ଭଲ ଫସଲ ଅମଳ କରିବା ପାଇଁ ହେଲେ ପ୍ରଥମରୁ ସେହି ଫସଲର ତଳି ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ l ତଳି ସୁସ୍ଥ ଏବଂ ଉନ୍ନତ ପ୍ରଜାତିର ହେବା ଆବଶ୍ୟକ l ପନିପରିବା ଚାଷ କରୁଥିବା ଚାଷୀଭାଇମାନେ ଭଲ ତଳି ପାଇବା ପାଇଁ ସବୁବେଳେ ଚିନ୍ତିତ ଥାଆନ୍ତି l ଚାଷୀ ଭାଇମାନେ ବାହାରୁ ତଳି କିଣିବା ଅପେକ୍ଷା ନିଜେ ଜମିରେ ମଧ୍ୟ ଭଲ ତଳି ପ୍ରସ୍ତୁତ କରିପାରିବେ l ଏହା ଦ୍ୱାରା ସେମାନେ ତଳି କିଣିବା ଖର୍ଚ୍ଚରୁ ମୁକ୍ତି ପାଇବେ ଏବଂ ନିଜେ ନିଜେ ଭଲ ତଳି ପ୍ରସ୍ତୁତ କରିପାରିବେ l ଆହୁରି ମଧ୍ୟ ଯେଉଁ ଚାଷୀମାନେ ତଳିକୁ ବ୍ୟବସାୟିକ ଭିତିରେ ପ୍ରସ୍ତୁତ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ ତଳି ପ୍ରସ୍ତୁତି ବିଷୟରେ ସବିଶେଷ ଜାଣିବା ଦରକାର l ଆସନ୍ତୁ ଆଜି ଏହି ଲେଖା ମାଧ୍ୟମରେ ଭଲ ତଳି ପ୍ରସ୍ତୁତି ସମ୍ପର୍କରେ କିଛି ବିଶେଷ ଆଲୋଚନା କରିବା l
ମୁଖ୍ୟତଃ ପନିପରିବା ଚାଷ ପାଇଁ ଆବଶ୍ୟକୀୟ ଚାରାକୁ ତଳି ପଟିରେ ଉତ୍ପାଦନ କରି ତାହାକୁ ନେଇ ଜମିରେ ଲଗାଯାଇଥାଏ । ଭଲ ଫସଲ ବା ଭଲ ଅମଳ ପାଇଁ ସୁସ୍ଥ ଏବଂ ଉନ୍ନତ ଗୁଣବତ୍ତାର ଚାରା ଦରକାର । ଚାରା ଦୁର୍ବଳ ବା ରୋଗିଣା ହେଲେ ପରବର୍ତ୍ତୀ ଅବସ୍ଥାରେ ଗଛ ମଧ୍ୟ ଦୁର୍ବଳ ହୋଇଥାଏ ଏବଂ ଭଲ ଅମଳ ଦିଏନାହିଁ ।
ଚାରା ଉତ୍ପାଦନ ପାଇଁ ସ୍ଥାନ ନିରୂପଣ
ତଳିର ପଟାଳୀ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଦୋରସା ମାଟି ସବୁଠାରୁ ଭଲ । ମାଟି ଅଧିକ ବାଲିଆ ହୋଇଥିଲେ, ସେଥିରେ ଅଧିକ ଶଢ଼ା ଗୋବର ଖତ ମିଶେଇବାକୁ ପଡ଼େ । ମାଟି ଅଧିକ ଚିକିଟା ହୋଇଥିଲେ ସେଥିରେ କିଛି ବାଲିଆ ମାଟି ମିଶେଇବା ଆବଶ୍ୟକ । ପଥୁରିଆ ଏବଂ ନିରସା ମାଟିରେ ତଳି ଭଲ ବଢ଼େ ନାହିଁ । ତଳି ପଟାଳୀ ପାଇଁ ଟିକିଏ ଉଚ୍ଚା ତଥା ନିଗିଡ଼ା ଜମି ଭଲ ଏବଂ ସେହି ସ୍ଥାନରେ ଜଳସେଚନର ସୁବିଧା ଥିବା ନିତାନ୍ତ ଆବଶ୍ୟକ । କଥାରେ ଅଛି ‘ମଞ୍ଜି ଗୁଣେ ଗଛ, ଗଛକୁ ନେଇ ଫଳ' । ଉତ୍ତମ ଗୁଣବତ୍ତାର ବିହନ ବ୍ୟବହାର କଲେ ଅଧିକ ଅମଳ ମିଳେ
ତଳି ପଟାଳୀ ପ୍ରସ୍ତୁତି
ତଳି ପଟାଳୀ ପ୍ରସ୍ତୁତି ପାଇଁ ମାଟିକୁ ଭଲ କରି ଗୁଣ୍ଡ କରି ସେଥିରୁ ଗୋଡ଼ି, ପଥର, କାଠି କୁଟା, ଘାସ ବାହାର କରିଦେବା ଆବଶ୍ୟକ । ଜମି ପତ୍ତନ ଠାରୁ ତଳି ପଟାଳୀର ଉଚ୍ଚତା ୬ ରୁ ୧୦ ଇଞ୍ଚ ଅଧିକା ହେବା ଆବଶ୍ୟକ । ଗୋଟିଏ ତଳି ପଟାଳୀର ଆକାର ଚଉଡ଼ାରେ ୩ ଫୁଟ୍ ଏବଂ ଲମ୍ବାରେ ୧୦ଫୁଟ୍ ହେଲେ ସେଥିରୁ ଘାସ ବାଛିବା, ପାଣି ଦେବା ଇତ୍ୟାଦି କାମ ସହଜ ହୋଇଥାଏ l ତଳି ପଟାଳୀ ପ୍ରସ୍ତୁତି ସମୟରେ ପ୍ରତି ୩୦ ବର୍ଗଫୁଟ୍ (୧୦ଫୁଟ୍ ଓ ୩ଫୁଟ୍)ର ତଳି ପଟାଳୀରେ ପ୍ରାୟ ୨୦କି.ଗ୍ରା (ଦୁଇ ଝୁଡ଼ି) ଶଢ଼ା ଗୋବର ଖତ, ୟୁରିଆ। ୩୫ ଗ୍ରାମ୍, ସିଙ୍ଗଲ୍ ସୁପର୍ ଫସପେଟ୍ ୧୦୦ଗ୍ରାମ୍ ଏବଂ ମ୍ୟୁରେଟ୍ ଅଫ୍ ପଟାସ ୨୫ ଗ୍ରାମ୍ ଭଲ ଭାବେ ମାଟି ସହ ମିଶାଇବା ଆବଶ୍ୟକ ।
ବିହନ ବିଶୋଧନ
ବିହନକୁ ବିଶୋଧକ ଔଷଧ ଦ୍ଵାରା ବିଶୋଧନ କରିବା ଆବଶ୍ୟକ ଯାହା ଫଳରେ ମାଟିରେ ଥିବା ରୋଗ ଜୀବାଣୁ ହଠାତ୍ ମଞ୍ଜିକୁ କିମ୍ବା ଶିଶୁ ଗଛକୁ ଆକ୍ରମଣ କରିପାରନ୍ତି ନାହିଁ । ପ୍ରତ୍ୟେକ ୧ କି.ଗ୍ରା ବିହନ ସହିତ, ୨ ଗ୍ରାମ୍ ବାଭିଷ୍ଟିନ୍ କିମ୍ବା ୩ ଗ୍ରାମ୍ କ୍ୟାପଟାନ୍କୁ ଗୋଟିଏ ଟିଣ ଡବାରେ ଭର୍ତ୍ତି କରି ମୁହଁକୁ ବନ୍ଦ କରି ଭଲ ଭାବରେ ହଲାଇଦେଲେ ତାହା ମଞ୍ଜି ସହିତ ଗୋଳେଇ ହୋଇ ମିଶିଯାଏ ।
ବିହନ ବୁଣା
ସିଧା ସିଧା ଗାର ଟାଣିବା ଦରକାର । ଗାର ଟାଣିଲା ବେଳେ ଏହାର ଗଭୀରତା କେତେ ହେବ ତାହା ମଞ୍ଜିର ଆକାର ଅନୁସାରେ ସ୍ଥିର କରିବା ଉଚିତ୍ । ଯଥା :- ବଡ଼ ଆକାରର ମଞ୍ଜି (ବାଇଗଣ, ଟମାଟୋ, ଲଙ୍କା ଇତ୍ୟାଦି ) ପାଇଁ ଟିକିଏ ଅଧିକ (ପ୍ରାୟ ୨.୫ ସେ.ମି.) ଗଭୀର ଏବଂ କୋବି, ପିଆଜ ପରି ଛୋଟ ମଞ୍ଜି ପାଇଁ (ପ୍ରାୟ ୨ ସେ.ମି.) ଗଭୀରର ଗାର ଟାଣିବାକୁ ପଡ଼ିବ । ତଳି ପଟାଳୀରେ ପିମ୍ପୁଡ଼ି କିମ୍ବା ଜନ୍ଦା ନ ଲାଗିବା ପାଇଁ ଏହାର ଚାରିପଟେ ଧାରରେ ମାଲାଅନ୍ ଗୁଣ୍ଡ ବୁଣିଦେବା ଆବଶ୍ୟକ । ବିହନ ବୁଣିସାରିବା ପରେ ତଳି ପଟାଳୀ ଉପରେ ଶୁଖିଲା ନଡ଼ାକୁ ପତଳା ଭାବରେ ବିଛାଇଦେଲେ ମଞ୍ଜି ଉଷୁମ୍ ପାଇବା ସହ ମାଟିର ବତର ଠିକ୍ ରହିବ ।
ପରବର୍ତ୍ତୀ ଯତ୍ନ
ମଞ୍ଜି ଗଜା ହେବାର ୮-୧୦ ଦିନ ପରେ ଧାଡ଼ି ମଝିର ମାଟିକୁ ଖୁର୍ପି ସାହାଯ୍ୟରେ ଟିକେ ଖୋସାଇ ଘାସ ବାଛି ଦେବା ଆବଶ୍ୟକ । ଚାରା ଗଛ ୧୨ ଦିନର ହେଲେ ଝାଉଁଳା ରୋଗ ପ୍ରତିରୋଧ ପାଇଁ ପ୍ରତି ୧ ଲିଟର ପାଣିରେ ୩ ଗ୍ରାମ୍ ହିସାବରେ କ୍ୟାପଟାନ୍ ଗୋଳାଇ ଗଛ ମୂଳକୁ ଓଦା କରିଦେବା ଉଚିତ୍ । ବାଇଗଣ ତଳି ୨୫ ରୁ ୩୦ ଦିନରେ ଲଙ୍କା ତଳି ୩୦ ରୁ ୪୦ ଦିନରେ ଏବଂ କୋବି ତଳି ୨୦ ରୁ ୨୫ ଦିନରେ ଜମିରେ ଲଗାଇବା ପାଇଁ ଉପଯୁକ୍ତ ହୋଇଯାଏ । ତେଣୁ ତଳିକୁ ବୁଢ଼ା ହେବାକୁ ନ ଦେଇ ଉପଯୁକ୍ତ ସମୟରେ ମୁଖ୍ୟ କିଆରିରେ ଲଗାଇଦେବା ଆବଶ୍ୟକ ।
ତଳି ଓପାଡ଼ିବା
ତଳି ବା ଚାରା ଉପାଡ଼ିବା ସମୟରେ ମାଟିରେ ବତର ରହିବା ଆବଶ୍ୟକ । ତେଣୁ ତଳି ଓପାଡ଼ିବାର ପୂର୍ବଦିନ ସେଥିରେ ଜଳସେଚନ କରିବା ଉଚିତ୍ । ଏହା ଛଡ଼ା ତଳି ଓପାଡ଼ିବା ଦିନ ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ଫୁୟରାଡନ୍, ୩ ଗ୍ରାମ୍ କ୍ୟାପଟାନ୍ ଓ ୧ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ମଶାଇ ଏହା ଦ୍ରବଣକୁ ଗଛ ମୂଳରେ ଦେଲେ ଏହା ଚେର ଦେଇ ଗଛ ଭିତରକୁ ଯାଇ ଗଛକୁ ୧୫ ଦିନ ପର୍ଯ୍ୟନ୍ତ ପୋକ ଆକ୍ରମଣରୁ ସୁରକ୍ଷିତ ରଖେ । ତଳିକୁ ଓପାଡ଼ିବା ପରେ ଏହାକୁ ଛାଇ ଜାଗାରେ ରଖି, ଯେତେଶୀଘ୍ର ସମ୍ଭବ ନେଇ ଜମିରେ ଲଗାଇଦେବା ଆବଶ୍ୟକ । ତଳି ରୋଇବା ପରେ ପରେ ପ୍ରତି ଚାରାଗଛ ମୂଳରେ ଅଳ୍ପ ପାଣି ଦେବା ନିତାନ୍ତ ଆବଶ୍ୟକ ଯାହାକି ଚେର ଧରିବାରେ ସାହାଯ୍ୟ କରେ ।
ଆଜିକାଲି ସବୁଆଡ଼େ ଚାରାଗଛର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଋତୁ ଅନୁଯାୟୀ ଆବଶ୍ୟକତା ଅନୁସାରେ ଚାରା ଉତ୍ପାଦନ କରି ଲୋକମାନଙ୍କୁ ଯୋଗାଇଦେବା ଏକ ଲାଭଜନକ ବ୍ୟବସାୟ । ଯେଉଁ ଗ୍ରାମୀଣ ଯୁବକ ଭାଇମାନେ କାମଧନ୍ଦା ନ କରି ବେକାର ବସିଛନ୍ତି, ସେମାନଙ୍କର ସ୍ୱରୋଜଗାର ପାଇଁ ଏହା ଏକ ବିକଳ୍ପ ପନ୍ଥା ହୋଇପାରିବ ଯାହା ଦ୍ୱାରା ସେମାନେ ସ୍ଵାବଲମ୍ବୀ ହୋଇପାରିବେ।
Share your comments