ପ୍ରାକୃତିକ ଉପାୟରେ କୁଡୁକି କୁକୁଡ଼ା / ପେଣ୍ଠି କୁକୁଡ଼ା ତା'ର ପେଟ ଓ ଡେଣା ତଳେ ୧୦-୧୫ ଟି ଅଣ୍ଡା ୨୧ ଦିନ ପର୍ଯ୍ୟନ୍ତ ରଖି ଛୁଆ ଫୁଟାଇଥାଏ l ଚିଆଁମାନେ ମାଁ କୁକୁଡ଼ାଠାରୁ ପ୍ରାକୃତିକ ଉପାୟରେ ଉତ୍ତାପ ପାଇଥାନ୍ତି l ପ୍ରଥମ ୪ ରୁ ୬ ସପ୍ତାହ ପର୍ଯ୍ୟନ୍ତ ମାଁ କୁକୁଡ଼ା ଚିଆଁ ମାନଙ୍କର ଦାୟିତ୍ୱ ନେଇ ସେମାନଙ୍କର ଲାଳନ ପାଳନ କରିଥାଏ l କିନ୍ତୁ ମାଁ କୁକୁଡ଼ାର ବିନା ସହାୟତାରେ କୃତ୍ରିମ ଉପାୟରେ ମଧ୍ୟ କୁକୁଡ଼ା ଚିଆଁମାନଙ୍କୁ ଆବଶ୍ୟକ ଉତ୍ତାପ ଯୋଗାଇ ଦେଇହେବ ଲାଇଥିପାଇଁ "ବୃଜର"ର ଆବଶ୍ୟକତା ରହିଛି l
କୁକୁଡ଼ା ଘର :-
କୁକୁଡ଼ା ଚିଆଁ ଆଣିବାର କିଛିଦିନ ପୂର୍ବରୁ କୁକୁଡ଼ା ଘରର ବୃଡର , ଦାନାପାତ୍ର ଓ ପାଣି ପାତ୍ରକୁ ଭଲ ଭାବରେ ପରୀକ୍ଷା କରି ଦେଖନ୍ତୁ ଓ ଯଥା ସ୍ଥାନରେ ରଖନ୍ତୁ l ଘରର ଚଟାଣରେ କରତ ଗୁଣ୍ଡ , ଅଗାଡ଼ି, ଶୁଖିଲା ପତ୍ର , ନଡ଼ା ଗୁଣ୍ଡ , ଚୀନାବାଦାମ ଚୋପା , ଧାନ ଚଷୁ ଆଦି ୨ ରୁ ୩ ଇଞ୍ଚ ପର୍ଯ୍ୟନ୍ତ ବିଛାଇ ତା' ଉପରେ ଖବର କାଗଜ ବିଛାଇ ରଖନ୍ତୁ l କୁକୁଡ଼ା ଛୁଆ ପ୍ରଥମ ୪ ରୁ ୫ ସପ୍ତାହ ଅଧିକ ଉତ୍ତାପ ଆବଶ୍ୟକ କରେ l ଚିଆଁ ଆଣିବା ପରେ ତାପମାତ୍ରା ନିୟନ୍ତ୍ରଣ ପାଇଁ ଇଲେକ୍ଟ୍ରିକ ବଲ୍ବ ବ୍ୟବସ୍ଥା ଜରୁରୀ l ପ୍ରତି ଚିଆଁ ପାଇଁ ୨ ୱାଟ ଲାଇଟ ଦରକାର ହୁଏ l ବ୍ରୁଡ଼ିଂ ସମୟରେ ପ୍ରତ୍ୟକ ଚିଆଁ ପାଇଁ ୦.୫ ବର୍ଗ ଫୁଟ ସ୍ଥାନ ଆବଶ୍ୟକ ହୋଇଥାଏ l ବୃଡରର କିଛି ଦୂରରେ ଚାରିକଡ଼ ବନ୍ଦ ରଖିବା ପାଇଁ ୧ ଫୁଟ ଉଚ୍ଚତାର କାର୍ଡବୋର୍ଡ ବା ଟିଣ ସିଟ୍ ବା ଦସ୍ତାପ୍ଲେଟ ଆଦି ଚିଆଁଘେରା ହିସାବରେ ବ୍ୟବହାର କରାଯାଏ l ୨ ରୁ ୩ ସପ୍ତାହ ପରେ ଆବଦ୍ଧ କାର୍ଡ ବୋର୍ଡ ବା ଟିଣ ସିଟ୍ ଟି କାଢ଼ିଦେବା ଦରକାର l
ବ୍ରୁଡ଼ିଂ ସମୟରେ ଚିଆଁ ମାନଙ୍କର ବ୍ୟବହାରରୁ ଘରର ତାପମାତ୍ରା ଠିକ ଅଛି କି ନାହିଁ ଜଣାପଡ଼େ l ଯଦି ବଲ୍ବ ତଳେ ଚିଆଁମାନେ ରୁଣ୍ଡ ହୋଇ ରହିଥାନ୍ତି l ତେବେ ଘରର ତାପମାତ୍ରା କମ୍ ଅଛି ବୋଲି ଜଣାପଡ଼େ l ଏପରି ସ୍ଥିତିରେ ଘରର ବଲ୍ବ ସଂଖ୍ୟା ବୃଦ୍ଧି କରନ୍ତୁ କିମ୍ବା ବଲ୍ବର ଉଚ୍ଚତା କମ୍ କରନ୍ତୁ l ଚିଆଁମାନେ ଯଦି ଘର କୋଣରେ ଜମାହୋଇ ରହୁଥିବେ ,ତେବେ ଘରର ତାପମାତ୍ରା ଅଧିକ ଅଛି ବୋଲି ଜଣାପଡ଼େ l ଏପରି ସ୍ଥିତିରେ ଘରର ବଲ୍ବ ସଂଖ୍ୟା କମ୍ କରନ୍ତୁ କିମ୍ବା ବଲ୍ବର ଉଚ୍ଚତା ଅଧିକ କରନ୍ତୁ l ଘରେ ସମାନ ଭାବରେ ଚିଆଁମାନେ ବିଛେଇ ହୋଇ ରହିଲେ ଘରର ତାପମାତ୍ରା ଠିକ୍ ଅଛି ବୋଲି ଜଣାପଡ଼େ l
ପ୍ରଥମ ସପ୍ତାହରେ ୯୫ ଡିଗ୍ରୀ ଫାରେନ ହାଇଟ ତାପମାତ୍ରା ଆବଶ୍ୟକ ହୋଇଥାଏ ଏବଂ ପ୍ରତି ସପ୍ତାହରେ ଏହି ତାପମାତ୍ରା କ୍ରମାଗତ ଭାବରେ ୫ ଡିଗ୍ରୀ ଫାରେନ ହାଇଟ ତାପମାତ୍ରା କମି ଚତୁର୍ଥ ସପ୍ତାହରେ ୮୦ ଡିଗ୍ରୀ ଫାରେନ ହାଇଟ ତାପମାତ୍ରା ହୋଇଥାଏ l ଗାଁ ଗହଳିରେ ବାଉଁଶ ଟୋକେଇରେ ଗୋବର ଲିପି ଦେଇ ମଝିରେ ଲକେକ୍ଟ୍ରିକ ବଲ୍ବ ଜଳାଇ ବୃଡର ଭାବେ ବ୍ୟବହାର କରିପାରିବେ l କାଠ ଢାବଲକୁ ମଧ୍ୟ ବୃଡର ଭାବେ ବ୍ୟବହାର କରିପାରିବେ l ଚାଷୀମାନେ ଲଣ୍ଠନ , ଘଷି , କାଠ , କୋଇଲା ମାଧ୍ୟମରେ ମଧ୍ୟ ଚିଆଁମାନଙ୍କୁ ଉତ୍ତାପ ଯୋଗାଇ ପାରିବେ l
ଖାଦ୍ୟପାତ୍ର ଓ ପାଣିପାତ୍ର :-
ଖାଦ୍ୟପାତ୍ର ଓ ପାଣିପାତ୍ର ବୃଡର ଠିକ୍ ବଲ୍ବ ତଳେ ରଖିବା ଉଚିତ ନୁହେଁ l ଏଗୁଡ଼ିକ ଏମିତି ରଖାଯିବା ଉଚିତ, ଯେପରି ଠିକ ଖାଦ୍ୟ , ପାଣି ଓ ଉତ୍ତାପ ଚିଆଁମାନଙ୍କୁ ମିଳିପାରିବ l
କୁକୁଡ଼ା ଚିଆଁମାନଙ୍କ ଯତ୍ନ :-
ଅଣ୍ଡାରୁ ଚିଆଁ ଫୁଟିବା ପରେ ପ୍ରଥମ ୨୪ ଘଣ୍ଟା ଦାନା ନ ଖାଇ ରହିପାରନ୍ତି l ଏମାନଙ୍କୁ ହ୍ୟାଚେରୀରୁ ଆଣି ଘରେ ପହଞ୍ଚିବାକୁ ବେଶୀ ସମୟ ଲାଗୁଥିଲେ , ପ୍ରଥମ ପାଣି ସହ ଗ୍ଲୁକନ - ଡି ଇଲେକ୍ଟ୍ରୋରାଲ ପାଉଡର ବା ଗୁଡ଼ ମିଶାଇ ପିଇବାକୁ ଦେବା ଉଚିତ l ଚିଆଁଙ୍କୁ ସୁଜି ଦାନା ବା ମକା ଗୁଣ୍ଡ ଦେଇ ପାରିବେ l ପ୍ରଥମ ୪ ରୁ ୬ ସପ୍ତାହ କୁକୁଡ଼ା ଚିଆଁ ର ଭଲ ଭାବରେ ଯତ୍ନ ନେବାକୁ ପଡ଼ିଥାଏ l ପ୍ରଥମ ୭ ଦିନ ମଧ୍ୟରେ ଚିଆଁ ଙ୍କ ମୃତ୍ୟୁ ହାର ଅଧିକ ଥିବାରୁ ପିଇବା ପାଣିରେ ଭିଟାମିନ ମିଶାଯାଏ l ୨ ମାସର ହେଲେ କୃମି ନାଶକ ଔଷଧ ଦେଇ ଅଢ଼େଇ ମାସର ବ୍ୟବଧାନରେ ନିୟମିତ ଏହି ଔଷଧ ଦେବା ଉଚିତ l ପ୍ରଥମ ଅଢ଼େଇ ମାସ ମଧ୍ୟରେ ଚିଆଁ ଙ୍କୁ ନାଳ ରକ୍ତ ଝାଡ଼ା ହେବାର ଆଶଙ୍କା ଥାଏ l ତେଣୁ ଏଥିପାଇଁ ପ୍ରତିଷେଧକ ଔଷଧ ଦାନା କିମ୍ବା ପାଣିରେ ନିୟମିତ ପ୍ରୟୋଗ କରନ୍ତୁ l
୬ ସପ୍ତାହ ବେଳକୁ କୁକୁଡ଼ା ବାହାରେ ଚରିବୁଲି ଖାଇବାକୁ ଯାଇ ପାରିବ l ବାଡ଼ି ବଗିଚା ଚାରିପଟେ ତାର ଜାଲି ବା ମଶାରୀ ଜାଲ ଦ୍ୱାରା ଆବଦ୍ଧ କରିବା ଉଚିତ l ଘର ଅଗଣାରେ କୁକୁଡ଼ା ଚିଆଁ ମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରନ୍ତୁ l ଯାହାଦ୍ୱାରା ସେମାନେ ଦୁରକୁ ଖାଦ୍ୟ ଖୋଜିବାକୁ ଯିବେ ନାହିଁ l ସନ୍ଧ୍ୟାରେ ସମୟରେ ଖାଦ୍ୟପାତ୍ରରେ ଖାଦ୍ୟ ଦିଅନ୍ତୁ l ଗାଁ ଗହଳିରେ ଚିଆଁ ମାନଙ୍କୁ ଗୋଟେ ବାଉଁଶ ତିଆରି ଝାମ୍ପିରେ ଘୋଡ଼ାଇ ରଖି ତାହା ଭିତରେ ଅଲଗା ଖାଇବାକୁ ଦିଅନ୍ତୁ l ଝାମ୍ପିଟି ଏପରି ତିଆରି ହୋଇଥାଏ ଯେ ତାହା ଭିତରକୁ ଚିଆଁମାନେ ଯିବା ଆସିବା କରିପାରିବେ କିନ୍ତୁ ଗଞ୍ଜା କିମ୍ବା ପେଣ୍ଠି ତାହା ଭିତରକୁ ଯାଇ ପାରିବେ ନାହିଁ l ଏହାକୁ କ୍ରିପ ଖାଇବା ପଦ୍ଧତି କୁହାଯାଏ l
ଚିଆଁମାନଙ୍କ ସୁରକ୍ଷା :-
କୁକୁଡ଼ା ଚିଆଁ ମାନଙ୍କୁ କାଉ , ଚିଲ , ଛଞ୍ଚାଣ , ମୂଷା ,ସାପ , କଟାସ , କୁକୁର , ବିଲୁଆ , ନେଉଳ , ଭୁଆଁ ବିରାଡ଼ି ଇତ୍ୟାଦି ଶିକାରୀ ପ୍ରାଣୀ ମାନଙ୍କ କବଳରୁ ରକ୍ଷା କରିବା ନିହାତି ଜରୁରୀ ଅଟେ l
Author:
Dr. Lipismita Samal, Asst. Prof.
C.V.Sc.&A.H., OUAT
Share your comments