ଆମ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ମାଟି ଦେଖିବାକୁ ମିଳେ l ମାଟିକୁ ଭିତି କରି ବିଭିନ୍ନ ଅଞ୍ଚଳର କୃଷି କାର୍ଯ୍ୟ ଏବଂ ଫସଲ ମଧ୍ୟ ଅଲଗା ଅଲଗା ହୋଇଥାଏ l ବିଭିନ୍ନ ଅଞ୍ଚଳର ଭୂମିରୂପ ଏବଂ ଜଳବାୟୁକୁ ନେଇ ସେହି ଅଞ୍ଚଳର ମୃତ୍ତିକାର ଗଠନ ହୋଇଥାଏ l ଆସନ୍ତୁ ଆଜି ଆମ ରାଜ୍ୟର କେତେକ ପ୍ରମୁଖ ପ୍ରକାରର ମାଟି ବିଷୟରେ ଆଜି ଏଠାରେ ଆଲୋଚନା କରିବା l
ଲାଲ୍ ମାଟି
ଏହି ଶ୍ରେଣୀର ମୃତ୍ତିକାରେ ଲୌହ ଅକସାଇଡ କର୍ଦ୍ଦମର ବହୁଳତା ହେତୁ ରଙ୍ଗ ଲାଲ୍ ଦେଖାଯାଏ । ଏଗୁଡିକ ବୟନ ମଧ୍ୟମ, ଦାନାଗଠନ ଦୁର୍ବଳ, ଜଳସାରଣ ଶକ୍ତି, ସ୍ୱଳ୍ପ । ଜୈବିକ ପଦାର୍ଥ ସ୍ୱଳ୍ପରୁ ମଧ୍ୟମ । ଏଗୁଡ଼ିକର ଫସଲ ଉତ୍ପାଦିକା ଶକ୍ତି କମ୍ । ଧାନ, ମକା, ମାଣ୍ଡିଆ, ମେସ୍ତା, ହରଡ, ଚିନାବାଦାମ ଅଳସୀ, ସୋୟାବିନ, କପା, ସୋରିଷ ପ୍ରଭୃତି ଫସଲ ଚାଷ ପାଇଁ ଏହା ଉପଯୁକ୍ତ । କୋରାପୁଟ, କଳାହାଣ୍ଡି, ଫୁଲବାଣୀ, ସମ୍ବଲପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ବିସ୍ତୃତ ଭାବରେ ରହିଛି ।
ଲାଟେରାଇଟ ବା ଗେରୁଆ ମୃତ୍ତିକା
ଲୌହ ଓ ଆଲୁମିନିୟମ ଅକସାଇଡର ବହୁଳତା ହେତୁ ଏଗୁଡ଼ିକର ରଙ୍ଗ ଗେରୁଆ । ପୃଷ୍ଠତଳରୁ ୨ମିଟର ଗଭୀରତା ମଧ୍ୟରେ ମାଙ୍କଡା ପଥର ସ୍ତର ଥାଏ । ଏହି ମାଙ୍କଡା ପଥରକୁ ଖଣ୍ଡ ଖଣ୍ଡ କରି କାଟି ଆଣି ବାହାରେ ରଖିଲେ ତାହା କଠିନ ହୋଇଯାଏ । ଏଗୁଡିକୁ ଘରର କାନ୍ଥ, ଚଟାଣ ନିର୍ମାଣ ପାଇଁ ବ୍ୟବହାର କରାଯାଏ । ଚଟାଣିଆ ଭୂମିରେ ସୃଷ୍ଟି ହୋଇଥିବା ଲାଟେରାଇଟ ମୃତ୍ତିକାଗୁଡିକ ସାଧାରଣତଃ ଅଗଭୀର । ଏହି ମୃତ୍ତିକା ହାଲୁକା, ଶୁଷ୍କ ଓ ଆଂଶିକ ଆର୍ଦ୍ର ଅବସ୍ଥାରେ ହୁଗୁଳା । ଏହାର ଜଳ ଭେଦ୍ୟତା ଖୁବ୍ ଅଧିକ, କିନ୍ତୁ ଜଳ ଧାରଣ ଶକ୍ତି ଖୁବ୍ କମ୍ । ମୃତ୍ତିକାରେ କେଓଲିନାଇଟ ଏବଂ ହାଇଡ୍ରିସ ଅକସାଇଡ କର୍ଦ୍ଦମର ପ୍ରାଧାନ୍ୟ ଦେଖାଯାଏ । ଜୈବ ପଦାର୍ଥ, ଗ୍ରହଣୀୟ ଫସଫରସ୍, କାଲସିଅମ, ମାଗ୍ନେସିୟମ, ମଲିବଡେନିମ୍, ବୋରନ୍ ପ୍ରଭୃତି ଅଭାବ ଥିବାରୁ ଏଗୁଡ଼ିକର ମୋଟାମୋଟି ଉତ୍ପାଦିକା ଶକ୍ତି କମ୍ । ଚୂନଜାତୀୟ ପଦାର୍ଥ , ଜୈବିକ ଖତ ଓ ଯଥେଷ୍ଟ ଫସଫେଟ୍ ସାର ପ୍ରୟୋଗ କରି ଏହାର ଉତ୍ପାଦିକା ଶକ୍ତିର ଉନ୍ନତି ସାଧନ କରାଯାଇପାରେ । ଧାନ, ମୁଗ, ଚଣା, ହରଡ, ଚିନାବାଦାମ, ବିଲାତିଆଳୁ , ମକା, ବାଜରା ପ୍ରଭୃତି ଫସଲ ଚାଷ କରାଯାଏ । ଏହା ଗଞ୍ଜାମ, ପୁରୀ, କଟକ ଓ ଢେଙ୍କାନାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ବିସ୍ତୃତ ଭାବରେ ରହିଛି ।
ଲାଲ୍ – ହଳଦିଆ ମୃତ୍ତିକା
ଉଚ୍ଚ ଗଡାଣିଆ ଭୂମିର ମୃତ୍ତିକା ପାଣ୍ଡରା ଲାଲ୍ ରଙ୍ଗର ଦେଖାଯାଏ । ଉପତ୍ୟକା ଭଳି ଭୂମିର ମୃତ୍ତିକା ଗୁଡିକ ହେଲା ହଳଦିଆ – ଲାଲ ଦେଖାଯାଏ । ଆଲୁମିନିୟମ ଗେଙ୍ଗୁଟି ବା ବକସାଇଟ ଗେଙ୍ଗୁଟି ଗୋଡି ମୃତ୍ତିକା ସହିତ ମିଶି ରହିଥିବାର ଦେଖାଯାଏ । ଆର୍ଦ୍ର ଅବସ୍ଥାରେ ମୃତ୍ତିକା ଅଠାଳିଆ ଚିକିଟା । ଉପମୃତ୍ତିକାରେ ଅଧିକ କର୍ଦ୍ଦମ ଥିବାରୁ ମୃତ୍ତିକାର ଜଳଭେଦ୍ୟତା କମ୍ । ଏହି ମୃତ୍ତିକା ଗୁଡିକ ମଧ୍ୟଭଳି ଅମ୍ଳୀୟ । ତେଣୁ ମୃତ୍ତିକା ଦାନା ଗଠନ ଓ ସଂରଚନା ନିକୃଷ୍ଟ ଧରଣର । ଏହି ପ୍ରକାର ମୃତ୍ତିକାରେ ଫସ୍ ଫରସ୍ , ଗ୍ରହଣୀୟତା କମ ଏବଂ ଉତ୍ପାଦିକା ଶକ୍ତି ମଧ୍ୟ କମ୍ । ଧାନ, ମାଣ୍ଡିଆ, ହରଡ, ଚିନାବାଦାମ, ମୁଗ, ବୁଟ ପ୍ରଭୃତି ଫସଲ ଚାଷ କରାଯାଏ । ସୁନ୍ଦରଗଡ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ଏହି ମୃତ୍ତିକା ଦେଖାଯାଏ । ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ପଶ୍ଚିମାଞ୍ଚଳରେ ମଧ୍ୟ ଏହି ମୃତ୍ତିକା ରହିଛି ।
ତ୍ରିକୋଣ ଭୂମିସ୍ଥ ଅବବାହିକା ମୃତ୍ତିକା
ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ପ୍ରଭୃତି ବଡ ବଡ ନଦୀ ଓ ସେମାନଙ୍କର ଶାଖାନଦୀ ଗୁଡିକର ତ୍ରିକୋଣଭୂମି ଅଞ୍ଚଳରେ ଅବବାହିକା ମୃତ୍ତିକା ଦେଖାଯାଏ । ସମୁଦ୍ର ଉପକୂଳଠାରୁ ୫୦/୬୦ କିଲୋମିଟର ଭିତର ପର୍ଯ୍ୟନ୍ତ ଏହି ମୃତ୍ତିକା ପରିବ୍ୟାପ୍ତ । ନଦୀକୂଳକୁ ଲାଗିଥିବା ଅଞ୍ଚଳରେ ମୃତ୍ତିକା ଗୁଡିକ ସାଧାରଣତଃ ବାଲିଆ, ବାଲି ଦୋରସା ପଟୁ ଦୋରସା ପ୍ରଭୃତି ହାଲୁକା ବୟନ ଶ୍ରେଣୀଭୁକ୍ତ । କିନ୍ତୁ କୂଳଠାରୁ ଅପେକ୍ଷାକୃତ ଦୂରରେ ଅବସ୍ଥିତ ମୃତ୍ତିକା ଗୁଡିକ ପଟୁମଟାଳ, ମଟାଳ ଦୋରସା ବା ମଟାଳ, ବୟନ ଶ୍ରେଣୀଭୁକ୍ତ । ମୃତ୍ତିକାର ରଙ୍ଗ ହାଲୁକା ଧୂସର । ବନ୍ୟା ପ୍ଲାବିତ ମୃତ୍ତିକା ଗୁଡିକରେ ଅଧିକ ଜୈବିକ ପଦାର୍ଥ ଥାଏ । ତେଣୁ ଯବକ୍ଷାରଜାନ, ଫସଫରସ୍, ପଟାସ ପ୍ରଭୃତି ଉପାଦାନ ଫସଲକୁ ସହଜରେ ମିଳିପାରେ । ମୃତ୍ତିକା ଗୁଡିକର ବୟନ ଭେଦରେ ଧାନ, ନଳିତା, ଆଖୁ, ମକା, ମୁଗ, ବିରି, ରାଶି ସୋରିଷ, ଚିନାବାଦାମ, ଆଳୁ ପ୍ରଭୃତି ଅନେକ ପ୍ରକାର ଫସଲ ଚାଷ କରାଯାଇପାରେ ଏବଂ ଭଲ ଉତ୍ପାଦନ ମିଳେ ।
ସମୁଦ୍ର କୂଳବର୍ତ୍ତୀ ଲବଣାକ୍ତ ମୃତ୍ତିକା
ମୂଳତଃ ଏଗୁଡିକ ଅବବାହିକା ମୃତ୍ତିକା । କିନ୍ତୁ ସମୁଦ୍ର ଲୁଣିପାଣିର ପ୍ରଭାବରୁ ଲବଣାକ୍ତ ମୃତ୍ତିକାରେ ପରିଣତ ହୋଇଛନ୍ତି । ଦ୍ରବୀଭୂତ ଲବଣ ଗୁଡିକ ମଧ୍ୟରେ ସୋଡିୟମ ଓ ମାଗ୍ନେସିଅମ୍ ସଲଫେଟ ଓ କ୍ଳୋରାଇଟ ବହୁଳ ଭାବରେ ଥାଏ । କାଲସିଅମ ଓ ପଟାସିଅମ୍ କ୍ଳୋରାଇଡ ଓ ସଲଫେଟ ଅଳ୍ପମାତ୍ରାରେ ଥାଏ । ଏହି ମୃତ୍ତିକା ଗୁଡିକର ପ୍ରତିକ୍ରିୟା ନିରପେକ୍ଷ କିମ୍ବା ଅମ୍ଳୀୟ ଥିବାର ଦେଖାଯାଏ । ଚିଲିକା ହ୍ରଦ ଉପକୂଳ ଅଞ୍ଚଳରେ କେତେକ ସ୍ଥାନରେ ଲୁଣୀ କ୍ଷାରୀ ମୃତ୍ତିକା ଦେଖାଯାଏ । ବର୍ଷା ଋତୁରେ ଲବଣତା ହ୍ରାସ ପାଏ କିନ୍ତୁ ପୁଣି ଶୀତଦିନେ ଓ ଖରାଦିନେ ଲବଣତା ବୃଦ୍ଧି ପାଏ । ସବୁ ପ୍ରକାର ବୟନ ଥିବା ମୃତ୍ତିକା ସମୁଦ୍ର ଉପକୂଳ ଅଞ୍ଚଳରେ ଦେଖାଯାଏ । ଲୁଣୀ ସହଣି ଶକ୍ତି ଥିବା ଧାନ, ମାଣ୍ଡିଆ, ସୋରିଷ , କୁସୁମୀ, ବିଲାତି ବାଇଗଣ ପ୍ରଭୃତି ଚାଷ କରାଗଲେ ଭଲ ଉତ୍ପାଦନ ମିଳେ ।
କଳା ମାଟି
ମୃତ୍ତିକାରେ ମୁକ୍ତ ଚୂନଖଣ୍ଡ ରହିଥାଏ । ମୃତ୍ତିକାର କାଲସିଅମ ପରିପୃକ୍ତତା ଅଧିକ । ତେଣୁ କାଲସିଅମ ହ୍ୟୁମସ୍ ସହିତ ମିଶି କାଲସିଅମ ହ୍ୟୁମେଟ୍ ସୃଷ୍ଟି କରେ ଏବଂ ଏହା ଆବରଣ ଭଳି କର୍ଦ୍ଦମ କଣିକାଗୁଡିକ ଉପରେ ଲାଖି ରହେ । ଏହା ମୃତ୍ତିକାକୁ କଳା ରଙ୍ଗ ପ୍ରଦାନ କରେ ଏବଂ ଦାନାଗଠନ ଓ ସଂରଚନା ଉନ୍ନତ କରେ । ଏହି ମୃତ୍ତିକାଗୁଡିକ ସାମାନ୍ୟ କ୍ଷାରୀୟ । ମୃତ୍ତିକାଗୁଡିକ ମଟାଳ ଦୋରସା ବା ମଟାଳ ଶ୍ରେଣୀର ଏବଂ ମଣ୍ଡମରିଲୋନାଇଟ ବା ସ୍ନେକଟାଇଟ ଜାତୀୟ କର୍ଦ୍ଦମର ବହୁଳତା ଦେଖାଯାଏ। ଜଳ ପରିପୃକ୍ତ ହେଲେ ମୃତ୍ତିକା ବହୁତ ସଂପ୍ରସାରିତ ହୁଏ । ମୃତ୍ତିକାର ଜଳଧାରଣ ଶକ୍ତି ଅଧିକ ଏବଂ ଜଳ ନିଷ୍କାସନ ଶକ୍ତି କମ୍ । ଧାନ, ଗହମ, ଆଖୁ, କପା, ସୋରିଷ, ବୁଟ, ଜୁଆର, ମକା, ପ୍ରଭୃତି ବିଭିନ୍ନ ଫସଲ ଉତ୍ପାଦନ କରାଯାଇପାରେ । କଳାହାଣ୍ଡି ଜିଲ୍ଲାର ଭବାନିପାଟଣା, ଖରିଆର, ବଲାଙ୍ଗିର, ଜିଲ୍ଲାର ଲୋଇସିଙ୍ଗା, ସମ୍ବଲପୁର ଜିଲ୍ଲାର ବିନିକା, କୋରାପୁଟ ଜିଲ୍ଲାର ମାଳାକାନାଗିରି ଓ ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ଅଞ୍ଚଳରେ କଳା ମୃତ୍ତିକା ରହିଛି ।
ମିଶ୍ରିତ ଲାଲ୍ – କଳା ମୃତ୍ତିକା
ଏହି ପ୍ରକାର ମୃତ୍ତିକା ମୁଖ୍ୟତଃ ଲାଲ ମୃତ୍ତିକା ଦୃଷ୍ଟିଗୋଚର ହେଉଥିବା ଅଞ୍ଚଳରେ ନିମ୍ନ ସମତଳ ଭୂମିରେ ସୃଷ୍ଟିହୁଏ । ଉଚ୍ଚଢାଲୁ ଜମିରୁ ଚୂନ ଓ ସୂକ୍ଷ୍ମ କର୍ଦ୍ଦମ ତଥା ହ୍ୟୁମସ୍ ଧୋଇ ହୋଇ ଆସି ନିମ୍ନ ସମତଳ ଭୂମିରେ ଅବକ୍ଷିପ୍ତ ହେବା ଫଳରେ କାଳକ୍ରମେ ଲାଲମିଶା କଳାମାଟି ସୃଷ୍ଟିହୁଏ । ଏହି ମୃତ୍ତିକା ଗୁଡିକ ମୁଖ୍ୟତଃ ମଟାଳ ଦୋରସା ଓ ମଟାଳ ବୟନ ଶ୍ରେଣୀର । ଜୈବିକ ପଦାର୍ଥ ଯଥେଷ୍ଟ ଥାଏ ଏବଂ ପ୍ରତିକ୍ରିୟା ନିରପେକ୍ଷ ରହିଥାଏ । ମୃତ୍ତିକା ଗୁଡିକ ବେଶ ଉତ୍ପାଦନକ୍ଷମ । ଧାନ, ମକା, ଆଖୁ, ଜୁଆର, ବାଜରା, ବୁଟ, ମଟର, ସୋରିଷ ରାଶି ଧୂଆଁପତ୍ର କପା, ଲଙ୍କାମରିଚ ପ୍ରଭୃତି ଅନେକ ଫସଲ ପାଇଁ ଏହା ଉପଯୁକ୍ତ । ସମ୍ବଲପୁର ବଲାଙ୍ଗିର କଳାହାଣ୍ଡି, ଗଞ୍ଜାମ, କୋରାପୁଟ, ଫୁଲବାଣୀ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ କେତେକ ଅଞ୍ଚଳରେ ସ୍ଥାନୀୟ ଭାବରେ ଦେଖାଯାଏ ।
ବାଦାମୀ ମୃତ୍ତିକା
ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ଏହି ପ୍ରକାର ମୃତ୍ତିକା ସୃଷ୍ଟିହୁଏ । ନିୟମିତ ଡାଳପତ୍ର ପଡି ଅପଘଟନ ହୋଇ ପୃଷ୍ଠ ମୃତ୍ତିକାରେ ଜୈବ ଅମ୍ଳ ସୃଷ୍ଟିକରେ । ଜୈବ ଅମ୍ଳ ପ୍ରଭାବରେ ଲୌହ ଦ୍ରବଣୀୟ ହୋଇ ଲୌହ ଅକସାଇଡର ପରିମାଣ ବୃଦ୍ଧିକରେ । ଲୌହ ଅକସାଇଡ ଓ ବିପଚିତ ଜୈବ ପଦାର୍ଥ ମିଶି ମୃତ୍ତିକାକୁ ବାଦାମି ରଙ୍ଗ ପ୍ରଦାନ କରେ । ମୃତ୍ତିକା ଗୁଡିକ ସାଧାରଣତଃ ମଧ୍ୟ ଭଳି ଅମ୍ଳୀୟ । ଜୈବ ପଦାର୍ଥ ଅଧିକ ଥିବାରୁ ଏଗୁଡିକ ହାଲୁକା ଓ ସଛିଦ୍ର । ପାଣି ସହଜେ ନିଗିଡିଯାଏ । ମୃତ୍ତିକା ଗୁଡିକ ସାଧାରଣତଃ ଉର୍ବର । ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଓ କୋରାପୁଟ, ଜିଲ୍ଲାର ଉଚ୍ଚ ମାଳ ଅଞ୍ଚଳରେ ଏହି ପ୍ରକାର ମୃତ୍ତିକା ଦେଖିବାକୁ ମିଳେ । ଫଳ ଉଦ୍ୟାନ ପାଇଁ ଏହି ମୃତ୍ତିକା ବିଶେଷ ଉପଯୁକ୍ତ । ଅଦା, ହଳଦୀ, ସପୁରୀ, ଗୋଲମରିଚ, କଫି ଅର୍ଥକାରୀ ଫସଲ ମଧ୍ୟ ଲାଭଜନକ ଭାବରେ ଚାଷ କରାଯାଏ ।
Share your comments