଆକୁ ଏକର ପିଛା ୪୦-୫୦ କି.ଗ୍ରା. ହିସାବରେ ଜମିର ଶେଷ ଓଡ଼ ଚାଷ ସମୟରେ ମାଟିରେ ଭଲ କରି ମିଶାଇ ଫସଲ ଲଗାଇଲେ ମାଟିରେ ଥିବା ପୋକ ଓ ସୂତ୍ର ଜୀବଙ୍କ ଆକ୍ରମଣରୁ ଫସଲକୁ ରକ୍ଷା ମିଳିଥାଏ ।
୪. ନିମ୍ବପତ୍ର :-
ନିମ୍ବପତ୍ର ଗୁଣ୍ଡକୁ ସାଇତା ଶସ୍ୟରେ ମିଶାଇ ରଖିଲେ, ଉକ୍ତ ଶସ୍ୟ କୀଟ ଆକ୍ରମଣରୁ ରକ୍ଷା ପାଇଥାଏ । ସେହିପରି ଶୀତବସ୍ତ୍ର ସହ ନିମ୍ବପତ୍ରକୁ ରଖିଲେ ତାହା ନିରାପତ ରହିଥାଏ ।
୫. ନିମ୍ବଜାତ କୀଟନାଶକ ଦ୍ରବ୍ୟ:-
ବର୍ଷର ସବୁ ସମୟରେ ଅଥବା ସବୁ ସ୍ଥାନରେ ନିମ୍ବ ମଞ୍ଜି ପାଇବାର ଅସୁବିଧାକୁ ଦୂର କରିବାକୁ ବହୁ କମ୍ପାନୀ ଆଗେଇ ଆସି ନିମ୍ବ ଭିତ୍ତିକ କୀଟନାଶକ ଔଷଧ ପ୍ରସ୍ତୁତ କରି ଆସୁଛନ୍ତି । ବର୍ତ୍ତମାନ ନିମ୍ବରୁ ପ୍ରସ୍ତୁତ ନିମ୍ନଲିଖିତ କୀଟନାଶକ ବଜାରରେ ଉପଲବ୍ଧ । ନିମାର୍କ, ଗୋଦରେଜ୍, ଆଚୁକ୍, ନିମାକ୍ସ, ଇକୋନିମ୍, ମାର୍ଗୋସାଇଡ୍, ଓକେ. ନିମଇଲ୍, ବାୟୋସେଲ୍, ମାର୍ଗୋସେଲ୍ ନିମ୍ ଗାର୍ଡ, କେମିସାଲ୍ ଓ ଓଜୋନିମ୍ ଇତ୍ୟାଦି । ଏଗୁଡ଼ିକ ମଧ୍ୟରୁ ନିମାଇଲରେ ୧୫୦୦ ପିପିଏମ୍ ଓ ଓଜୋନିମ୍ରେ ୩୦୦୦-୫୦୦୦୦ ପିପିଏମ୍ ଆକାଡିରାକଟିନ୍ ଥିବାରୁ ଏଗୁଡ଼ିକ ଅପେକ୍ଷାକୃତ ଭଲ କାମ କରେ ।
କେଉଁ ପୋକ ପାଇଁ ବ୍ୟବହାର କରିପାରିବେ? :-
ନିମ୍ବର ବହୁମୁଖୀ ଗୁଣ ଯୋଗୁଁ ଏହା ବିଭିନ୍ନ ପ୍ରକାର ପୋକ ଓ ପୋକର ବିଭିନ୍ନ ଅବସ୍ଥାକୁ ଦମନ କରିବାରେ ସହାୟକ ହୋଇଥାଏ । ବିଶେଷ କରି ସୋରିଷ ଜାତୀୟ ଫସଲର ଠିକିରି ପିଠିଆ ପୋକ, କପା ଓ ବୁଟର ଫଳବିନ୍ଧା ପୋକ, ବାଇଗଣର ଫଳ ଓ ଅଗବିନ୍ଧା ପୋକ ଭଳି ଅତି ମାରାତ୍ମକ ପୋକ ଯାହାକି ରାସାୟନିକ କୀଟନାଶକ ଦ୍ୱାରା ଦମନ କରିବା କଷ୍ଟ । ସେଗୁନିକୁ ନିମ୍ବ ମଞ୍ଜି ଉଦ୍ଧୃତାଂଶ ବା ନିମ୍ବବିତ୍ତିକ କୀଟନାଶକ ପ୍ରୟୋଗ କରି ନିୟନ୍ତ୍ରଣ କରାଯାଇପାରେ ।
ଆମ ରାଜ୍ୟର ମୁଖ୍ୟ ଫସଲ ଧାନରେ ଲାଗୁଥିବା ମାଟିଆ ଗୁଣ୍ଡି ପୋକ, ପତ୍ରମୋଚା, କାହାଳିଆ, ପତ୍ରଡିଆଁ ଓ ଗନ୍ଧି ପୋକ ଇତ୍ୟାଦିଙ୍କୁ ଶତକଡ଼ା ୩ ଭାଗ ନିମତେଲ ବା ୫ ଶତାଂଶ ନିମ ଶସ୍ୟ ଉଦ୍ଧୃତାଂଶ ପ୍ରୟୋଗ କରି ନିୟନ୍ତ୍ରଣ କରାଯାଇପାରେ ।
ବିଭିନ୍ନ ପ୍ରକାର ଫସଲ ଯଥା କପା, ଭେଣ୍ଡି, ବାଇଗଣ ଇତ୍ୟାଦିରେ ଦେଖାଯାଉଥିବା ଧଳାମାଛି, ପତ୍ରଡିଆଁ, ଉକୁଣୀ ଇତ୍ୟାଦି ଶୋଷକ ପୋକମାନଙ୍କୁ ନିମତେଲ ଓ କରଞ୍ଜତେଲ (୫:୧) ଅନୁପାତରେ ମିଶାଇ ଶତକଡ଼ା ୩ ଶତାଂଶ ଦ୍ରବଣ ଫସଲରେ ସିଞ୍ଚନ କଲେ ଶୋଷକ ପୋକମାନଙ୍କୁ ଦମନ କରାଯାଇପାରେ । ସେହିପରି ବିଭିନ୍ନ ଫସଲ ଓ ପନିପରିବା ପତ୍ରଖିଆ ଓ ଫଳ ବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଏହା ବ୍ୟବହାର କରାଯାଇପାରେ ।
ଶତକଡ଼ା ୧ ଭାଗ ନିମ ପିଡ଼ିଆକୁ ଗୁଣ୍ଡ କରି ସାଇତା ଶସ୍ୟରେ ମିଶାଇ ରଖିଲେ ଗଉଡ଼ ଶଲଉ ଓ କୁଣ୍ଡା ପୋକର ଆକ୍ରମଣରୁ ରକ୍ଷା ମିଳେ । ସେହିପରି ୧-୨ ଭାଗ ନିମ୍ବ ମଞ୍ଜି ଗୁଣ୍ଡକୁ ଗହମ ଓ ମୁଗ ବିରି ଇତ୍ୟାଦି ଶସ୍ୟରେ ମିଶାଇ ରଖିଲେ ସାଇତା ଶସ୍ୟରେ ଲାଗୁଥିବା ଭୃଙ୍ଗ, ଘୃଣୀପୋକ, ଶସ୍ୟବିନ୍ଧା ପୋକ ଇତ୍ୟାଦିଙ୍କ ଦାଉରୁ ଶସ୍ୟକୁ ରକ୍ଷା କରାଯାଇପାରେ । ନିମ୍ବ ପ୍ରକୃତିର ଏକ ଅମୂଲ୍ୟ ଅବଦାନ । ଅନ୍ୟାନ୍ୟ ଉପଯୋଗିତା ସହିତ ସମନ୍ୱିତ୍ତ କୀଟ ନିୟନ୍ତ୍ରଣ ପ୍ରଣାଳୀରେ ଏହାର ସୁବିନିଯୋଗ ନିଶ୍ଚିତ ଭାବରେ ପରିବେଶର ସୁରକ୍ଷା ସହିତ ଫସଲକୁ କୀଟ ନିୟନ୍ତ୍ରଣରେ ସଫଳତା ଯୋଗାଇ ଦେବ, ଏହା ନିଃସନ୍ଦେହ ।
Share your comments