1. ମତ୍ସ୍ୟ ଓ ପଶୁ ପାଳନ

ଗାଈଗୋରୁଙ୍କ ଖାଦ୍ୟ ଏବଂ ଆମର ଦାୟିତ୍ୱ

ବର୍ଷା ଏବଂ ଶୀତ ଦିନେ ଗାଈଗୋରୁମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟ ମିଳି ଥାଏ l କିନ୍ତୁ ସାଧାରଣତଃ ଗ୍ରୀଷ୍ମ ଋତୁରେ ବାହାର ପରିବେଶ ଉତ୍ତାପ ବୃଦ୍ଧି ଘଟିବା ସହିତ ଗୃହପାଳିତ ପଶୁଙ୍କର ଖାଦ୍ୟର ମଧ୍ୟ ଅଭାବ ଘଟିଥାଏ l

Sugyan Kumar Nayak
Sugyan Kumar Nayak
Cattle Feed

Cattle Feed

ବର୍ଷା ଏବଂ ଶୀତ ଦିନେ ଗାଈଗୋରୁମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟ ମିଳି ଥାଏ l କିନ୍ତୁ ସାଧାରଣତଃ ଗ୍ରୀଷ୍ମ ଋତୁରେ ବାହାର ପରିବେଶ ଉତ୍ତାପ ବୃଦ୍ଧି ଘଟିବା ସହିତ ଗୃହପାଳିତ ପଶୁଙ୍କର ଖାଦ୍ୟର ମଧ୍ୟ ଅଭାବ ଘଟିଥାଏ l ଗ୍ରୀଷ୍ମ ଋତୁରେ ଯେପରି ଗାଈଗୋରୁଗୁଡ଼ିକ ଠିକ ପରିମାଣରେ ଖାଦ୍ୟ ପାନୀୟ ପାଇପାରିବେ ଏବଂ ଉତ୍ତାପ ଦାଉରୁ ରକ୍ଷା ପରିପାରିବେ ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ l ଆମ ଓଡିଶାରେ ମାର୍ଚ୍ଚ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ପ୍ରଚୁର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ପ୍ରବଳ ଗରମ ହେତୁ ପ୍ରାଣୀମାନଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା କମିଯାଇଥାଏ ଏବଂ ଉତ୍ତାପ ଚାପ ହେତୁ ପ୍ରାଣୀମାନଙ୍କର ପ୍ରଦର୍ଶନ କ୍ଷମତା ମଧ୍ୟ କମି ଯାଇଥାଏ  । କିନ୍ତୁ, ଗାଈ ଗୋରୁମାନେ ଅଧିକ ଉତ୍ତାପରେ ରହିଲେ ସେମାନଙ୍କ ଠାରେ କେତେକ ବିଶେଷ ଲକ୍ଷଣ ଦେଖାଦେଇ ଥାଏ, ଯେପରିକି, ଖାଦ୍ୟ ଖାଇବା କ୍ଷମତା କମିଯାଇଥାଏ, ଦୁଗ୍ଧ ଉତ୍ପାଦନ କମିଯାଇଥାଏ, କାର୍ଯ୍ୟ କରିବା କ୍ଷମତା ଏବଂ ଚଞ୍ଚଳତା କମିଯାଇଥାଏ, ମୁହଁ ଖୋଲି ପ୍ରଚୁର ଲାଳ ଗଡାଇଥାନ୍ତି, ଦେହ ଏବଂ କ୍ଷୀର ତାପମାତ୍ରା ବଢିଯାଇଥାଏ l ଚାଷୀମାନଙ୍କୁ ଏସବୁକୁ ଧ୍ୟାନ ଦେଇ ସେମାନଙ୍କ ଖାଦ୍ୟ ପରିଚାଳନା କରିବା ଉଚିତ  ।

ଖାଉଥିବା ଖାଦ୍ୟର ପରିମାଣ ଶରୀରର ତାପମାତ୍ରା ଉପରେ ଅନେକ ପ୍ରଭାବ ପକାଇଥାଏ  । ଖାଦ୍ୟ ହଜମ ଏବଂ ଉପାଚୟ ହେବା ଦ୍ଵାରା ଶରୀରରେ ଚାପ ଉତ୍ପାଦନ ହୋଇଥାଏ । ଅଧିକ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଅଧିକ ତାପ ଉତ୍ପାଦନ ହୋଇଥାଏ  । ଗ୍ରୀଷ୍ମଋତୁରେ କମ୍ ତାପ ଉତ୍ପାଦନ ନିମନ୍ତେ, ପ୍ରାଣୀମାନେ କମ୍  ଖାଦ୍ୟ ଖାଇଥାନ୍ତି  । ତେଣୁ ସହଜରେ ହଜମ ହୋଇ ପାରୁଥିବା ଶ୍ଵେତସାର ସହ କମ୍ ନଡା ଦେବା ଦ୍ଵାରା ପ୍ରାଣୀମାନେ କମ୍ ଖାଦ୍ୟରେ ମଧ୍ୟ କ୍ଷମତା ସମ୍ଭବ ଶକ୍ତି ଓ ପ୍ରୋଟିନ ପାଇଥାନ୍ତି  । କିନ୍ତୁ  ଅଧିକ ଶ୍ଵେତସାର ଦେବାଦ୍ଵାରା ପେଟ ଭିତରେ ଅମ୍ଳ ଜନିତ ରୋଗ ହେବାର ସମ୍ଭାବନା ରହିଛି  । ତେଣୁ ଖାଦ୍ୟରେ ପ୍ରତିରୋଧି ମିଶାଇ ଖାଇବାକୁ ଦେବା ଉଚିତ । ସ୍ନେହସାର ଜାତୀୟ ଖାଦ୍ୟରେ ଶକ୍ତିର ପରିମାଣ ଅଧିକ ଏବଂ କମ୍ ତାପ ଉତ୍ପାଦନ କରିଥାଏ । ତେଣୁ ଖାଦ୍ୟରେ ସ୍ନେହସାର ଜାତୀୟ ଖାଦ୍ୟ ମିଶାଇ ଖାଦ୍ୟରେ ଶକ୍ତିର ପରିମାଣ ବୃଦ୍ଧି କରାଯାଇପାରିବ । ସ୍ନେହସାରର ପରିମାଣ କଦାପି ଶତକଡା ୫-୬% ରୁ ଅଧିକ ହେବା ଉଚିତ୍ ନୁହଁ । ନଚେତ୍ ଖାଦ୍ୟରେ ଥିବା ନଡାର ହଜମ କ୍ଷମତା କମିଯାଇଥାଏ । ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହେତୁ ଅଧିକ ପରିମାଣର ଝାଳ ଏବଂ ମୂତ୍ର ନିର୍ଗତ ହୋଇଥାଏ । ଏହି ନିର୍ଗତ ମୂତ୍ର ଏବଂ ଝାଳରେ ପ୍ରଚୁର ପରିମାଣର ସୋଡିୟମ ଓ ପୋଟାସିୟମ ନିର୍ଗତ ହୋଇଥାଏ । ତେଣୁ ଖାଦ୍ୟରେ ଅଲଗା ଭାବେ ଲବଣ ମିଶାଇବା ଉଚିତ୍ । ଯେଉଁଥିରେ ଅଧିକ ପରିମାଣର ପୋଟାସିୟମ ଓ ସୋଡିୟମ ଥିବ । ଅଧିକ ଲୋଭରେ ଅଧିକ ପ୍ରୋଟିନ ଖୁଆଇବା ଦ୍ଵାରା ପ୍ରାଣୀମାନଙ୍କ ଯକୃତ ଓ ବୃକକ ଉପରେ ଚାପ ପଡିଥାଏ । ପ୍ରାଣୀମାନେ ରୋଗର ଶିକାର ହୋଇପାରନ୍ତି ।ଏଣୁ ଗ୍ରୀଷ୍ମଦିନେ ଖାଦ୍ୟରେ ଶତକଡା ୧୫-୧୭% ପ୍ରୋଟିନ ରହିବା ଉଚିତ । ଏହି ଜୀବମାନେ ନଡ଼ାଜାତୀୟ ଖାଦ୍ୟର ହଜମ କ୍ଷମତା ବୃଦ୍ଧି କରାଇଥାଆନ୍ତି ଏବଂ କମ୍ ତାପ ଉତ୍ପାଦନ କରିଥାନ୍ତି ।

ଖରାଦିନେ ସବୁଜ ଘାସର ପରିମାଣ କମିଯାଇଥାଏ । ତେଣୁ ଯଥା ପୂର୍ବରୁ ଘାସକୁ କାଟି ସଞ୍ଚୟ କରିବା ଉଚିତ । ଘାସକୁ କାଟି ଶୁଖାଇ ‘ହେ’ ଭାବେ ରଖାଯାଇ ପାରିବ  । ନଚେତ ଘାସକୁ ଘୋଡାଇ ‘ସିଲେଜ’ ଭାବେ ମଧ୍ୟ ରଖାଯାଇ ପାରିବ । ଏହି ଦୁଇଟି ପଦ୍ଧତିରେ ସବୁଜ ଘାସ ଓ ପତ୍ରକୁ ଅଧିକ ଦିନ ପାଇଁ ସଞ୍ଚୟ କରାଯାଇ ପାରିବ ଏବଂ ଆବଶ୍ୟକ ସମୟରେ ବ୍ୟବହାର କରାଯାଇପାରିବ । ଗ୍ରୀଷ୍ମଋତୁରେ ମଧ୍ୟ ପ୍ରାଣୀମାନଙ୍କ ପାଇଁ ସବୁଜ ଘାସର ଅଭାବ କରିବା ଉଚିତ  ନୁହେଁ  । ପ୍ରାଣୀମାନଙ୍କ ଖାଇବା ସମୟରେ ମଧ୍ୟ ଅଦଳ ବଦଳ କରିବା ଉଚିତ, ଯଥା : ସକାଳ ଓ ସନ୍ଧ୍ୟା ସମୟରେ ଖାଇବାକୁ ଦେବା ଉଚିତ୍ । ଏହି ସମୟରେ ପରିବେଶର ତାପମାତ୍ରା ଅଧିକ ନଥାଏ  । ତେଣୁ ପ୍ରାଣୀମାନଙ୍କ ଉପରେ ଚାପ କମ୍ ପଡିଥାଏ ଏବଂ ପ୍ରାଣୀମାନେ ଅଧିକ ଖାଦ୍ୟ  ଖାଦ୍ୟ ଖାଇ ପାରନ୍ତି  । ଗ୍ରୀଷ୍ମଦିନେ ଖାଇବାର ସଠିକ୍  ବେଳ ହେଉଛି ସନ୍ଧ୍ୟା ବେଳ  । କାରଣ ଖାଦ୍ୟ ଖାଇବାପରେ ଶରୀରର ତାପମାତ୍ରା ବଢିଲେ ମଧ୍ୟ ପରିବେଶ ତାପମାତ୍ରା କମ୍ ଥିବାରୁ ବିଶେଷ ଅସୁବିଧା ହୁଏ ନାହିଁ  । ବାହାରେ ଚରିବା ପାଇଁ ସକାଳ ଓ ସନ୍ଧ୍ୟା ସମୟରେ ଛାଡିବା ଉଚିତ  । ଏହା ଦ୍ୱାରା ଗାଈ ଗୋରୁମାନେ ସୂର୍ଯ୍ୟତାପରୁ ରକ୍ଷା ପାଇପାରିବେ । ଏସବୁ ଛଡା ଅନ୍ୟ ଏକ ନିତାନ୍ତ ଆବଶ୍ୟକ ଉପାଦାନ ହେଉଛି ଜଳ  । ପ୍ରାଣୀମାନଙ୍କୁ ପ୍ରଚୁର ପରିମାଣରେ ସଫା ଓ ଥଣ୍ଡା ପାନୀୟଜଳ ଯୋଗାଇ ଦେବା ଉଚିତ୍  । ଏହା ଦ୍ଵାରା ପ୍ରାଣୀମାନେ ତାପରୁ ରକ୍ଷା ପାଇପାରିବେ । ଖାଦ୍ୟ ଖାଇବା ଆଗରୁ ପାନୀୟଜଳ ଯୋଗାଇ ଦେବା ଉଚିତ । ପାଣିରେ ଅଳ୍ପ ପରିମାଣରେ ଲବଣ ମଧ୍ୟ ମିଶାଯାଇ ପାରିବ । ଯାହାକି ପ୍ରାଣୀମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ। ଏହିସବୁ ସାବଧାନତା ଅବଲମ୍ବନ କରିବା ଦ୍ଵାରା ପ୍ରାଣୀମାନଙ୍କୁ ଗ୍ରୀଷ୍ମଋତୁରେ ଅଂଶୁଘାତରୁ ରକ୍ଷା କରାଯାଇପାରିବ ଏବଂ ପ୍ରାଣୀମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ପ୍ରଭାବିତ ହେବ  ନାହିଁ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments