ଛତୁ ତରକାରୀର ଏକ ନିଆରା ସ୍ୱାଦ ଏବଂ ସ୍ୱତନ୍ତ୍ର ମହକ l ଏମିତି ତ ଦେଖିବାକୁ ଗଲେ ଶାକାହାରୀମାନେ ସେମାନଙ୍କ ଭୋଜନରେ ଛତୁକୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି କାରଣ ଛତୁରେ ଯଥେଷ୍ଟ ପରିମାଣର ପୋଷକତତ୍ତ୍ୱ ଭରି ରହିଛି l ଦିନ ଥିଲା କେବଳ ବର୍ଷ ଦିନରେ ଅଳ୍ପ କିଛି ପରିମାଣର ଦେଶୀ ଛତୁ ମିଳୁଥିଲା l ଏବେ ସମୟ ବଦଳିଛି l ଛତୁର ଚାହିଦା ବୃଦ୍ଧି ପାଇଛି l ଆଗ୍ରହୀ ବ୍ୟକ୍ତି ତଥା ଗୋଷ୍ଠୀଗୁଡ଼ିକ ଛତୁକୁ ବ୍ୟବସାୟିକ ଭିତିରେ ଚାଷ କରିବା ଆରମ୍ଭ କରିଦେଲେଣି l ଛତୁ ଚାଷ ନିମନ୍ତେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରି କିପରି ଗ୍ରାମୀଣ ମହିଳାମାନେ ଲାଭବାନ ହୋଇଛନ୍ତି ତାହାର ଏକ ଉଦାହରଣ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଡାଲପୋଷ ଗାଁ l
କଥାରେ କୁହାଯାଏ ଯେ, ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ l ଏହି ଗାଁର ମହିଳାମାନେ ପ୍ରଥମେ ପ୍ରଥମେ ଅଳ୍ପ ପରିମାଣର ଓଦା କିସମର ଛତୁ ଚାଷ କରୁଥିଲେ l ଆରମ୍ଭରୁ ୮ ରୁ ୧୦ ଜଣ ଛତୁ ଚାଷରେ ସାମିଲ ହୋଇଥିଲେ l ଏହି ପ୍ରକାରର ଛତୁଚାଷ ଯଦିଓ ଚାଲୁରହିଥିଲା ଏହି ଓଦା ଛତୁକୁ ଖୁବ ଶୀଘ୍ର ବିକ୍ରି କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଥିଲା ଏବଂ ଏହି ବ୍ୟବସାୟ ଆଗକୁ ଠିକ ଭାବରେ ଆଗେଇ ପାରିଲା ନାହିଁ l ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବେ ସେମାନେ ଶୁଖିଲା ଛତୁ ଚାଷ କରିବା ପଦ୍ଧତି ଆପଣାଇଛନ୍ତି l ଛତୁକୁ ମେସିନ ସାହାଯ୍ୟରେ ଶୁଖାଇ ସେମାନେ ବିକ୍ରି କରିବାକୁ ପଠାଉଛନ୍ତି ଯାହା ଦ୍ୱାରା ଛତୁ ବହୁତ ସମୟ ଧରି ରହିପାରୁଛି l ମହିଳାମାନେ ଏହି ପ୍ରକ୍ରିୟାରେ ଛତୁଚାଷ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି l ବର୍ତ୍ତମାନ ଡାଲପୋଷ ଗ୍ରାମର ୩୦୦ ରୁ ଉର୍ଦ୍ଧ୍ୱ ମହିଳା ଏହି ଛତୁଚାଷ ସହିତ ଜଡ଼ିତ ଅଟନ୍ତି l
ଶୁଖିଲା ଛତୁ ନିମନ୍ତେ ସେମାନେ ମୁଖ୍ୟତଃ ଧିଙ୍ଗିରି, ଓଏଷ୍ଟର, ମିଲ୍କି ପ୍ରଭୃତି କିସମ ଚାଷ କରୁଛନ୍ତି l ଗୋଟିଏ ଛତୁ ଝୁଲାରେ ୨୦୦ ଗ୍ରାମ ବିହନ ଦିଆଯାଏ l ଏହାକୁ ୧୫ ଦିନ ପରେ ଖୋଲିଦିଆଯାଏ l ୨୦ ରୁ ୨୫ ଦିନ ମଧ୍ୟରେ ଏହି ଝୁଲାରୁ ୨ ରୁ ୨.୫ କି.ଗ୍ରା. ପର୍ଯ୍ୟନ୍ତ ଛତୁ ତୋଳାଯାଏ l
ଡାଲପୋଷ ଗାଁର ଅଧିକାଂଶ ମହିଳା ଛତୁ ଚାଷରେ ନିୟୋଜିତ ହୋଇ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି l ଖୁବ ଶୀଘ୍ର ଏହି ଗାଁଟି ଛତୁ ଚାଷ କରି ପ୍ରସିଦ୍ଧି ଅର୍ଜନ କରିବ ଏବଂ ଛତୁ ଗାଁ ଭାବରେ ପରିଚିତ ହେବ ଆସ କରାଯାଉଛି l
Share your comments