ଚାଷ, ଯାହାକୁ ଆମ ଦେଶର ମେରୁଦଣ୍ଡ କୁହାଯାଇଥାଏ l ସେଥିପାଇଁ ତ ଚାଷୀ ଓ ଚାଷ ପାଇଁ ବିଭିନ୍ନ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି l ସେହିପରି ଏହି ଚାଷ ଓ ଚାଷୀ ପାଇଁ କୃଷି ଜାଗରଣ ସଂସ୍ଥା ଆଜିକୁ ୨୯ ବର୍ଷ ହେବ ନିରନ୍ତର କାର୍ଯ୍ୟ କରିଆସୁଛି l ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଚାଷୀଙ୍କ ସହ ଯୋଡ଼ି ହୋଇ ରହିଥାଏ ଆମ କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା l ସେହିପରି ନିକଟରେ ଆମ ପ୍ରତିନିଧି ବାଲେଶ୍ୱର ଜିଲ୍ଲାର କିଛି ଦକ୍ଷ ଏବଂ ପ୍ରଗତିଶୀଳ ଚାଷୀଙ୍କ ସାକ୍ଷାତକାର ନେଇଥିଲେ l ଏହି ପରିପ୍ରେକ୍ଷୀରେ ଆମ ପ୍ରତିନିଧି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଦିବ୍ୟଲୋଚନ ସାହୁଙ୍କ ସାକ୍ଷାତକାର ନେଇଥିଲେ l ଯିଏକି ସମନ୍ବିତ ଚାଷ କରି ବର୍ଷକୁ ଅନେକ ଟଙ୍କା ରୋଜଗାର କରୁଛନ୍ତି l ଧାନ ଚାଷ , ପନିପରିବା ଚାଷ , ମାଛ ଚାଷ , କୁକୁଡ଼ା ଚାଷ ସହିତ ଦୁଗ୍ଧ ପାଇଁ ଗୋପାଳନ ମଧ୍ୟ କରୁଛନ୍ତି l
ଆମ ପ୍ରତିନିଧି ବିଭିନ୍ନ ଚାଷ ସମ୍ବନ୍ଧୀୟ ଆଲୋଚନା କରିଥିଲେ ଦିବ୍ୟଲୋଚନ ସାହୁଙ୍କ ସହିତ l କୁକୁଡ଼ା ଏବଂ ଗାଈ ଆବଶ୍ୟକ ଅନୁଯାୟୀ ପାଳନ କରୁଛନ୍ତି l ଧାନ ଚାଷ ୨ ପ୍ରକାର କରୁଛନ୍ତି ଯଥା :- କଳା ଚମ୍ପା ଏବଂ ଡେହରାଡୁନ l କଳାଚମ୍ପା ଧାନର ୨୦ ଦିନ ପାଣି ସହଣୀ ଶକ୍ତି ରହିଛି l ସେହିପରି ଡେହରାଡୁନ ଧାନ ମୁଢି ପାଇଁ ବେଶ ଭଲ ଧାନ l ଏହି ଦୁଇ ଧାନର ଜଳ ଧାରଣା କ୍ଷମତା ଅଧିକ ଥିବାରୁ ଏହି ଧାନ ଜଳ ଅଧିକ ଦିନ ଜମା ହୋଇ ରହୁଥିବା ସ୍ଥାନରେ ଚାଷକଲେ ଭଲ ହୋଇଥାଏ l
କଳାଚମ୍ପା ଧାନ ୧ ଏକର ଜମିରେ ୨୦ ରୁ ୨୫ କ୍ୱିଣ୍ଟାଲ ଅମଳ ହୋଇଥାଏ l ଡେହରାଡୁନ ଧାନ ୧ ଏକର ଜମିରେ ୧୮ ରୁ ୨୦ କ୍ୱିଣ୍ଟାଲ ଅମଳ ହୋଇଥାଏ l ଚାଷୀ ମଧ୍ୟମ ସ୍ଥାନରେ ଥିବା ଧାନକୁ ପାଚିବା ପରେ ବିହନ ପାଇଁ ରଖି ପାରିବେ l ସେ କହିଥିଲେ ଯେ," ଜଳ ଧାନରେ ଆବଶ୍ୟକ ଅଳ୍ପ ସାର " l ଧାନ ରୋଇବାର ୫ ରୁ ୬ ଦିନ ପରେ ପରେ ମଧ୍ୟମ ସମୟରେ ଥରେ ସାର ଦେବା ଆବଶ୍ୟକ l ଅଧିକ ସାର ବ୍ୟବହାର ନ କରି ଗୋବର ଖତ ଅଧିକ ବ୍ୟବହାର କରନ୍ତି ଦିବ୍ୟଲୋଚନ l ବିହନକୁ ସମ୍ପୂର୍ଣ୍ଣ ଜୈବିକ ପ୍ରକ୍ରିୟାରେ ବିଶୋଧନ କରନ୍ତି l ଯାହାଦ୍ୱାରା ରୋଗପୋକ ଅଧିକ ହେବେ ନାହିଁ ଧାନରେ l ଅନ୍ୟ ଚାଷୀ ମଧ୍ୟ ଏହିପରି ଧାନ ବିହନ ବିଶୋଧନ କରିବା ଆବଶ୍ୟକ ବୋଲି କହିଛନ୍ତି ସେ l
ଅନେକ ଧାନ ଭେରାଇଟି ଥିବାବେଳେ ଏହି ଧାନ କାହିଁକି ଚାଷ କରିଛନ୍ତି ପଚାରିବାରୁ ସେ କହିଥିଲେ " ପାଣି ବ୍ୟବସ୍ଥା ଠିକ ନଥିବାରୁ କଳାଚମ୍ପା ଧାନ ଚାଷ କରୁଛି l କାରଣ, ସେହି ସ୍ଥାନରେ ଜଳ ଅଧିକ ଦିନ ଧରି ଜମା ହୋଇ ରହେ ଯାହାଦ୍ୱାରା ଅନ୍ୟ ଧାନ ଚାଷ କଲେ ତାହା ନଷ୍ଟ ହେବାର ସମ୍ଭାବନା ରହିଛି l " ସେହିପରି ସେ କହିଥିଲେ "ରୋଗପୋକ କିମ୍ବା ଅନ୍ୟ ଚାଷ ସମ୍ବନ୍ଧରେ କୌଣସି ତଥ୍ୟ ଜାଣିବାକୁ ହେଲେ ବାଲେଶ୍ୱର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ସମ୍ପୂର୍ଣ୍ଣ ସହାୟତା ରହୁଛି " l ଏହି ଦୁଇ ପ୍ରକାର ଧାନ ୪ ରୁ ୫ ମାସ ମଧ୍ୟରେ ଅମଳ ପ୍ରଦାନ କରିଥାଏ l ଏହି ଧାନ ଚାଷ ପାଇଁ ତଳି ପକାଯାଉଛି ଜୁନ ଜୁଲାଇ ମାସ ମଧ୍ୟରେ ଏବଂ ନଭେମ୍ବର ଡିସେମ୍ବର ମଧ୍ୟରେ ଅମଳ କରାଯାଉଛି l ଧାନ ଅମଳ ପରେ ସୋସାଇଟିରେ ବିକ୍ରି କିମ୍ବା ସ୍ଥାନୀୟ ବେପାରୀଙ୍କୁ ବିକ୍ରି କରୁଛନ୍ତି ସେ l ଅନ୍ୟପଟେ ସେ ଆମ ପ୍ରତିନିଧିଙ୍କ ସହିତ ଧାନ ଚାଷ ସହିତ ମାଛ ଚାଷ କରିବାର ବିଭିନ୍ନ ବିଷୟ ଉପରେ ଅଲାଚନା କରିଥିଲେ l
ମାଛ ଜାଅଁଳା ଛାଡ଼ିବା ପୂର୍ବରୁ ମାଛ ପୋଖରୀକୁ ସଫା କରାଯାଉଛି l ଏହାପରେ ମାଛ ଜାଅଁଳା ଛଡ଼ା ଯାଉଛି ପୋଖରୀରେ l ମାଛ ଛାଡ଼ିବା ପୂର୍ବରୁ ଜୈବିକ ପ୍ରକ୍ରିୟାରେ ମାଛ ପୋଖରୀ ଶୁଦ୍ଧ କରାଯାଉଛି ଯାହା ମାଛ ଚାଷ ପାଇଁ ନିହାତି ଆବଶ୍ୟକ l ମାଛ ଚାଷୀ ଧ୍ୟାନ ଦେବା ଆବଶ୍ୟକ ପାଣିର ତାପମାତ୍ରା ଦେଖି ପାଣିରେ ଜାଅଁଳା ଛାଡ଼ିବା ଉଚିତ l ମାଛଙ୍କୁ ଅଧିକ ଜୈବିକ ଖାଦ୍ୟ ଦିଆଯାଉଛି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ l ସେ ପିଡ଼ିଆ ଭଳି ଅନେକ ଜୈବିକ ଖାଦ୍ୟ ଦେଉଛନ୍ତି ମାଛଙ୍କୁ ଖାଇବା ପାଇଁ ଏବଂ ଅନ୍ୟ ମାଛ ଫିଡ ମଧ୍ୟ ଦେଉଛନ୍ତି l ମଝି ମଝିରେ ମାଛଙ୍କ ସ୍ୱାସ୍ଥ୍ୟ ପାଇଁ ଚୂନ ଏବଂ ପଟାସ ମଧ୍ୟ ଦେବା ଉଚିତ ପୋଖରୀରେ l ମାଛ ଚାଷ କରିବା ପାଇଁ ସେ CIFA ରୁ ମାଛ ଜାଅଁଳା ଆଣିଛନ୍ତି l ଏହି ସମନ୍ବିତ ଚାଷ ପାଇଁ ସେ ବର୍ଷକୁ ୪ ଲକ୍ଷ ଖର୍ଚ୍ଚ କରୁଥିବା ବେଳେ ୫ ରୁ ୬ ଲକ୍ଷ ଲାଭ କମାଉଛନ୍ତି l ନିଜ ଚେଷ୍ଟା ଓ ବାଲେଶ୍ୱର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଆଜି ଚାଷ ଜୀବନରେ ସେ ସଫଳ ହୋଇଛନ୍ତି l
Read more:
Share your comments