ସାଧାରଣତଃ ଗୋପାଳକମାନେ ବିଭିନ୍ନ ପ୍ରଜାତିର ଗାଈ ପାଳନ କରିବାର ଆମେ ଦେଖିଥାଉ l ବିଭିନ୍ନ ସ୍ଥାନରେ ଉନ୍ନତ ମନର ମଇଁଷି ପାଳନ କରାଯାଉଛି l ଗାଈ ଅପେକ୍ଷା ମଇଁଷିମାନଙ୍କ ନିମନ୍ତେ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହେବା ସହିତ ଗୋପାଳକମାନଙ୍କୁ ଉପଯୁକ୍ତ ପରିମାଣର ଦୁଗ୍ଧ ମଧ୍ୟ ମିଳିଥାଏ l ଭାରତରେ ଦୁଗ୍ଧ ଉତ୍ପାଦନକୁ ଆଖିରେ ରଖି ବିଭିନ୍ନ ପ୍ରଜାତିର ମଇଁଷି ପାଳନ କରାଯାଉଛି l
ଏ ସବୁ ବାଦ ଦକ୍ଷିଣ ଭାରତର ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଏକ ଭିନ୍ନ ପ୍ରଜାତିର ମଇଁଷି ପାଳନ କରାଯାଏ l ଏହାର ନାମ ହେଉଛି ଟୋଡା ମଇଁଷି l ଏଠାକାର ଆଦିମ ଜନଜାତିଙ୍କର ନାମ ଅନୁସାରେ ଏହାର ନାମକରଣ ହୋଇଛି l ତାମିଲନାଡ଼ୁର ନୀଳଗିରି ପାର୍ବତ୍ୟାଞ୍ଚଳରେ ଟୋଡା ଜନଜାତିର ଲୋକମାନେ ଏହି ମଇଁଷି ପାଳନ କରୁଥିବାର ଦେଖିବାକୁ ମିଳେ l ନୀଳଗିରି ଅଞ୍ଚଳର ବଡଗା ଏବଂ କୋଟା ଜନଜାତିର ଲୋକମାନେ ମଧ୍ୟ ଏହି ପ୍ରଜାତିର ମଇଁଷି ପାଳନ କରିଥାନ୍ତି l ଟୋଡା ଆଦିବାସୀମାନେ ଅଧିକ ପରିମାଣରେ ଏହି ମଇଁଷି ରଖୁଥିବାରୁ ଏହାର ନାମକରଣ ଏହିପରି ହୋଇଛି l ଟୋଡା ଆଦିବାସୀମାନଙ୍କ ଭିତରେ ଏହି ପ୍ରଜାତିର ମଇଁଷିକୁ ନେଇ ରହିଛି ଅନେକ ପରମ୍ପରା ଏବଂ ଚଳଣୀ l ଏହା ସେମାନଙ୍କର ଜଙ୍ଗଲୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି l ଏହି ପ୍ରଜାତିର ମଇଁଷି କେବଳ ସେହି ଅଞ୍ଚଳରେ ସୀମିତ ରହିଛି l ଗବେଷଣାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସମୟରେ ଏହି ମଇଁଷିମାନଙ୍କ ସଂଖ୍ୟା ଅତି ବେଶୀରେ ୨୦୦୦ ମଧ୍ୟରେ ରହିଛି l
ଏହି ମଇଁଷିର ଉଲ୍ଲେଖନୀୟ ଶାରୀରିକ ବୈଶିଷ୍ଟ୍ୟ ହେଉଛି ଏହାର ଅର୍ଦ୍ଧବୃତ୍ତାକାର ଶିଙ୍ଗ ଦୁଇଟି l ଶିଙ୍ଗ ଦୁଇଟି ଛଡ଼ା ଛଡ଼ା ଏବଂ ସୁଦୃଢ଼ l ଦେଖିବାକୁ ଠିକ ଅର୍ଦ୍ଧ ଚନ୍ଦ୍ର ଆକୃତିର l ଏହାର ବେକାର ତଳ ପାର୍ଶ୍ୱରେ ଦୁଇଟି ପଟା ପଟା ଚିହ୍ନ ରହିଥାଏ l ଏହାର ଶରୀର ରଙ୍ଗ ଦେଖିବାକୁ ପାଉଁଶିଆ l ଲାଞ୍ଚଟି ପତଳା ଏବଂ ଲମ୍ବା ଅଟେ l ଏହି ପ୍ରଜାତିର ମଇଁଷି ଗୁଡିକର ଓଜନ ପାଖାପାଖି ୩୮୦ କି.ଗ୍ରା.ପର୍ଯ୍ୟନ୍ତ ହୋଇଥାଏ l ଏହାର ପହ୍ନା ଦେଖିବାକୁ ଛୋଟ ଆକୃତିର l ଟୋଡା ପ୍ରଜାତିର ମଇଁଷି ୫୦୦ ରୁ ୭୦୦ କି.ଗ୍ରା. ପର୍ଯ୍ୟନ୍ତ ଦୁଗ୍ଧ ପ୍ରଦାନ କରିଥାଏ l ଏହାର ଦୁଗ୍ଧରେ ୮ ପ୍ରତିଶତ ସ୍ନେହସାର ଭରି ରହିଥାଏ l ମଇଁଷିକୁ ଚାରିବର୍ଷ ବୟସ ହେବା ପରେ ଏହା ପ୍ରଥମ ପ୍ରସବ କରିଥାଏ l ପରବର୍ତ୍ତୀ ସମୟରେ ପ୍ରତି ୧୪ ମାସରେ ଏହା ଗର୍ଭ ଧାରଣ କରିବାକୁ ସକ୍ଷମ ହୁଏ l
ଟୋଡା ପ୍ରଜାତିର ମଇଁଷିଗୁଡ଼ିକ ପଲ ପଲ ହୋଇ ରହିଥାଆନ୍ତି l ଗୋଟିଏ ପଲରେ ଗୋଟିଏ କିମ୍ବା ଦୁଇଟି ଅଣ୍ଡିରା ମଇଁଷି ରହିଥାଆନ୍ତି l ଏହି ପ୍ରଜାତିର ମଇଁଷିଗୁଡ଼ିକ ବହୁତ ଶକ୍ତିଶାଳୀ ଅଟନ୍ତି l ଦରକାର ପଡ଼ିଲେ ହିଂସ୍ର ବନ୍ୟଜନ୍ତୁମାନଙ୍କୁ ଦଳବଦ୍ଧ ହୋଇ ଆକ୍ରମଣ କରିଥାଆନ୍ତି l
Share your comments