ଆମର ପିଲା ଦିନରୁ ଆମେ ସମସ୍ତେ ବହିରେ ପଢ଼ି ଆସିଛେ ଯେ, ଭେଣ୍ଡି ଗୋଟିଏ ଭଲ ପରିବା l ସତରେ ଭେଣ୍ଡି ଗୋଟିଏ ଭଲ ପରିବା l ଏହାର ପୌଷ୍ଟିକତା ଦୃଷ୍ଟିରୁ ଏହା ବହୁତ ଭଲ ଏବଂ ବ୍ୟବସାୟିକ ଲାଭ ଦୃଷ୍ଟିରୁ ମଧ୍ୟ ବେଶ ଅନୁକୂଳ ଅଟେ l ଭେଣ୍ଡି ଫସଲ ସାରା ଦେଶରେ ଚାଷ କରାଯାଇଥାଏ । ଭେଣ୍ଡି ଗଛ ମଧ୍ୟ କାଗଜ ତିଆରିରେ ବ୍ୟବହାର ହୁଏ । ତେବେ ସେ ଯାହା ହେଉ ନା କାହିଁକି ଭେଣ୍ଡି ଯେ ଏକ ସୁସ୍ଵାଦୁ ପରିବା ଏଥିରେ କୌଣସି ସନ୍ଦେହ ନାହିଁ । ଭେଣ୍ଡି ଏକ ଲାଭଜନକ ପରିବା । ଏହା ଅଳ୍ପ ପରିଶ୍ରମରେ ଓ ଅଳ୍ପ ଦିନରେ ହେଉଥିବାରୁ ଚାଷୀ ବେଶ୍ ଲାଭବାନ ହୋଇଥାନ୍ତି । ଭଲ ଭାବରେ ଚାଷ କଲେ ଏକର ପିଛା ପ୍ରାୟ ୪୦ କ୍ଵିଣ୍ଟାଲ ଭେଣ୍ଡି ମିଳିପାରିବ । ଭେଣ୍ଡିକୁ ଉଭୟ ବର୍ଷା ଓ ଖରାଦିନ ମଧ୍ୟ ଚାଷ କରାଯାଇ ପାରିବ । ଆଜିକାଲି ଉତ୍କଳଗୌରବ, ଆର୍କ ଅନାମିକା ଉନ୍ନତ ଭେଣ୍ଡି କିସମ ବାହାରିଲାଣି । ଏହି କିସମର ଅମଳ ଏକର ପିଛା ୪୦ କ୍ଵିଣ୍ଟାଲରୁ ମଧ୍ୟ ଅଧିକ ହୋଇ ପାରୁଅଛି । ଆଜି ଆସନ୍ତୁ ଏହି ଭେଣ୍ଡିର ଚାଷ ପ୍ରଣାଳୀ ବିଷୟରେ ସବିଶେଷ ଆଲୋଚନା କରିବା l
ଶୀତଦିନକୁ ଛାଡ଼ି ଦେଲେ ବର୍ଷ ର ଅନ୍ୟ ସବୁ ସମୟରେ ଭେଣ୍ଡି ଚାଷ ହୋଇପାରିବ । ତେବେ ଅତ୍ୟଧୁକ ଖରାହେ ଲେ କଢ଼ ଝଡ଼ି ପଡ଼ିବାର ଆଶଙ୍କା ଥାଏ । ସେହି ପରି ମାଟିର ଉତ୍ତାପ କମିଗଲେ ମଞ୍ଜି ଗଜା ହୁଏ ନାହିଁ । ଶୀତଦିନେ ବାୟୁମଣ୍ଡଳରେ ଉତ୍ତାପ କମ୍ ରହୁ ଥିବାରୁ ଗଛ ମଧ୍ୟ ଭଲ ବଢ଼େ ନାହିଁ । ତେବେ ଆମ ରାଜ୍ୟରେ ଫେବୃଆରୀ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଓ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସରେ ଭେଣ୍ଡି ଲଗାଯାଇପାରିବ । ଜୁଲାଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେଉଥିବାରୁ ଓ ଡିସେମ୍ବର-ଜାନୁଆରୀ ମାସରେ ଶୀତ ହେଉଥିବାରୁ ଭେଣ୍ଡି ଭଲ ହୁଏ ନାହିଁ । ଭେଣ୍ଡି ପ୍ରାୟ ସବୁ ମାଟିରେ ଚାଷ କରାଯାଇପାରିବ । ତେବେ ଉର୍ବର ଦୋରସା ମାଟିରେ ଏହା ଭଲ ହୁଏ । ଧାନ ଅମଳ ପରେ ଖାଲି ବିଲମାନଙ୍କରେ ମଟାଳ ମାଟିରେ ମଧ୍ୟ ଭେଣ୍ଡି ଚାଷ କରାଯାଇପାରେ । ଭେଣ୍ଡି ବିଲରେ ଅଧିକ ପାଣି ଜମିଗଲେ ଗଛ ମରିଯାଏ । ତେବେ ଗୋଟିଏ କଥା ମନେରଖୁବା ଉଚିତ୍ ଯେ ସବୁ ପନିପରିବା ପରି ଭେଣ୍ଡି ଚାଷ ପାଇଁ ବିଲରେ ଯଥେଷ୍ଟ ପରିମାଣରେ ଖତ ଦେବା ଉଚିତ୍ । ଏକ ଏକର ବିଲରେ ୮ ରୁ ୧୦ ଗାଡ଼ି ଭଲ ଖତ ଦେଲେ ମାଟିର ଉର୍ବରତା ବଢ଼ିଥାଏ । ମଝିରେ ମଝିରେ ଭେଣ୍ଡିଚାଷ ପୂର୍ବରୁ ବିଲରେ ସବୁଜ ସାର ଫସଲ ଚାଷ କଲେ ମଧ୍ୟ ମାଟିରେ ଜୈବିକ ପଦାର୍ଥର ପରିମାଣ ବଢ଼ିଥାଏ ।
ଭେଣ୍ଡିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ସାୱାନୀ, ବୈଶାଳୀ ବଧୁ, ପଞ୍ଜାବ ପଦ୍ଧିନୀ, ଆର୍କ ଅନାମିକା, ଆର୍କା ଅଭୟ ଆଦି କିସମ ଚାଷ କରାଯାଇପାରିବ । ପରବାଣିକ୍ରାନ୍ତି ନାମକ ଉନ୍ନତ କିସମର ଭେଣ୍ଡିରେ ପତ୍ର ହଳଦିଆ । ବା ସାହେବୀ ରୋଗ ହୁଏ ନାହିଁ । ଏହା ଉଭୟ ବର୍ଷା ଓ ଖରାଦିନେ ଚାଷ କରାଯାଇପାରିବ । ବର୍ଷାଦିନେ ଗଛ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ ଓ ଖରାଦିନେ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଫଳଗୁଡ଼ିକ ବେଶ୍ ବଡ଼ ଓ ଖାଇବାକୁ ସ୍ଵାଦିଷ୍ଟ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଉତ୍କଳ ଗୌରବ ନାମକ ଏକ ଉନ୍ନତ କିସମ ବାହାର କରାଯାଇଅଛି । ଏହି କିସମରେ ସାହେବୀ ରୋଗ ହୁଏ ନାହିଁ । ପୁଷା ସାୱାନୀ ସବୁ ଋତୁରେ ଚାଷ କରାଯାଇପାରେ । ପଞ୍ଜାବ ପଦ୍ମିନୀ ୫୫ ରୁ ୬୦ ଦିନରେ ଅମଳ ହୋଇଥାଏ ।
ଭେଣ୍ଡି ଚାଷ ପାଇଁ ଜମିକୁ ଭଲ ଭାବରେ ଚାଷ କରିବା ଦରକାର । ଲୁହା ଲଙ୍ଗଲରେ ଦୁଇରୁ ତିନି ଥର ଚାଷ କରି ମଇଦେଇ ମାଟି ଗୁଣ୍ଡ କରିବା ଉଚିତ୍ । ପ୍ରଥମେ ଲୁହା ଲଙ୍ଗଳରେ ଚାଷକରି ଦୁଇରୁ ତିନିଥର ଚକ୍ରବିଦା ଚଳାଇଲେ ମାଟି ଗୁଣ୍ଡ ହୋଇଯାଏ । ଏକ ଏକର ପାଇଁ ବର୍ଷାଦିନେ ୫-୬ କିଲୋଗ୍ରାମ୍ ମଞ୍ଜି ଦରକାର ହୋଇଥାଏ । ଲଗାଇବା ଦୂରତା ଅନୁସାରେ ବିହନ ପରିମାଣ କମ୍ ବେଶୀ ହୋଇପାରେ । ଚାଷ ସମୟରେ ବିଲରେ ଏକର ପିଛା ୮ ରୁ ୧୦ ଗାଡ଼ି ସଢ଼ା ଗୋବର ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍ । ଭେଣ୍ଡି ପାଇଁ ଏକର ପିଛା ପ୍ରାୟ ୩୨ କିଲୋଗ୍ରାମ୍ ଯବକ୍ଷାର, ୧୬ କିଲୋଗ୍ରାମ୍ ଫସ୍ଫରସ୍ ଓ ୧୬ କିଲୋଗ୍ରାମ୍ ପଟାସ ଖାଦ୍ୟସାର ଆବଶ୍ୟକ ହୋଇଥାଏ । ଏହି ପରିମାଣର ଖାଦ୍ୟ ସାର ପାଇବା ପାଇଁ ଏକର ପିଛା ୭୦ । କିଲୋଗ୍ରାମ୍ ୟୁରିଆ ବା ୧୨୮ କିଲୋଗ୍ରାମ୍ କାଲସିୟମ ଆମୋନିଅମ ନାଇଟ୍ରେଟ୍, ୧୦୦ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍ଫେଟ୍ ଓ ୨୭ କିଲୋଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ । ଫସ୍ଫରସ ଓ ପଟାସ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ଲଗାଯାଏ । ଆବଶ୍ୟକ ହେଉଥିବା ଯବକ୍ଷାର ଜାତୀୟ ସାରର ଅଧେ ଗଛ ଲଗାଇବା ସମୟରେ ଓ ଆଉ ଅଧେକ ଗଛ ଉଠି ବାର ୩ ସପ୍ତାହ ପରେ ଦେବା ଉଚିତ୍ । ମୂଳ ସାର ହିସାବରେ ବିହନ ବୁଣାବେଳେ ୩୫ କିଲୋଗ୍ରାମ୍ ଡିଏପି, ୨୭ କିଲୋଗ୍ରାମ୍ ଫୁଟ୍ ଅଫ୍ ପଟାସ ଓ ୨୧ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରାଯାଇପାରେ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ମଧ ପ୍ରୟୋଗ କରାଯାଇପାରିବ ।
ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫–୩୦ ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ଲଗାଇବା ଉଚିତ୍ । ଲଗାଇବା ପୂର୍ବରୁ ମଞ୍ଜିକୁ ମ ବା କାର୍ବେଣ୍ଡାଜିମ୍ ସହିତ ଗୋଳାଇ ବିଶୋଧନ କରାନ୍ତୁ । ପ୍ରତି ଏକ କିଲୋଗ୍ରାମ୍ ମଞ୍ଜିପାଇଁ ୩ ଗ୍ରାମ୍ ହିସାବରେ ଥିରାମ ବା ଦେଢ଼ଗ୍ରାମ୍ କାର୍ବେଣ୍ଡାଜିମ୍ ବ୍ୟବହାର କରନ୍ତୁ । ଗଛ ଉଠିବାର ୩ ସପ୍ତାହ ପରେ ବିଲାକୁ ବଛାବଛି କରି ଅବଶିଷ୍ଟ ଯବକ୍ଷାର ଜାତୀୟ ସାର ଦେଇ ହୁଡ଼ା ଟେକି ଦିଅନ୍ତୁ । ଏହି ସମୟରେ ଏକର ପ୍ରତି ୩୫ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରିବା ଦରକାର । ବର୍ଷାଦିନେ ପ୍ରାୟ ପାଣି ମଡ଼ାଇବା ଦରକାର ହୁଏ ନାହିଁ । କିନ୍ତୁ ଖରାଦିନେ ପ୍ରତି ସପ୍ତାହରେ ଥରେ ପାଣି ମଡ଼ାଇବା ଆବଶ୍ୟକ ହୋଇଥାଏ । ଭେଣ୍ଡି ଲଗାଇବା ବେଳେ ବିଲରେ ପାଗ ଥାଇ ମଞ୍ଜି ଲଗାଇବା ଉଚିତ୍ ।
ଭେଣ୍ଡି ଖରାଦିନେ ପ୍ରାୟ ୩୦ ଦିନ ପରେ ଓ ବର୍ଷାଦିନେ ଦେଢ଼ମାସ ପରେ ଫଳିବାକୁ ଆରମ୍ଭ କରେ । ଫଳ ଆସିବାର ୫ ରୁ ୬ ଦିନ ଭିତରେ ଫଳଗୁଡ଼ିକ ତୋଳିବା ଉପଯୋଗୀ ହୋଇଥାଏ । ଭଲଭାବରେ ଚାଷ କଲେ ଭେଣ୍ଡିରୁ ଏକର ପିଛା ପ୍ରାୟ ୩୦ ରୁ ୪୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ । ପରବାଣିକ୍ରାନ୍ତି କିସମର ଏକର ପିଛା ୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମଧ୍ୟ ଅମଳ ମିଳିପାରିବ । ମଞ୍ଜି ପାଇଁ ଭେଣ୍ଡି ଚାଷକଲେ ଏକ ଏକର ରୁ ପ୍ରାୟ ୩-୪ କ୍ୱିଣ୍ଟାଲ ମଞ୍ଜି ମିଳିଥାଏ । ତେବେ ଫଳଗୁଡ଼ିକ ଭଲଭାବରେ ଶୁଖିଗଲେ ତାହାକୁ ମଞ୍ଜି ପାଇଁ ଅମଳ କରିବା ଆବଶ୍ୟକ । ଭେଣ୍ଡିରେ ହଳଦିଗୁଣ୍ଡି ପୋକ ଲାଗି ପତ୍ରରୁ ରସ ଶୋଷି ନିଅନ୍ତି । ଅନେକ ସମୟରେ ଫଳବିନ୍ଧା ଓ ପତ୍ରପୋଡ଼ା ପୋକ ମଧ୍ୟ ଫସଲର କ୍ଷତି କରିଥାନ୍ତି । ଏହି ପୋକମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକର ପିଛା ୪୦୦ ମିଲିଲିଟର (୧ ଲିଟର – ୧୦୦୦ ମିଲି ଲିଟର ) ହିସାବରେ ମାଲାଥିଅନ ଔଷଧ ପକାଇବା ଉଚିତ୍ । ଏହା ଛଡ଼ା କାର୍ବାରିଲ ୦.୨% ବା ଡାଇକ୍ଲୋରୋଫସ୍ ୦.୦୫% ସ୍ପ୍ରେ କରିବା ଦରକାର । ଭେଣ୍ଡି ଗଛରେ ପତ୍ର ହଳଦିଆ ପତ୍ର ହଳଦିଆ ପଡ଼ିଯାଏ ଯାହାକୁ ସାହେବୀ ରୋଗ କହନ୍ତି । ଉତ୍କଳ ଗୌରବ ଓ ଅନାମିକା କିସମରେ ଏହି ରୋଗ ପ୍ରାୟ ହୁଏ ନାହିଁ । ଏହି ରୋଗର ଭୂତାଣୁ ଧଳାମାଛି ଦ୍ଵାରା ପରି ବାହିତ ହୋଇ ଥାଏ । ଧଳା ମାଛି ଦମନ ପାଇଁ ଉପର ବଣ୍ଡିତ କୀଟନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ । ଔଷଧ ପକାଇବା ପୂର୍ବରୁ ସବୁ ଫଳ ତୋଳି ଦେବା ଉଚିତ୍ । ଔଷଧ ପକାଇବା ପରେ ୭ ଦିନ ପର୍ଯ୍ୟନ୍ତ ଫଳ ତୋଳିବା ଉଚିତ୍ ନୁହେଁ ।
Share your comments