1. କୃଷି ବିଶ୍ବକୋଷ

କଳିଙ୍ଗ ରାଜ ମକା ବିହନ ଉତ୍ପାଦନ

କୃଷି କ୍ଷେତ୍ରରେ କାମ କରୁଥିବା NGO ତଥା ଲିଭ ଏଣ୍ଡ ଲେଟ ଲିଭ (ଲାଲ) ଓ ମକା ଚାଷ ହେଉଥିବା ଜିଲ୍ଲା ମାନଙ୍କର କୃଷି ବିଜ୍ଞାନ କେନ୍ଦ୍ରମାନେ ଉକ୍ତ ଯୋଜନାରେ ସାମିଲ ଥିଲେ l

Tanushree Mahapatra
Tanushree Mahapatra
Kalinga Raja maize seed production, image source -pexels

Kalinga Raja maize seed production, image source -pexels

ଅଳ୍ପ ପାଣି ଖର୍ଚ୍ଚରେ ଚାଷୀ ଭାଇମାନଙ୍କୁ ଅଧିକ ଉତ୍ପାଦନ ଦେଉଥିବା ଶସ୍ୟ ମଧ୍ୟରୁ ମକା ଅନ୍ୟତମ l ଆମ ରାଜ୍ୟ ନବରଙ୍ଗପୁର ଜିଲ୍ଲାର ୧୦ଟି ଯାକ ବ୍ଲକରେ ମକା ଚାଷ ବହୁଳ ଭାବରେ ଚାଷୀଭାଇମାନେ କରିଥାନ୍ତି l ଏହା ବ୍ୟତୀତ କୋରାପୁଟ , ମାଲକାନଗିରି , ରାୟଗଡ଼ା , ଗଜପତି , କଳାହାଣ୍ଡି , ନୂଆପଡ଼ା , କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ଚାଷୀଭାଇମାନେ ମକା ଚାଷ କରିଥାନ୍ତି l ସାଧାରଣତଃ ମକା ଚାଷ ଖରିଫ ଋତୁରେ ଅଧିକ କରାଯାଇଥାଏ l ମକା ଦାନା ଆମ ରାଜ୍ୟରେ ଗୋଖାଦ୍ୟ, କୁକୁଡ଼ାଙ୍କ ଖାଦ୍ୟ ପାଇଁ ବହୁଳ ବ୍ୟବହାର କରାଯାଇଥାଏ l

ଆମ ରାଜ୍ୟର ଚାଷୀଭାଇ ମାନେ ମକା ଚାଷ କରିବା ପାଇଁ ଯେଉଁ ମକା ବିହନ ବ୍ୟବହାର କରିଥାନ୍ତି ତାହା ସବୁ ଆମର ରାଜ୍ୟରେ ଉତ୍ପାଦନ କରାଯାଇନଥାଏ l ଏହି ମକା ବିହନ ଉତ୍ପାଦନ କ୍ଷେତ୍ରରେ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଆମ ଦେଶୀୟ କମ୍ପାନୀମାନେ ଉତ୍ପାଦନ କରି ତାଙ୍କର ନିଜସ୍ୱ ମୋହରରେ ବିକ୍ରି କରିଥାନ୍ତି l କହିବାକୁ ଗଲେ ଏହା ଶତପ୍ରତିଶତ ସତ ଯେ , ଆମ ରାଜ୍ୟରେ ଚାଷ କରାଯାଉଥିବା ସମସ୍ତ ମକା ଗୁଡ଼ିକ ଶଙ୍କର ଜାତୀୟ ମକା ଅଟେ l ବଜାରରେ ବିକ୍ରି ହେଉଥିବା ସମସ୍ତ ମକା ବିହନ ଗୁଡ଼ିକ ଶଙ୍କର କିସମର ଅଟନ୍ତି l ତେଣୁ ମକା ଚାଷ କ୍ଷେତ୍ରରେ ସବୁବେଳେ ଚାଷୀ, କମ୍ପାନୀ ଉପରେ ନିର୍ଭରଶୀଳ ଅଟେ l ତେଣୁ କମ୍ପାନୀ ଗୁଡ଼ିକ ସେମାନଙ୍କ ମନ ଇଛା ମୂଲ୍ୟ ପକାଇ ମକା ବିହନ ବଜାରରେ ବିକ୍ରି କରିଥାନ୍ତି l

ଏହି ଶଙ୍କର ବିହନ ମକାକୁ କିପରି ସାଧାରଣ ଚାଷୀ ପାଖରେ ଅଳ୍ପ ଦରରେ ଏବଂ ଠିକ ସମୟରେ ଉପଲବ୍ଧ ହୋଇପାରିବ ଏଥିପାଇଁ ଗତ ୫ ବର୍ଷ ପୂର୍ବରୁ ଆନ୍ତର୍ଜାତିକ ମକା ଗବେଷଣା କେନ୍ଦ୍ର (CYMMIT) ଓ ଆମ ରାଜ୍ୟର କୃଷି ବିଭାଗ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏକ ନୂତନ ଶଙ୍କର କିସମର ମକାର ଉନ୍ନତିକରଣ ପାଇଁ ହୋଇଥିବା ପ୍ରଚେଷ୍ଟାରେ ଆମ ରାଜ୍ୟର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ସାମିଲ ହୋଇଥିଲା l

ଏତଦ ବ୍ୟତୀତ କୃଷି କ୍ଷେତ୍ରରେ କାମ କରୁଥିବା NGO ତଥା ଲିଭ ଏଣ୍ଡ ଲେଟ ଲିଭ (ଲାଲ) ଓ ମକା ଚାଷ ହେଉଥିବା ଜିଲ୍ଲା ମାନଙ୍କର କୃଷି ବିଜ୍ଞାନ କେନ୍ଦ୍ରମାନେ ଉକ୍ତ ଯୋଜନାରେ ସାମିଲ ଥିଲେ l CYMMIT ପ୍ରଦତ୍ତ ଦୁଇଟି ଶଙ୍କର କିସମ ମକା ଯଥା - LALL -454 ଓ କଳିଙ୍ଗ ରାଜ ର ଶଙ୍କର ବିହନ ଉତ୍ପାଦନ କାର୍ଯ୍ୟକ୍ରମ CYMMIT ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଯୋଜନାଟି କାର୍ଯ୍ୟକାରୀ ହୋଇଥିଲା l ଶେଷରେ ଗତ ୨୦୨୨ରେ ଓଡ଼ିଶା ରାଜ୍ୟ ଓ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମାଧ୍ୟମରେ କଳିଙ୍ଗ ରାଜ ଶଙ୍କର କିସମ ମକା ଭାରତ ସରକାରଙ୍କ ଦ୍ୱାରା ସୂଚିତ କରାଗଲା l New hope seeds ଏବଂ LALL seeds ଦୁଇଟି ବିହନ ଉତ୍ପାଦନ କମ୍ପାନୀ ଓୟୁଏଟି ସାଙ୍ଗରେ ଗଠବନ୍ଧନ କଲେ ଏହି ମକାର ବିହନ ଉତ୍ପାଦନ କରି ରାଜ୍ୟ ସ୍ତରରେ ଏହାର ବିକ୍ରୟ କରିବା l ଏହାଦ୍ୱାରା ଓଡ଼ିଶାର ମକା ଚାଷ କରୁଥିବା ଚାଷୀଭାଇମାନେ ସୁବିଧା ମୂଲ୍ୟରେ ଏକ ଗୁଣାତ୍ମକ ଶଙ୍କର କିସମ ମକା ବିହନ ପାଇ ପାରିବେ l ଗତ ରବି ୨୦୨୩-୨୪ ବର୍ଷରେ ଉଭୟ କମ୍ପାନୀ ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନା ମାଧ୍ୟମରେ ଚାଷୀଙ୍କର କ୍ଷେତ୍ରରେ ୭୬ କ୍ୱିଣ୍ଟାଲ କଳିଙ୍ଗ ରାଜ ଶଙ୍କର ମକା ବିହନ ଉତ୍ପାଦନ କରିଥିଲେ l ଯାହା ରାଜ୍ୟ ସରକାରଙ୍କ ମାଧ୍ୟମରେ ଓଡ଼ିଶା ରାଜ୍ୟ ବିହନ ନିଗମ ସମସ୍ତ ମକା ବିହନକୁ ଚାଷୀଭାଇମାନଙ୍କୁ ଯୋଗାଇ ଦେଇଛି l

କଳିଙ୍ଗ ରାଜ ମକା କିସମଟି ୧୦୦ ରୁ ୧୧୦ ଦିନ ଅବଧିରେ ଅମଳ ଦେଇଥାଏ l ଏହାର ପତ୍ର ଗୁଡ଼ିକ ସୁସ୍ୱାଦୁଯୁକ୍ତ l ତେଣୁ ଗଛରେ ମକା ପାକଳ ଅବସ୍ଥାକୁ ଆସିଲା ପରେ ଚାଷୀ ଭାଇମାନେ ଏହାର କଞ୍ଚାପତ୍ରକୁ ଗଛରୁ କାଟି ଗୋରୁ ଗାଈଙ୍କୁ ଖାଇବାକୁ ଦେଲେ ଗାଈମାନଙ୍କର କ୍ଷୀରର ମାନରେ ଉନ୍ନତି ଆସିଥାଏ l କଳିଙ୍ଗ ରାଜ କିସମର ଅନ୍ୟ ଏକ ଗୁଣ ହେଲା ଏହା ମରୁଡ଼ି ସହଣୀଯୁକ୍ତ ଅଟେ l ଏହି ମକାର ଦାନା ଗୁଡ଼ିକ ବହୁତ ହୃଷ୍ଟ ପୃଷ୍ଟ ହୋଇଥାଏ l ଆମ ରାଜ୍ୟ ମାଟି ପାଣି ପବନରେ ଏହାର ଜନ୍ମ ହୋଇଥିବାରୁ ଏହା ଆମ ରାଜ୍ୟ ପାଇଁ ଏକ ବିଶେଷ ଗୁଣର ମକା ହୋଇଥାଏ l ରୋଗ ପୋକ ମଧ୍ୟ ଅନ୍ୟ ଶଙ୍କର କିସମ ମାନଙ୍କଠାରୁ ଅଳ୍ପ ଲାଗିଥାଏ l ଗତ ୩ ରୁ ୪ ବର୍ଷ ମଧ୍ୟରେ ଲାଲ ସିଡ୍ସ ରେଢ଼ୁଆଙ୍କ ଦ୍ୱାରା ଆମ ଉପକୂଳ ଓଡ଼ିଶା ତଥା ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶଙ୍କର ଜାତୀୟ ମକା LALL 454 ଚାଷ କରାଯାଇ ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇ ଅଛନ୍ତି l

ଗତ ୨୦୨୨ ମସିହା ରବିଋତୁରେ ଜଗତସିଂହପୁର ଜିଲ୍ଲାର ସୁଦର୍ଶନ ସ୍ୱାଇଁ ମୋବାଇଲ ନମ୍ବର - 6371 128 931 ଓ କେନ୍ଦ୍ରାପଡ଼ା ଜିଲ୍ଲାର ବାବାଜୀ ସାହୁ ମୋବାଇଲ ନମ୍ବର - 9556 3171 35 ପ୍ରତ୍ୟେକ ଏକ ଏକର ଲେଖାଏଁ ଶଙ୍କର ମକା ବିହନ ଚାଷ କରି ଆର୍ଥିକ ଲାଭବାନ ହୋଇଅଛନ୍ତି l ଶଙ୍କର ମକା ବିହନର ଉତ୍ପାଦନ ପାଇଁ ଚାଷୀ ଭାଇ ମାନଙ୍କର ପ୍ରଥମ ଜାଣିବା କଥା ହେଲା ଅଣ୍ଡିରା ମକା ବିହନ ଲଗାଯିବାର ୪ ରୁ ୫ ଦିନପରେ ମାଈ ମକା ଲଗାଯାଇଥାଏ l 

ପ୍ରତ୍ୟେକ ୪ ଧାଡ଼ି ମାଈ ଗଛ ପରେ ୨ ଧାଡ଼ି ଅଣ୍ଡିରା ଗଛ ଲଗାଯାଇଥାଏ l ମାଈ ଗଛରେ ଅଣ୍ଡିରା ଫୁଲ ବା ଉପର ଚଅଁର ବାହାରିବା ପୂର୍ବରୁ ଏହାକୁ ଛିଡ଼ାଇ ଦିଆଯାଇଥାଏ l ଅଣ୍ଡିରା ଗଛର ଅଣ୍ଡିରା ଫୁଲର ପରାଗ ରେଣୁ ରୁ ନେଇ ମାଈ ଗଛର ମାଈ ଫୁଲ ଉପରେ ପକାଇଲେ ତାହା ଶଙ୍କର ମକା ବିହନ ଉତ୍ପାଦନ ହୋଇଥାଏ l ଏକ ଏକର ଜମିରେ ଆମେ ଯଦି ଶଙ୍କର ମକା ଉତ୍ପାଦନ କରିବା ପାଇଁ ଚାଷ କରିବା ତେବେ ଅନ୍ୟୁନ ୧୦ କ୍ୱିଣ୍ଟାଲରୁ ୧୨ କ୍ୱିଣ୍ଟାଲ ଅମଳ ହେବ l

ଅମଳ ହେବା ପୂର୍ବରୁ ବିହନ ଉତ୍ପାଦନ କମ୍ପାନୀ କ୍ୱିଣ୍ଟାଲ ପିଛା ୫୦୦୦ ରୁ ୬୦୦୦ ଟଙ୍କା ଦେଇ ବିହନ ଚାଷୀଙ୍କଠାରୁ କିଣିବା ପାଇଁ ଚୁକ୍ତିପତ୍ର ସ୍ଵାକ୍ଷରିତ କରାଯାଇଛି l ମକା ବିହନ ଚାଷ ପାଇଁ ଏକ ବଡ଼ ବାଧକ ହେଲା ମକା ଫୁଲ ଉଡାଉଥିବା ସମୟରେ ଏହାର ବିଚ୍ଛିନ୍ନତା ଦୂରତା ଅନ୍ୟୁନ ୧ କି.ମି ହେବା ଜରୁରୀ ଅଟେ l ଏଣୁ ଉପକୂଳରେ ଖରିଫ ଓ ରବି ସମୟରେ ଆଦୌ ମକା ଚାଷ କରାଯାଇନଥାଏ ଏଣୁ ଯଦି କିଛି ଉପକୂଳ ଓଡ଼ିଶାର ଗୁଣାତ୍ମକ ଚାଷୀ ଭାଇମାନେ ଏହି କଳିଙ୍ଗ ରାଜ ଶଙ୍କର ମକା ବିହନକୁ ବିହନ ଉତ୍ପାଦନ ପାଇଁ ଚାଷ କଲେ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇପାରିବେ l ଆଗାମୀ ଦିନରେ ଓଡ଼ିଶାର ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହୋଇ ପାରିବ ଏହା ଏକ ନୂଆ କିସମ ଚାଷ ହୋଇଥିବାରୁ ଆମ ରାଜ୍ୟର ଉପକୂଳ ଜିଲ୍ଲା ଚାଷୀଭାଇମାନେ କଳିଙ୍ଗ ରାଜ ଶଙ୍କର ମକା ବିହନ ଉତ୍ପାଦନ କରି ଅଧିକ ଲାଭବାନ ହୋଇପାରିବେ l

Read more:

ଦିଲ୍ଲୀରେ ବୟନ କ୍ଷେତ୍ର ଏବଂ ପାରମ୍ପରିକ ଶିଳ୍ପକଳାର ଉତ୍ସବ ପାଳନ !

PM Kisan: ଖାତାକୁ ଆସିବ ପିଏମ୍ କିସାନ କିସ୍ତି ଟଙ୍କା!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ