
How to manage rice cultivation properly during the Kharif season?, image source - pexels
ଆମ ରାଜ୍ୟ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ l ଧାନ ଚାଷ ଆମ ରାଜ୍ୟର ମୁଖ୍ୟ ଚାଷ l ୬୦ ଦିନିଆ ଧାନ କିସମ ରୁ ଆରମ୍ଭ କରି ୧୮୦ ଦିନିଆ ଅବଧି ର ଧାନ ଚାଷ କରାଯାଇଥାଏ l ସାଧାରଣତଃ ଖରିଫ ଋତୁରେ ବର୍ଷା ଜଳ ଦ୍ୱାରା ଆମ ରାଜ୍ୟର ଶତକଡ଼ା ୮୦ ରୁ ୯୦ ଭାଗ ଜମିରେ ଧାନ ଚାଷ କରାଯାଇଥାଏ l ଆମ ରାଜ୍ୟର ପାହାଡ଼ିଆ, ଉଚ୍ଚା ଓ ନଦୀ ପଠାରେ ଲଘୁ ଧାନ ଯଥା - ୬୦ ରୁ ୯୦ ଦିନିଆ ଧାନ ଚାଷ କରାଯାଇଥାଏ l
ମଧ୍ୟମ ଉଚ୍ଚା ଜମିରେ ୧୧୦ ରୁ ୧୨୦ ଦିନିଆ ଧାନ ଚାଷ କରାଯାଇଥାଏ l ମଧ୍ୟମ ଜମିରେ ୧୨୫ ରୁ ୧୩୫ ଦିନିଆ ଧାନ ଚାଷ କରାଯାଇଥାଏ ଏବଂ ମଧ୍ୟମ ଖାଲୁଆ ଜମିରେ ୧୪୦ ରୁ ୧୫୦ ଦିନରେ ଧାନ ଚାଷ ହେବା ସହିତ ଅତି ଖାଲୁଆ ଜମିରେ ୧୫୫ ରୁ ୧୮୦ ଦିନିଆ ଧାନ ଚାଷ କରାଯାଇଥାଏ l
ଆମ ରାଜ୍ୟ ସେହି ରାଜ୍ୟ ଯେଉଁଠାରେ ଛାତିଏ ପାଣିରେ ମଧ୍ୟ ଧାନ ଚାଷ କରାଯାଇଥାଏ ଓ ଧାନ ରୁଆ ଯାଇଥାଏ l ସାଧାରଣତଃ ଆମ ରାଜ୍ୟର ଚାଷୀ ଭାଇ ଭଉଣୀମାନେ ୨ ପ୍ରକାର ର ବ୍ୟବସ୍ଥାରେ ଧାନ ଚାଷ କରିଥାନ୍ତି l ଯଥା ଧାନର ବିହନକୁ ପାଗଥିବା ଜମିରେ ବୁଣି ଦେଇଥାନ୍ତି ଯାହାକୁ ଇଂରାଜୀରେ " Direct Showing " କୁହାଯାଇଥାଏ l
ଏହି ଧାନ ବିହନ ବୁଣା ମଧ୍ୟ ୨ ପ୍ରକାରର ଯଥା ୧) ବିଛାଡ଼ିକି ବୁଣିବା ୨) ପୁଞ୍ଜି ପକାଇ ବୁଣିବା l ବିଛାଡ଼ିକି ବୁଣିବା ଦ୍ୱାରା ଧାନ ବିହନ ଗୁଡିକ ଗୋଟି ଗୋଟି ହୋଇ ପାଖକୁ ପାଖ ପଡ଼ିଥାଏ l ମୌସୁମୀର ପ୍ରଥମ ବର୍ଷା ଜୁନ ମାସ ମଧ୍ୟ ଭାଗରେ ହେଉଥିବା ବର୍ଷା ଦ୍ୱାରା ଧାନ ବିହନ ଗୁଡିକ ଗଜା ହୋଇ ଯାଇଥାଏ l
ଧାନ ଗଛ ସହିତ ବାଳୁଙ୍ଗା ଓ ଅନ୍ୟ ଘାସ ମଧ୍ୟ ଉଠିଥାଏ l ଏଣୁ ଜୁଲାଇ ମାସରେ ୮ ଇଞ୍ଚ ରୁ ୧୦ ଇଞ୍ଚ ଉଚ୍ଚତା ହୋଇଥିବା ଧାନ ଗଛ ଗୁଡ଼ିକର ମୂଳରୁ ଘାସ ଗୁଡିକୁ ଉପାଡ଼ିଦେଇ ରାସାୟନିକ ସାର ଯଥା DAP ଓ MOP ଗୁଣ୍ଠ ପିଛା ୨ କେଜି ଓ ୧ କେଜି ପକାଇଲେ ଗଛ ଗୁଡ଼ିକର ମୂଳ ଦୃଢ଼ ହେବା ସହିତ ପିଲ ଆସିବା ଆରମ୍ଭ କରିଥାଏ l କିନ୍ତୁ, ଏହି ପଦ୍ଧତିରେ ଗୋଟିଏ ସମସ୍ୟା ଥାଏ ଯାହା ହେଲା ଧାନ ଗଛ ଓ ବାଳୁଙ୍ଗା ଗଛ ଗୁଡିକ ପ୍ରଥମରୁ ଜଣା ପଡ଼ିନଥାଏ l ଏହା ଫୁଲ ଆସିଲା ବେଳକୁ ଜଣାପଡେ ଯାହା ଫଳରେ ବେଳେ ବେଳେ ଗୋଟେ ଧାନ କିଆରୀରେ ପ୍ରଚୁର ପରିମାଣରେ ବାଳୁଙ୍ଗା ଦେଖାଯାଇଥାଏ l ଯାହା ଫଳରେ ଧାନର ଅଧିକ ଅମଳରେ ବାଧାପ୍ରାପ୍ତ ହୋଇଥାଏ l
କିନ୍ତୁ ଦ୍ଵିତୀୟ ପଦ୍ଧତି ଯଥା ପୁଞ୍ଜି ପକା ବ୍ୟବସ୍ଥା ୪ ରୁ ୫ ଟି ଧାନକୁ ଗୋଟିଏ ଜାଗାରେ ପକାଇବା ଏହା ଦ୍ୱାରା ବାଳୁଙ୍ଗାକୁ ଅତି ସହଜରେ ଚିହ୍ନଟ କରାଯାଇଥାଏ l ଯେଉଁ ସ୍ଥାନମାନଙ୍କରେ ଚାଷୀ ଭାଇ ପ୍ରତ୍ୟେକ୍ଷ ଭାବରେ ବିହନ କ୍ଷେତ୍ରରେ ବୁଣିଥାନ୍ତି ସେହି ଚାଷୀ ଭାଇମାନଙ୍କୁ ଅନୁରୋଧ ଧାନବୁଣା ମେସିନରେ ଧାନ ବୁଣିଲେ ଏହା ଦ୍ୱାରା ଧାଡି ଧାଡି ହୋଇ ଧାନ ଗଛ ଉଠିବ l ଯାହାଦ୍ୱାରା ଅତି ସହଜରେ ଘାସ ଓ ବାଳୁଙ୍ଗାକୁ ସହଜରେ ଚିହ୍ନଟ କରିବା ସହିତ ଦମନ କରିପାରିବେ l
ଦ୍ଵିତୀୟ ପ୍ରକାର ଚାଷ ହେଉଛି ଧାନ ରୁଆ ପଦ୍ଧତି l ଧାନ ଗଛର ଧର୍ମ ହେଉଛି ଏହାର ମୂଳ ଗୁଚ୍ଛ ଚେର ଯୁକ୍ତ ଏବଂ ଚେର ଗୁଡ଼ିକ ଗଭୀରକୁ ୨ ରୁ ୩ ଫୁଟ ଲମ୍ବ ପର୍ଯ୍ୟନ୍ତ ଯାଇଥାଏ l ପ୍ରତ୍ୟେକ ଗଛରେ ନିଜସ୍ୱ ପ୍ରଜନନ ବ୍ୟବସ୍ଥା ଥିବାରୁ ଗଛ ଗୁଡ଼ିକ ଗୋଟିଏ ଗୋଟିଏ ରହିଲେ ଅଧିକା ଖାଦ୍ୟ ଖାଇବା ସହିତ ପାଣି , ପବନ ଓ ସୂର୍ଯ୍ୟକିରଣ ଠିକ ଭାବରେ ପାଇଥାଏ l ଯାହା ଫଳରେ ଅଧିକ ଅମଳ ଦେଇଥାଏ l
ଆମ ରାଜ୍ୟର କୋରାପୁଟ , କଳାହାଣ୍ଡି , ରାୟଗଡ଼ା , ମାଲକାନଗିରି , ଗଜପତି , କନ୍ଧମାଳ , ବଲାଙ୍ଗୀର , ସୁନ୍ଦରଗଡ଼ , ମୟୁରଭଞ୍ଜ , କେନ୍ଦୁଝର ଜିଲ୍ଲାର ଚାଷୀଭାଇମାନେ ଗୋଟିଏ ଗୋଟିଏ ଧାନ ଗଛ ରୋଇଥା'ନ୍ତି l ଯାହାଫଳରେ ଏହି ଅଞ୍ଚଳର ଚାଷୀମାନେ ଅଧିକ ଧାନ ଶସ୍ୟ ଅମଳ କରିଥା'ନ୍ତି l ଧାନ ଗଛ ଗୁଡ଼ିକ ସିଧା ସିଧା ରୋଇଲେ ଗଛ ଗୁଡ଼ିକ କମ ଦିନରେ ଅଧିକ ପିଲଯୁକ୍ତ ହୋଇଥା'ନ୍ତି l
ବୁଣାଧାନ କିଆରୀରୁ ଘାସଗଛ ଓ ବାଳୁଙ୍ଗା ଗଛ ଗୁଡିକୁ ଉପାଡି ମାଟିରେ ବିଣ୍ଡା ଦେଇ ଦେବା ସହିତ ଧାନ କିଆରୀରେ ସୁଷମ ଖାଦ୍ୟସାରର ପ୍ରୟୋଗ କରାଯିବା ଆବଶ୍ୟକ ଏବଂ ଧାନ ଗଛକୁ ରୋଇବା ପୂର୍ବରୁ କିଆରୀରେ କାଦୁଅ କରିବା ପରେ ଖାଦ୍ୟ ସାର ପ୍ରୟୋଗ କରି ଗୋଟିଏ ଗୋଟିଏ ଧାନ ଗଛକୁ ଗଛର ବୟସ ଅନୁଯାୟୀ ଦୂରତାରେ ଲଗାଇବା ଉଚିତ ଯଥା :- ୧୫ ଦିନର ଗଛକୁ ୧୦ ଇଞ୍ଚ ଦୂରତାରେ , ୨୧ ଦିନର ଚାରାକୁ ୮ ଇଞ୍ଚ ଦୂରତାରେ ଓ ୨୫ ରୁ ୩୦ ଦିନର ଗଛକୁ ୬ ଇଞ୍ଚ ଦୂରତାରେ ଲଗାହେବା ଆବଶ୍ୟକ l
ଧାନ ତଳି କିଆରୀରେ ରୋଇବାର ୫ ରୁ ୭ ଦିନ ପୂର୍ବରୁ ରାସାୟନିକ ପଦ୍ଧତିରେ ହେଉ କିମ୍ବା ଜୈବିକ ପଦ୍ଧତିରେ ଗଛ ଗୁଡିକୁ ବିଶୋଧନ କରି ଧାନ କିଆରୀରେ ରୋଇଲେ ଗଛକୁ କମ ରୋଗ ଓ ପୋକ ଲାଗିଥାଏ l ରାସାୟନିକ ପଦ୍ଧତି ହେଉଛି - ଥିରାମ , ଫୁରାଡ଼ନ ଦ୍ୱାରା ବିଶୋଧନ l ଜୈବିକ ପଦ୍ଧତିରେ ନିମ୍ବ ତେଲ ଓ ନିମ୍ବ ପିଡ଼ିଆ ଦ୍ୱାରା ବିଶୋଧନ କରାଯାଇପାରିବ l
Read more
Expert Tips: ଚାଷୀଙ୍କ ପାଇଁ ଏକ୍ସପର୍ଟଙ୍କ ଟିପ୍ସ, ମିଳିବ ବମ୍ପର ଉତ୍ପାଦନ !
Share your comments