Krishi Jagran odia
Menu Close Menu

ବ୍ୟବସାୟିକ ଭିତିରେ ତରଭୁଜ ଚାଷ !!

Wednesday, 14 July 2021 04:45 PM , by: Sugyan Kumar Nayak
Watermelon

Watermelon

ଖରାଦିନେ ଅସହ୍ୟ ତାତିରେ ତରଭୁଜ ଖଣ୍ଡେ ଖାଇଦେଲେ ମନ ଶାନ୍ତି ହୋଇଯାଏ l ଗ୍ରୀଷ୍ମ ଋତୁରେ ସହର ବଜାର ସବୁଠି ତରଭୁଜର ବିକ୍ରିବଟା ଭଲ ଚାଲେ l ଚାଷୀ ଏବଂ ବ୍ୟବସାୟୀମାନେ ତରଭୁଜ ବିକ୍ରି କରି ଭଲ ଲାଭ ପାଇପାରିଥାନ୍ତି l ଉପଯୁକ୍ତ ପଦ୍ଧତିରେ ଚାଷ କରିଲେ ଆମେ ନିଶ୍ଚିତ ଭାବରେ ଭଲ ଅମଳ ପାଇବା ସହିତ ତରଭୁଜ ଫସଲରୁ ଭଲ ପଇସା ପାଇପାରିବ l ଆସନ୍ତୁ ଆଜି ଆମେ ତରଭୁଜ ଚାଷ ସମ୍ପର୍କରେ କିଛି ବିଶେଷ ଆଲୋଚନା କରିବା l ତରଭୁଜ ଗୋଟିଏ ଲାଭଜନକ ଓ ଉପାଦେୟ ଫସଲ । ଖରାଦିନେ ଏହାର ଚାହିଦା ଅଧିକ । ପାଚିଲା ଖାଇବା ବ୍ୟତୀତ ଏଥିରୁ ସ୍କ୍ୱାସ୍ ମଧ୍ୟ ତିଆରି କରାଯାଏ । ଚାଷୀ ଉନ୍ନତ ପ୍ରଣାଳୀ ଓ ଉପଯୁକ୍ତ ତାଲିମ୍ ଗ୍ରହଣ କରି ଏହି ଚାଷ କଲେ ଅଧିକ ଲାଭବାନ୍ ହୋଇପାରିବେ। ଓଡିଶାର ଦେଓଗଡ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧାରେ ଏହା ବହୁଳ ପରିମାଣରେ ଚାଷ ହେଉଛି। ଓଡିଶାରେ ଉତ୍ପାଦିତ ହେଉଥିବା ତରଭୁଜର ଗୁଣାତ୍ମକ ମାନ ଭଲ ହେଉଥିବା ଯୋଗୁ ଦିଲ୍ଲୀ, ହରିଆନା, ପଞ୍ଜାବ, ଉତ୍ତରପ୍ରଦେଶରେ ମଧ୍ୟ ଏହାର ଚାହିଦା ରହିଛି।

ତରଭୁଜ ବିଭିନ୍ନ ପ୍ରକାର ମାଟିରେ ଚାଷ ଦେଉଥିଲେ ମଧ୍ୟ ନିଗିଡ଼ା ଉର୍ବର ମାଟି ଏଥିପାଇଁ ଅନୁକୂଳ । ତରଭୁଜ ଚାଷ ପାଇଁ ମାଟିରେ ଅମ୍ଳତା ୫.୫ ରୁ ୭.୦ ମଧ୍ୟରେ ରହିବା ଉଚିତ୍ ।  ଉନ୍ନତ କିସମରେ ଏକର ପ୍ରତି ୪୦୦-୮୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ଶଙ୍କର କିସମରେ ଏକର ପ୍ରତି ୨୦୦-୩୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ମୁଖ୍ୟ ଫସଲ ପାଇଁ ଡ଼ିସେମ୍ବରଜାନୁଆରୀ ମାସରେ ମଞ୍ଜି ଲଗାଯାଏ । ତେବେ ଫ୍ରେବୃଆରୀ ମାସ ପର୍ଯ୍ୟନ୍ତ ମଧ୍ୟ ଲଗାଯାଇପାରେ । ମଞ୍ଜି ଲଗାଇବା ପୂର୍ବରୁ ୧ କି.ଗ୍ରା ମଞ୍ଜିକୁ ୧ ଗ୍ରାମ୍ କାର୍ବେଣ୍ଡାଜିମ୍ ଦ୍ଵାରା ବିଶୋଧନ କରିବା ଉଚିତ । ମଞ୍ଜିକୁ ଥଣ୍ଡା ଦିନରେ ଯଥାଶିଘ୍ର ଗଜା ବାହାରିବା ପାଇଁ ବତୁରା ମଞ୍ଜିକୁ ଓଦା କନାରେ ଗୁଡ଼ାଇ ଉଷୁମ ସ୍ଥାନରେ ୨୪-୪୮ ଘଣ୍ଟା ରଖିଲେ ମଞ୍ଜିରୁ ଶୀଘ୍ର ଗଜା ବାହାରିଥାଏ । ତରଭୁଜର କିସମ ଅନୁସାରେ ଧାଡ଼ିକୁ ଧାଡ଼ି ୨.--୫ ମିଟର ଏବଂ ମନ୍ଦାକୁ ମନ୍ଦା ୦..୨ ମିଟର ଦୂରତାରେ ମଞ୍ଜି ପୋତାଯାଏ । ମଞ୍ଜିଗୁଡ଼ିକ ୨.୫ ସେ.ମି.ରୁ ୫.୦ ସେ.ମି ଗଭୀରରେ ଲଗାଇବା ଉଚିତ । ତରଭୁଜର ବିଭିନ୍ନ କିସମଗୁଡିକ ହେଉଛି ସୁଗାର ବେବି, ଲାଲ ସୋନା, ଆର୍କା ମାଣିକ, ଦୁର୍ଗାପୁରା ମଧୁ, ଆର୍କାୟାମୋଟୋ l ହାଇବ୍ରିଡ଼ ପ୍ରଜାତିର ତରଭୁଜଗୁଡିକ ମାଧୁରୀ, ମାୟା, ସୁଗାର ବଏ, ଆର୍କ ଜ୍ୟୋତି, ପୁଷା ଜୋବଦନା l

ସାର ହିସାବରେ ଯବକ୍ଷାରଯାନ ୨୫ କିଗ୍ରା, ଫସଫରସ୍ ୫୦ କିଗ୍ରା, ପଟାସ୍ ୨୫ କିଗ୍ରା ଦେବା ଉଚିତ । ଏହା ସହ ମଞ୍ଜି ଲଗାଇବା ପରେ ଗଛ, ୨୫ ରୁ ୩୦ ଦିନର ହୋଇଗଲେ ୨୫ କିଗ୍ରା ଯବକ୍ଷାରଯାନ ଏବଂ ୨୫ କିଗ୍ରା ପଟାସ୍ ବ୍ୟବହାର କରିବା ଉଚିତ । ପ୍ରଥମ କୋଡ଼ା ଖୋସା ସମୟରେ ଏକର ପ୍ରତି ୪ କି.ଗ୍ରା ବୋରାଜ୍ କିମ୍ବା ୧୦ କି.ଗ୍ରା. ମିଶ୍ରିତ ଅଣୁସାର ପ୍ରୟୋଗ କଲେ ଅମଳ ବଢ଼ିଥାଏ । ଏହା ଛଡ଼ା ଚାରା ରୋପଣର ୨୦, ୪୦ ଏବଂ ୬୦ ଦିନରେ ମିଶ୍ରିତ ଅଣୁସାର ପତ୍ରରେ ସିଞ୍ଚନ କରନ୍ତୁ । ମଞ୍ଜି ପୋତିବା ପରେ ହାଲୁକା ଜଳସେଚନ କରାଯାଏ । ଯାହାକି ମଞ୍ଜି ଗଜା ହୋଇ ଗଛ ହେବାରେ ସାହଯ୍ୟ କରେ । ପରବର୍ତ୍ତୀ ଅବସ୍ଥାରେ ମାଟି ତଥା ପାଗର ଅବସ୍ଥା ଦେଖି ୫ - ୧୫ ଦିନ ବ୍ୟବଧାନରେ ଜଳସେଚନ କରାଯିବା ଉଚିତ। ଜଳସେଚନ ସମୟରେ ପତ୍ର, ଲଟା ଅବା ଫଳରେ ପାଣି ଲାଗିବା ଅନୁଚିତ । ଫଳ ପାଚିବା ସମୟରେ ଜଳସେଚନ କମ୍ କିମ୍ବା ବନ୍ଦ କରିବା ଦରକାର ନଚେତ ଫଳ ଫାଟିବା ସହିତ ଫଳର ମାନ କମିଯାଏ ।

ପ୍ରଥମାବସ୍ଥାରେ କିଆରିରେ ଅନାବନା ଘାସ ତଥା ଅନାବନା ଗଛରୁ ମୁକ୍ତ ରହିବା ନିହାତି ଦରକାର କାରଣ ଏହି ସମୟରେ ଘାସ ନ ବାଛିଲେ ଶତକଡ଼ା ୩୦ ଭାଗ ଅମଳ କମି ଯାଇପାରେ, ତେଣୁ ମଞ୍ଜି ଲଗାଇବାର ୧୫ ଦିନ ପରେ ଥରେ ଏବଂ ଦ୍ଵିତୀୟ ଦଫା ଯବକ୍ଷାରଜାନ ସାର ପ୍ରୟୋଗ ପୂର୍ବରୁ ଆଉଥରେ କୋଡ଼ାଖୁସା କରି ଅନାବନା ଘାସ ବାଛିବା ଉଚିତ । ପରବର୍ତ୍ତୀ ଅବସ୍ଥାରେ ଗଛଗୁଡ଼ିକ ଜମିରେ ମାଡ଼ିଗଲେ ଆଉ ଘାସ ବାଛିବା ଦରକାର ପଡ଼ିନଥାଏ । ତରଭୁଜ ଗଛର ଡଙ୍କର ଆଗ ଛଡ଼ାଇଲେ ଗଛରେ ଅଧିକ ମାଈ ଫୁଲ ହୁଏ । ଗଛରେ ଫୁଲ ଧରିବା ପରେ ତରଭୁଜ କିଆରିରେ ଏକର ପ୍ରତି ୨ ଟି ମହୁମାଛି ବାକ୍ସ ୨-୩ ସପ୍ତାହ ପର୍ଯ୍ୟନ୍ତ ରଖିଲେ ଗଛରେ ସଅଳ ଫଳ ଧରେ । ତରଭୁଜ ଗଛଗୁଡିକ ୯୦ - ୧୨୦ ଦିନ ହେଲେ ଫଳ ଅମଳଯୋଗୀ ହୋଇଯାଆନ୍ତି । ଫଳଗୁଡିକୁ ଉପରବେଳା ଅମଳ କରିବା ଉଚିତ। ଫଳ ଅମଳ ଉପଯୋଗୀ ହେଲେ ରଙ୍ଗ ବଦଳିବା ଆରମ୍ଭ କରେ ।

English Summary: watermelon cultivation in commercial process Watermelon Farming Watermelon Farming in Commercial Process
Krishi Jagran odia Magazine Subscription Online Subscription




CopyRight - 2021 Krishi Jagran Media Group. All Rights Reserved.