1. ମତ୍ସ୍ୟ ଓ ପଶୁ ପାଳନ

ପଶୁପାଳନର ଉନ୍ନତି ନିମନ୍ତେ ଏହି ଯୋଜନାଗୁଡ଼ିକ ରହିଛି, ଆପଣ ଜାଣି ରଖନ୍ତୁ !!

ଏ ବ୍ୟବସ୍ଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ବ୍ଲକରେ କାର୍ଯ୍ୟକାରୀ ହେଉଛି । ମାସରେ ୨୦ଦିନ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଷୀଙ୍କ ଦ୍ଵାରଦେଶରେ ଯୋଗାଇ ଦିଆଯାଉଛି ।

Sugyan Kumar Nayak
Sugyan Kumar Nayak
Cattle Feeds

Cattle Feeds

ଏ ବ୍ୟବସ୍ଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ବ୍ଲକରେ କାର୍ଯ୍ୟକାରୀ ହେଉଛି । ମାସରେ ୨୦ଦିନ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଷୀଙ୍କ ଦ୍ଵାରଦେଶରେ ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ପ୍ରାଣୀ ରୋଗଗୁଡିକର ମାଗଣା ଚିକିତ୍ସା ତଥା ରୋଗ ସର୍ବେକ୍ଷଣ ସହ ପ୍ରାଣୀପାଳନ ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି ।

ସଙ୍କର ମାଈ ବାଛୁରୀ ପାଳନ ଯୋଜନା

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଆମ ରାଜ୍ୟରେ ସଙ୍କର ମାଈ ବାଛୁରୀ ପାଳନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଦୁଗ୍ଧ ସମବାୟ ସମିତିର ପରିସର ମଧ୍ୟରେ କୃତ୍ରିମ ପ୍ରଜନନ ମାଧ୍ୟମରେ ଜନ୍ନିତ ସଙ୍କର ମାଈ ବାଛୁରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ମିଳିଥାଏ । ୪-୨୮ ମାସ ପର୍ଯ୍ୟନ୍ତ ୨୪ ମାସ ପାଇଁ ସର୍ବାଧିକ ୧୩୬୦ କିଗ୍ରା ବାଛୁରୀ ଦାନା ୫୦% ଅନୁଦାନରେ ତ୍ରୈମାସିକ କିସ୍ତିରେ ସମିତି ମାଧ୍ୟମରେ ଯୋଗାଇ ଦିଆଯାଏ । ଯୋଜନାଭୁକ୍ତ ବାଛୁରୀମାନଙ୍କର ବୀମା କରାଯାଇଥାଏ ଏବଂ ପ୍ରତିଷେଧକ ଟିକା ଓ କୃମି ନିବାରକ ଔଷଧ ମାଗଣାରେ ଯୋଗାଇ ଦିଆଯାଇଥାଏ।

ଡାଏରୀ ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା

ଏହି ଯୋଜନା ରାଜ୍ୟ ସରକାରଙ୍କ ଉଦ୍ୟମରେ କାର୍ଯ୍ୟକାରୀ କରାଯାଉଛି, ଯାହାକି ସମସ୍ତ ଆର୍ଥିକ ବର୍ଗର ଚାଷୀଙ୍କ ପାଇଁ ଉର୍ଦ୍ଧିଷ୍ଟ । ଏହି ଯୋଜନାରେ ଜଣେ ସାଧାରଣ ବର୍ଗର ଚାଷୀ ବା ହିତାଧିକାରୀ ଶତକଡା ୨୫ ଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଶତକଡା ୩୩.୩୩ ଭାଗ ସବସିଡ ବା ଛାଡ଼ ପାଇପାରିବେ । ଏହି ଯୋଜନାରେ ଚାଷୀ ସର୍ବନିମ୍ନ ୨ଟିରୁ ଆରମ୍ଭ କରି ସର୍ବାଧିକ ୧୦ଟି ଗାଈ ପାଇଁ ଋଣ ନେଇପାରିବେ ଏବଂ ଋଣ ଲାଗି ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି । ଏହି ଯୋଜନାରେ ଦୁଗ୍ଧ ସମବାୟ ସମିତି ଅଞ୍ଚଳରେ ଓମଫେଡ ର ଉନ୍ନତ ମାର୍କେଟିଂ ନେଟୱାର୍କ ଥିବାରୁ ଦୁଗ୍ଧ ଚାଷୀମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ପ୍ରଦାନରେ ଅଗ୍ରାଧିକାର ଦିଆଯାଏ । ରାଜ୍ୟ ସରକାରଙ୍କ ତରଫରୁ ଚଳିତ ଆର୍ଥିକ ବର୍ଷରେ ୧୦ହଜାର ଉଦ୍ୟୋଗୀଙ୍କୁ ଏହି ଯୋଜନାରେ ରାଜ୍ୟର ନିଜସ୍ଵ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦିଆଯାଉଛି ।

ଗୋ-ଉଦ୍ୟୋଗୀଙ୍କ ପାଇଁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଋଣରେ ସୁଧ ଛାଡ

ରାଜ୍ୟ ସରକାର ଏହି ଯୋଜନା ଗୋପାଳନ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗାଈ ରଖି ଦୁଗ୍ଧ ଉତ୍ପାଦନ ବଢେଇବା ପାଇଁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦୀ ଋଣ ଉପରେ ୫%ସୁଧ ଉପରେ ଛାଡ଼ ଦିଆଯାଇଛି । ଠିକ ସମୟରେ ଋଣ ପରିଶୋଧ କଲେ ପୁଣି ୩% ସୁଧ ଛାଡ଼ ମିଳେ । ସେହିପରି ୧୦ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କରୁ ଦୀର୍ଘମିଆଦି ଋଣ ନେଇ ଗାଈ ଫାର୍ମ କରିଥିବା ଚାଷୀଙ୍କୁ ଋଣର ସୁଧ ଉପରେ ୩%ରିହାତିର ସୁବିଧା ଅଛି। ଠିକ ସମୟରେ (୮୦%) ଋଣ ପରିଶୋଧ କଲେ ପୁଣି ୨% ଋଣ ଉପରେ ସୁଧ ରିହାତି ମିଳିଥାଏ।

ସମନ୍ଵିତ ପ୍ରାଣୀ ସମ୍ପଦ ବିକାଶ ଯୋଜନା(କଲ୍ୟାଣୀ)

ଓଡିଶା ସରକାର ଓ ବାଏଫ ଅନୁସନ୍ଧାନ ଓ ବିକାଶ ଫାଉଣ୍ଡେସନ, ପୁନେ ଅନୁଷ୍ଠାନର ମିଳିତ ସହଯୋଗରେ କଲ୍ୟାଣୀ ନାମକ ଏକ ପାଞ୍ଚବର୍ଷିଆ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି । ଏ ଯୋଜନାରେ ଗୋ-ମହିଷାଦିର ବିକାଶ, ଛେଳି ଚାଷର ଉନ୍ନତି, ସବୁଜ ଘାସ ଚାଷରେ ଉନ୍ନତି ଏବଂ ବୈଷୟିକ ଜ୍ଞାନକୌଶଳର ସହଭାଗିତା ହେଉଅଛି । ଗୋମହିଷାଦି ବିକାଶ ମାଧ୍ୟମରେ ରାଜ୍ୟର ୧୦ଟି ଜିଲ୍ଲା ଯଥା ଅନୁଗୁଳ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ୧୦୦ଟି ଗୋମହିଷାଦି କେନ୍ଦ୍ରମାନ ଖୋଲାଯାଇଛି । ଗୋ-ମହିଷାଦି କେନ୍ଦ୍ର ସ୍ଥାପିତ ହୋଇଥିବା ଅଞ୍ଚଳରେ ପ୍ରଜନନ ସେବା, ସମନ୍ଵିତ ଘାସ ଚାଷ ଓ ଗୋଖାଦ୍ୟ ପ୍ରକ୍ରିୟାକରଣ କରାଯାଇଛି । ଠିକ ସେହିପରି ୫ଟି ଜିଲ୍ଲାରେ ଯଥା-ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର,ଦେଓଗଡ ତଥା ମୟୂରଭଞ୍ଜ ଜିଲ୍ଲାରେ ଛେଳିଚାଷର ଉନ୍ନତି ପାଇଁ ଗୁରୁତ୍ଵ ଦିଆଯାଉଛି । ଛେଳିମାନଙ୍କ ପ୍ରଜନନ, ପରିପାଳନ, ଖାଦ୍ୟ ତଥା ଛେଳିପାଳନକାରୀମାନଙ୍କ ଦକ୍ଷତା ବୃଦ୍ଧି ଭଳି କାର୍ଯ୍ୟକ୍ରମମାନ ଯୋଜନାରେ ରଖାଯାଇଛି ।

ପଶୁଧନ ବୀମାକରଣ ଯୋଜନା

ଏହି ଯୋଜନା ଓଡିଶାର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ବୀମା ପ୍ରିମିୟମର ମୂଲ୍ୟକୁ ସରକାର ୫୦% ବହନ କରୁଥିବା ବେଳେ ବଳକା ୫୦% ଚାଷୀମାନେ ବହନ କରିଥାନ୍ତି ।

ସବୁଜ ଘାସ ଉତ୍ପାଦନ ଓ ଖାଦ୍ୟ ବ୍ୟବସ୍ଥା

ଘାସ ମଞ୍ଜି ଆବଣ୍ଟନ ଯୋଜନା (ମିନିକିଟ ପ୍ରୋଗ୍ରାମ), କେନ୍ଦ୍ର ସରକାରଙ୍କ ସହାୟତାରେ ନିଜ ଜମିରେ ଗୋଖାଦ୍ୟ ଫସଲ କରିବା ପାଇଁ ରାଜ୍ୟର ଆଗ୍ରହୀ ଗୋପାଳକଙ୍କୁ ଘାସମଞ୍ଜି ପୁଡିଆ ବଣ୍ଟନ କରାଯାଇଥାଏ । ଏଥିପାଇଁ ତୃଣ ଉନ୍ନୟନ ଅଫିସରମାନେ ଚାଷୀଙ୍କ ପାଇଁ ଗୋଖାଦ୍ୟ ଫସଲ ଉତ୍ପାଦନ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣର ଆୟୋଜନ କରିଥାନ୍ତି । ଏତଦବ୍ୟତୀତ ସରକାରୀ ଘାସ ଫାର୍ମରୁ ଘାସ ମୂଳ, କାଣ୍ଡ ଆଗ୍ରହୀ ଚାଷୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉଛି ।

ଗୋ –ବନ୍ଧ୍ୟା ନିରାକରଣ ଶିବିର

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ୧୭୦୦ଟି ଗୋ-ସମୃଦ୍ଧ ଗ୍ରାମପଞ୍ଚାୟତର ଦୁଧିଆଳୀ ଗାଈମାନଙ୍କ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଦୂରୀକରଣ ନିମନ୍ତେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବର୍ଷକୁ ଦୁଇଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ସେହିପରି ଜାତୀୟ ଗୋ-ପ୍ରଜନନ ଯୋଜନାରେ ପ୍ରତ୍ୟେକ ବ୍ଲକରେ ବର୍ଷରେ ଦୁଇଟି କରି ଗୋବନ୍ଧ୍ୟା ନିରାକରଣ ଶିବିର ଆୟୋଜନ କରାଯାଉଛି । ବିଶେଷଜ୍ଞମାନଙ୍କ ତତ୍ଵାବଧାନରେ ଏପରି ଶିବିର ଅନୁଷ୍ଠିତ ହେଉଥିବାରୁ ଚାଷୀଙ୍କ ଦ୍ଵାରଦେଶରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧ ହୋଇପାରୁଛି । କେବଳ ବ୍ୟବହାରିକ ଦେୟ ପ୍ରଦାନ କରି ଚାଷୀମାନେ ବିଭିନ୍ନ ଆବଶ୍ୟକୀୟ ଔଷଧ ପାଇପାରୁଛନ୍ତି ।

ପଶୁ ରୋଗ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସହାୟତା

ଏହି ଯୋଜନାରେ କେନ୍ଦ୍ର ସରକାର ୭୫ଭାଗ ଅନୁଦାନ ଦେଉଥିବା ବେଳେ, ଓଡିଶା ସରକାର ୨୫ଭାଗ ବହନ କରିଥାନ୍ତି । ମୁଖ୍ୟତଃ ପଶୁପକ୍ଷୀମାନଙ୍କୁ ଟୀକାଦାନ ମାଧ୍ୟମରେ ଜୀବାଣୁ ଓ ଭୂତାଣୁଜନିତ ସଂକ୍ରାମକ ରୋଗର ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ରୋଗ ନିରୀକ୍ଷକ ଓ ନିରୂପଣ ବ୍ୟବସ୍ଥା କରାଯାଉଛି । ଏହି ଯୋଜନା ମାଧ୍ୟମରେ ଗୃହପାଳିତ ପଶୁମାନଙ୍କର ବିଭିନ୍ନ ସଂକ୍ରାମକ ରୋଗ ଯଥା ସାହାଣା, ବଜବଜିଆ, ଫାଟୁଆ, ଆନ୍ଥ୍ରାକ୍ସ, ଛେଳି ବସନ୍ତ, ଆନ୍ତ୍ରିକ ବିସଜ୍ଵର, ଛେଳି ମଡକର ନିୟନ୍ତ୍ରଣ ପାଇଁ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ବ୍ଲକ ଏବଂ ଜିଲ୍ଲା ସ୍ତରରେ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରି ପଶୁପକ୍ଷୀମାନଙ୍କର ଚିକିତ୍ସା କରାଯାଉଛି । ଜିଲ୍ଲାସ୍ତରୀୟ ରୋଗ ନିରୂପଣ କେନ୍ଦ୍ର ଏବଂ ରାଜ୍ୟସ୍ତରୀୟ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରରେ ରୋଗ ଚିହ୍ନଟ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି । ଚାଷୀମାନଙ୍କର ସଚେତନତା ପାଇଁ ରୋଗ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସୁଚାଇ ଦିଆଯାଇଛି ।

ଆତ୍ମନିଯୁକ୍ତି ନିମନ୍ତେ ଦକ୍ଷତା ବୃଦ୍ଧି ଓ ସଚେତନ ଶିକ୍ଷା କାର୍ଯ୍ୟକ୍ରମ

ଏହି ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ଦ୍ଵାରା ବିଭିନ୍ନ ପ୍ରାଣିପାଳନ ତଥା ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କ ଜ୍ଞାନକୌଶଳ ବୃଦ୍ଧି କରାଯାଇଥାଏ ଫଳରେ ପ୍ରାଣୀ ତଥା କୁକୁଡା ପାଳନ କରି ଆତ୍ମନିଯୁକ୍ତି ପାଇଥାନ୍ତି । ଏ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ଉନ୍ନତ ଗୋପାଳନ, ଛେଳିପାଳନ, କୁକୁଡା ପାଳନ,ଓ ଘୁଷୁରୀ ପାଳନ ସମ୍ବନ୍ଧୀୟ ସିନେମା ଦେଖାଇବା , ବାଛୁରୀ ଶୋଭାଯାତ୍ରା କରିବା, ପ୍ରଦର୍ଶନୀରେ ଭାଗ ନେବା, ଜିଲ୍ଲା ମହୋତ୍ସବମାନଙ୍କରେ ଯୋଗଦାନ କରିବା, ଟିଭି କାର୍ଯ୍ୟକ୍ରମ ତଥା ଗ୍ରାମସ୍ୟାଟ କାର୍ଯ୍ୟକ୍ରମରେ ଯୋଗଦାନ ଇତ୍ୟାଦି କରାଯାଇଥାଏ ।

ଜାତୀୟ ଗୋକୁଳା ମିଶନ

ଦେଶୀୟ ଗୋ-ପ୍ରଜାତିମାନଙ୍କର ଉନ୍ନତି ନିମନ୍ତେ ଜାତୀୟ ଗୋକୁଳ ମିଶନ ମାଧ୍ୟମରେ କେନ୍ଦ୍ରସରକାର ଏକ ସ୍ଵତନ୍ତ୍ର ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାକୃତିକ ପ୍ରଜନନ ପାଇଁ ଦେଶଜ ତଥା ଉନ୍ନତ ପ୍ରଜାତିର ଷଣ୍ଢମାନ ଯୋଗାଇବାର ଲକ୍ଷ୍ୟ ରହିଛି । ଆମ ରାଜ୍ୟରେ ଥିବା କମ ଗୁଣ ମାନର ଗୋରୁଙ୍କର ଅନୁବଂଶୀୟ ଗୁଣର ବିକାଶ କରିବା ହେଲା ଏ ଯୋଜନାର ମୂଳଲକ୍ଷ । ରାଜ୍ୟର ମାନ୍ୟତାପ୍ରାପ୍ତ ଗୋପ୍ରଜାତିଙ୍କର ବସବାସ ଅଞ୍ଚଳରେ ଗୋକୁଳ ଗ୍ରାମ ସ୍ଥାପନ କରି ଏବଂ ଗୋପାଳନ ସଂଘ ସୃଷ୍ଟି କରି ଏହି ପ୍ରଜାତିଙ୍କର ସୁରକ୍ଷା ଓ ଉନ୍ନତି କରାଯିବା ଲକ୍ଷ୍ୟ ରଖାଯାଇଛି । ଚାଷୀମାନଙ୍କୁ ଦେଶୀ ଗୋ-ପ୍ରଜାତି ପାଳନ କରିବା ପାଇଁ ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ରହିଅଛି ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments