Krishi Jagran odia
Menu Close Menu

ଧାନ ଚାଷ ବିଷୟରେ କିଛି ଉପାଦେୟ ତଥ୍ୟ

Tuesday, 25 May 2021 05:44 PM , by: Sugyan Kumar Nayak
Paddy Cultivation

Paddy Cultivation

ଆଉ ଦିନ କେତେଟା ପରେ ଧାନ ବୁଣା ଆରମ୍ଭ ହୋଇଯିବ l ଓଡ଼ିଶାର ଜଳବାୟୁ ଅନୁସାରେ ମୌସୁମୀ ବର୍ଷା ଆସିବା ପରେ ପରେ ଚାଷୀଭାଇମାନେ ଜୋରସୋରରେ ଧାନ ବୁଣା କାମରେ ଲାଗିଯାଇ ଥାଆନ୍ତି l ବର୍ଷାଦିନେ ଧାନଚାଷ କରିବା ଖୁବ୍ ଲାଭଦାୟକ । କାରଣ  ଜମିରେ ପାଣିର ଅଭାବ ନ ଥାଏ l ସଠିକ ସମୟରେ ସଠିକ ବିହନ ବୁଣିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ l ଚାଷୀଭାଇର ସାରା ବର୍ଷର ଧାନ ଅମଳ ହିଁ ଏହା ଉପରେ ନିର୍ଭର କରେ l ତେଣୁ କରି ଚାଷୀଭାଇମାନେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ l ଧାନ ବୁଣିବା ବିଷୟରେ କିଛି ଉପାଦେୟ ତଥ୍ୟକୁ ନେଇ ଆଜିର ଉପସ୍ଥାପନା l

ଜମି ପ୍ରସ୍ତୁତି

ଖରାଦିନେ ପ୍ରଥମ ବର୍ଷା ହେବା ପରେ ଜମିକୁ ଲୁହା ଲଙ୍ଗଳ ସାହାଯ୍ୟରେ ଏକ ବା ଦୁଇ ଓଡ଼ ଚାଷ କରନ୍ତୁ । ପରେ କଲ୍ଟିଭେଟର କିମ୍ବା ଚକ୍ରବିଦା ସାହାଯ୍ୟରେ ଚାଷ କଲେ ମାଟି ଭଲଭାବେ ଗୁଣ୍ଡ ହୋଇଯାଏ ।

ବିହନ ବୁଣିବା

ବର୍ଷାଦିନ ଆରମ୍ଭରେ ଧାଡ଼ିବୁଣା ଯନ୍ତ୍ର ସାହାଯ୍ୟରେ ବିହନକୁ ଧାଡ଼ିରେ ବୁଣିବା ଉଚିତ୍ । ଧାଡ଼ିକୁ ଧାଡ଼ି ଦୂରତା ୮ ଇଞ୍ଚ ବା ୨୦ ସେ.ମି. ରଖିବା ଦରକାର । ଯନ୍ତ୍ର ନ ମିଳିଲେ ସବୁ ଲଙ୍ଗଳ ସାହାଯ୍ୟରେ ମଧ୍ୟ ଧାଡ଼ିରେ ବିହନ ବୁଣାଯାଇପାରିବ । ଧାଡ଼ିରେ ବୁଣିଲେ ଦୁଇ ଧାଡ଼ି ମଧ୍ୟରେ ଘାସ ବଛା ଯନ୍ତ୍ର ବ୍ୟବହାର କରି ଘାସ ନିୟନ୍ତ୍ରଣ କରି ହେବ ଏବଂ ବେଉଷଣ କରିବାକୁ ପଡ଼େ ନାହିଁ । ଜୁନ୍ ମାସ ପ୍ରଥମାର୍ଦ୍ଧରେ ଧାନବୁଣା ସାରିଦେବା ଉଚିତ୍ । ଶେଷ ଓଡ଼ ଚାଷ ବେଳେ ଜମିରେ ଖତ ଓ ଆବଶ୍ୟକ ପରିମାଣ ସୁପର୍ ଫସ୍ଫେଟ୍ ପ୍ରୟୋଗ କରି ମାଟି ସହିତ ଭଲଭାବେ ମିଶାଇ ଦେବା ଉଚିତ୍ । ସାଧାରଣତଃ ମୋଟା ଧାନ ବିହନ ସବୁ ଧାନ ବିହନଠାରୁ ଅଧିକ ଆବଶ୍ୟକ ହୋଇଥାଏ । ସେହିପରି ଅଛି ଦିନରେ ଅମଳ ହେଉଥିବା କିସମରେ ବିହନ ଡେରିରେ ଅମଳ ହେଉଥିବା କିସମଠାରୁ ଅଧିକ ଲାଗିଥାଏ । କାରଣ ଛୋଟ ଧାନ ତୁଳନାରେ ବଡ଼ ଧାନରେ ଅଧକପିଲ ହେଉଥିବାରୁ ଜମିରେ କମ୍ ଗଛ ଆବଶ୍ୟକ ହୋଇଥାଏ । ଧାଡ଼ିବୁଣାରେ ଛାଟବୁଣାଠାରୁ ଶତକଡ଼ା ୨୫ ରୁ ୩୦ ଭାଗ ବିହନ କମ୍ ଲାଗିଥାଏ । ପୁନଶ୍ଚ ବୁଣା ଅପେକ୍ଷା ଚୁଆ ଜମି ପାଇଁ ୨୦ ରୁ ୨୫ ଭାଗ ବିହନ କମ୍ ଲାଗିଥାଏ । ତେବେ ଏକର ପ୍ରତି ଛଟାବୁଣା ପାଇଁ ୩୦ ରୁ ୪୦ କି.ଗ୍ରା, ଧାଡ଼ିବୁଣା ପାଇଁ ୨୫ ରୁ ୩୦ କି.ଗ୍ରା. ଏବଂ ରୋଇବା ପାଇଁ ୨୦ ରୁ ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।

ବୁଣା ଧାନର ଯତ୍ନ

ଧାନଗଛ ଉଠିବାର ୩-୪ ସପ୍ତାହ ବେଳକୁ ଘାସ ମାରିବା ପାଇଁ ବେଉଷଣ କରାଯାଇଥାଏ । ଗଛ ବେଶୀ ଦିନର ହେଲେ ବେଉଷଣ କରିବା ଦ୍ଵାରା ଅନେକ ଗଛ ମରିଯାଏ । ବେଉଷଣ ପରେ ଭଲଭାବେ ଖେଳୁଆ କରି ରୁଆ ଧାନ ପରି ଜମିରେ ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ଉଚିତ୍ । ବେଉଷଣ ପରେ ଖେଳୁଆ ପକାଇବା ପାଇଁ ଅନେକ ସମୟରେ ଜମିରେ ଆବଶ୍ୟକ ଗଛ ନ ଥାଏ । ଏହି ଅସୁବିଧା ଦୂର କରିବା ପାଇଁ ଜମିର ଗୋଟିଏ କଡ଼କୁ ୧୦ ଭାଗରୁ ୧ ଭାଗ ଯାଗାରେ ଧାନ ବହଳ ବୁଣି ବେଉଷଣ ନ କରି ଛାଡ଼ିଦେବା ଉଚିତ୍ । ଆବଶ୍ୟକ ସ୍ଥଳେ ସେହି ସ୍ଥାନରୁ ତଳି ଆଣି ଫାଙ୍କା ଯାଗାରେ ଖୁଞ୍ଚା ଦିଆଯାଇ ପାରିବ । ବର୍ଷା ଅଭାବରୁ ଯଦି ବେଉଷଣ କରି ନହୁଏ, ତେବେ ବର୍ଷାକୁ ଅପେକ୍ଷା ନ କରି ଜମିରୁ ଘାସ ବାଛି ଦେଇ ସାର ପକାଇଦେବା ଉଚିତ୍ । ବେଉଷଣ ବେଳେ ଆବଶ୍ୟକ ହେଉଥିବା ଯବକ୍ଷାରଜାନରୁ ଅଧେ ଓ ସବୁତକ ପଟାସ୍ ସାର ପ୍ରୟୋଗ କରିବାକୁ ହେବ । ଅବଶିଷ୍ଟ ଯବକ୍ଷାରଜାନକୁ ୨ ଭାଗ କରି ବେଉଷଣର ୧୫ ଦିନ ପରେ ଅଧେ ଓ ଥୋଡ଼ ବେଳେ ଅଧେ ଦେବାକୁ ହେବ । ଯେଉଁ ବିଲରେ ଧାନ ବଢ଼ିବା ବେଳେ ବେଶୀ ପାଣି ଜମି ରହେ, ସେ ବିଲରେ ଧାନ ବୁଣିବା ସମୟରେ ସବୁତକ ଯବକ୍ଷାର ଜାନ, ଫସଫରସ୍ ଓ ପଟାସ୍ ସାର ଦେଇଦେବା ଉଚିତ୍ ।

ତଳି ପକାଇବା

ଜୁଲାଇ ମାସରେ ରୋଇବା ପାଇଁ ଜୁନ୍ ମାସରେ ତଳି ପକାଇବା ଦରକାର । ଏକର ଜମି ରୋଇବା ପାଇଁ ୧୦ ଡେସିମିଲି ଜମିରେ ତଳି ପକାଇବାକୁ ହେବ । ତଳି କିଆରୀକୁ ଭଲଭାବରେ ଚାଷ କରି ତହିଁରେ ୪୦ ଝୁଡ଼ି ଖତ ଦେଇ ୧ ମିଟର ଓସାର ଏବଂ ୧୫ ସେ.ମି. ଉଚ୍ଚ ପଟାଳି କରିବା ଦରକାର । ପଟାଳି ଗୁଡ଼ିକର ଲମ୍ବା ସୁବିଧା ଅନୁଯାୟୀ କରାଯାଇ ପାରିବ । ଦୁଇ ପଟାଳି ମଝିରେ ୩୦ ସେ.ମି. ଓସାରର ନାଳ ଛାଡ଼ିବା ଉଚିତ୍ । କାରଣ ସେହି ନୀଳ ଦେଇ ଯିବା ଆସିବା କରିହେବ ଓ ବେଶୀ ବର୍ଷା ହେଲେ ପାଣି ନିଗିଡ଼ି ଯିବ । ପଟାଳି ଗୁଡ଼ିକରେ ୧୨ କି.ଗ୍ରା. ସୁପର ଫସଫେଟ୍ ସାରକୁ ଭଲ ଭାବରେ ମିଶାଇ ତହିଁରେ ୫ ସେ.ମି. ଛଡ଼ାରେ ଧାଡ଼ି ଧାଡ଼ି କରି ବହି ନ ବୁଣି ଘୋଡ଼ାଇ ଦେବାକୁ ହେବ । ଯଦି ବର୍ଷା ନ ହୁଏ ତେବେ ପଟାଳିରେ ପାଣି ସିଞ୍ଚିବା ଉଚିତ୍ ।

ଧାନ ବିହନକୁ ବୁଣିବା ପୂର୍ବରୁ ମଧ୍ୟ ବିଶୋଧନ କରିବା ଉଚିତ୍ । ପ୍ରଥମେ ବିହନକୁ ସାଧା ପାଣି କିମ୍ବା ଲୁଣ ପାଣିରେ ପକାଇ ତହିଁରୁ ଭାସୁଥିବା ଅଗାଡ଼ି, ପୋକ ଓ ହାଲୁକା ମଞ୍ଜିକୁ ବାହାର କରିଦେଇ ଭଲ ବିହନକୁ ଧୋଇ ଶୁଖାଇ ବିଶୋଧନ କରି ବୁଣିବା ଉଚିତ୍ୱ । ୧୦ ଲିଟର ପାଣିରେ ୧୬୫୦ ଗ୍ରାମ୍, ଲୁଣ ପକାଇ ଆବଶ୍ୟକୀୟ ଲୁଣ ପାଣି ପ୍ରସ୍ତୁତ କରାଯାଇ ପାରିବ । ଗଛ ଉଠିବାର ୧୦ ଦିନ ପରେ ତଳି କିଆରୀରୁ ଅନାବନା ଘାସ ବାଛି ତହିଁରେ ଦୁଇ କି.ଗ୍ରା, ଯବକ୍ଷାରଜାନ (୪.୫ ଗ୍ରାମ୍ ୟୁରିଆ) ଓ ୧ କି.ଗ୍ରା, ପଟାସ୍ (୧.୫ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍) ସାର ପ୍ରୟୋଗ କଲେ ତଳି ଶୀଘ୍ର ବଢ଼ିଯିବ । ତଳି କିଆରୀରେ ଔଷଧ ପକାଇଲେ ତାହା ମଧ୍ୟ ପୋକ ଆକ୍ରମଣରୁ ତଳିକୁ ରକ୍ଷା କରିଥାଏ । ତେବେ ତଳି ଉପାଡ଼ିବାର ୭ ଦିନ ଆଗରୁ ୧୨୦୦ ଗ୍ରାମ୍ ପୁରାଡନ୍ ବା ୫୦୦ ଗ୍ରାମ୍, ଥିମେଟ୍ (ବାନାଦାର ) ପକାଇଦେଲେ ତଳି ରୋଇବାର ୨-୩ ସପ୍ତାହ ପର୍ଯ୍ୟନ୍ତ ତାହା ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିଥାଏ ।

ତଳି ଉପାଡ଼ିବା

ତଳି ୨୧ ଦିନରୁ ୨୮ ଦିନର ହୋଇଗଲେ ରୋଇବାକୁ ଉପଯୁକ୍ତ ହୋଇଥାଏ । ଉପାଡ଼ିବାର ଦିନକ ପୂର୍ବରୁ ବିଲରେ ପାଣି ଦେଲେ ମାଟି ନରମ ହୋଇଯାଏ । ଫଳରେ ତଳି ସହଜରେ ଉପୁଡ଼ି ଆସେ । ତଳି ଉପାଡ଼ିବାର ୨୪ ଘଣ୍ଟା  ଭିତରେ ରୋଇବା ଆବଶ୍ୟକ।

ପରୀକ୍ଷା ଦ୍ଵାରା ଜଣାଯାଇଅଛି ଯେ ୯୦ ରୁ ୧୦୦ ଦିନରେ ପାଚୁଥିବା ଧାନକୁ ତଳି ନ ପକାଇ ବୁଣିବା ଉଚିତ୍ । କିନ୍ତୁ ୧୦୦ ରୁ ୧୨୦ ଦିନ ଭିତରେ ପାଚୁଥିବା ଧାନ ପାଇଁ ୨୦ ରୁ ୨୨ ଦିନର ତଳି, ୧୨୫ ରୁ ୧୩୫ ଦିନ ଭିତରେ ପାଚୁଥିବା ଧାନ ପାଇଁ ୩୦ ରୁ ୩୫ ଦିନର ତଳି ଓ ୧୪୦ ରୁ ୧୫:୫ ଦିନରେ ପାଚୁଥିବା ଧାନ ପାଇଁ ୪୦ ରୁ ୫୦ ଦିନର ତଳି ରୋଇଲେ ଆଦାୟରେ ବିଶେଷ ଅସୁବିଧା ହୁଏ ନାହିଁ । ମୌସୁମୀ ବର୍ଷାର ଅନିୟମିତତା, କେନାଲ ପାଣି ମିଳିବାରେ ଡେରି ଏବଂ ଅନ୍ୟାନ୍ୟ କାରଣରୁ ଅନେକ ସମୟରେ ଠିକ୍ ଅବସ୍ଥାରେ ତଳିକୁ ରୋଇ ହୁଏ ନାହିଁ । ସେପରି ସ୍ଥଳେ ସଅଳ କିସମର ୪୦ ଦିନିଆ ତଳି ଏବଂ ମଧ୍ୟମ ଓ ବିଳମ୍ବ କିସମର ୬୦ ଦିନିଆ ତଳି ରୁଆ ଯାଇପାରିବ । ତେବେ ରୋଇବା ବେଳେ ବୁଦାଗୁଡ଼ିକ ପାଖାପାଖି ଏବଂ ପ୍ରତି ବୁଦାରେ ୪-୫ ଟି କରି ତଳି ପୋତିବା ଆବଶ୍ୟକ ।

ରୁଆ ବିଲକୁ ଭଲଭାବରେ କାଦୁଅ କରି ମଇ ଦେଇ କିଛି ସମୟ ପରେ ଧାନ ତଳି ରୋଇବା ଉଚିତ୍ । କାରଣ କାଦୁଅ କରିବା ସଙ୍ଗେ ସଙ୍ଗେ ଧାନ ତଳି ରୋଇଲେ ମୂଳ ବେଶୀ ତଳକୁ ଚାଲିଯାଏ । କାଦୁଅ କରିବାର ୬ ଘଣ୍ଟାରୁ ୨୪ ଘଣ୍ଟା ଭିତରେ ଧାନ ରୁଆଯାଇ ପାରେ । ରୋଇବା ପୂର୍ବରୁ ଜମିରେ ମୂଳ ସାର ପ୍ରୟୋଗ କରିବା ଉଚିତ୍ । ତଳିକୁ ୨.୫ ସେ.ମି.ରୁ ୪ ସେ.ମି. ଗଭୀରରେ ଓ ସିଧା ରୋଇଲେ ତହିଁରୁ ଶୀଘ୍ର ଚେର ବାହାରେ ଓ ପିଲ ଆସେ । ଗଭୀରରେ ପୋତିଲେ ପିଲ ଦେବା ଡେରି ହୁଏ । ଧାନକୁ ସବୁବେଳେ ଧାଡ଼ିରେ ରୋଇବା ଉଚିତ୍ । ଧାଡ଼ିରେ ରୋଇଲେ ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ଆବଶ୍ୟକ ବ୍ୟବଧାନ ରଖିହେବ । ଜମିରେ ସବୁଆଡ଼େ ଆବଶ୍ୟକ । ଗଛ ସଂଖ୍ୟା ରଖିହେବ ଏବଂ ଘାସ ବଛା ଔଷଧ ପକାଇବା ଏବଂ ଧାନ କାଟିବା ସୁବିଧାରେ କରିହେବ ।

ସଅଳ କିସମ ଧାନ ପାଇଁ ଦୁଇ ଧାଡ଼ି ଭିତରେ ବ୍ୟବଧାନ ୧୫ ସେ.ମି. ବା ୬ ଇଞ୍ଚ ଓ ଗଛକୁ ଗଛ ବ୍ୟବଧାନ ୧୦ ସେ.ମି. ବା ୪ ଇଞ୍ଚ ଏବଂ ଡେରୀ କିସମ ଧାନ ପାଇଁ ଧାଡ଼ିକୁ ଧାଡ଼ି ବ୍ୟବଧାନ ୨୦ ସେ.ମି. ବା ୮ ଇଞ୍ଚ ଓ ଗଛକୁ ଗଛ ବ୍ୟବଧାନ ୧୦ ସେ.ମି. ବା ୪ ଇଞ୍ଚ ରଖିଲେ ଅମଳ ଅଧିକ ହୋଇଥାଏ । ରୋଇବା ବେଳେ ପ୍ରତି ବୁଦାରେ ଦୁଇଟି ତଳି ରୋଇବା ଉଚିତ୍ । ପ୍ରତି ବୁଦାରେ ଅଧିକ ଗଛ ରହିଲେ ତହିଁରୁ ପିଲ ବାହାରେ ନାହିଁ । ଫଳରେ ଅମଳ କମିଯାଏ । ଡେରୀ କିସମ ଧାନକୁ ଜୁଲାଇ ମାସରେ ରୋଇଲେ ଧାଡ଼ିକୁ ଧାଡ଼ି ବ୍ୟବଧାନ ୨୦ ସେ.ମି. ଗଛକୁ ଗଛ ବ୍ୟବଧାନ ୧୫ ସେ.ମି. ରଖାଯାଇ ପାରିବ ।

ରୁଆ ଧାନର ଯତ୍ନ

ଧାନ ରୋଇ ସାରିବା ପରେ ବିଲରେ ଠିଆ ପାଣି ରଖିବା ଉଚିତ୍ ନୁହେଁ । ରୋଇବାର ୫-୬ ଦିନ ପରେ ବିଲ ଭିତରକୁ ପାଣି ଛାଡ଼ିବା ଉଚିତ୍ । ଏପରି କଲେ ଘାସ ଉଠେ ନାହିଁ । ବିଲରେ ବେଶୀ ପାଣି ରହିଲେ ଗଛମୂଳ ଅମ୍ଳଜାନ ପାଏ ନାହିଁ ଓ ବିଲ ଶୁଖିଗଲେ ବେଶୀ ଘାସ ଉଠିଥାଏ । ରୋଇବାର ୧୫ ଦିନ ପରେ ଦୁଇ ଧାଡ଼ି ଭିତରେ ଉଇଡର୍ ଚଳାଇଲେ ଘାସ ଇତ୍ୟାଦି ନଷ୍ଟ ହୋଇଯାଏ । ଏହି ସମୟରେ ଯବକ୍ଷାରଜାନ ଜାତୀୟ ସାର ଅର୍ଥାତ୍ ୟୁରିଆ ବା ଆମୋନିୟମ୍ ସଲ୍ଫେଟ୍ ମଧ୍ୟ ଦେବା ଉଚିତ୍ । ଉଇଡର୍ ଚଳାଇ ସାରିଲା ପରେ ଯଦି କିଛି ଘାସ ରହିଯାଏ ତେବେ ଡାକୁ ହାତରେ ବାଛି ଦିଅନ୍ତୁ । ସାର ଦେବା ପରେ ଅନ୍ତତଃ ୩ ଦିନ ପର୍ଯ୍ୟନ୍ତ ବିଲରୁ ପାଣି କାଟିବା ଉଚିତ୍ ନୁହେଁ । ଏହାଦ୍ଵାରା ପାଣିରେ ଗୋଳେଇ ହୋଇ ସାର ବିଲରୁ ଚାଲିଯିବାର ଆଶଙ୍କା ରହିଥାଏ । ଯଦି କେଣ୍ଡାକଟା ବା କାଣ୍ଡବିନ୍ଧା ପୋକ ଲାଗିବାର ସମ୍ଭାବନା ଥାଏ ତେବେ ଥିମେଟ୍ ବା ଫୁମ୍ଫାରାଡନ୍ ପ୍ରଭୁତି ଦାନାଦାର ଔଷଧ ପକାନ୍ତୁ ।

English Summary: Important tips on Paddy Cultivation Paddy Cultivation Important tips on Paddy Cultivation
Krishi Jagran odia Magazine Subscription Online Subscription




CopyRight - 2021 Krishi Jagran Media Group. All Rights Reserved.