
kalia scholarship increased by state govt
ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ l ରାଜ୍ୟର ପ୍ରାୟ ଅଧିକାଂଶ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ l ଚାଷୀ ଓ ଚାଷୀ ପରିବାରକୁ ସର୍ବଦା ଦୃଷ୍ଟିରେ ରଖିଥାନ୍ତି ରାଜ୍ୟ ସରକାର l ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରାଯାଇଛି ଯାହାଦ୍ୱରା ଚାଷୀ ଆର୍ଥିକ ସୁବିଧା ପାଇ ପାରୁଛନ୍ତି l ସେ ମାଗଣା ବିହନ ହେଉ କି ଋଣ ସହାୟତା ହେଉ l ସରକାର ସର୍ବଦା ଯୋଗାଇ ଦେଉଛନ୍ତି ସହାୟତା l
ତେବେ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ପ୍ରଚଳିତ ପରେ ଚାଷୀଙ୍କ ପାଇଁ ଆଉ ଏକ ସରକାରୀ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ " କାଳିଆ ଯୋଜନା " ଆରମ୍ଭ କରାଯାଇଥିଲା l ଯେଉଁଥିରେ ଅଧିକାରୀଙ୍କୁ ଋତୁକାଳୀନ ଚାଷ ପାଇଁ ଓଡ଼ିଶା ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l ଆଉ ଏବେ ସେ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବୃତ୍ତି ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ l ଯାହାର ଫାଇଦା ସେମାନେ ଉଠାଇପାରୁଛନ୍ତି l ଆଉ ଏବେ ସେହି ବୃତ୍ତି ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି l
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିର ପରିସୀମା ବ୍ୟାପକ କରାଯାଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । କାଳିଆ ଛାତ୍ରବୃତ୍ତିକୁ ଚାଷୀ ପରିବାର ପାଇଁ ଅଧିକ ଉପଯୋଗୀ କରିବା ସହ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ ହେବାପାଇଁ ଏହାକୁ ପରିବର୍ଦ୍ଧିତ କରାଯାଇଛି । ଯାହା ଚାଷୀ ପରିବାର ପାଇଁ ନିହାତି ଏକ ଖୁସିର ଖବର l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ବୃତ୍ତି ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରାଯାଇଛି । “ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି’ ଚାଷୀ ପରିବାରଙ୍କ ପାଇଁ ସଶକ୍ତିକରଣ ଦିଗରେ ଏକ ଅଭିନବ ପ୍ରୟାସ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରି କହିଛନ୍ତି । ସରକାରଙ୍କ ଏହି ଅଭିନବ ପ୍ରୟାସ ଉପରେ ମଧ୍ୟ ସେ ଖୁସି ବ୍ୟକ୍ତ କରିଛନ୍ତି l ରାଜ୍ୟରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରିବାକୁ ଆଜି ଅର୍ଥାତ ମଙ୍ଗଳବାର ଠାରୁ ସ୍ୱତନ୍ତ୍ର ଭାବେ ଆବେଦନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହି ବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି।
ତେବେ ଗତକାଲି କୃଷି ଭବନରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଅଲ୍ଇଣ୍ଡିଆ ସର୍ଭେ ଅନ୍ ହାୟାର ଏଜୁକେସନ୍ କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ଏଥିରେ ସାମିଲ କରାଯାଇଛି । ଏହାସହ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନକୁ ମଧ୍ୟ ସାମିଲ କରାଯାଇଛି । ସବୁଠାରୁ ବଡ କଥା ହେଲା ରାଜ୍ୟ ସରକାର ନୂତନ ଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମକୁ ମଧ୍ୟ ଏହି ବୃତ୍ତି ପ୍ରକ୍ରିୟାରେ ସାମିଲ କରିଛନ୍ତି । ସ୍ନାତକ ପାଠ୍ୟକ୍ରମରେ ଏମ୍ଟେକ୍, ଏମ୍ଏସ୍ (ଏଗ୍ରି), ଏମ୍ଏସ୍ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍ବିଏ, ଏମ୍ସିଏ, ଏମ୍.ଫାର୍ମ ପରି ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟରେ କୌଣସି ଚାଷୀ ପରିବାରର ପିଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିବେ ନାହିଁ l
ଏହାସହ ପି.ଏଚ୍.ଡି ପାଠ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଯାହା ଉଚ୍ଚ ଶିକ୍ଷା ପଢିବାକୁ ଚାହୁଁଥିବା ପିଲାଙ୍କ ପାଇଁ ବଡ ଖୁସିର ବିଷୟ l ସୂଚନା ଅନୁଯାୟୀ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୪ ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ଯେ, ଏନ୍ଆଇଟି, ଆଇଆଇଟି, ଆଇଆଇଏମ୍, ଏମସ୍, ଆଇସିଏଆର୍, ଆଇଏଆର୍ଆର୍, ଆଇଭିଆର୍ଆଇ, ସିଆଇଏଫ୍ଇ, ଏନ୍ଡିଆର୍ଆଇ, ଆଇଜର, ନାଇଜର ପରି ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ଆଜିଠାରୁ ଆରମ୍ଭ ହେଉଥିବା ଆବେଦନ ପାଇଁ ଛାତ୍ରଛାତ୍ରୀମାନେ କମନ୍ ସ୍କଲାରସିପ୍ ପୋର୍ଟାଲରେ (https://scholarship.odisha.gov.in/)ରେ ଅନ୍ଲାଇନ୍ ମାଧ୍ୟମରେ ଯୋଡି ହୋଇପାରିବେ। ବର୍ଷକୁ ଦୁଇଥର ପାଇଁ ଏହି ପୋର୍ଟାଲ ଖୋଲାରହିବ ପିଲାଙ୍କ ପାଇଁ । ଏହି ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି କାଳିଆ ହିତାଧିକାରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ପାଇବା ସ୍ୱପ୍ନ ସାକାର କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଏକ ନୂଆ ରୂପାନ୍ତରଣ ଆଣିବ ବୋଲି ଆଶା ରହିଛି l
Share your comments