1. କୃଷି ବିଶ୍ବକୋଷ

ସାରୁ ଚାଷରେ ଲାଭ ହିଁ ଲାଭ !!

ଓଡ଼ିଆ ଘରର ତରକାରୀରେ ସାରୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l ଘରୋଇ ତରକାରୀ ବା ବାହାଘର ଭୋଜି ସବୁରେ ସାରୁକୁ ଆଜି ଖୋଜାଯାଏ l ବ୍ୟବସାୟିକ ଭିତିରେ ସାରୁ ଚାଷ କରି ଓଡ଼ିଶାର ଚାଷୀଭାଇମାନେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l

Sugyan Kumar Nayak
Sugyan Kumar Nayak
Arum Farming

Arum Farming

ଓଡ଼ିଆ ଘରର ତରକାରୀରେ ସାରୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l ଘରୋଇ ତରକାରୀ ବା ବାହାଘର ଭୋଜି ସବୁରେ ସାରୁକୁ ଆଜି ଖୋଜାଯାଏ l ବ୍ୟବସାୟିକ ଭିତିରେ ସାରୁ ଚାଷ କରି ଓଡ଼ିଶାର ଚାଷୀଭାଇମାନେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଏହାକୁ ଦୃଷ୍ଟିରେ ରଖି ଆଜି ଏଠାରେ ଆମେ ସାରୁ ଚାଷ ବିଷୟରେ କିଛି ଉପାଦେୟ ତଥ୍ୟର ଆଲୋଚନା କରାଯାଉଛି l 

ଆମ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ସାରୁ ଚାଷ କରାଯାଇଥାଏ । ଭୋଜି ଭାତ ସମୟରେ ଏହା ବହୁଳ ଭାବରେ ହୋଇଥାଏ । ସାରୁକୁ ଯଦିଓ ତରକାରୀ କରି ମୁଖ୍ୟତଃ ଖିଆ ଯାଇଥାଏ, କେତେକ ଜାଗାରେ ଏହାକୁ କାଟି ଶୁଖାଇ ତେଲରେ ଭାଜି ମଧ୍ୟ ଖିଆଯାଏ । ପଶ୍ଚିମବଙ୍ଗରେ ସାରୁ ନାଡ଼ିକୁ ମଧ୍ୟ ଲୋକେ ତରକାରି କରି ଖାଇଥାନ୍ତି । କଞ୍ଚା ସାରୁ ସାଧାରଣତଃ ଗଲୁ ଲାଗେ । ସାରୁରେ ସାଧାରଣତଃ ଚର୍ବି, ଫସ୍‌ଫରସ୍, ସୋଡ଼ିଅମ, ଭିଟାମିନ୍ ଏ, ବି, ସି, ଲୌହ, କାଲସିୟମ, ପୋଟାସିଅମ ପ୍ରଭୃତି ଅନେକ ଧାତବ ଲବଣ ରହି ଥାଏ ।

ସାରୁ ସାଧାରଣତଃ ଖରାଦିନେ ଚାଷ କରାଯାଏ । ଫ୍ରେବୃୟାରୀ ଠାରୁ ଅପ୍ରେଲ, ମେ ପର୍ଯ୍ୟନ୍ତ ମଧ୍ୟ ସାରୁ ଲଗାଯାଏ । ତେବେ ବର୍ଷା ପୂର୍ବରୁ ସାରୁ ବିଲର ସବୁ ଚାଷ କାମ ସାରିଦେବା ଭଲ । ଯେ କୌଣସି ମାଟିରେ ସାରୁ ଚାଷ କରାଯାଇ ପାରୁଥିଲେ ମଧ୍ୟ ଦୋରସା ଓ ଉର୍ବର ମାଟିରେ ଭଲ ହୁଏ । ଅନେକ ସମୟରେ ମଝାଳିଆ ଜମିରେ ଲୋକେ ସାରୁ ଚାଷ କରି ତାହାକୁ ଜୁଲାଇ ମାସ ଶେଷ ଆଡ଼କୁ ଖୋଳି ହିଁରେ ଧାନ ମଧ୍ୟ ହୋଇଥାନ୍ତି । ତେବେ ଟିକିଏ ଢିପ ବା ମଝାଳିଆ ଜମିରେ ସାରୁ ଭଲହୁଏ । ସାରୁର ଉନ୍ନତ କିସମଗୁଡିକ ମଧ୍ୟରେ ମୁକ୍ତକେଶୀ, ଝାଙ୍କଡ଼ି, ପାଣିସାରୁ, ଓ ଶଙ୍ଖସାରୁ ଅନ୍ୟତମ। ବିଲକୁ ଭଲ ଭାବରେ ଚାଷ କରନ୍ତୁ । ସାରୁ ଫସଲ କରିବା ପାଇଁ ଜମିରେ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ । ଉନ୍ନତ କିସମର ବିହନ ବାଛି ଲଗାନ୍ତୁ । ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ । ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ । ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଚାଷ ପ୍ରଣାଳୀ

ଜମିକୁ ଲୁହା ଲଙ୍ଗଳ ସାହାଯ୍ୟରେ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦେବା ଉଚିତ୍ । ଚାଷ କରିବା ସମୟରେ ଏକର ପିଛା ୧୦/୧୨ ଗାଡ଼ି ଭଲ ଖତ ବିଲରେ ଦେଇ ମାଟିରେ ମିଶାଇ ଦେବା ଦରକାର । ଆମ ରାଜ୍ୟରେ ସାଧାରଣତଃ ସାରୁ ଫସଲରେ ସୁପର ଫସ୍‌ଫେଟ୍ ସାର ଦିଅନ୍ତି ନାହିଁ । ଫଳରେ ସେମାନେ ଅମଳ କମ୍ ପାଇଥାନ୍ତି । କିନ୍ତୁ ଲଗାଇବା ସମୟରେ ଏକର ପିଛା ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୮୦ କିଲୋ ମ୍ୟୁରେଟ ଅଫ୍ ପଟାସ୍ ଦେବା ଉଚିତ୍ । ସବୁତକ ସୁପର ଫସଫେଟ୍ ଓ ପଟାସକୁ ସିଆରରେ ଦେଇ ସାରୁ ମଞ୍ଜି ଲଗାଇ ମାଟି ଘୋଡ଼ାଇ ଦିଅନ୍ତୁ । ସାଧାରଣତଃ ଦୁଇ ସିଆର ମଧ୍ୟରେ ବ୍ୟବଧାନ ଦେଢ଼ ଫୁଟ ରଖନ୍ତୁ ଏବଂ ସିଆର ଭିତରେ ୬ ରୁ ୮ ଇଞ୍ଚ ଛାଡ଼ି ଗୋଟିଏ ଗୋଟିଏ ପୁଆ ଲଗାନ୍ତୁ । ଏକର ପିଛା ପ୍ରାୟ ୩ କ୍ୱିଣ୍ଟାଲ ପର୍ଯ୍ୟନ୍ତ ପୁଆ ଆବଶ୍ୟକ ହୋଇଥାଏ । ଲଗାଇବା ପୂର୍ବରୁ ପୁଆଗୁଡ଼ିକୁ ଗଜା କରେଇ ନେବା ଦରକାର । ବିଲରେ ପାଗ ଥିଲାବେଳେ ପୁଆ ଲଗାନ୍ତୁ ଏବଂ ଗଜା ବାହାରି ଗଲା ପରେ ପାଣି ଦିଅନ୍ତୁ । ସାରୁ ଗଛ ଉଠିଗଲା ପରେ ୨୦ ରୁ ୨୫ ଦିନ ପରେ ବିଲର ଘାସ ଇତ୍ୟାଦି ବାଛି ଏକ ର ପିଛା ୪୦ କି.ଗ୍ରା. ୟୁରିଆ ଦେଇ ହୁଡା ଟେକି ଦିଅନ୍ତୁ । ସାର ଦେବା ପରେ ପରେ ପାଣି ଦିଅନ୍ତୁ । ସାରୁ ଖରାଦିନେ ଲାଗୁ ଥିବାରୁ ପ୍ରାୟ ପ୍ରତି ୭-୮ ଦିନ ଅନ୍ତରରେ ପାଣି ଦରକାର କରିଥାଏ ।  ସାରୁରେ ସାଧାରଣତଃ ପୋକ ରୋଗ ଖୁବ୍ କମ୍ ହୋଇଥାଏ । ତେବେ ବ୍ରାଇଟ୍ ନାମକ ରୋଗ ବର୍ଷାଦିନେ ହୋଇଥାଏ । ଏହା ହେବା ଦ୍ଵାରା ପତ୍ରରେ ନାଲି ନାଲି ଗୋଲାକାର ଚିହ୍ନ ଦେଖାଯାଏ । କ୍ରମେ ଏହା ଗଛର ସବୁ ଆଡ଼କୁ ବ୍ୟାପି ଶେଷରେ ଗଛ ମରିଯାଏ ।

ପ୍ରାୟ ଲଗାଇବାର ୪/୫ ମାସ ପରେ ସାରୁ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଏକର ପିଛା ପ୍ରାୟ ୫୦ ରୁ ୬୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ସାରୁ ମିଳିଥାଏ । ଠିକ୍ ସମୟରେ ସାରୁ ଅମଳ କରି ବିକ୍ରି କରନ୍ତୁ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments