Krishi Jagran odia
Menu Close Menu

ମାଛ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ

Thursday, 10 December 2020 10:36 AM
Fisheries Farming

Fisheries Farming

ଭୁବନେଶ୍ୱର : ମାଛ ପାଇଁ ଓଡ଼ିଶା ଆଉ ଆନ୍ଧ୍ର କି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବ ନାହିଁ । ଚାହିଦା ତୁଳନାରେ ମାଛ ଉତ୍ପାଦନ ବଢ଼ିଛି । କମ୍ ଜାଗା ଓ କମ୍‌ ଖର୍ଚ୍ଚରେ ପ୍ରୟୋଗ ହେଉଥିବା ‘ଜୈବ ପୁଞ୍ଜି' ଓ ‘ପଲିଥିନ ଆସ୍ତରଣ' ଜ୍ଞାନକୌଶଳ, ପଞ୍ଚାୟତ ପୋଖରୀରେ ମହିଳା ସ୍ୱଂୟଂ ସହାୟିକା ଗୋଷ୍ଠୀଙ୍କ ମାଛ ଚାଷ ଏବଂ ‘ମତ୍ସ୍ୟ ପୋଖରୀ ଯୋଜନା’ କାର୍ଯ୍ୟକାରୀ କରିବା ସହ ଅଙ୍ଗୁଳିକା ଯାଆଁଳ ଛାଡ଼ିବା ଯୋଗୁଁ ଏହି ସଫଳତା ମିଳିଛି । ତଥ୍ୟାନୁସାରେ ୪.୧୭ କୋଟି ଲୋକସଂଖ୍ୟା ବିଶିଷ୍ଟ ଓଡ଼ିଶାକୁ ବାର୍ଷିକ ପ୍ରାୟ ସାଢେ ଛଅ ଲକ୍ଷ ଟନ୍ ମାଛ ଆବଶ୍ୟକ । ହେଲେ ସେହି ଅନୁସାରେ ରାଜ୍ୟରେ ମାଛ ଉତ୍ପାଦନ କମ୍ ହେଉଥିଲା । ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଆନ୍ଧ୍ରପ୍ରଦେଶରୁ ମଧୁର ମାଛ ଆମଦାନୀ କରୁଥିଲେ । କିଛି ମାଛ ଛତିଶଗଡ଼ରୁ ଆସୁଥିଲା । ଏବେ ସେହି ସମସ୍ୟା ଆଉ ନାହଁ । ୨୦୧୯-୨୦ ଆର୍ôଥକ ବର୍ଷରେ ଓଡ଼ିଶାରେ ମାଛ ଉତ୍ପାଦନ ୮ ଲକ୍ଷ ୧୬ ହଜାର ୪୫୮ ଟନ୍‌ ହୋଇଛି ।

ତନ୍ମଧ୍ୟରୁ ମଧୁର ମାଛ ଉତ୍ପାଦନ ୫ ଲକ୍ଷ ୪୩ ହଜାର ୪୯ ଟନ୍‌, କ୍ଷାରପାଣି ମାଛ ଉତ୍ପାଦନ ୧ ଲକ୍ଷ ୧୬ ହଜାର ୯୯ ଟନ୍ ଓ ଲୁଣିପାଣି ମାଛ ଉତ୍ପାଦନ ୧ ଲକ୍ଷ ୫୭ ହଜାର ୩୧୦ ଟନ୍ । ରାଜ୍ୟର ବାର୍ଷିକ ଚାହିଦା ରହିଛି ୬ ଲକ୍ଷ ୪୯ ହଜାର ୫୫୦ ଟନ୍ । ଅର୍ଥାତ ବର୍ଷକୁ ୧ ଲକ୍ଷ ୬୬ ହଜାର ୯୦୮ ଟନ୍‌ ଅଧିକ ମାଛ ଉତ୍ପାଦନ ହୋଇଛି । ରାଜ୍ୟରେ କ୍ଷାର ଓ ଲୁଣି ମାଛର ଚାହିଦା ମଧୁର ମାଛ ତୁଳନାରେ କମ ରହିଛି । ସେଥିପାଇଁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମଧୁର ଜଳରେ ମାଛ ଓ ଚିଙ୍ଗୁଡ଼ି ଚାଷ କରିବା ପାଇଁ ଆଗ୍ରହୀ ଯୁବକ-ଯୁବତୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ୨୦୧୫ରୁ ‘ରାଜ୍ୟ ମତ୍ସ୍ୟ ନୀତି' ପ୍ରଣୟନ ହୋଇଛି । ଏହି ନୀତି ବଳରେ ମତ୍ସ୍ୟ ପୋଖରୀ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ସାଧାରଣ ବର୍ଗର ହିତାଧିକାରୀଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳା ଓ ଅନୁସୂଚିତ ଜାତି ତଥା ଜନଜାତିଙ୍କ ପାଇଁ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା ରହିଛି । ମହିଳା ସ୍ୱଂୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ମାଛ ଚାଷରେ ସାମିଲ କରାଯାଇଛି ।

ପଞ୍ଚାୟତ ପୋଖରୀକୁ ଲିଜ୍ ଆକାରରେ ନେଇ ଏହି ଏସ୍‌ଏଚଜିମାନେ ମାଛ ଚାଷ କରୁଛନ୍ତି । ସେଥିପାଇଁ  ଋଣ ଦେବାର ବ୍ୟବସ୍ଥା ହୋଇଛି । ହେକ୍ଟର ପ୍ରତି ଅଟକଳ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ଉପରେ ୬୦ ପ୍ରତିଶତ ଅର୍ଥାତ ୯୦ ହଜାର ଟଙ୍କା ରିହାତି ଦେବାର ବ୍ୟବସ୍ଥା ହୋଇଛି । ରାଜ୍ୟରେ ମାଛ ଉତ୍ପାଦନ ବଢ଼ିବାର ଏହା ଏକ ମୁଖ୍ୟ କାରଣ । ୨୦୦୦-୦୧ରୁ ୨୦୦୯-୧୦ ମଧ୍ୟରେ ମାଛ ଉତ୍ପାଦନ କ୍ରମାଗତ ଭାବେ ବଢ଼ୁଥିଲେ ହେଁ ଚାହିଦା ମେଣ୍ଟାଇବା ସମ୍ଭବ ହେଉ ନଥିଲା । ୨୦୧୦-୧୧ରୁ ୨୦୧୬-୧୭ ମଧ୍ୟରେ ମାଛ ଉତ୍ପାଦନ ପ୍ରାୟ ସମାନ ସ୍ତରରେ ରହିଲା । ୨୦୧୭-୧୮ରୁ ଉତ୍ପାଦନ ବଢ଼ିବା ପରେ ବାହାର ରାଜ୍ୟ ଉପରେ କମ୍ ନିର୍ଭର କରିବାକୁ ପଡ଼ିଲା । ହେଲେ ୨୦୧୯-୨୦ରେ ମାଛ ଉତ୍ପାଦନ ରେକର୍ଡ କରିଛି । ଏଥିପାଇଁ ରାଜ୍ୟ ସରକାର ‘ଜୈବ ପୁଞ୍ଜି' ଓ ‘ପଲିଥିନ ଆସ୍ତରଣ' ଭଳି ଜ୍ଞାନ କୌଶଳ ପ୍ରୟୋଗ କରିଛନ୍ତି । କମ୍ ଜାଗା ଓ କମ ଖର୍ଚ୍ଚରେ ତାହା ହୋଇପାରୁଛି ।

ସେହିପରି ‘ଅଙ୍ଗୁଳିକା ଯାଆଁଳ' ଛାଡ଼ିବା ଯୋଗୁଁ ପୂର୍ବାପେକ୍ଷା ମାଛ ଉତ୍ପାଦନରେ ସଫଳତା ମିଳିଛି । କେବଳ ମଧୁର ମାଛ ନୁହେଁ, ଲୁଣି ମାଛ ଉତ୍ପାଦନ ବି ବଢ଼ିଛି । ଏଥିପାଇଁ ମତ୍ସ୍ୟଜୀବୀ ସମବାୟ ସମିତିଗୁଡିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ୨ ଲକ୍ଷ ଟଙ୍କାର "ସ୍ୱତନ୍ତ୍ର ଆବର୍ତ୍ତନ ପାଣ୍ଠି’ ଦେବାର ବ୍ୟବସ୍ଥା ହୋଇଛି । ଚାହିଦା ମେଣ୍ଟାଇବା ସହ ଓଡ଼ିଶାର ଉତ୍ପାଦିତ ମାଛକୁ ବାହାର ରାଜ୍ୟକୁ ରପ୍ତାନୀ କରାଯାଉଛି । ଏନେଇ ରାଜ୍ୟକୁ ଅଧିକ ରାଜସ୍ୱ ମିଳୁଛି । ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଏସ୍ ଆର୍ ପ୍ରଧାନ ‘ନିତିଦିନ'କୁ କହିଛନ୍ତି, ରାଜ୍ୟ ସରକାର ମାଛ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହି ସଫଳତା ମିଳିଛି । ନୂଆ ଜ୍ଞାନ କୌଶଳ ପ୍ରୟୋଗ ଯୋଗୁଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆତ୍ମନିର୍ଭରଶୀଳତା ବି ବଢ଼ିଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ପଞ୍ଜୁରୀ ଭିତରେ ହେଉଛି ମାଛ ଚାଷ

English Summary: Atmanirbharsil in odisha fisheries farming Odisha Fisheries Farming AtmaNirvarBharat Fish Farming Fisheries Dept of Odisha

Share your comments


CopyRight - 2021 Krishi Jagran Media Group. All Rights Reserved.