ଫଳ ଭିତରେ ଅଙ୍ଗୁର ( grapes farming ) ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ l ଅଙ୍ଗୁର ଦେଖିବାକୁ ଯେତେ ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସୁନ୍ଦର l ଅଧିକ ଲୋକଙ୍କ ଅଙ୍ଗୁର ଚାଷ କରିବାକୁ ଇଛା ଥିଲେ ମଧ୍ୟ ଚାଷ କରିବାକୁ ପଛାଉ ଛନ୍ତି l ଅଙ୍ଗୁର ହେଉଛି ଏକ ଲତା ଜାତୀୟ ଉଦ୍ଭିଦ । ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଉଥିବାବେଳେ ଓ ଶୁଖିଲା ଫଳକୁ କିସମିସ କୁହାଯାଏ । ଏଥିରେ ଅଧିକ ପରିମାଣର ଚିନି ଜାତୀୟ ଖାଦ୍ୟ ଏବଂ ଧାତବ ଲବଣ ରହିଥାଏ । ଅଙ୍ଗୁରର କେତେକ କିସମ ଅଛି ଯାହାର ମଞ୍ଜି ନାହିଁ ।
ତାକୁ ଶୁଖାଇ କିସମିସ ପ୍ରସ୍ତୁତ କରାଯାଏ । କେତେକ କିସମ ଅଛି ଯାହାର ଫଳରୁ ରସ ବାହାର କରି ଖିଆଯାଏ ଏବଂ ରସରୁ ମଧ୍ୟ ମଦ ମଧ୍ୟ ତିଆରି ହୁଏ । ଶୁଷ୍କ, ଅର୍ଦ୍ଧଶୁଷ୍କ ଜଳବାୟୁରେ ଖୁବ୍ ଭଲ ଚାଷ ହୁଏ ଅଙ୍ଗୁର । ବର୍ଷା ଋତୁ ନ ଥାଇ କେବଳ ଶିତ ଓ ଗ୍ରୀଷ୍ମ ଦୁଇ ମୁଖ୍ୟ ଋତୁ ଥିବା ଅଞ୍ଚଳରେ ଅଙ୍ଗୁର ଚାଷ ଖୁବ୍ ଭଲ ହୋଇଥାଏ । ଫଳ ଧାରଣ ଦିନଠାରୁ ଫଳ ପାଚିବା ପର୍ଯ୍ୟନ୍ତ ପାଗ ଶୁଖିଲା ଓ ନିର୍ମଳ ରହିଲେ ଫଳ ଉତ୍କୃଷ୍ଟ ଧରଣର ହୋଇଥାଏ । ଗଛରେ ଫୁଲ ଫଳ ଥିବା ସମୟରେ ବର୍ଷା ହେଲେ ପତ୍ର, ଫୁଲ ଓ ଫଳରେ ବିଭିନ୍ନ ରୋଗ ଦେଖାଯାଏ ଓ ଫଳ ପାକଳ ଅବସ୍ଥାରେ ବର୍ଷା ହେଲେ ଫଳ ଫାଟି ନଷ୍ଟ ହୋଇଯାଏ ।
ମୃତ୍ତିକା ଏବଂ ଜଳବାୟୁ ଚାଷ ପାଇଁ ନିହାତି ଆବଶ୍ୟକ ବିଷୟ l ଯେଉଁ ଜାଗାମାନଙ୍କରେ ବାର୍ଷିକ ବର୍ଷା ୭୫ସେମି ରୁ କମ ସେ ଅଞ୍ଚଳରେ ଅଙ୍ଗୁର ଚାଷ ଭଲ ହୁଏ । ନାଲି, କଳାଦୋରସା ମାଟିରେ ଅଙ୍ଗୁର ଚାଷ ଭଲହୁଏ, କିନ୍ତୁ ହାଲୁକା ଓ ସହଜରେ ଜଳ ନିଷ୍କାସିତ ହୋଇପାରୁଥିବା ଜମି ଅଙ୍ଗୁର ଚାଷ ପାଇଁ ସର୍ବୋତ୍କୃଷ୍ଟ । ରୁଗୁଡିଆ, ଅନୁର୍ବର ଓ ସ୍ୱଳ୍ପ ଗଭୀର ବିଶିଷ୍ଟ ମୃତ୍ତିକାରେ ମଧ୍ୟ ଅଙ୍ଗୁର ଚାଷ ଲାଭଜନକ ଭାବେ କରାଯାଇପାରେ । କଠିନ ଚିକିଟା ମାଟି ଯଦି ବିଶେଷ ଚୂନଯୁକ୍ତ ହୋଇଥାଏ ତେବେ ତାହା ଅଙ୍ଗୁର ଚାଷ ପାଇଁ ଅନୁପଯୁକ୍ତ । ମାଟିର ଅମ୍ଳତା ୬.୫ ରୁ ୭.୫ରେ ଏ ଚାଷ ଭଲ ହୁଏ ।
ଅଙ୍ଗୁରର ବଂଶବିସ୍ତାର ସାଧାରଣତଃ ଡାଳ କଲମୀ ଦ୍ଵାରା କରାଯାଏ । ଓଡିଶାର ଅଙ୍ଗୁର ଚାଷ ପାଇଁ ଦୁଇଥର ଡାଳ କଟାଜାଏ । ଠାରେ ଏପ୍ରିଲ ମାସରେ ଓ ଆଉଥରେ ଅକ୍ଟୋବର ମାସରେ । ଡାଳକଟା ସମୟରେ ପାକଳ ଡାଳରୁ ଚେରହେବା ସକାଶେ ଡାଳ ବଛାଯାଏ । ଡାଳକୁ ୩୦ ରୁ ୪୫ ସେମି ଲମ୍ବରେ କଟାଜାଇ ବେଡରେ ପୋତାଜାଏ । ମାଟିରେ ୧୦ସେମି ପର୍ଯ୍ୟନ୍ତ ପୋତାଜାଏ ଓ ମାଟି ଭିତରେ ୨ଟି ଗଣ୍ଠି ରହିବା ବାଞ୍ଛନୀୟ । ଡାଳ ପୋତିବା ପୂର୍ବରୁ ୩:୩.୫୦ ବୋର୍ଡମିକଶ୍ଚରରେ ବୁଡାଇ ପୋତିବା ଉଚିତ । ୩ମାସ ପରେ ଗଛ ଲଗାଇବାକୁ ପ୍ରସ୍ତୁତ ହୋଇଯାଏ ।
ଗଛକୁ ଗଛ ଓ ଧାଡିକୁ ଧାଡି କେତେ ଦୂରରେ ଲଗାଇବା କଥା ତାହା ମୃତ୍ତିକା, ଜଳବାୟୁ, କିସମର ଲଟେଇବାର କ୍ଷମତା, କାଟଛାଣ୍ଟ ଓ ତାଲିମୀର ପ୍ରଣାଳୀ ଉପରେ ନିର୍ଭର କରେ । ଟେଲିଫୋନେ ପ୍ରଣାଳୀରେ ୩ମିଟର ବ୍ୟବଧାନରେ ଲଗାଯାଏ । ନିଫିନ ସିଷ୍ଟମରେ ୩ମିଟର ବ୍ୟବଧାନରେ ଲଗାଯାଏ । ଅଙ୍ଗୁର ଗଛ ଜାନୁୟାରୀ ଫେବୃୟାରୀ ମାସରେ ଲଗାଯାଏ । ଗାତର ମାପ ଅତିକମରେ ୬୦ସେମି ରେ ୬୦ସେମି ହେବା ଉଚିତ୍ । ଭାଡିସିଷ୍ଟମରେ ଏକ ମିଟର ଗୋଲେଇ ଓ ଏକ ମିଟର ଗଭୀର ଗାତ କରାଯାଏ । ପ୍ରତି ଗାତରେ ଦୁଇ ଟୋକେଇ ଖତ ସହ ୨କେଜି ଜୈବିକସାର ଓ ୫୦ ଗ୍ରାମ କ୍ଲୋରପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଯାଏ । ଗଛ ବଢିଲା ପରେ ଅଧିକ ଖତ ଓ ସାର ଦିଆଯାଏ ।
ଅଙ୍ଗୁର ଗଛ ବହୁତ ଖତସାର ଦରକାର କରିଥାଏ । ଗୋଟିଏ ଗଛ ବର୍ଷକୁ ୧.୫ କେଜି ରୁ ୩କେଜି ଯବକ୍ଷାରଜାନ ସାର ୭୫୦ଗ୍ରାମ ରୁ ୧.୫ କେଜି ଫସଫରସ ସାର ଓ ୧କେଜି ରୁ ୨.୫ କେଜି ପଟାସ ସାର ଗଛର କିସମ ଓ ମଡାଇବା ପ୍ରଣାଳୀ ଦର୍କାର କରିଥାଏ । ଡାଳ କାଟିବା ପରେ ସାର ଦିଆଯାଏ । ଅଙ୍ଗୁର ଚାଷ ପାଇଁ ଜଳସେଚନ ଅପରିହାର୍ଜ୍ୟ । ପୃନିଂ ଓ ଖତସାର ଦେଇ ସାରିବା ପରେ ଦରକାର ଅନୁଯାୟୀ ଜଳସେଚନ ଦେବ । ଓଡିଶା ପାଇଁ ଖରା ଓ ଶୀତ ଦିନ ମାନଙ୍କରେ ୮/୧୦ ଦିନ ବ୍ୟବଧାନରେ ଜଳସେଚନ ଦର୍କାର କରିଥାଏ । ଫଳ ପାଚିବାର ୧୫ ଦିନରୁ ଏକ ମାସ ପୂର୍ବରୁ ଜଳସେଚନ କରାଯାଏନି । ଗଛ ଲଗାଇବାର ୨ବର୍ଷ ପରେ ଫଳ ମିଳେ କିନ୍ତୁ ୩ବର୍ଷ ଠାରୁ ପୂରାଦମରେ ଫଳ ମିଳେ । ଗଛରେ ଫଳ ପାଚିବା ପରେ ଅଙ୍ଗୁର ତୋଳାଯାଏ, କାରଣ ଅନ୍ୟ ଫଳ ପରି ଫଳ ତୋଳା ସରିଲା ପରେ ଅଙ୍ଗୁର ମିଠା ହୁଏନି । ହେକ୍ଟର ପିଛା ୨୦୦ ରୁ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅଙ୍ଗୁର ମିଳେ । ହେକ୍ଟର ପିଛା ଆୟ ପ୍ରାୟ ଟ ୫୦,୦୦୦ ରୁ ୮୦,୦୦୦ ମିଳେ ।
Share your comments