
Mandia collection from 60 thousand farmers, image source - @agri_assam
ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ' ଅନ୍ତର୍ଜାତୀୟ ମିଲେଟ ବର୍ଷ'( International Year of Millet- 2023) ଭାବେ ଘୋଷଣା କରିଛନ୍ତି l ଭାରତର ମିଲେଟ ପ୍ରତି ଥିବା ଏହି ଚାହିଦାକୁ ବିଶ୍ୱରେ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ । ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ' ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ( FAO) କିଛି ଦିନ ପୂର୍ବରୁ ଇଟାଲୀର ରୋମରେ' ଆନ୍ତର୍ଜାତୀୟ ବର୍ଷ ମିଲେଟ୍- ୨୦୨୩ ( IYM- 2023) ଆରମ୍ଭ କରିଥିଲେ । ତେବେ ଭାରତରେ ମୋତି ମିଲେଟ ତଥା ବାଜ୍ରା, ଫିଙ୍ଗର ମିଲେଟ/ ରାଗି, ଫକ୍ସଟେଲ ମିଲେଟ/ କାଙ୍ଗନି, ପ୍ରୋସୋ ମିଲେଟ/ ବାରଗୁ, ସୋରିମ୍/ ଜୱାର, ଲିଟିଲ ମିଲେଟ, କୋଦୋ ଇତ୍ୟାଦି ୬ ରୁ ୭ ପ୍ରକାରର ମିଲେଟ ଚାଷ କରାଯାଏ । FAO ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୦- ୨୧ ମସିହାରେ ଭାରତ ୧୨ ନିୟୁତ ଟନ୍ କଠିନ ଶସ୍ୟ ବା ମୋଟା ଅନାଜ ଉତ୍ପାଦନ କରିଥିଲା ଏବଂ ୪୧ ପ୍ରତିଶତ ଅଂଶଧନ ସହ ଭାରତ ବିଶ୍ୱର ସବୁଠାରୁ ଅଧିକ ଉତ୍ପାଦକ ଦେଶ ଅଟେ ।
ପରିସଂଖ୍ୟାନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଭାରତ ହେଉଛି ବିଶ୍ୱର ୫ମ ବୃହତ୍ତମ ଶସ୍ୟ ରପ୍ତାନକାରୀ ଦେଶ । ଯଦି ଆମେ ଦେଶର ସବୁଠାରୁ ଅଧିକ ଶସ୍ୟ ଉତ୍ପାଦନ କରୁଥିବା ରାଜ୍ୟମାନଙ୍କ ବିଷୟରେ ଆଲୋଚନା କରିବା, ତେବେ ସେଗୁଡ଼ିକ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ଆଉ ଏବେ ଆଗକୁ ଏଥିରେ ଓଡିଶା ମଧ୍ୟ ସାମିଲ ହେବାକୁ ଯାଉଛି । ସେହିପରି ସୂଚନା ଅନୁଯାୟୀ ଓଡ଼ିଶାରେ ଚଳିତ ବର୍ଷ ୬୦ ହଜାର ଚାଷୀଙ୍କ ଠାରୁ ୬ ଲକ୍ଷ ୩ ହଜାର କ୍ବିଣ୍ଟାଲ ମାଣ୍ଡିଆ ବା ମିଲେଟ ସଂଗ୍ରହ କରିଛି ଟିଡିସିସିଓଏଲ । ତେବେ ଗତବର୍ଷ ୩ ଲକ୍ଷ ୨୩ ହଜାର କ୍ବିଣ୍ଟାଲ ସେହିପରି ଅନ୍ୟପଟେ ୨୦୨୦ ମସିହାରେ ୨ ଲକ୍ଷ ୩ ହଜାର ଏବଂ ୨୦୧୯ରେ ୯୪ ହଜାର ଏବଂ ୨୦୧୮ ମସିହାରେ ୧୭ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଥିଲା ରାଜ୍ୟରେ ।
ତେବେ ରାଜ୍ୟ କୃଷି ବିଭାଗ ଆକଳନ ଅନୁଯାୟୀ ଏହି ବର୍ଷ ୮ ଲକ୍ଷ ମାଣ୍ଡିଆ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସୂଚନା ରହିଛି l ତେବେ ଏହି ଲକ୍ଷ୍ୟ ଅନୁଯାୟୀ ଉତ୍ପାଦନ କମ ହୋଇଛି ଏ ବର୍ଷ l ରାଜ୍ୟରେ ମିଲେଟ୍ ମିସନ କାର୍ଯ୍ୟକାରୀ ହେବାର ୬ ବର୍ଷ ହୋଇଛି ଏହାରି ଭିତରେ । ଆସନ୍ତା ବର୍ଷ ମାଣ୍ଡିଆ ସହିତ ସୁଆଁକୁ ମଧ୍ୟ ସାମିଲ କରିବାର ଯୋଜନା ରହିଛି । ଏଥିପାଇଁ ଓୟୁଏଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁଆଁର ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ପୂର୍ବ ଘୋଷଣା ଅନୁଯାୟୀ ଚଳିତ ବର୍ଷ ଠାରୁ ମିଲେଟ୍ ମିସନ ଅନ୍ତର୍ଗତରେ ରାଜ୍ୟର ୩୦ ଜିଲ୍ଲାରେ ମାଣ୍ଡିଆ ଚାଷ ଆରମ୍ଭ ହୋଇଛି । ଏଥିରେ ସାଢ଼େ ୬ ଲକ୍ଷ ଚାଷୀ ଯୋଡ଼ି ହୋଇଛନ୍ତି । ଗତବର୍ଷ ୧୯ ଜିଲ୍ଲା, ୨୦୨୦ ମସିହାରେ ୧୫ ଜିଲ୍ଲାରେ ଏହି ଚାଷ କରାଯାଉଥିଲା । ପୁଷ୍ଟିକର ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଚାଷ ହେଉଥିଛି । ମିଲେଟ୍ ତିଆରି ଶୁଖିଲା ଜଳଖିଆ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ ସମେତ ୮ଟି ସ୍ଥାନରେ ମିଲେଟ୍ କେନ୍ଦ୍ର ମଧ୍ୟ ଖୋଲିଛି । ଖୁବଶୀଘ୍ର ରାଜ୍ୟରେ ସବୁ ଠାରେ ମିଲେଟ୍ ବିକ୍ରୟ କେନ୍ଦ୍ର ଖୋଲାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Share your comments