ଗୋପାଳକ ତଥା ଦୁଗ୍ଧ ପାଇବା ପାଇଁ ଗାଈଗୋରୁ ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ଦୁଧିଆଳୀ ଗାଈଟିଏ ବାଛିବା ଗୋଟିଏ କଷ୍ଟକର କଥା ହୋଇପଡ଼େ l ବେଳେ ବେଳେ ସେମାନେ ଦୁଧିଆଳୀ ଗାଈଟିଏ ବାଛିବାରେ ଭୁଲ କରିଦେଇ ଅନେକ କ୍ଷତି ସହିଥାଆନ୍ତି l ଗାଈ କିଣିବା ସମୟରେ ଆମକୁ କେତେକ ନିର୍ଦ୍ଧିଷ୍ଟ ଲକ୍ଷଣଗୁଡ଼ିକୁ ଦେଖି କରି କିଣିଲେ ଆମକୁ ନିଶ୍ଚିତ ଭାବରେ ଭଲ ଗାଈ ମିଳିପାରିବ ଏବଂ ଆମେ ଲାଭବାନ ହୋଇପାରିବା l ଆସନ୍ତୁ ଆଜି ଆମେ ଦୁଧିଆଳୀ ଗାଈର ବିଭିନ୍ନ ସାଧାରଣ ଲକ୍ଷଣଗୁଡ଼ିକ ବିଷୟରେ ଆଲୋଚନା କରିବା, ଯାହା ଫଳରେ ଗୋପାଳକ ଭାଇମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ l ଗାଈଟିଏ କିଣିବା ପୂର୍ବରୁ ତାହାର ଦୁଗ୍ଧ ଦେବା ଶକ୍ତି ବିଷୟରେ ଜାଣିବା ଦରକାର । ସାଧାରଣତଃ ବୈଜ୍ଞାନିକ ପ୍ରଣାଳୀରେ ଗାଈ ଚିହ୍ନିବାକୁ ହେଲେ ଗାଈର ଜନ୍ମ ପ୍ରଜାତି ବିଷୟରେ ମଧ୍ୟ ଜାଣିବା ଦରକାର । ଏଥିପାଇଁ ପ୍ରତି ଗାଈ ବିଷୟରେ ତାହାର କ୍ଷୀର ଦେବା ଶକ୍ତି, ଥରେ ଜନ୍ମ କଲାପରେ ଦୁଧ ଦେଉଥିବାର ଦିନ ସଂଖ୍ୟା, ଗାଈର ସ୍ଵଭାବ ବିଷୟରେ ଲିଖିତ ବିବରଣୀ ଦେଖିବା ଉଚିତ୍ । ତେବେ ଆମ ଦେଶରେ ଏପରି ଲିଖିତ ବିବରଣୀ ମିଳିବା ସହଜ ନୁହେଁ । ସେଥି ପାଇଁ ତାହାର ଆକାର ଓ ଶରୀରର ବିଭିନ୍ନ ଅଂଶକୁ ଦେଖି ଗାଈ କିଣିବା ଉଚିତ୍ ।
ସାଧାରଣତଃ ଆମ ଗାଁଗହଳରେ ଦାନ୍ତ ପରୀକ୍ଷା କରି ଗାଈର ବୟସ ଓ ତାହା କେତେ ଥର ଜନ୍ମ କରିଛି ସେ ବିଷୟରେ ଲୋକେ ଜାଣିପାରିଥାନ୍ତି । ବୟସ୍କ ଗାଈମାନଙ୍କର ୩୨ଟି ଦାନ୍ତ ଥାଏ । ସେଥିରୁ ଉପର ଓ ତଳ ପାଟିର ଡାହାଣ ଓ ବାମ କଡ଼େ ୬ଟି ଲେଖାଏଁ ୨୪ଟି କଳ ଦାନ୍ତ ଥାଏ । ତଳ ପାଟିରେ ୮ଟି ଛାମୁଦାନ୍ତ ଥାଏ ଏବଂ ଉପର ପାଟିରେ ଛାମୁଦାନ୍ତ ନଥାଏ, କେବଳ ମାଢ଼ି ଥାଏ । ସଙ୍କର ଜର୍ସିଗାଈ ମାନଙ୍କର ଦେଢ଼ ବର୍ଷରୁ ଦୁଇବର୍ଷ ଭିତରେ ପ୍ରଥମ ଯୋଡ଼ା, ଅଢ଼େଇରୁ ୩ ବର୍ଷ ଭିତରେ ଦ୍ଵିତୀୟ ହଳ, ସାଢ଼େ, ତିନି ବର୍ଷରୁ ଚାରିବର୍ଷ ଭିତରେ ତୃତୀୟ ହଳ, ସାଢ଼େ ଚାରି ବର୍ଷରୁ ୫ ବର୍ଷ ଭିତରେ ଚତୁର୍ଥ ହଳ ସ୍ଥାୟୀ ଛାମୁଦାନ୍ତ ଉଠିଥାଏ । ଭଲ ସଙ୍କର ଜର୍ସିଗାଈ ସାଧାରଣତଃ ଅଢ଼େଇରୁ ୩ ବର୍ଷ ଭିତରେ ପ୍ରଥମ ବାଛୁରୀ ଜନ୍ମ କରିଥାଏ । ସାଢ଼େ ତିନିବର୍ଷରୁ ୪ ବର୍ଷ ଭିତରେ ଦ୍ଵିତୀୟ ଥର ଜନ୍ମ କରିଥାଏ । ତେଣୁ ଯେଉଁ ଗାଈର ୨ ହଳ ଛାମୁଦାନ୍ତ ଉଠିଥିବ ତାହା ଏକ ଫଳି ବା ଥରେ ବାଛୁରୀ ଜନ୍ମ କରିଥିବା ଗାଈ ବୋଲି ଧରାଯିବ । ସେହିପରି ଯେଉଁ ଗାଈର ୩ ହଳ ଛାମୁ ଦାନ୍ତ ଉଠିଥିବ ତାହା ଦୁଇଫଳି ବୋଲି ଜଣାପଡ଼ିବ ।
ଗାଈଟିଏ କିଣିବା ବେଳେ ପ୍ରଥମ ଥର ଜନ୍ମ କରିବାର ମାସେ ଦୁଇମାସ ଭିତରେ କିଣିବା ଉଚିତ । ବାଛୁରୀ ମାନଙ୍କର ଜନ୍ମ ହେଲା ବେଳକୁ ୨ ହଳ ଅସ୍ଥାୟୀ ଛାମୁଦାନ୍ତ ଉଠି ସାରିଥାଏ । ପ୍ରଥମ ସପ୍ତାହରେ ତୃତୀୟ ହଳ ଦାନ୍ତ ଉଠିବାର ଆରମ୍ଭ କରେ ଓ ପ୍ରାୟ ଚତୁର୍ଥ ସପ୍ତାହ ବେଳକୁ ପୁରା ଉଠିଥାଏ । ପଞ୍ଚମ ସପ୍ତାହ ବେଳକୁ ଚତୁର୍ଥ ହଳ ଦାନ୍ତ ଉଠି ଅଷ୍ଟମ ସପ୍ତାହ ବେଳକୁ ପୁରା ଉଠି ଯାଇଥାଏ । ବାଛୁରୀର ଅସ୍ଥାୟୀ ଛାମୁ ଦାନ୍ତ ଦେଖି ମଧ୍ୟ ଗାଈ କେତେ ଦିନ ହେଲା ବାଛୁରୀ ଜନ୍ମ କରିଛି ତାହା ଜାଣିବା ସମ୍ଭବ ହୋଇଥାଏ । ସାଧାରଣତଃ ଗାଈର ଗଠନ ଓ ସ୍ଵାସ୍ଥ୍ୟ, ଦୁଧଦେବା ଶକ୍ତି, ପହ୍ନା ଓ ଚିର ଇତ୍ୟାଦିର ଗଠନ ଦେଖି ଗାଈ ଚିହ୍ନା ଯାଇପାରିବ । ଗାଈର ପେଟ ବଡ଼ ଆକାରର ହୋଇଥିଲେ ତାହା ଅଧିକ ଖାଦ୍ୟ ଖାଇପାରେ । ପହ୍ନା ବଡ଼ ଓ ଚିରଗୁଡ଼ିକ ସମାନ ଭାବେ ପହ୍ନାରୁ ଓହଳି ଥିଲେ ଅଧିକ କ୍ଷୀର ଦେବା ଲକ୍ଷଣ ବୋଲି ଜଣାଯାଏ । ଗାଈର ମୁହଁ ସୁନ୍ଦର ଏବଂ ଦେହରେ ଚର୍ବି ନଥିବା ଉଚିତ୍ । ଚମଡ଼ା ମାଂସ ସହିତ ଚିପି ନ ହୋଇ ଅଲଗା ରହିଥଲେ ଏବଂ ଚାଲିଲାବେଳେ ଛାତିର ଚମଡ଼ା ପଞ୍ଜରାହାଡ଼ ସହିତ ଘସି ହେଉଥଲେ ତାହା ଦୁଧିଆଳୀ ଗାଈର ଲକ୍ଷଣ ବୋଲି ଜଣାପଡ଼େ । ଗାଈର ଶରୀର ତିନିକୋଣିଆ ହେବା ଦରକାର । ଅର୍ଥାତ ତାର ମୁହଁ ଓ ଦୁଇପାଖର ଶରୀରକୁ ଯୋଗକଲେ ଏକ ତ୍ରିଭୁଜ ସ୍ଵରୂପ ଦେଖାଯିବ । ଦୁଧିଆଳୀ ଗାଈର ପହ୍ନା ଦୁହିଁଲା ପୂର୍ବରୁ ବଡ଼ଥାଏ, କିନ୍ତୁ ଦୁହିଁବା ପରେ ପୁରା ସଙ୍କୁଚିତ ହୋଇଯାଏ । କାରଣ ଦୁଧ ଦୁହିଁ ସାରିବା ପରେ ପୁରା ସଙ୍କୁଚିତ ହୋଇଯାଏ । ଦୁଧ ଦୁହିଁ ସାରିବା ପରେ ଯେଉଁ ଗାଈର ପହ୍ନା ବିଶେଷ ସଙ୍କୁଚିତ ହୁଏ ନାହିଁ ସେପରି ଗାଈ ଦୁଧିଆଳୀ ହୁଅନ୍ତି ନାହିଁ । ପହ୍ନାର ଆଗକୁ ଦୁଗ୍ଧ ଶିରାଗୁଡ଼ିକ ସ୍ପଷ୍ଟ ଭାବରେ ବଙ୍କା ଟଙ୍କା ହୋଇ ଦେଖାଯିବା ଉଚିତ୍ । ଚିରଗୁଡ଼ିକ ହାତରେ ଧରି ଦୁହିଁବା ଭଳି ଉପଯୁକ୍ତ ଲମ୍ବା ଓ ମୋଟା ହେବା ଉଚିତ୍ ।
ଦୁଧିଆଳୀ ଗାଈର ସ୍ଵଭାବ
ଦୁଧିଆଳୀ ଗାଈର ସ୍ଵଭାବ ଶାନ୍ତଶିଷ୍ଟ ହେବା ଉଚିତ୍ । ଯେଉଁ ଗାଈ ମରାମରି କରେ ବା ହୁରୁଡ଼େ ସେ ଗାଈର ଦୁଗ୍ଧ ଦେବା ଶକ୍ତି କମ୍ ଥିବାର ଦେଖାଯାଏ । ଶାନ୍ତଶିଷ୍ଟ ଗାଈ ଅଧିକ ସମୟ ପର୍ଯ୍ୟନ୍ତ ଦୁହିଁବାକୁ ଦେଇଥାଏ। ଯେଉଁ ଗାଈଙ୍କର ଖାଦ୍ୟ ଆହରଣ କରିବା ଓ ଚୋବାଇବା କ୍ଷମତା ଯେତେ ବେଶୀ। ସେ ଗାଈ, ସେତିକି ଦୁଧିଆଳୀ ହୋଇଥିବାର ଦେଖାଯାଏ । ସାଧାରଣତଃ ଗାଈ କିଣିଲା ବେଳେ ତାହାର କ୍ଷୀରର ପରିମାଣ ଜାଣିବା ଉଚିତ୍ । ଏଥି ପାଇଁ ଗାଈକୁ ସକାଳେ ଓ ସନ୍ଧ୍ୟାରେ ଦିନକୁ ଦୁଇଥର ହିସାବରେ ଦୁହିଁବା ଉଚିତ୍ । ପ୍ରଥମ ଥର ଦୁହାଁଯାଇଥବା କ୍ଷୀରକୁ ବାଦଦେଇ ବାକି ତିନିଥରରେ ଯେତିକି କ୍ଷୀର ଦୁହାଁ ହୋଇଥାଏ ତାହାର ୩ ଭାଗରୁ ୨ ଭାଗ ଗାଈର ଦୈନିକ ଦୁଗ୍ଧ ଦେବାର କ୍ଷମତା ବୋଲି ଜାଣିବାକୁ ହେବ । ସାଧାରଣତଃ ଗାଈଟିଏ ଜନ୍ମ କଲେ ତାହାର ଦୁଗ୍ଧ ଦେବା ପରିମାଣ ବଢ଼ି ବଢ଼ି ଦୁଇମାସ ବେଳକୁ ସବୁଠାରୁ ଅଧିକ ହୋଇଥାଏ ଏବଂ ଦୁଇମାସ ପରେ ଏହା କ୍ରମଶଃ କମିବାକୁ ଲାଗେ । ତେଣୁ ଗାଈ ଜନ୍ମ କରିବାର ଦ୍ଵିତୀୟ ସପ୍ତାହଠାରୁ ଅଷ୍ଟମ ସପ୍ତାହ ଭିତରେ ତାର ଦୁଗ୍ଧ ଦେବା ଶକ୍ତି ପରୀକ୍ଷା କରି କିଣିବା ଉଚିତ୍ । ଅନେକ ସମୟରେ ଗାଈ କିଣିବା ବେଳେ ଗୋଟିଏ ଗାଁକୁ ଦୁଇଦିନ ନିୟମିତ ଯାଇ ଦୁହାଁ ବେଳେ ପହଞ୍ଚିବା ସମ୍ବବପର ହୋଇ ନଥାଏ । ପୁନଶ୍ଚ ଅନେକ ଅସାଧୁ ଲୋକ ମଧ୍ୟ ଗାଈ କିପରି ସେହି ସମୟରେ ଅଧିକ କ୍ଷୀର ଦେବ ସେଥିପାଇଁ ନାନା ପ୍ରକାରର ବ୍ୟବସ୍ଥା କରିଥାନ୍ତି । ସେହିପରି କ୍ଷେତ୍ରରେ ଯେ କୌଣସି ଦିନ ସନ୍ଧ୍ୟାବେଳେ ଗାଈର ଦୁଗ୍ଧ ପରିମାଣ ଜାଣିପାରିଲେ ତାହାର ଦୁଗ୍ଧ ଦେବା ଶକ୍ତି ମଧ୍ୟ ଜଣାଯାଏ । ତେଣୁ ଜାତିଆ ଗାଈ କିଣିଲାବେଳେ ତାହାର କିସମ ବା ଜାତି, ଆକାର, ଗଠନ, ବିଶେଷ କରି ପହ୍ନା ଓ ଚିର, ଦୁଗ୍ଧ ଶିରା ଇତ୍ୟାଦିର ଆକୃତି ଏବଂ ସେହି ଗାଈ ଦେଉଥିବା ଦୁଧର ପରିମାଣ ଦେଖି କିଣିବା ଉଚିତ୍।
Share your comments