ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) କେରଳ ମାଟି ପାଇଁ ପଲିହାଲାଇଟ୍ ସାର ସହିତ କାସାବା ଗଛର ପୋଷଣ ସମ୍ବନ୍ଧରେ ସାମ୍ପ୍ରତିକ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ କୃଷି ଜାଗରଣର ଫେସବୁକ୍ ପୃଷ୍ଠାରେ ଏକ ଆଲୋଚନାର ସିଧା ପ୍ରସାରଣ କରିଲା l ଏହି ଆଲୋଚନାର ପ୍ରମୁଖ ବକ୍ତାମାନେ ହେଲେ ଡଃ. ଆଦି ପେରେଲମାନ, ସେ ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆର ସଂଯୋଜକ ଅଟନ୍ତି ଏବଂ ଡଃ. ସୁସାନ ଜନ, ପ୍ରିନସିପାଲ ବୈଜ୍ଞାନିକ, ICAR – କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ (CTCRI).
ଆପଣ କୃଷି ଜାଗରଣର ଅଫିସିଆଲ୍ ପୃଷ୍ଠାରେ ରେକର୍ଡ କରାଯାଇଥିବା ଏହି ସେସନକୁ ପାଇପାରିବେ l ଏହା ଏକ ସବିଶେଷ ଆଲୋଚନା ହୋଇଥିଲା ଯେଉଁଥିରେ କାସାବା ଫସଲର ମୌଳିକ ବିବରଣୀ, ଏହାର ପୋଷଣ ପରିଚାଳନା, ବାରମ୍ବାର କାସାବା ଚାଷ କରାଯାଉଥିବାରୁ ପୋଷଣ ହ୍ରାସ, କେରଳ ରାଜ୍ୟର କାସାବା ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକର ମାଟିର ପୋଷଣ ସ୍ଥିତି, କେରଳର ମାଟି ପାଇଁ ପଲିହାଲାଇଟର ଉପଯୁକ୍ତତା ବିଷୟରେ ଆଲୋଚନା କରାଯାଇଥିଲା l
ମୃତ୍ତିକାର ଉର୍ବରତା ଏବଂ ସମନ୍ବିତ ଫସଲ ପୋଷଣ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଡର. ସୁସାନ ଜନ ପଦ୍ଧତି ଏବଂ ଗବେଷଣାର ଫଳାଫଳଗୁଡ଼ିକ ସମ୍ପର୍କରେ ସୁନ୍ଦର ଭାବରେ ଆଭାସୀ ଆଲୋଚନାରେ ବର୍ଣ୍ଣନା କରିଲେ l ଏହି ବିଷୟଟିରେ ଆପଣ ଉକ୍ତ ଆଲୋଚନାର ମୁଖ୍ୟ କଥାଗୁଡ଼ିକୁ ପାଇପାରିବେ l
ଶସ୍ୟ ଏବଂ ଛୁଇଁ ଜାତୀୟ ଫସଲ ତୁଳନାରେ ଗ୍ରୀଷ୍ମ ମଣ୍ଡଳୀୟ କନ୍ଦା ଫସଲର ସ୍ୱତନ୍ତ୍ର ଗୁଣାବଳୀ:
-
ଅଧିକ ବାୟୋଲଜିକାଲ ଏଫିସିଏନସି (ହେକ୍ଟର ପିଛା 100 ଟନ ପର୍ଯ୍ୟନ୍ତ ଅମଳ ଦେଇ ପାରିବ)
-
ସାଧାରଣ ମାଟି ଏବଂ ପରିବେଶରେ ଲାଭଜନକ ଅମଳ ଦେଇପାରିବ l
-
ଜୈବ ଏବଂ ଅଜୈବ ଚାପଗୁଡ଼ିକ ପ୍ରତି ସହନଶୀଳ
-
କନ୍ଦାଗୁଡ଼ିକରେ ମଣ୍ଡଜ ଭରପୂର ପରିମାଣରେ ରହିଥାଏ, ଯାହାକୁ ଅନେକ ମୂଲ୍ୟଯୁକ୍ତ ସାମଗ୍ରୀର କଞ୍ଚାମାଲ ଅଟେ, ଯଥା ଖାଦ୍ୟ, ଦାନା, ଅଠା ସାମଗ୍ରୀ, ଔଷଧୀୟ ସାମଗ୍ରୀ, ଇଥାନଲ, ଉଚ୍ଚମାନର ଅବଶୋଷକ ପଲିମର ଇତ୍ୟାଦି l
-
କନ୍ଦା ଜାତୀୟ ଫସଲଗୁଡ଼ିକ ଅଧିକ ଉତ୍ପାଦନଶୀଳତା ପ୍ରଦର୍ଶନ କରନ୍ତି ଏବଂ ସେଗୁଡ଼ିକର ଅଧିକ ପୋଷଣ ମୂଲ୍ୟ ରହିଛି ବିଶେଷ କରି ଆଣ୍ଟିଅକ୍ସିଡାଣ୍ଟ ଭାବରେ l
-
ସେଗୁଡ଼ିକ ସବୁଜ ଶକ୍ତିର ଉତ୍ସ ଅଟନ୍ତି ଏବଂ କାସାବା ପତ୍ରକୁ ବ୍ୟବହାର କରି ଜୈବ କୀଟନାଶକ ପ୍ରସ୍ତୁତ କରିବା ପାଇଁ ବହୁତ ସୁଯୋଗ ରହିଛି l
ଗବେଷଣା ସମ୍ପର୍କରେ:
କେରଳରେ ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ ସହଯୋଗୀତାରେ CTCRI ଦ୍ୱାରା ଏକ ଅଧ୍ୟୟନର ଡିଜାଇନ କରାଗଲା ଏବଂ ଏଥିରେ କୃଷକମାନଙ୍କର ଜମିକୁ ଏବଂ CTCRIର ନିଜ ଜମିକୁ ମିଶାଇ ଏହାକୁ ଦୁଇ ଗୋଟି ଋତୁରେ ଏବଂ ତିନିଗୋଟି ଅଞ୍ଚଳର ଛ'ଟି ସ୍ଥାନରେ ଆୟୋଜନ କରାଗଲା l ସେହି ଅଞ୍ଚଳଗୁଡ଼ିକ ହେଉଛି AEU 3 (ଓନାଟୁକର ବାଲିଆ ସମତଳ ଜମି), AEU 9 (ଦକ୍ଷିଣ କେନ୍ଦ୍ରୀୟ ଲାଟେରାଇଟ) ଏବଂ AEU 8 (ମଧ୍ୟ କେନ୍ଦ୍ରୀୟ ଲାଟେରାଇଟ) l ଏହି ଅଧ୍ୟୟନ ନିମନ୍ତେ ୧୨.୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଗଲା l
ଏହିସବୁ ବିଷୟରେ ଅଧ୍ୟୟନ କରିବା ହିଁ ଏହି ଗବେଷଣାର ଉଦ୍ଦେଶ୍ୟ ଥିଲା:
-
କେରଳର ଲାଟେରାଇଟ ଏବଂ ବାଲିଆ ମାଟିରେ କାସାବା ଫସଲର ପଲିହାଲାଇଟ ପ୍ରତି ପ୍ରତିକ୍ରିୟା ଜାଣିବା, ଏଥିରେ କନ୍ଦା ଅମଳ, କନ୍ଦା ଗୁଣବତ୍ତା, ମାଟିର ଭୌତିକ-ରାସାୟନିକ ଏବଂ ଜୈବିକ ଗୁଣାବଳୀ ଏବଂ ପୋଷଣ ଗ୍ରହଣଶୀଳତାକୁ ବିବେଚନା କରାଯାଇଥିଲା l
-
ପୋଟାସିୟମ, କ୍ୟାଲସିୟମ, ମାଗ୍ନେଶୀୟମ ଏବଂ ସଲଫର ଅଭାବ ଥିବା କେରଳର ମାଟି ପାଇଁ ବିବିଧ ପୋଷଣ ସାର-ପଲିହାଲାଇଟର ଏକ କୃଷି-ଉପଦେଷ୍ଟା ଗଠନ କରିବା (ପ୍ରୟୋଗ ବିବରଣୀ) l
-
ଇଂଲଣ୍ଡର ଉତ୍ତର-ପୂର୍ବ ଉପକୂଳ ଅଞ୍ଚଳରୁ ପଲିହାଲାଇଟକୁ ଭୂପୃଷ୍ଠର ୧୨୦୦ ମିଟର ତଳୁ ସମୁଦ୍ରର ନିମ୍ନ ଭାଗରୁ ଉତଖନନ କରି ବାହାର କରାଯାଏ, ଯେଉଁଠି 260 ମିଲିୟନ ବର୍ଷ ପୂର୍ବରୁ ପଲିହାଲାଇଟ ଗଚ୍ଛିତ ହୋଇ ରହିଛି l ମୃତ୍ତିକାର ପୋଟାସିୟମ, କ୍ୟାଲସିୟମ, ମାଗ୍ନେଶୀୟମ ଏବଂ ସଲଫର ଅଭାବକୁ ଏହା ପୂରଣ କରିଥାଏ l
-
ପଲିହାଲାଇଟ ଲବଣଗୁଡ଼ିକର ମିଶ୍ରଣ ନୁହେଁ, ଏହା ଏକ ସିଙ୍ଗିଲ କ୍ରିଷ୍ଟାଲ ଅଟେ, ତେଣୁ ଏହାର ସମସ୍ତ ଉପାଦାନଗୁଡ଼ିକ ଦ୍ରବଣରେ ଆନୁପାତିକ ଭାବରେ ବାହାରି ଥାଆନ୍ତି l ଅବଶ୍ୟ ସଲ୍ୟୁବିଲାଇଜେସନ ହୋଇଯିବା ପରେ ପ୍ରତ୍ୟେକ ପୋଷକ ଭିନ୍ନ ଭିନ୍ନ ଭାବରେ ମିଶନ୍ତି ଏବଂ ମୃତ୍ତିକାର ଗୁଣାବଳୀ ଦ୍ୱାରା ପ୍ରଭାବିତ ହୁଅନ୍ତି l
କାସାବା ଅମଳରେ ପଲିହାଲାଇଟ ପ୍ରୟୋଗ ଦ୍ୱାରା କରାଯାଇଥିବା ମୁଖ୍ୟ ପର୍ଯ୍ୟବେକ୍ଷଣଗୁଡ଼ିକ ହେଉଛି:
-
ଉତ୍ତମ ଆକାରରେ କନ୍ଦାଗୁଡ଼ିକ ଫୁଲୁଛି
-
ରାନ୍ଧିବା ପାଇଁ ଉତ୍ତମ ମାନର ହେଉଛି
-
ଷ୍ଟାର୍ଚ ପରିମାଣରେ ବିକାଶ
-
କଟୁତା ହ୍ରାସ ପାଉଛି
ଫଳାଫଳ:
କେରଳର ଅମ୍ଳୀୟ ଲାଟେରାଇଟ ମାଟି ଏବଂ ବାଲିଆ ଦୋଅଂଶ ମାଟିରେ କାସାବା ଫସଲ ନିମନ୍ତେ ପଲିହାଲାଇଟ ହେଉଛି ମୃତ୍ତିକାର ଏକ ଉତ୍ତମ ଉର୍ବରକ l ଛ'ଟିଯାକ ଅଞ୍ଚଳରେ ଦୁଇ ବର୍ଷ ଧରି କନ୍ଦା ଅମଳ ଉପରେ କରାଯାଇଥିବା ଅଧ୍ୟୟନର ସମ୍ମିଳିତ ତଥ୍ୟ ଆଧାରରେ ନିମ୍ନଲିଖିତ ପ୍ରୟୋଗ ମାତ୍ରାଗୁଡ଼ିକୁ ଅନୁମୋଦନ କରାଯାଏ:
-
ହେକ୍ଟର ପିଛା ୧-୨ ଟନ ପଲିହାଲାଇଟ ସହିତ ଆବଶ୍ୟକତା ଅନୁସାରେ ଅଧା ଚୂନ ଏବଂ ଅଧା ଡୋଲମାଇଟ ପ୍ରୟୋଗ କରିଲେ ୫୩.୩୩ ଟନ/ ହେକ୍ଟର ଅମଳ ପ୍ରଦାନ କରେ l
-
ପଲିହାଲାଇଟ ସହିତ ସମ୍ପୂର୍ଣ୍ଣ ଡୋଲମାଇଟ ପ୍ରୟୋଗ କରିଲେ ୫୦.୨୩ ଟନ/ ହେକ୍ଟର ଅମଳ ପ୍ରଦାନ କରେ l
-
କେବଳ ପଲିହାଲାଇଟର ଅମଳ କ୍ଷମତା ୪୯.୨ ଟନ/ହେକ୍ଟର ଅଟେ l
ଉପସଂହାର:
ସମସ୍ତ ଫଳାଫଳରୁ ଏହା ସ୍ଥିର କରାଯାଇପାରିବ ଯେ, କାସାବା ଫସଲ ନିମନ୍ତେ ପୋଟାସିୟମ, ମାଗ୍ନେସିୟମ, ଏବଂ କ୍ୟାଲସିୟମ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ନିର୍ଦ୍ଧାରିତ ମାତ୍ରାରେ ପଲିହାଲାଇଟ ପ୍ରୟୋଗ କେରଳରେ କାସାବା ଫସଲର ଅମଳ ଏବଂ ଗୁଣବତ୍ତାକୁ ବିକଶିତ କରିବାରେ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରିବ l
Share your comments