1. କୃଷି ବିଶ୍ବକୋଷ

ନଳିତା ଫସଲ ର ପ୍ରମୁଖ ରୋଗ ଓ ଏହାର ସମନ୍ବିତ ନିୟନ୍ତ୍ରଣ

ଆମ ରାଜ୍ୟର କେନ୍ଦ୍ରାପଡା,ଯାଜପୁର,କେନ୍ଦୁଝର,କଟକ,ଜଗତସିଂହପୁର ,ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଖରିଫ ଋତୁର ପ୍ରଥମ ତଥା ମୁଖ୍ୟ ତନ୍ତୁଜାତୀୟ ଫସଲ ଭାବେ ଚାଷ କରାଯାଏ ୲ ନଳିତା ପଟରୁ ଅଖା ,କପଡା,ପ୍ୟାକିଂ ବସ୍ତୁ ଓ ବିଭିନ୍ନ ଘରସଜ୍ଜା ଉପକରଣ ପ୍ରସ୍ତୁତ ହୁଏ ୲

Tanushree Mahapatra
Tanushree Mahapatra
Major diseases of jute farming, image source - pexels

Major diseases of jute farming, image source - pexels

ଆମ ରାଜ୍ୟରେ ଚାଷ ହେଉଥିବା ପ୍ରମୁଖ ଅର୍ଥକାରୀ ଫସଲ ମଧ୍ୟ ରୁ ନଳିତା ଅନ୍ୟତମ l ଏହା ଆମ ରାଜ୍ୟର କେନ୍ଦ୍ରାପଡା,ଯାଜପୁର,କେନ୍ଦୁଝର,କଟକ,ଜଗତସିଂହପୁର ,ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଖରିଫ  ଋତୁର ପ୍ରଥମ  ତଥା ମୁଖ୍ୟ ତନ୍ତୁଜାତୀୟ ଫସଲ  ଭାବେ ଚାଷ କରାଯାଏ ୲ ନଳିତା ପଟରୁ ଅଖା ,କପଡା,ପ୍ୟାକିଂ ବସ୍ତୁ ଓ ବିଭିନ୍ନ ଘରସଜ୍ଜା ଉପକରଣ ପ୍ରସ୍ତୁତ ହୁଏ ୲ ଏତଦ ବ୍ଯତିତ ଦୀପାବଳି ସମୟରେ ପୂର୍ବପୁରୁଷ ଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳିବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି ୲ ପୂର୍ବରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ବ୍ୟାପକ ପରିମାଣରେ ହେଉଥିଲା ଓ ଏଥିପାଇଁ ଅବିଭକ୍ତ କଟକ ଜିଲ୍ଲା ର ଧର୍ମଶାଳା ଠାରେ ଏକ ଚଟକଳ ସ୍ଥାପିତ ହୋଇଥିଲା ୲ 

ସମୟ କ୍ରମେ ଚଟକଳ ବନ୍ଦ ହେବାରୁ ଓ ଝୋଟ ର ଚାହିଦା କମିବାରୁ ଚାଷୀମାନେ ଏହାର ଚାଷ ପ୍ରତି ବିମୁଖ ହେଲେ ଓ ଏହାର ଚାଷ କମିବାକୁ ଲାଗିଲା । କିନ୍ତୁ ଏବେ ପଲିଥିନ ଜନିତ ପରିବେଶ ପ୍ରଦୂଷଣ ଓ ଏହାର ଅପକାରିତା କୁ ଲକ୍ଷ୍ୟ କରି ପୁନର୍ବାର କପଡା ଓ ଝୋଟ ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିବାରୁ ନଳିତା ଚାଷ ର ଆଦର ବଢ଼ିବାରେ ଲାଗିଲାଣି । କିନ୍ତୁ ପରିଲକ୍ଷିତ ହୁଏ ଯେ ରୋଗ ପୋକ ଦ୍ୱାରା ସଂକ୍ରମିତ ପଟ ର ମାନ ଉତ୍କୃଷ୍ଟ ନ ରହିବାରୁ ଚାଷୀ ଭାଇ ମାନେ ଆର୍ଥିକ କ୍ଷତି ସହିଥାନ୍ତି । ତେଣୁ ଆମେ ଏଠାରେ ନଳିତା ଫସଲ କୁ ସଂକ୍ରମିତ କରୁଥିବା କେତେକ ପ୍ରମୁଖ ରୋଗ ଓ ଏହାର ସମନ୍ବିତ ନିରାକରଣ ବିଷୟରେ ଆଲୋଚନା କରିବା ।

ପ୍ରମୁଖ ରୋଗ

କାଣ୍ଡସଢ଼ା ରୋଗ (Stem rot disease  - Macrophomina  phaseoli )

ଚାରାପୋଡା ରୋଗ (Seedling blight -  Macrophomina  phaseolina )

ଚେରସଢା ରୋଗ  (Root rot disease -Macrophomina  phaseolina )

ବେକସଢା ରୋଗ( Collar  rot disease -Macrophomina  phaseolina )

କୋମଳ ସଢା ରୋଗ ( Soft rot disease - Sclerotium  rolfsii )

ଆନ୍ଥ୍ରାକନୋଜ ରୋଗ (Anthracnose disease - Colletotrichum corchorum /C .gleosporides )

ଅଗମରା ରୋଗ -(Die Back - Diplodia  corchori )

କାଣ୍ଡସଢ଼ା ରୋଗ (Stem rot disease  - Macrophomina  phaseoli )

            ଏହା ଏକ ବିହନଵାହୀ ଓ ମୃତ୍ତିକାଵାହୀ କବକ ଜନିତ ରୋଗ । ନଳିତା ଅଧିକ ପାଣି ଜମିରହିଲେ କିମ୍ବା ପରିବେଶରେ ଜଳୀୟ ଅଂଶ ବୃଦ୍ଧି ପାଇଲେ ଏହି ରୋଗ ବେଶୀମାତ୍ରାରେ ହୁଏ ।ଚାରା ଅବସ୍ଥାରେ ଏହି ରୋଗ ଦ୍ୱାରା ଫସଲ ଆକ୍ରାନ୍ତ ହେଲେ ଭୃଣପତ୍ର ଓ ବୀଜପତ୍ର ଉପରେ ବାଦାମୀ ମିଶା ଦାଗ ମାନ ପରିଲକ୍ଷିତ ହୁଏ ଓ ଏହି ଚାରାଗଛ ଘରକତ ରୋଗର ଶିକାର ହୁଏ । ବୟସ୍କ ଗଛର ପତ୍ର ଝଡ଼ିପଡ଼େ ଓ କାଣ୍ଡ କଳାପଡ଼ି ପଚି ମରିଯାଏ । ରୋଗାକ୍ରାନ୍ତ ଗଛର ପତ୍ରରେ ଓ କାଣ୍ଡରେ ପ୍ରଥମେ କଳା କଳା ଦାଗ ଦେଖାଯାଏ । ଏହି ଦାଗ କ୍ରମଶଃ ବୃଦ୍ଧିପାଇ କାଣ୍ଡର ବହୁଭାଗ ମାଡିଯାଏ । ରୋଗ ର ପ୍ରାଦ୍ରୁଭାବ ଅଧିକ ହେଲେ କଳା କଳା ଦାଗ ଉପରେ କଳବିନ୍ଦୁ ପରି କବକ ଫଳକ ବହୁସଂଖ୍ୟାରେ ପରିଲକ୍ଷିତ ହୁଏ । ରୋଗାକ୍ରାନ୍ତ ଗଛର ଚେର ସଢ଼ିଯାଏ  ଓ ଏହା ଉପରେ କବକ ପିଣ୍ଡ ଥିବାର ଦେଖାଯାଏ । ମରିଯାଇଥିବା ଗଛ କଳାରଙ୍ଗର ଶୁଖିଲା ଦଙ୍ଗା ପରି ଦିଶେ ଓ କିଆରୀ ମୁଣ୍ଡରୁ ବାରି ହୋଇପଡେ ।

ଚାରାପୋଡା ରୋଗ (Seedling blight -  Macrophomina  phaseolina )

       କାଣ୍ଡସଢା ରୋଗର କବକ ଏହି ରୋଗ ସୃଷ୍ଟି କରିଥାଏ । ଏହି କବକମାନେ ଚାରା ଅବସ୍ଥାରେ ସଂକ୍ରମଣ କରିଥାନ୍ତି । ଭୃଣପତ୍ର ଓ ବୀଜପତ୍ର ଉପରେ ଏହି ରୋଗର ଲକ୍ଷଣ ପରିପ୍ରକାଶ ହୁଏ । ରୋଗର ସଂକ୍ରମଣ ଅଧିକ ହେଲେ ଆକ୍ରାନ୍ତ ଚାରାଗଛ ମରିଯାଏ ।

ଚେରସଢା ରୋଗ  (Root rot disease -Macrophomina  phaseolina )

        ଏହି ରୋଗ ମଧ୍ୟ କାଣ୍ଡ ସଢ଼ାରୋଗ ସୃଷ୍ଟି କରୁଥିବା କବକ ଯୋଗୁଁ ହୋଇଥାଏ । ଏହି ରୋଗର କବକ ଗଛର ମୂଳକୁ ସଂକ୍ରମଣ କରିଥାଏ ଯଦ୍ୱାରା  ସଂକ୍ରମିତ  ଗଛଟି ପ୍ରଥମେ ଝାଉଁଳିବା ଆରମ୍ଭ କରେ । ପ୍ରାଥମିକ ଅବସ୍ଥା ରେ ଗଛର ସବୁଜ ଅଂଶ କ୍ରମେ କ୍ରମେ ବଦଳି ପରେ ବାଦାମୀ ଏବଂ କଳାରଙ୍ଗ କୁ ରୂପାନ୍ତରିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଆକ୍ରାନ୍ତ ଗଛ ଝାଉଁଳି ମରିଯାଏ । ଏହି ରୋଗ ଜୁଲାଇ ମାସର ପ୍ରଥମ ସପ୍ତାହ ରୁ ଆରମ୍ଭ ହୋଇ ଫସଲ ଅମଳ ପର୍ଯ୍ୟନ୍ତ ଦେଖାଯାଇଥାଏ ।

ବେକସଢା ରୋଗ ( Collar  rot disease -Macrophomina  phaseolina )

      ଏହି ରୋଗ ମଧ୍ୟ କାଣ୍ଡ ସଢ଼ା ରୋଗର କବକ ଯୋଗୁଁ ସଙ୍ଗଠିତ ହୋଇଥାଏ । ଏହି କବକ ର ସଂକ୍ରମଣ ଯୋଗୁଁ ନଳିତା ଗଛର ମୃତ୍ତିକା ଉପରିସ୍ଥ  ଅଂଶ  ପ୍ରଥମେ ବାଦାମୀ ରଙ୍ଗ ହୋଇ ପରେ ପରେ କଳାପଡ଼ି ତନ୍ତୁକୁ ସଂକ୍ରମିତ କରେ ଓ  ସଂକ୍ରମଣ ଅଧିକ ହେଲେ ସଂକ୍ରମିତ ସ୍ଥାନରୁ ଆକ୍ରାନ୍ତ ଗଛଟି ଭାଙ୍ଗିପଡ଼େ । ଫଳରେ ଏହାର ପ୍ରଭାବ ନଳିତା ଅମଳ  ଉପରେ ପଡେ ଓ  ଉତ୍ପାଦନ କମି ଯାଇ ଆର୍ଥିକ କ୍ଷତି ଚାଷୀ ମାନଙ୍କୁ ସହିବାକୁ ପଡେ । ଏହି ରୋଗ ଜୁଲାଇ ଶେଷ ଭାଗରୁ ଆରମ୍ଭ ହୋଇ ଫସଲ ଅମଳ ହେବା ପର୍ଯ୍ୟନ୍ତ ପରିଲକ୍ଷିତ ହୁଏ ।

କୋମଳ ସଢା ରୋଗ ( Soft rot disease - Sclerotium  rolfsii )

        ଏହା ଏକ ମୃତ୍ତିକାଵାହୀ କବକ ଜନିତ ରୋଗ । ଏହି ରୋଗ ହେଲେ ଗଛର ମୂଳଭାଗରେ କଅଁଳ ବାଦାମୀ ରଙ୍ଗ ଦାଗମାନ ଦେଖାଯାଏ । ସଂକ୍ରମିତ ଗଛର ଚୋପା ଆକ୍ରାନ୍ତ ସ୍ଥାନରୁ ଛାଡ଼ି ତନ୍ତୁଗୁଡ଼ିକ ବାହାରକୁ ଦେଖାଯାଏ ଏବଂ ଏହି ତନ୍ତୁ ବାଦାମୀ ରଙ୍ଗର ଦିଶେ ଓ ଏଥିରେ ଧଳାରଙ୍ଗର କବକ ଜାଲ ଥିବାର ମଧ୍ୟ ପରିଲକ୍ଷିତ ହୁଏ । ଏହାଛଡା ସଂକ୍ରମିତ କାଣ୍ଡରେ ଗାଢ଼ ବାଦାମୀ ରଙ୍ଗର ଚିହ୍ନ ମାନ ଦୃଷ୍ଟିଗୋଚର ହୁଏ । ଏହି ଦାଗ ସଢା ରୋଗର ବିଶେଷ ଲକ୍ଷଣ ଅଟେ ।

ଆନ୍ଥ୍ରାକନୋଜ ରୋଗ (Anthracnose disease - Colletotrichum corchorum /C .gleosporides )

       ଏହା ଏକ କବକ ଜନିତ ରୋଗ ଅଟେ । ଏହି ରୋଗ ହେଲେ ସଂକ୍ରମିତ ଗଛର କାଣ୍ଡ ଦେହରେ ବାଦାମୀ ରଙ୍ଗର ଦାଗମାନ ପରିଲକ୍ଷିତ ହୁଏ । ପରେ ପରେ ଦାଗ ଗୁଡ଼ିକର ଆୟତନ ବୃଦ୍ଧି ଘଟି ବଡ ବଡ ଦାଗ ସୃଷ୍ଟି ହୁଏ । ରୋଗ ସଂକ୍ରମଣ ଅଧିକ ଦିନର ବା ବେଶି ଦିନର ହେଲେ ବାଦାମୀ ରଙ୍ଗର ଦାଗ ଗୁଡିକ କଳାପଡି  ଟାଣ ହୋଇଯାଏ ଏବଂ ସଂକ୍ରମିତ ଅଂଶ କୁଞ୍ଚିତ ହୋଇଯାଏ । ଅଧିକ ଉତ୍ତାପ (୩୩ ୦ ସେଲସିୟସ ରୁ ଅଧିକ ) ଏବଂ ଶତକଡା ୮୪ ଭାଗରୁ ଅଧିକ ଆପେକ୍ଷିକ ଆଦ୍ରତା ତଥା ହେକ୍ଟର ପ୍ରତି ୬୦ କେଜି ରୁ ଅଧିକ ଯବକ୍ଷାରଜାନ  ପ୍ରୟୋଗ ସ୍ଥଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖାଯାଏ ।

ଅଗମରା ରୋଗ -(Die Back - Diplodia  corchori )

ଏହା ଏକ କବକ ଜନିତ ରୋଗ । ଏହି ରୋଗ ହେଲେ ସଂକ୍ରମିତ ଗଛର ଅଗଆଡୁ  ତଳ ଆଡକୁ ବାଦାମୀ ରଙ୍ଗ ହୋଇ ପରେ କଳାପଡ଼ି ଶୁଖି ମରିଯାଏ  । ସଂକ୍ରମିତ ଗଛରେ ଆଦୌ ପତ୍ର ନ ରହି ଝଡ଼ିପଡ଼େ । ଗଛ ଫୁଲଧରି ଆସିବାବେଳକୁ ଏହି ରୋଗ ସଂକ୍ରମିତ କରି ଫସଲର ପ୍ରଭୂତ କ୍ଷତି ଘଟାଏ।

ସମନ୍ବିତ ରୋଗ ପରିଚାଳନା

ଉନ୍ନତ ଚାଷ ପ୍ରଣାଳୀ

  • ନଳିତା ବୁଣିବାର ଏକମାସ ପୂର୍ବର ଜମିକୁ ଭଲଭାବେ ଗହିରିଆ ଖରଟିଏ ଚାଷ କରନ୍ତୁ । ଏହା ଦ୍ୱାରା ଜମିରେ ଥିବା ପୂର୍ବ ଫସଲର ମୂଳୀ ,ଅନାବନା ଘାସ ଓ ଏଥିରେ ଥିବା ରୋଗ ଜୀବାଣୁ ସୂର୍ଯ୍ୟାଲୋକ ସଂସ୍ପର୍ଶ ରେ ଆସି ନଷ୍ଟ ହୋଇ ଥାନ୍ତି ।
  • ଜମିରେ ଗଛ ସଂଖ୍ୟା ସଠିକ ରଖନ୍ତୁ । ପିତା ନଳିତା ହେକ୍ଟର ପିଛା ୫ ରୁ ୬ ଲକ୍ଷ ଓ ମଧୁର ନଳିତା ହେକ୍ଟର ପିଛା ୬ ରୁ ୭ ଲକ୍ଷ ରହିବା ଆବଶ୍ୟକ ।
  • ଅଧିକ ପରିମାଣ ର ଯବକ୍ଷାରଜାନ ସାର ପ୍ରୟୋଗ ନକରି ସନ୍ତୁଳିତ ପୋଷାକ ତତ୍ତ୍ୱ ବ୍ୟାବହାର କରିବା ଉଚିତ ।
  • ଜମିକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଜମିରୁ ପୂର୍ବ ଫସଲ ର ମୂଳୀ ,ଅନାବନା ଘାସ ଓ ଶୁଖିଲା ପତ୍ର ଇତ୍ୟାଦି ସଂଗ୍ରହ କରି ଅନ୍ୟତ୍ର ପୋଡି ଦିଅନ୍ତୁ।
  • ନିରୋଗ ସୁସ୍ଥ ସବଳ ବିହନ ବ୍ୟବହାର କରନ୍ତୁ । ବୁଣିବା ପୂର୍ବରୁ ବିହନ କୁ ୩ ଗ୍ରାମ କ୍ୟାପଟାନ  ବା ୩ ଗ୍ରାମ  ଥିରାମ  ବା 2 ଗ୍ରାମ କାରବେଣ୍ଡାଜିମ ବା ୧ ଗ୍ରାମ କାର୍ବୋକ୍ସିନ ବା  ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡେ ଦ୍ୱାରା ବିହନ ବିଶୋଧନ  କରନ୍ତୁ ।
  • ଫସଲ ପାର୍ଯ୍ୟାୟ ଅବଲମ୍ବନ କରନ୍ତୁ ।
  • ଜମିରେ ପାଣି ଜମିବାକୁ ଦିଅଣୁ ନାହିଁ ।
  • ପ୍ରଚୁର ପରିମାଣରେ ଜୈବିକ ଖତ ଓ ୫ କ୍ୱିଣ୍ଟାଲ ନିମ ପିଡିଆ ବା କରଞ୍ଜ ପିଡିଆ ବ୍ୟବହାର କରନ୍ତୁ ।

ଯାନ୍ତ୍ରିକ ପ୍ରଣାଳୀ

  • ଫସଲରୁ ସଂକ୍ରମିତ ପତ୍ର,କାଣ୍ଡ ତଥା ରୋଗାକ୍ରାନ୍ତ ଗଛ ଇତ୍ୟାଦି ହାତରେ ସଂଗ୍ରହ କରି ଖେତ ବାହାରେ ନଷ୍ଟ କରିଦିଅନ୍ତୁ ।

ଜୈବିକ ପ୍ରଣାଳୀ

  • ରୋଗର ପ୍ରାଦୁର୍ଭାବ ଦେଖାଗଲେ ପାଣି ଲିଟର ପିଛା ୫ ଗ୍ରାମ ଟ୍ରାଇକୋର୍ଡ଼ମା ଭିରିଡ଼ି ୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ ।

ବିପିନ କୁମାର ପ୍ରଧାନ

ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )

ଅମିତ ଫୋଂଗଲ୍ସା

ଉପନିର୍ଦେଶକ ସମ୍ପ୍ରସାରଣ (ମୂର୍ତ୍ତିକା ବିଜ୍ଞାନ )

ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ